Unknown

 

 

 

 

 

 

 

 

 

 

 

ଆୟତନ

ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀ

 

ସୂଚୀପତ୍ର

 

୧.

ଗୋଟିଏ ଅସଲ କଥା

୨.

ବନ୍ଧ୍ୟାଚାରା

୩.

ଚରିତ୍ରହୀନ ମଳୟ ବାବୁ

୪.

କବରଖାନା

୫.

ନଗର ପ୍ରସିଦ୍ଧ ବ୍ୟକ୍ତି

୬.

ଅନିୟମିତ

୭.

ପିଲାଟିଏ

୮.

ଅଢ଼େଇ ଘଣ୍ଟା

୯.

ଅନ୍ୟ ନଗ୍ର ନଗ୍ରାନ୍ତର

୧୦.

ଭିତର ବାହାର

୧୧.

ପୋଖରୀ

୧୨.

ଫିଡ଼ିଂବଟଲ୍‌

୧୩.

ବକ୍ରଗତି, ତର୍କଗତି

୧୪.

ଆର୍କିଓଲଜିଷ୍ଟ

୧୫.

ବୋମା, ବିଲେଇ, ଫ୍ଲୁ

୧୬.

ଅବଚେତନର ଭାଷାରେ ଅସମ୍ପାଦିତ ସ୍ମରଣ

୧୭.

ଦୁଇଟି ଅଙ୍କନ

୧୮.

ସବୁ ଗଲା ପରେ

୧୯.

ଯାତ୍ରା

୨୦.

ପାଚେରୀ

Image

 

ଏଇ ଲେଖକଙ୍କ ବହି

 

୧.

ଅନ୍ୟ ଇଲାକା [୧୯୬୫]

ସ୍ୱରାଜ୍ୟ ସାହିତ୍ୟ ସମାରୋହ, ସମ୍ବଲପୁର

୨.

ଅକବିତା [୧୯୬୭]

ଅକ୍ଷର ଓ ଅ-କ୍ଷର ବୁଢ଼ା ରଜା, ସମ୍ବଲପୁର

୩.

ଯୁବ ଲେଖକ [୧୯୭୯]

ସ୍ୱରାଜ୍ୟ ସାହିତ୍ୟ ସମାରୋହ, ସମ୍ବଲପୁର

୪.

ଇତ୍ୟାଦି [୧୯୭୧]

ପ୍ରକାଶିତବ୍ୟ

୫.

ଆୟତନ [୧୯୭୧]

ଛାତ୍ରସାଥୀ ଅଫିସ, କଟକ-୨

Image

 

ଗୋଟିଏ ଅସଲ କଥା

 

ଥରେ କେତେଜଣ ଅନ୍ଧ ହାତୀ ଦେଖିବାକୁ ଯାଇଥିଲେ ।

 

ଥରେ ଗୋଟିଏ କୁଆ ନିଜ ବୁଦ୍ଧି ବଳରେ ତୃଷା ନିବାରଣ କରିଥିଲା ।

 

ଠିକ୍ ସେଇଭଳି–

 

ଥରେ ଗୋଟିଏ ପ୍ରଫୁଲ୍ଲ ତ୍ରିପାଠୀ ଭୁଆଁ ବୁଲି ଧୂଆଁ ଧରିବାକୁ ଚେଷ୍ଟା କରିଥିଲା ଏବଂ ଥରେ ଗୋଟିଏ ବୋକୀ ଟୋକୀ ତାକୁ ଏ କ୍ଷେତ୍ରରେ ପରାମର୍ଶ ଦେଇଥିଲା ।

 

ସହସ୍ର ମାୟାବୀ ରାତ୍ରି ଅତୀତ ହେବାରୁ ପୃଥିବୀରେ ଜନ୍ମ ନେଲା ହୀନ ପ୍ରଭା ସୂର୍ଯ୍ୟ । ଏବଂ ପୁଣି ଅନ୍ଧାରର ବିଜୟ ସଙ୍ଗୀତେ ନିଜକୁ ସେ ରୂପ ଦେଲା କରୁ କରୁ ନକ୍ଷତ୍ର ଓ ଅନ୍ଧାରର ଅନନ୍ତ ପରୀକ୍ଷା । ସେ ସୂର୍ଯ୍ୟର ଚୂର୍ଣ୍ଣ ମାଖି ମୁଁ ଘୂରିଲି ପୃଥିବୀର ପ୍ରତିଟି ପାହାଚେ । କିନ୍ତୁ ମୁଁ ପାଇଲି ନାହିଁ : ଆକସ୍ମିକ ସେ ପ୍ରେମର ପ୍ରତିଭୂ ବା ରକ୍ତକ୍ଷରା ଜୀବନର କ୍ଷୁଣ୍ଣ ଇତିହାସ । ଏଣୁ ମୁଁ ଅପେକ୍ଷା କଲି ପୁନର୍ବାର ଗୋଟିଏ ରାତ୍ରିକୁ ।

 

‘କସ୍ତ୍ୱଂ ?’

 

‘ମୁଁ ଏକ ନାରୀ’

 

‘ନାମ ?’

 

‘ପରେ କହିବି’

 

‘ଉଦ୍ଦେଶ୍ୟ ?’

 

‘ପ୍ରେମ’

 

‘ଲକ୍ଷ୍ୟ ?’

 

‘ତୁମେ’

 

‘କାଳ ?’

 

‘ବର୍ତ୍ତମାନ’

 

‘ସ୍ଥାନ ?’

 

‘ଅତ୍ର ।’

 

ଏହି ବିଚିତ୍ର ପ୍ରାରମ୍ଭିକ ସୂଚନା ପରେ ସେ ନିଜକୁ କଲମ କରି କ’ଣ ଗୋଟାଏ ଲେଖିଗଲା, ଚର୍‍ ଚର୍‌କରି–ମୋ ଦେହରେ । ମୁଁ କିନ୍ତୁ ତାକୁ ପଢ଼ିପାରିଲି ନାହିଁ । ନିଜ ପିଠିକୁ କିଏ କ’ଣ କେବେ ଦେଖିପାରେ ? ଉତ୍ତର ଯଦି ଆସ୍ତି ସୂଚକ ହୁଏ ମୁଁ କହିବି–ଧରିନିଆଯାଉ, ସେତେବେଳେ ମୋ ପାଖରେ ଦୁଇଟି ଦର୍ପଣ ନ ଥିଲା । ଏହାପରେ ମୁହଁରେ ହସର ବୀଜ ବୁଣି ସେ କହିଲା–

 

‘କୁହ’

 

‘କ’ଣ କହିବି ?’

 

‘କାହାଣୀ’

 

‘କି କାହାଣୀ ?’

 

‘ଯାହା ଇଚ୍ଛା–ତାହା’

 

‘ନ୍‌ନନା–ମନେପଡ଼ୁନି’

 

ନିରୁଦ୍ଦେଶ୍ୟ ସେ ରାତ୍ରିର ପ୍ରଥମ ପାହାଚେ ମୁଁ ସ୍ୱୀକାର କଲି ତା’ର ଅସ୍ତିତ୍ୱ ଓ ମୋ ନିଜ ଅସ୍ତିତ୍ୱ । କିନ୍ତୁ ମୋର ବ୍ୟବସ୍ଥିତ କବିତାର ଅନ୍ତିମ ଧାଡ଼ିରେ ମୁଁ ଲେଖିଲି ଯାହା, ତାହା ନିଜେ ବୁଝିପାରିଲିନି । କାରଣ କୋଇଲି ଥିଲା ଏବଂ ଥିଲା କୃଷ୍ଣଚୂଡ଼ା ଦେହରେ ବସନ୍ତ ।

 

‘ଶୁଣ’

 

‘ଉଁ ।’ ଏ ସ୍ୱର ମୋର

 

‘ମୁ ତୁମକୁ ଭଲପାଏ’

 

‘କଅଣ ?’

 

‘ମୁଁ.... ତୁମକୁ ଭଲପାଏ’

 

‘ବୁଝି ହେଲାନି’

 

‘ମୁଁ ତୁମକୁ ଭଅଲ ପାଏ’

 

‘ଆୟଁ ?’

 

‘ମୁଁ ଉଁ ଉଁ ତୁଉଉମଅଅକୁଉଉ ଉଅଅଲଅ ପାଆଆଏଏ’

 

‘ଆଉ ଥରେ’

 

‘ମୁଁ ତୁମକୁ ଭଲପାଏ’

 

‘କ’ଣ ?’

 

‘ଦୃଷ୍ଟ’ କହି ସେ ଓହଳି ପଡ଼ିଲା ମୋର ବେକରେ । ସେତେବେଳେ ମୁଁ ମନେକରୁଥାଏ କୌଣସି ଏକ ଦୃଶ୍ୟକୁ, ଯାହା ମୁଁ ଏକ ବିରାଟ ହଲ୍‌ (hall)ର ଅନ୍ଧାର ଭିତରେ ରହି କିଛି ଗୋଟାଏ ଅଣ୍ଡାଳି ଅଣ୍ଡାଳି ଦେଖୁଥିଲି ।

 

ଏଭଳି ଅନେକ ରାତ୍ରି ପରେ ମୁଁ ତାକୁ ଭଲ ପାଇଲି । କେବଳ ଭଲ ପାଇବାକୁ ହେବ ବୋଲି ଭଲ ପାଇଲି ।

 

ଏକ ନୂତନ ସୂର୍ଯ୍ୟର ଉଦୟ

 

ଏକ ନୂତନ ଅସ୍ଥିତ୍ୱର ସୂଚନା

 

ଏକ ନୂତନ ପ୍ରାଣର ପ୍ରକାଶ

 

ଏକ ନୂତନ ବିଭୂତିର ବିଜୟ

 

ଏକ ନୂତନ ଶିଶୁର ଜନ୍ମ

 

କୁଆଁ–କୁଆଁ–କୁଆଁ

 

ଇଏ କ’ଣ ଏ ସ୍ୱରର ଅନ୍ତିମ ଗାୟକ ?

 

ଇଏ କ’ଣ ଏ ସ୍ୱରର ପ୍ରଥମ ପ୍ରବର୍ତ୍ତକ ??

 

ଆଖିରେ ଆଖିଏ ସନ୍ଦେହ ନେଇ ମୁଁ ମୋର ପ୍ରେୟସୀକୁ ଚାହିଁରହିଥିଲି ଏବଂ ମନେକରୁଥିଲି–

 

ବିସ୍ମୟାତୀତ ଲଗ୍ନର ସରହଦ ଟପି ମୁଁ କାହା ପ୍ରତି ଅନୁରକ୍ତ ନୁହେଁ । କିନ୍ତୁ ମୋର ପତ୍ନୀର ଅବଗୁଣ୍ଠନର ଛାୟା ତଳେ ଅନେକେ ବଞ୍ଚି ରହିବେ ହସି–କାନ୍ଦି–ଉପଭୋଗ କରି ।

 

(କଳନା–ଜୁଲାଇ, ୧୯୬୪)

Image

 

ବନ୍ଧ୍ୟାଚାରା

 

ଆଜି ସକାଳେ ମୋତେ ଏକୋଇଶ ବର୍ଷ ହୋଇଥିଲା । ବର୍ତ୍ତମାନ ମୋର ମନେହେଉଚି ଯେ, ମୁଁ ନିଜେ ହିଁ ମହାକାଳର ପ୍ରତିନିଧି । ମୋର ଚକ୍ଷୁର ଜ୍ୟୋତିରେ ହିଁ ସୂର୍ଯ୍ୟର ଆଲୋକ....ମୋର ପ୍ରତ୍ୟେକ ବୀର୍ଯ୍ୟବିନ୍ଦୁରେ ସହସ୍ର ସୂର୍ଯ୍ୟର ଜ୍ୱଳନ.... ଏବଂ ଏବଂ ଠିକ୍‌ ଦିନ ବାରଟାବେଳେ ଛକ ମଝିରେ ଥିବା ଟାଓ୍ୱାର୍‌ କ୍ଲକ୍‌ର ଲମ୍ବା ଲମ୍ବା ଦୁଇଟା ହାତ ମୋର ତୋଟି ଚିପିବା ପାଇଁ ଉଦ୍ୟତ ହେଉଥିଲେ । ସେଇ ଘଡ଼ିଟିର ଗୋଲାକାର ପରିଧି ଭିତରୁ ମୁକ୍ତ ହୋଇ ସେଇ ଲମ୍ବା ଲମ୍ବା ହାତ ଦୁଇଟି ମୋ’ଆଡ଼କୁ ଧାଇଁ ଆସିଲେ । ଲମ୍ବି ଆସିଲେ ।

 

ସେତେବେଳେ ସିମେଣ୍ଟ ତିଆରି ପାଣିକଳ ପାଖରେ କକୁରଟିଏ ଧକଉଥିଲା । ତା’ର ଗୋଲାପୀ ରଙ୍ଗର ଲମ୍ବ ଜିଭରୁ ଖସି ପଡ଼ୁଥାଏ ବିନ୍ଦୁ ବିନ୍ଦୁ ଲାଳ....ତା’ର ପାକସ୍ଥଳୀ ଉଠୁଥାଏ ଏବଂ ପଡ଼ୁଥାଏ....ତା’ର ଲୋମଶ ଲାଞ୍ଜଟି ଏକ ନିର୍ଦ୍ଦିଷ୍ଟ ଛନ୍ଦରେ ନାଚୁଥାଏ ।

 

ମୁଁ ଦେଖିଲି ସେଇ କୁକୁରଟିର ନୀରବ ମୃତ୍ୟୁ । ଘଣ୍ଟାର ଲମ୍ବା ଲମ୍ବା ହାତ ଦୁଇଟି ଶେଷକୁ ସେଇ କୁକୁରର ତୋଟି ଚିପି ପୁନଶ୍ଚ ସେଇ ଗୋଲକାର ପରିଧି ମଧ୍ୟକୁ ଫେରିଗଲେ । ନିକଟସ୍ଥ ବ୍ରୋଞ୍ଜ୍‌ ନିର୍ମିତ କୌଣସି ନେତାଙ୍କର ପ୍ରତିମୂର୍ତ୍ତି ଛାଡ଼ି ନାମ ନ ଜଣା ପକ୍ଷୀଟିଏ ଫୁର୍‍କିନି ଉଡ଼ିଗଲା ।

 

ଏବଂ...ତା’ପରେ ଅନେକ କଥା ।

 

ଆଜବେଷ୍ଟସ୍‌ ଛାତ ତଳକୁ ଗଳି ପଡ଼ୁଥାଏ ବୈଶାଖର ସକଳ ଉତ୍ତାପ । ଡାହଣ ପାଖରେ କାନ୍ଥକୁ ଲାଗି ମଶିଣା ଉପରେ ଶୋଇଥିବା ଏକ ନାରୀର ଶୁଖିଲା ଓଠକୁ ଓଦା କରି ମୁଁ ତା’ର ମାଂସଳ ଶରୀର ଉପରେ ଅଳ୍ପଟିକିଏ ଢୁଳେଇ ପଡ଼ିବା ବେଳେ ମୋର ମନେହୋଇଥିଲା ଯେ ଯୁଗ ଯୁଗର ଅନିଦ୍ରା ଜନିତ କ୍ଳାନ୍ତି ଯେଭଳି ଏଇ ଗୋଟିଏ ମୁହୂର୍ତ୍ତରେ ମିଳାଇ ଯାଉଛି ।

 

ମୁଁ ଆଉ ଏକୋଇଶ ବର୍ଷର ଯୁବକ ନୁହେଁ । ମୁଁ ଏକ ଆଦିମ କୈବର୍ତ୍ତ......ଏଇ ପ୍ରାଚୀନ ପୃଥିବୀର ପ୍ରତ୍ୟେକ ମହାସାଗରରେ ମୋର ହୁଲିଡଙ୍ଗା ଓ ଜାଲ । ମହାକାଳର ପ୍ରତ୍ୟେକ ଘୋଷଣାପତ୍ରରେ ମୋର ସ୍ୱାକ୍ଷର । ସମୟର ସୀମାଠାରୁ ବହୁ ଊର୍ଦ୍ଧ୍ୱରେ ମୋର ସ୍ଥିତି ।

 

ସେଇ ଶାୟିତା ନାରୀଟିକୁ ଉଦ୍ଦେଶ୍ୟ କରି ମୁଁ ପାଠ କରିଥିଲି ନିଜସ୍ୱ ସଂଳାପ :

 

‘‘କୁମ୍ଭକର୍ଣ୍ଣୀ ନିଶ୍ଚେତନତାର ପରିଧି ଭିତରେ ପେଣ୍ଟିହୁଏ ଯେଉଁ ଅନ୍ଧକାରର ବିକଳ ଆବେଦନ, ତାହା ପୂର୍ଣ୍ଣତଃ ମୋର.....ତହିଁରେ ତୁମର ଭାଗ ନାହିଁ । ଅପରିଣାମଦର୍ଶୀ ଜଣେ ଭାବପ୍ରବଣ ଯୁବକର ଉଡ଼ନ୍ତ ଖିଆଲ ନେଇ ମୁଁ ଜଳିବାକୁ ପସନ୍ଦ କରେନା, ଏବଂ ତୁମେ ଭଲଭାବରେ ଜାଣ ଯେ, ଏହା କେବଳ ଏକ ସିଦ୍ଧାନ୍ତ ନୁହେଁ ଏହାକୁ ମୁଁ ଦୀର୍ଘ ପାଞ୍ଚ ବର୍ଷ ଧରି ଅଙ୍ଗେ ନିଭାଉଚି ।’’

 

ମୋର ଅଙ୍ଗର ଭାଷା ଶୁଣି ସେଇ ପତି-ପରିତ୍ୟକ୍ତା ନାରୀଟି ଉନ୍ମାଦିତ ହୋଇଥିଲା । ମୋ ନିକଟରେ ନିଜକୁ ସମର୍ପଣ କରି ଦେଇ ସେ ନିଜକୁ ମହିମାନ୍ୱିତ ମନେକରିଥିଲା ।

 

ଦୀର୍ଘ ପାଞ୍ଚ ବର୍ଷର ପ୍ରତୀକ୍ଷା ପରେ ଆଜି ଦ୍ୱିପ୍ରହର ବେଳେ ତା’ର ଦେହର ଅଗଣାରେ ସୁରତର ଶଙ୍ଖଧ୍ୱନି ଶୁଣାଯାଇଥିଲା । ତା’ର ପ୍ରତ୍ୟେକ ଲୋକମକୂପରୁ ନିର୍ଗତ ଝାଳରେ ମୁଁ ଆଘ୍ରାଣ କରୁଥିଲି ଜୀବନର ଗନ୍ଧ...ଏକ ନୂତନ ଜୀବନ ଗନ୍ଧର ।

 

‘‘ମୋ ସନ୍ତାନର ପିତୃତ୍ୱକୁ ସ୍ୱୀକାର କରି ତୁମେ ରାଜପଥରେ ଚାଲି ପାରିବ ?’’

 

ମୁଁ ନିରୁତ୍ତର ।

 

‘‘ମୋ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ତୁମେ କହିପାରିବ ଯେ, ୟେ ମୋର ପତ୍ନୀ ?’’

 

ମୁଁ ତଥାପି ନିରୁତ୍ତର ।

 

‘‘ତୁମ ସାମ୍ନାରେ ଯଦି କେହି ମୋ ବିରୁଦ୍ଧରେ ବିଷୋଦ୍‌ଗାରଣ କରେ, ତା’ହେଲେ ତୁମେ ତାକୁ ଅମୃତ ଭଳି ଢକ୍‌ ଢକ୍‍ ପିଇଦେଇ ପାରିବ ?’’

 

ମୋ ପକ୍ଷରୁ କୌଣସି ଉତ୍ତର ନାହିଁ ।

 

ପ୍ରଶ୍ନ-ପୀଡ଼ିତ ପ୍ରତ୍ୟେକ ମୁହୂର୍ତ୍ତର ଦହନ ଓ ଅତ୍ୟାଚାରକୁ ଆତ୍ମସ୍ଥ କରି ମୋର ଠିକ୍ ମନେଅଛି, ମୁଁ କହିଥିଲି : ‘‘ମୁଁ କିଛି କହିପାରିବି ନାଇଁ, ମୋତେ କ୍ଷମାକର । ମିଥ୍ୟା ପ୍ରତିଶ୍ରୁତିର କାଚଘର ଦେଖିବାକୁ ହୁଏତ ଖୁବ୍‌ ସୁନ୍ଦର, ମାତ୍ର ସାମାନ୍ୟ ଆଘାତରେ ତାହା ଭାଙ୍ଗିଯାଏ । ମୁଁ କେବଳ ଏତିକି ଜାଣେ ଯେ, ମୁଁ ତୁମ ସହିତ କେବେ ଖେଳ ଖେଳୁ ନ ଥିଲି ଏବଂ ଆଜି ମଧ୍ୟ ଖେଳୁନାଇଁ ।’’

 

ସ୍ୱାଭାବିକ ନିୟମରେ ମୋ ଦେହରେ ବଣ୍ୟ ଲତାଟିଏ ଭଳି ଛନ୍ଦିହୋଇପଡ଼ି ସେ କାନ୍ଦି ଉଠିଥିଲା । ସେ କ୍ରନ୍ଦନର ପ୍ରବଳ ବେଗରେ ମୁଁ ହୁଏତ ନିଜର ସଂଜ୍ଞା ହରାଇ ବସିଥାନ୍ତି, ମାତ୍ର ସେ ମୋତେ କହିଲା : ‘‘ତୁମ ଜୀବନଗ୍ରନ୍ଥର ମୁଖବନ୍ଧ ହେବାର ଯୋଗ୍ୟତା ମୋର ନାହିଁ, ତୁମେ ମୋତେ କେବଳ ପୃଷ୍ଟାଟିଏ କରି ରଖ । ଆଜି ମୁଁ ବୁଝିପାରୁଚି ଯେ, ଏଇ ପୃଥିବୀରେ ପ୍ରତାରକମାନଙ୍କ ସହ ମହାପୁରୁଷ ମଧ୍ୟ ଜନ୍ମଗ୍ରହଣ କରନ୍ତି । ତୁମେ ମୋର ଦେବତା, ତୁମେ ମହାପୁରୁଷ । ତୁମେ ମୋର....ତୁମ ବ୍ୟତୀତ ମୁଁ ବଞ୍ଚିପାରିବି ନାଇଁ । ତୁମେ ହିଁ ଏ ଶତାଦ୍ଦୀର ରାମଚନ୍ଦ୍ର....ତୁମେ ହିଁ ପାଷାଣୀ ଅହଲ୍ୟାକୁ ଶାପମୁକ୍ତ କରିପାରିବ ।’’

 

ମୁଁ ପୁଲକିତ ହୋଇଥିଲି । ମୋର ଆବେଗର ତନ୍ତ୍ରୀରେ ଆଘାତ ଲାଗି ହଠାତ୍‌ ଫୁଟି ଉଠିଥିଲା ଶତ ସହସ୍ର ବିଭିନ୍ନ ସ୍ୱର । ମୁଁ ନିଜେ ଚକିତ ହୋଇଥିଲି । ତା’ର ସେତା ଓଠରେ ବାରମ୍ବାର ଚୁମ୍ବନ ଦେଇ ମୁଁ ପୁଣି ଥରେ ଢଳି ପଡ଼ିଲି ତା’ର ଦେହରେ । ତା’ର ମୁଖମଣ୍ଡଳରେ ସ୍ୱୀକୃତିର ମୌନ ସଙ୍କେତ ।

 

ଅନୁଭବ କଲି, ବହୁକାଳର ଅନ୍ଧପୁରୁଷ ମୁଁ ଆଜି ଯେଭଳି ଆଲୋକ ଦେଖୁଛି । ପୂର୍ବ ଆକାଶର ପାଦ ଦେଶରେ ଲୋହିତ ରଶ୍ମିର ଅଭିସାର । ଅନୁଭବ କଲି, ବହୁକାଳର ତୃଷା ଆଜି ଯେଭଳି ନିବାରିତ ହେଉଛି । ସେଇ ପତିପରିତ୍ୟକ୍ତା ନାରୀଟିର ଦେହରେ ଯେଉଁ ଗନ୍ଧ, ସେଇ ଗନ୍ଧରେ ମୁଁ ସମ୍ମୋହିତ ହୋଇପଡ଼ିନାହିଁ ତ ?

 

କାଳ-ଚେତନାର ପରିଧି ବାହାରେ ରହି ମୁଁ ନିଜକୁ ଧ୍ୱଂସ କରି ଦେଉ ନାହିଁ ତ ? ସାମାଜିକ ନିୟମର ବିରୁଦ୍ଧାଚରଣ କରି ମୁଁ ନିଜ ନିମନ୍ତେ ଏକ ବିରାଟ ଶତ୍ରୁବ୍ୟୁହ ରଚନା କରୁ ନାହିଁ ତ ?

 

ସେଇ ନାରୀଟିର ଚିର ଉଦାସ ମୁଖମଣ୍ଡଳରେ ପରିବ୍ୟାପ୍ତ ପ୍ରଶାନ୍ତିର ଚିହ୍ନ । ସେଇ ନାରୀଟିର ଶିଥିଳ ଅଙ୍ଗଲତାରେ ନୂତନ କିଶଳୟର ଜୀବନ ।

 

ଆଜି ସେଠାରୁ ବିଦାୟ ନେଇ ଆସିବା ପୂର୍ବରୁ ମୁଁ ତାକୁ ପଚାରିଥିଲି : ‘‘ତୁମର ବୟସ-?’’

 

କ୍ଷୀଣ ହସ ହସି ସେ ଉତ୍ତର ଦେଇଥିଲା: ‘‘ ନାରୀମାନଖଙ୍କୁ ବୟସ ପଚରାଯାଏ ନାହିଁ-।’’

 

‘‘ତଥାପି ?’’

 

‘‘ତି–ରି–ଶ’’ ଏହି ତିନୋଟି ଅକ୍ଷର ସେ ଅତି ସ୍ପଷ୍ଟ ଭାବରେ ଉଚ୍ଚାରଣ କରିଥିଲେ ଏବଂ ଅଳ୍ପ କ୍ଷଣର ନୀରବତା ଭଙ୍ଗକରି ପୁଣି କହିଥିଲା : ‘‘......ଆହୁରି ମଧ୍ୟ ମୁଁ ଜାଣେ ଯେ, ତୁମର ବୟସ ଏକୋଇଶ । ମାତ୍ର ମୁଁ ଅନୁଭବ କରେ ଯେ ତୁମେ ମୋ’ଠାରୁ ଶହ ଶହ ବର୍ଷ ଊର୍ଦ୍ଧ୍ୱରେ–ହଁ ବିଶ୍ୱସ୍ତ ଭାବରେ ମୁଁ ଏହାହିଁ ଅନୁଭବ କରେ । ତୁମ ଜୀବନର ବିରାଟ ଗ୍ରନ୍ଥରେ ମୁଁ କେବଳ ଗୋଟିଏ ପୃଷ୍ଠା-। ହୁଏତ ସେତିକି ବି ହୋଇନପାରେ ।’’

 

ତା’ର ସମଗ୍ର ଶରୀରକୁ ନିଜ ଉପରକୁ ଆଉଜାଇ ଆଣି ମୁଁ କହିଲି : ‘‘ତୁମେ ମୋ ଶିଶୁର ମାତୃତ୍ୱକୁ ସ୍ୱୀକାର କରିବ ତ ?’’ ପୁଣି ଥରେ ତା’ ଆଖିରୁ ଧାର ଧାର ଳୁହ ବହିପଡ଼ିଲା । ଏ ଅଶ୍ରୁ ଆନନ୍ଦର ନୁହେଁ କିମ୍ବା ଦୁଃଖର ମଧ୍ୟ ନୁହେଁ । ଏ ଅଶ୍ରୁ ଗର୍ବର । ମାତୃତ୍ୱର ଗର୍ବ ନେଇ ସେ ନିଜକୁ ସମ୍ଭାଳିପାରୁନାଇଁ ।

 

ସେଇ ନାରୀଟିର ଚରିତ୍ରହୀନ ମଦ୍ୟପ ସ୍ୱାମୀ ଦୀର୍ଘ ପାଞ୍ଚବର୍ଷର ଦାମ୍ପତ୍ୟ ପରେ ପରେ ତାକୁ ଯାହା ଦେଇପାରିଲା ନାହିଁ, ମୁଁ ହୁଏତ ମାତ୍ର କେତୋଟି ମୁହୂର୍ତ୍ତରେ ତାହା ଦେଇପାରିଛି । କୁମ୍ଭକର୍ଣ୍ଣୀ ନିଶ୍ଚେତନତାର ରୂପ ପରିବର୍ତ୍ତିତ ହୋଇଛି । ମାତ୍ର କେତୋଟି ମୁହୂର୍ତ୍ତ ଭିତରେ ମୋର ଶରୀରରେ ଓ ମନରେ ଏକ କାଳଜୟୀ ପରିବର୍ତ୍ତନ । ମୁଁ ଆଜି ସକାଳେ ଏକୋଇଶ ବର୍ଷର ଯୁବକ ଥିଲି । ଆଜି ସନ୍ଧ୍ୟାରେ ଦେଖୁଚି.... ମୁଁ ନିଜେ ହିଁ କାଳପୁରୁଷ । ମୁଁ ନିଜେ ହିଁ । ମୁଁ ନିଜେ । ମୁଁ ନିଜେ ହିଁ କାଳପୁରୁଷ । ମୁଁ........ ।

 

ସେଇ ଟାଓ୍ୱାର କ୍ଲକ୍‌ଟିର ଲମ୍ବା ଲମ୍ବା ଦୁଇଟି ହାତ ବର୍ତ୍ତମାନ ବେଶ୍‍ ଶାନ୍ତ ଓ ସଂଯତ ।

 

ଦିପହରଠାରୁ ପାଣିକଳ ପାଖରେ ପଡ଼ିଥିବା କୁକୁରଟି ଏଯାଏଁ ସେଠାରେ ପଡ଼ି ରହିଚି ।

 

ମୁଁ ପାଖର ‘‘କଫିଘର’’କୁ ପଶି ଆସୁଚି । ରେକର୍ଡ଼-ପ୍ଲେୟର ଉପରେ ଏକ ଲଙ୍ଗ ପ୍ଲେଇଙ୍ଗ୍‌ ବିଦେଶୀ ସଙ୍ଗୀତର ଉନ୍ମଦକ ସ୍ୱରବ୍ୟଞ୍ଜନ ।

 

‘‘ବୟ....ଓ୍ୱାନ୍‌ କୋଲଡ୍‌ କଫି ।’’

 

X X X X

 

ଆରେ....

 

ସକାଳେ ଦେଖିଥିଲ ବାରଣ୍ଡାର ସବୁଜ କାକ୍‌ଟସ୍‌ ଚାରା ବନ୍ଧ୍ୟା ଥିଲା । ଏଇ ସଞ୍ଜବେଳକୁ ତୋର କଣ୍ଟକମୟ ଦେହରେ ଦୁଇଟି ଛୋଟ ଛୋଟ ଫୁଲ ଫୁଟିଚି ।

 

(ପଞ୍ଚମୁଖୀ–ଜୁଲାଇ, ୧୯୬୭)

Image

 

ଚିରିତ୍ରହୀନ ମଳୟ ବାବୁ

।। ୧ ।।

 

କେଉଁ ସ୍କୁଲଛୁଆଠାରୁ ହଠାତ୍‌ ଆଜି ସକାଳୁ କିଛି ‘ଖିଆଲ ଉଧାର ନେଇ ତରୁଣ ଏଡ଼ଭୋକେଟ ମଳୟ ବାବୁ ଗୋଟିଏ ପରେ ଗୋଟିଏ ବତୀଖୁଣ୍ଟ ଛୁଇଁ ରାସ୍ତାରେ ଚାଲିଛନ୍ତି । ସେ କୌଣସି ଏକ ନିର୍ଦ୍ଦିଷ୍ଟ ବତୀଖୁଣ୍ଟ ଛୁଇଁବାକୁ ଭୁଲିଯାଇ ନାହାନ୍ତି ତ ?’

 

ଆଜି ତାଙ୍କ ଦେହରେ କଳା କୋଟ ନାଇଁ । ଆଜି ରବିବାର । ଛୁଟି । ତଥାପି ତାଙ୍କ ପାଦପାତରେ ଯେଉଁ ଦୃଢ଼ତା ତାହା ସୂଚିତ କରାଇଦେଉଥିଲା ଯେ, ମଳୟ ବାବୁ ବ୍ୟସ୍ତ....ମଳୟ ବାବୁ ଏଇ ରାସ୍ତାର ଅନ୍ୟ କେଇଜଣଙ୍କ ଭଳି ଲକ୍ଷ୍ୟହୀନ ନୁହନ୍ତି ।

 

ମଳୟ ବାବୁଙ୍କର ଆଦୌ ମନେ ନାହିଁ, ସେ କେତୋଟି ବତୀଖୁଣ୍ଟ ଟପି ଏଇ ଗଳି ପାଖକୁ ଆସିଲେ ଏବଂ ଗଳି ଭିତରକୁ ପଶିବା ପୂର୍ବରୁ ପଛକୁ ଟିକିଏ ଲେଉଟି ଦେଖି ଏଇ ଊନବିଂଶ ଶତାଦ୍ଦୀର କୋଠା ଭିତରକୁ ପଶିଆସିଲେ । କୋଠରୀ ଭିତରେ ସରିତା ରୁମାଲରେ ଫୁଲ ପକାଉଁ ପକାଉଁ ତାଙ୍କୁ ଅପେକ୍ଷା କରୁଥିଲା । ମଳୟ ବାବୁଙ୍କୁ ଦେଖି ତା’ ମୁହଁରେ ଟିକିଏ ହସର ଝଲକ ଦେଖାଦେଲା । ମଳୟ ବାବୁ ନିଜକୁ ପ୍ରସ୍ତୁତ କରୁ କରୁ ବେକତଳୁ ଝାଳ ପୋଛି ଆଣିଲେ । ସରିତା ତଥାପି ସିଲେଇ କରୁଥାଏ । ମଳୟ ବାବୁ ନିଜକୁ ପ୍ରସ୍ତୁତ କରିନେଲେ । କାରଣ, ଏଇନେ ହୁଏତ ସରିତାର ବିଧବା ମା’ ଆସିବେ ଓ ତାଙ୍କ ସାନପୁଅର ପାଠପଢ଼ାରେ କିପରି ଅସୁବିଧା ହେଉଛି ସେ କଥା କହିବେ ।

 

କିନ୍ତୁ ତାହା ଯଦି ନ ହୁଏ, ତାହାହେଲେ ସରିତା ତାଙ୍କ ଶୋଇବା ଘରକୁ ଡାକି ନେବ ଓ ଜୋତା ଖୋଲି ପକାଇବାକୁ ଅନୁରୋଧ କରିବ । କିନ୍ତୁ ଆଜି ସେ ବୁଟ୍‌ ପିନ୍ଧି ନାହାନ୍ତି । ସେ ଜାଣନ୍ତି ଯେ ପଲଙ୍କ ଉପରକୁ ଚଢ଼ିବା ଲୋକପାଇଁ ବୁଟ୍‍ ତିଆରି ହୋଇନାହିଁ । ବୁଟ୍‌ ତିଆରି ହୋଇଚି ଚଉକିରେ ବସି କାମ କରିବା ଲୋକଙ୍କ ପାଇଁ ଏତେ ବାଟ ଚାଲି ଆସିଥିବାରୁ ମଳୟ ବାବୁଙ୍କ ଦେହରୁ ଝାଳ ବାହାରୁ ଥାଏ । ତାଙ୍କର ସାର୍ଟ ଖଣ୍ଡିକ ଖୋଲିପକାଇବାକୁ ଇଚ୍ଛା ହେଉଥାଏ । କିନ୍ତୁ ସେ ସରିତାର ହାତ ଧରି କହିଲେ–‘‘ଚାଲ ।’’ ସରିତା ମନା କଲା । କହିଲା, ଆଜି ତା’ର ସାନଭାଇ ଆସିଚି ଓ ଶୋଇବା ଘରେ ବସି କ’ଣ ଗୋଟାଏ ପଢ଼ୁଚି । ମଳୟ ବାବୁ କାରଣ ଜିଜ୍ଞାସା କରିବାରୁ ସେ କହିଲା ଯେ, ଠିକ୍‌ ସମୟରେ କଲେଜକୁ ଟଙ୍କା ନ ପଠାଇବାରୁ ସେ ନିଜେ ଟଙ୍କା ନେବା ପାଇଁ ଚାଲି ଆସିଚି ।

 

ମଳୟ ବାବୁ ଟିକିଏ ବ୍ୟସ୍ତ ହେଲେ । କିନ୍ତୁ ନିଜର ବ୍ୟସ୍ତତାକୁ ସେ ଯଥାସମ୍ଭବ ଲୁଚାଇ ରଖିଲେ । ତାହା ତାଙ୍କର ଗମ୍ଭୀର ମୁଖମଣ୍ଡଳରେ ପ୍ରକାଶିତ ହୋଇପାରିଲା ନାହିଁ । ଏହା ବଡ଼ଲୋକୀର ଲକ୍ଷଣ ।

 

ସରିତା କିଛି କହୁ ନ ଥାଏ କିମ୍ବା ମଳୟ ବାବୁଙ୍କ ହାତରୁ ନିଜର ପାପୁଲିକୁ ମଧ୍ୟ ଛଡ଼ାଇ ନେଉ ନ ଥାଏ । ଭିତରୁ ମଧ୍ୟ କିଛି ଶୁଭୁ ନାହିଁ । ଏ ନୀରବତା ମଳୟ ବାବୁଙ୍କୁ ଭଲ ଲାଗିଲା ନାହିଁ ।

 

ସେ ପଚାରିଲେ–‘‘ତୁମ ମା’ ?’’

 

‘‘ପଡ଼ିଶା ଘରକୁ ଯାଇଚି ।’’

 

‘‘କାହିଁକି ?’’

 

‘‘ଆଉ କାହିଁକି ? ଟଙ୍କା ପାଇଁ’’–ସରିତା ନିଃସଙ୍କୋଚ ହୋଇ ଉତ୍ତର ଦେଲା ।

 

ମଳୟ ବାବୁ ତାଙ୍କ ଧୋବ ଫର ଫର ପ୍ୟାଣ୍ଟ ମୁଣାରୁ ପର୍ଶ କାଢ଼ିଲେ । କାନ୍ଥରେ ଲାଗିଥିବା ପଞ୍ଚବାର୍ଷିକ ଯୋଜନା ସମ୍ବନ୍ଧୀୟ କେଲେଣ୍ଡରକୁ କିଛି ସମୟ ଚାହିଁରହିଲେ ଓ ତା’ପରେ ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ୍‍ ସରିତା ହାତକୁ ବଢ଼ାଇ ଦେଇ କହିଲେ–‘‘ଏଇ ନିଅ, ମା’ଙ୍କୁ କହିବ ଯାହାଙ୍କଠୁ ଟଙ୍କା ଧାର ଆଣିଛନ୍ତି, ତାଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଦେଇଦେବେ ।’’

 

ଏ କଥା ନୂଆ ନୁହେଁ । ତେଣୁ ସରିତା କିଛି ନ କହି ହାତ ବଢ଼ାଇଲା । ମଳୟ ବାବୁ ସରିତାକୁ କିଛି ସମୟ ଆଲିଙ୍ଗନ କରି ଫେରିଗଲେ । ସରିତା ଦେଖିଲା, ମଳୟ ବାବୁଙ୍କ ଚଉଡ଼ା ପିଠି ଦରଜା ସେପାଖରେ ମିଶି ଯାଉଛି ।

 

।। ୨ ।।

 

ରାସ୍ତା ଉପରେ ଠିଆହୋଇ ମଳୟ ବାବୁ ଭାବିଲେ ଯେ, ବର୍ତ୍ତମାନ ଖରା ଖୁବ୍‌ ଜୋର୍‌ ପଡ଼ିଲାଣି.....ଏଣୁ କ’ଣ କରାଯାଇ ପାରେ ? ହଠାତ୍‌ ତାଙ୍କର ମନେପଡ଼ିଲା, ଆଜି ରବିବାର । ଆଜି ଲିଲିକୁ ସାଙ୍ଗରେ ନେଇ ସେ ହୁଏତ ଖୁସିରେ ମର୍ନିଂ ସୋ’ଟାକୁ ଉପଭୋଗ କରିପାରିବେ । ଏଥର କିନ୍ତୁ ଚାଲିବାକୁ ତାଙ୍କ ପାଦରେ ଆଉ ଶକ୍ତି ନ ଥିଲା । ସେ ରିକ୍‌ସାରେ ଚଢ଼ିଲେ ଓ ଆଗେଇଲେ ।

 

ଏଇ ଆଗରେ ଲିଲିର ବଂଲୋ ଭଳି ଘର । ଲିଲି ସତରେ ଗୋଟିଏ କଇଁଫୁଲ । କଇଁଫୁଲ ଭଳି ତା’ର ଗାଲ, ଓଠ, ଜିଭ ଓ....

 

ମଳୟ ବାବୁ କଲିଂବେଲରେ ହାତ ଦେଲେ । ଛୋଟ କୁକୁରଟିକୁ ସାଙ୍ଗରେ ଧରି ଲିଲି ଆସି ଦୁଆର ଖୋଲିଲା । କୁକୁରଟି, ସବୁ ଥର ଭଳି ଏଥର ମଧ୍ୟ ମଳୟ ବାବୁଙ୍କର ପ୍ୟାଣ୍ଟ ତଳ ଚାଟିବାକୁ ଆରମ୍ଭ କଲା ।

 

ଏଥିରେ ମଳୟ ବାବୁ ଯେ ବିରକ୍ତ ନ ହେଲେ, ସେ କଥା ନୁହେଁ । ମାତ୍ର ସେ ଏହି ବିରକ୍ତିକୁ ମୁହଁରେ ପ୍ରକାଶ କଲେ ନାହିଁ । ଏହା ବଡ଼ଲୋକୀର ଲକ୍ଷଣ ।

 

‘‘ତୁମର ଭାଇ କେମିତି ? –ମଳୟ ବାବୁ ପଚାରି ବସିଲେ ।

 

‘‘ଏବେ ଟିକିଏ ଭଲ ଅଛନ୍ତି ।’’

 

ଲିଲିର ବଡ଼ଭାଇ ରବର୍ଟ । ଆହା ବିଚରା ! ତା’ର ପତ୍ନୀର ମୃତ୍ୟୁରେ ସେ ଏତେ ବ୍ୟଥିତ ଯେ, ଛଅ ମାସ ହେଲା ଖଟରୁ ଉଠିନାହିଁ । ଏଇ ସୁନ୍ଦର ବଂଲୋ ଭଳି ଘରେ କେବଳ ଏଇ ଦୁଇ ଦୁଇଜଣ.... ଲିଲି ଓ ରବର୍ଟ ।

 

ଲିଲି କହିଲା–‘‘ସେଇ ମର୍ଡ଼ର କେସ୍‍ଟା ଆପଣ କେତେ ସହଜରେ ଜିତିଗଲେ । ମୁଁ ପଅରିଦିନ ତାକୁ ଖବରକାଗଜରେ ପଢ଼ୁଥିଲି । ରିଏଲି. ୟୁ. ଆର୍‌. ଏ. ଜିନିଅସ୍‌’’ ‘‘ଏଥିପାଇଁ କିଛି ପୁରସ୍କାର’’–ମଳୟ ବାବୁ ଦାବି କଲେ । ‘‘ହଁ, ହଁ ନିଶ୍ଚୟ’’–ମଳୟ ବାବୁଙ୍କର ହାତକୁ ଟାଣିନେଇ ଲିଲି ଚୁମ୍ବନ କଲା ।

 

‘‘କେବଳ ଏତିକି ?’’

 

‘‘ଅପେକ୍ଷା କରନ୍ତୁ କୋଲ୍‌ଡଡ୍ରିଂକ୍‍ ଆଣୁଚି’’

 

‘‘ନୋ !’’

 

‘‘ଦେନ୍ ?’’

 

‘‘ଚାଲ, ଆଜି ମର୍ଣ୍ଣିଂ ସୋ’ ଯିବା’’–ମଳୟ ବାବୁ ଅସଲ କଥା ପଦକ ସବୁବେଳେ ଶେଷରେ କହନ୍ତି । କୋର୍ଟ କଚେରିରେ ହେଉ ବା ସାଧାରଣ ବ୍ୟବହାରରେ । କିଛି ଆପତ୍ତି ନ କରି ଲିଲି ଭିତରକୁ ପଶିଗଲା ।

 

କିଛି ସମୟପରେ ଗୋଲାପୀ ରଙ୍ଗର ଗାଉନ ଦେହରେ ରୂପାର ପାନପତ୍ର ବ୍ରୋଚ୍‌ ପିନ୍ଧି ଲିଲି ବାହାରି ପଡ଼ିଲା । ବାରଣ୍ଡାରେ ଠିଆହୋଇ ଚିତ୍କାର କଲା– ‘‘ରବର୍ଟ ! ମୁୀଁ ମଳୟ ବାବୁଙ୍କ ସାଙ୍ଗରେ ମର୍ଣ୍ଣିଂ ସୋ ଯାଉଚି । ତୁମେ ଠିକ୍ ସମୟରେ ଔଷଧ ଖାଇନେବ ।’’

 

ଭିତରେ ନୀରବତା । ରବର୍ଟ କିଛି ଉତ୍ତର ଦେଲା ନାହିଁ । ସେ ହୁଏତ ଏବେ ବି ଲୁହା ଖଟରେ ବସି ପେସେନ୍‌ସ ଖେଳୁଥିବ, ନ ହେଲେ ତା’ର ମୃତ ପତ୍ନୀର ଫଟୋଗ୍ରାଫ୍‌କୁ ଚାହିଁରହିଥିବ । ‘‘ଲି.......ଇ....ଲି’’–ଧୀର ସ୍ୱରରେ ମଳୟ ବାବୁ ଡାକିଲେ । ଲିଲି ଭଲଭାବରେ ଜାଣେ, ଏଭଳି ଧୀର ସ୍ୱରରେ ଡାକିବାର ଏକମାତ୍ର ଅର୍ଥଟି କ’ଣ । କିନ୍ତୁ ସେଥିପାଇଁ ସେ ପ୍ରସ୍ତୁତ ନ ଥିଲା ।

 

କହିଲା–‘ଚାଲନ୍ତୁ, ଖୁବ୍‌ ଡେରି ହେଲାଣି । ଛବିଟା ଅଧାରୁ ଦେଖିଲେ ଆଉ ମଜା ଲାଗିବ ନାଇଁ ।’

 

‘‘କିନ୍ତୁ’’ ମଳୟ ବାବୁ କିଛି ଅଧିକ କହିବାକୁ ଚାହୁଁଥିଲେ । ଲିଲି ତାଙ୍କର ହାତଧରି ଦୁଆର ଆଡ଼କୁ ଟାଣିନେଲା ।

 

ରବର୍ଟର ନିଷ୍ପ୍ରାଣ ଦୁଇଟି ଚକ୍ଷୁରେ ପ୍ରତିଫଳିତ ହେଲେ ମଳୟ ବାବୁ ଓ ଲିଲି । ସେ ଦେଖିଲା, ଦରଜା ସେପାଖରେ ଳିଲିର ପିଠି ଓ ମଳୟ ବାବୁଙ୍କର ପିଠି ମିଶିଯାଉଛି ।

 

।। ୩ ।।

 

ସେନାମାରୁ ଫେରି ମଳୟ ବାବୁ ବେଶ୍‌ ନିଦରେ ଶୋଇପଡ଼ିଥିଲେ ଏବଂ ଶୋଇ ଶୋଇ ସେ ମନେପକାଉଥିଲେ, କିପରି ହଲ୍‌ର ଅନ୍ଧାର ଭିତରେ ସେ ତାଙ୍କର ରୁକ୍ଷ ଅଙ୍ଗୁଳିଗୁଡ଼ାକୁ ଲିଲିର ଗାଲ, ବେକ, ବାହୁ ଓ ପାପୁଲି ଉପରେ ବୁଲାଇ ଆଣୁଥିଲେ.....ଏବଂ ଏଇ ହଠାତ୍ ନିଦ ଭାଙ୍ଗିବା ପରେ ସେ ଟିକିଏ ଉତ୍ତେଜିତ ହୋଇପଡ଼ିଥିଲେ । ଦେଖିଲେ କାନ୍ଥ ଘଣ୍ଟାରେ ପାଞ୍ଚଟା ପଇଁତ୍ରିଶ । ମଳୟ ବାବୁଙ୍କର ହଠାତ୍ ମନେପଡ଼ିଲା ଯେ, ଆଜି ଠିକ୍‌ ଛଅଟାବେଳେ ସେ ସୁକାନ୍ତିକୁ ଆସିବାକୁ କହିଥିଲେ ।

ସୁକାନ୍ତି–ସେଇ ପାତଳୀ.....ସୁନ୍ଦରୀ ତରୁଣୀଟି ତାଙ୍କର କ୍ଲାଏଣ୍ଟ । ତା’ର ମଦ୍ୟପ ସ୍ୱାମୀର ଯାତନାରୁ ମୁକ୍ତ ହୋଇ ସେ କିପରି ଛାଡ଼ପତ୍ର ପାଇପାରିବ, ସେଥି ନିମନ୍ତେ ସେ ମଳୟ ବାବୁଙ୍କର ପରାମର୍ଶ ଚାହେଁ । ଫୋନ୍‍ ବାଜିଲା.... କିଛି ସମୟ ଫୋନ୍‍ ବାଜିବା ପରେ ମଳୟ ବାବୁ ଆଳସ୍ୟ ଭାଙ୍ଗି ଉଠିଲେ ।

‘‘ହେଲୋ’’

ଆର ପାଖରୁ ସରିତା କହୁଥିଲା–

‘‘କ’ଣ କରୁଥିଲ ?’’

‘‘ଶୋଇ ଶୋଇ ତମ କଥା ଭାବୁଥିଲି’’–ମଳୟ ବାବୁ ମିଛ କହିଲେ । ଏହା ମଧ୍ୟ ବଡ଼ଲୋକୀର ଲକ୍ଷଣ ।

‘‘ଆଚ୍ଛା ଶୁଣ’’ ସରିତା ପୁଣି କହୁଥିଲା ‘‘ଆଜି ଭାଇ ଗଲାଣି....ହଁ ଟ୍ରେନରେ....ଆଜି ରାତିରେ ତମେ ଆସିବ ନା ? ନିଶ୍ଚୟ ଆସିବ ।’’

‘‘ଦେଖିବି । ଚେଷ୍ଟା କରିବି’’–ମଳୟ ବାବୁ ଫୋନ୍ ରଖିଦେଲେ ।

ତା’ପରେ ବାଥ୍‍ରୁମ୍‍କୁ ଯାଇ ମୁହଁ ଓ ହାତ ଧୋଇଲେ । ତାଙ୍କର ଗାଧୋଇ ପଡ଼ିବାକୁ ଇଚ୍ଛା ହେଉଥିଲା । ମାତ୍ର ସେ ହାତ ଓ ମୁହଁ ଧୋଇସାରିବା ପରେ ପରେ କଲିଂବେଲ ବାଜି ଉଠିଲା-। ସେ ଅନୁମାନ କରିନେଲେ ଯେ, ନିଶ୍ଚୟ ସୁକାନ୍ତି ହୋଇଥିବ ।

ସତକୁ ସତ କବାଟ ଖୋଲି ଦେଖିଲେ, ବାହାରେ ସୁକାନ୍ତି ଠିଆହୋଇଚି ।

‘‘ଆସନ୍ତୁ’’

ସୁକାନ୍ତି ଭିତରକୁ ଆସିଲା । ମଳୟ ବାବୁ କବାଟ ବନ୍ଦ କରିଦେଲେ ।

‘‘ବସନ୍ତୁ’’

ସୁକାନ୍ତି ଚଉକିରେ ବସିଲା । କେତୋଟି ଫାଇଲ୍‌ପତ୍ର ଏପାଖ ସେପାଖ କରି ପରେ ମଳୟ ବାବୁ କହିଲେ, ‘‘କିନ୍ତୁ....ସୁକାନ୍ତି ଦେବୀ....ଆପଣ ଟିକିଏ ଧୈର୍ଯ୍ୟ ଧରନ୍ତୁ । ଆପଣଙ୍କ ଭଳି ଜଣେ ସୁନ୍ଦରୀ ତରୁଣୀ ଏଇ ବୟସରେ, ଦେହରେ ଏତେ ଯୌବନ ନେଇ ଛାଡ଼ପତ୍ର ଦାବି କରିବା କଥାଟା କାହିଁକି ଟିକେ ସୁନ୍ଦର ଦେଖାଯାଉ ନାଇଁ....’’

‘‘ଆପଣ କ’ଣ କହିବାକୁ ଚାହାଁନ୍ତି ?’’ –ସୁକାନ୍ତି ଦେବୀ ଚିତ୍କାର କଲେ ।

 

‘‘ଆହା ! ପାଟିକରି ଲାଭ କ’ଣ ? ମୁଁ ମାନୁଚି ଯେ, ଆପଣଙ୍କ ସ୍ୱାମୀ କୁତ୍ସିତ ଓ ମଦ୍ୟପ ମଧ୍ୟ..... ।’’

 

‘‘କିନ୍ତୁ... ମୋତେ ଦେଖନ୍ତୁ । ମୁଁ ତ କୁତ୍ସିତ ନୁହେଁ କିମ୍ବା ମଦ୍ୟପ ନୁହେଁ । ଆପଣ.... ।’’

 

‘‘ଛି ଛି ଆପଣ ଏତେ ନୀଚ ସ୍ତରର ମଣିଷ ବୋଲି ମୋର ଧାରଣା ନ ଥିଲା’’–ସୁକାନ୍ତି ଦେବୀ ଚଉକିରୁ ଉଠିପଡ଼ିଲେ । ତାଙ୍କ ଭାବଭଙ୍ଗୀରୁ ଜଣାପଡ଼ୁଥାଏ ତାଙ୍କର ହୃତ୍‌ପିଣ୍ଡରେ ଯେପରି ଏଇ କେତୋଟି ମୁହୂର୍ତ୍ତ ଆଗରୁ ଗୋଟିଏ ଶକ୍ତିଶାଳୀ ଗୁଳିରେ ଆଘାତ୍ ଲାଗିଛି ।

 

‘‘ମୁଁ ଜାଣେ ସୁକାନ୍ତି ଦେବୀ...ଆପଣ ମୋତେ ଏ କଥା କହିବେ’’–ମଳୟ ବାବୁ ଚେୟାର ଛାଡ଼ି ଉଠିଲେ–‘‘କିନ୍ତୁ ଟିକେ ବିଚାର କରି ଦେଖନ୍ତୁ । ପନ୍ଦର ଦିନ ତଳେ ଆପଣଙ୍କୁ ପ୍ରଥମେ ଦେଖିଲା ଦିନଠୁଁ ମୁଁ ଭାବିନେଇଥିଲି...ଏଣିକି ଦୁଇଟି ଲକ୍ଷ୍ୟଭ୍ରଷ୍ଟ ଜାହାଜ ଅନ୍ତତଃ ବନ୍ଦରରେ ପହଞ୍ଚି ଯିବେ ।’’

 

ସୁକାନ୍ତି ଦେବୀ ଥରି ଉଠୁଥିଲେ–‘‘ଏ ସମବେଦନା ଲୋଡ଼ା ନାହିଁ ମିଷ୍ଟର ମଳୟ...ମୁଁ ଏତେ ବୋକୀ ନୁହେଁ ଯେ, ଏକ ମଦ୍ୟପକୁ ଛାଡ଼ପତ୍ର ଦେଇ ଆପଣଙ୍କ ଭଳି ଜଣେ ଚରିତ୍ରହୀନକୁ ଗ୍ରହଣ କରବି ।’’

 

‘‘ମୁଁ ଆପଣଙ୍କ ମଙ୍ଗଳପାଇଁ କହୁଚି ସୁକାନ୍ତି ଦେବୀ....ମୋର ନିଜର ମଙ୍ଗଳପାଇଁ ମଧ୍ୟ କହୁଚି । ଯିଏ ଥରେ ପଥ ହୁଡ଼ି ଯାଏ, ସିଏ କ’ଣ କେବେହେଲେ ଠିକ୍‌ ବାଟକୁ ଫେରିଆସିପାରେ ନାହିଁ । ମୁଁ ଯଦି ଚରିତ୍ରହୀନ, ତା’ହେଲେ ମୁଁ ନିଜକୁ ଆପଣଙ୍କ ହାତରେ ଛାଡ଼ି ଦେଉଚି । ମୋତେ ସଂଶୋଧନ କରନ୍ତୁ ।’’

 

ମଳୟ ବାବୁ କ୍ରମଶଃ ଉତ୍ତେଜିତ ହେଉଥିଲେ । ସୁକାନ୍ତି ଦେବୀ ନୀରବରେ ତାଙ୍କର ଆବେଗମୟ ଭାଷା ଶୁଣୁଥିଲେ । ମଳୟ ବାବୁ ଭାବିଲେ ଯେ, ସୁକାନ୍ତି ଦେବୀଙ୍କର ଏଇ ମୌନତାହିଁ ସମ୍ମତିର ଲକ୍ଷଣ....ସମର୍ପଣର ଲକ୍ଷଣ । ସେ ଆଗକୁ ବଢ଼ି ସୁକାନ୍ତି ଦେବୀଙ୍କର ମୁଖମଣ୍ଡଳକୁ ଦୁଇହାତ ପାପୁଲିରେ ଜାକିଧରି ଚୁମ୍ବନ ଦେବାର ପ୍ରୟାସ କଲେ; କିନ୍ତୁ ହଠାତ୍‌ ସେ ଦେଖିଲେ ଯେ, ସୁକାନ୍ତି ଦେବୀଙ୍କର ନରମ ହାତଟି ବିଜୁଳୀ ବେଗରେ ଛୁଟି ଆସି ତାଙ୍କର ଗାଲରେ ଠାଏ କରି ପିଟି ହେଲା । ନିଜ ଅଜାଣତରେ ତାଙ୍କ ଆଖିରେ ଲୁହ ଟଳମଳ ହୋଇପଡ଼ିଲା ।

 

କିଛି ସମୟ ପରେ ସେ ସେଇ ଲୁହ ଟଳମଳ ଆଖିରେ ଦେଖିଲେ ସୁକାନ୍ତି ଦେବୀ ଚଟାଣ ଉପରେ ପାଦ ପିଟି ପିଟି କୋଠରୀ ଅତିକ୍ରମ କରୁଛନ୍ତି ଏବଂ ଖୋଲା ଦରଜାର ଆର ପାଖରେ ତାଙ୍କର ଶଙ୍ଖ ଧବଳ ପିଠି ମିଶି ଯାଉଛି ।

 

(ପଞ୍ଚମୁଖୀ–ଜୁଲାଇ, ୧୯୬୭)

Image

 

କବରଖାନା

 

କବରଖାନାରେ ଲୁହା ରେଲିଂଦିଆ ଫାଟକରେ ମସ୍ତବଡ଼ ତାଲା । ଜଙ୍କ୍‌ । ଆତ୍ମାମାନଙ୍କର ହଷ୍ଟେଲଟିଏ । ଅସଫଳ ପ୍ରୟାସ ।

 

ମୁଁ ପ୍ରତ୍ୟେକଟି ଏପିଟାଫ୍‌ ପଢ଼ିନେବାକୁ ଚାହେଁ, ମୁଖସ୍ଥ ନ ହେଲେ ନ ହେଉ ପଛକେ । ସେମାନେ କେବେ ଜନ୍ମ ହୋଇଥିଲେ ଏବଂ କେଉଁଠି ? ସେମାନେ ଏଇ ପୃଥିବୀରେ ଏତେବର୍ଷ ବଞ୍ଚି ରହି କ’ଣ ସବୁ କରିଗଲେ ? ସେମାନେ ଜନ୍ମ ହୋଇ ନ ଥିଲେ କେଉଁ ପାଞ୍ଜିଟା ବା ଅଶୁଦ୍ଧି ହୋଇଯାଇଥାନ୍ତା ?

 

ନୁହେଁ । ଏହା ଓ୍ୱେଷ୍ଟ ମିନ୍‌ଷ୍ଟର ଏବ୍‌ବୀ ନୁହେଁ ବା ସତୀଚଉରା ମଧ୍ୟ ନୁହେଁ । ୟେ ଏକ କବରଖାନା ଏବଂ ମୁଁ ଭାବୁଚି, ଏଇ କବରଖାନାର ଠିକ୍‌ ସାମ୍ନାରେ ଥିବା ଘାସପଡ଼ିଆରେ ଗୋଟିଏ ପ୍ରସୂତିଗୃହ ନିର୍ମାଣ କରାଯିବା ଉଚିତ । ପ୍ରକୃତରେ ତାହାହିଁ ହେବା ଉଚିତ ଏବଂ ଏଇ କବରଖାନା ଓ ପ୍ରସୂତିଗୃହକୁ ଜୋଡ଼ୁଥିବା ମୋରମ୍ ରାସ୍ତାର ନାମ ‘‘ଜୀବନ ପଥ’’ ରଖାଯିବା ଉଚିତ ।

 

ମାତ୍ର ଏଇ ମୋରମ୍‌ ରାସ୍ତା ପାଖରେ ଯେଉଁ ପାର୍କଟି ଅଛି, ସେ ପାର୍କରେ ଏଭଳି କୌଣସି ବେଞ୍ଚ ନାହିଁ ଯାହା ଉପରେ ଢୁଳାଇ ପଡ଼ି କୌଣସି ନାରୀକୁ ଚୁମ୍ବନ ଦେଇ ହେବ । ସେଇ ପାର୍କରେ ଅନେକ ଗଛ..... ଏବଂ ପିଲାମାନଙ୍କର ଖେଳ ସରଞ୍ଜାମ । ପାର୍କର ଠିକ୍ ମଝିରେ କୌଣସି ଜଣେ ମୃତ ନେତାଙ୍କର ମାର୍ବଲ ମୂର୍ତ୍ତି । ମନୁମେଣ୍ଟ । ଅଥଚ ଏଇ ମୂର୍ତ୍ତି ବଦଳରେ ଏଠି ‘ରତି’ଙ୍କର ମୂର୍ତ୍ତି ରହିବା ଉଚିତ ବୋଲି ମୁଁ ଭାବୁଚି ।

 

ମୋର ଏଇ ଉଚିତ ଅନୁଚିତର କାର୍ଯ୍ୟକାରୀତା ସମ୍ପର୍କରେ ଚିନ୍ତା କରିବାର କୌଣସି ହେତୁ ନାହିଁ । ମୋର ଚିନ୍ତା ପ୍ରକ୍ରିୟା ଅଯୌକ୍ତିକ ନୁହେଁ । ଜିଇଁ ରହିବାର ଅନ୍ୟନାମ ଯଦି ଜୀବନ ହୁଏ, ତା’ହେଲେ ଏଇ ମୋରମ୍‍ ରାସ୍ତା ଉପରେ ଠିଆହୋଇ ମୁଁ ମଧ୍ୟ ଜିଇଁଛି ।

 

ପରିବେଶ ଅନ୍ଧାରୁଆ । ମଝିରେ ମଝିରେ ଖଣ୍ଡିଏ ଲେଖାଏଁ ମୋଟର ଗାଡ଼ିର ଆଳୁଅରେ ମୋତେ ବିବ୍ରତ ଲାଗୁଚି । କାର୍ ? ଟ୍ରକ୍ ? ବସ୍ ? ଜୀପ ? ମୋରମ୍ ରାସ୍ତାରୁ ଧୂଳ ଉଡୁଚି । ମାତ୍ର ରାତିବେଳ ହୋଇଥିବାରୁ ମୁଁ ଧୂଳିକୁ ଭଲଭାବରେ ଦେଖି ପାରୁନାହିଁ, କେବଳ ଶୁଙ୍ଘି ପାରୁଛି । ଏ ସ୍ଥାନ ଛାଡ଼ିବାକୁ ହେବ । ମୁଁ ତ କାହାରି ସ୍ମୃତିରେ ଦଗ୍ଧ ନୁହେଁ ଯେ,....ଏଇ କବରଖାନା ପାଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେଇ ପାର୍କ ମଝିରେ ଥିବା ନେତାଙ୍କର ପ୍ରତିମୂର୍ତ୍ତି ଭଳି ଠିଆହୋଇ ରହିଯିବି ? ଏ ସ୍ଥାନ ଛାଡ଼ିବାକୁ ହେବ । ସ୍ଥାନାନ୍ତର ହେଲେ ମୋତେ ଗ୍ରହାନ୍ତର ହେଲା ଭଳି ଲାଗେ । ମୁଁ ଠିଆହୋଇଥିବା ପ୍ରତ୍ୟେକ ସ୍ଥାନ ଗୋଟିଏ ଲେଖାଏଁ ଗ୍ରହ ଏବଂ ମୁଁ ସ୍ୱୀକାର କରିବାର କୌଣସି ମାନେ ନାହିଁ ଯେ, ସମଗ୍ର ବିଶ୍ୱ ‘ଏକ’ ସମଗ୍ର ମାନବ ଜାତି ‘ଏକ’ ।

 

ଏ ସ୍ଥାନ ଛାଡ଼ି ମୁଁ ଯେଉଁ ସ୍ଥାନକୁ ଯିବି ବୋଲି ଭାବୁଚି ତାହା ଅପେକ୍ଷାକୃ ଅନ୍ଧାର । ଏଇ କବରଖାନାକୁ ଲାଗି ଯେଉଁ ନାଳଟି ବହି ଯାଇଛି, ସେ ନାଳଟି ମୋର ଅତି ପରିଚିତ । ଲୋକେ ନାରୀ ଦେହକୁ ଖେଳନାଟିଏ ଭାବି ନାନା ପ୍ରକାର ଖେଳ ଖେଳନ୍ତି.....କସରତ୍ କରନ୍ତି ଏବଂ ଛୁଆଟିଏ ଜନ୍ମ ହେଲେ ତାକୁ ଆଣି ଏଇ ନାଳରେ ପକାଇ ଦିଅନ୍ତି । କବରଖାନାରେ ନେଇ ସେଇ ଛୁଆକୁ ପୋତିବା ନିମନ୍ତେ ସାହସ ଦରକାର ।

 

ସେ ସାହସ ସେମାନଙ୍କର ନାହିଁ ।

 

ହଁ–ଏଇ ମୋରମ୍ ରାସ୍ତାରେ ଗଲେ ସେଇ ନାଳଉପରେ ଏକ ପୋଲ ପଡ଼େ ଏବଂ ସେଇ ପୋଲର ରେଲିଂ ଦେହରେ ପିଠି ଆଉଜାଇ ଠିଆ ହେବାକୁ ଭଲଲାଗେ । ଏଣୁ ଏ ସ୍ଥାନ ଛାଡ଼ିବାକୁ ହେବ ।

 

ମୁଁ ଏଇ କବରଖାନାକୁ ଆସିଲାବେଳେ ମୋ ସାଙ୍ଗରେ କେହି ନ ଥିଲେ । ବର୍ତ୍ତମାନ ମୁଁ ଏଇ କବରଖାନା ଛାଡ଼ିବି । ମୋ ସଙ୍ଗରେ କେହି ନାହାନ୍ତି । ଅବଶ୍ୟ ଅନ୍ଧାରକୁ ଯଦି ସାଙ୍ଗ ବୋଲି ମୁଁ ଗ୍ରହଣ କରିନେଇପାରିବି, ତା’ହେଲେ ଅନ୍ଧାର ମୋ ସାଙ୍ଗରେ ଅଛି । ପ୍ରକୃତରେ ଅନ୍ଧାରକୁ ସାଙ୍ଗ ବୋଲି ଗ୍ରହଣ କରି ନେଲେ କ୍ଷତି କ’ଣ ?

 

ମୋ ବାପା ବଞ୍ଚିଥିଲା ବେଳେ ମୋତେ ବାରମ୍ବାର ଗୋଟିଏ କଥା କହୁଥିଲେ–‘‘ଲାଭ କ୍ଷତିର ହିସାବ ବ୍ୟବସାୟୀମାନେ କରନ୍ତି ବାବୁ ! ତୁ ବ୍ୟବସାୟ କରିବୁ ନାହିଁ !’’ ମୁଁ ଜାଣେନା ମୋର ବାପା ଏବେ କେଉଁ କବରରେ । ମୋର ଧାରଣା ଯେ, ବଢ଼ିପାଣିରେ ଭାସି ଯାଇଥିବା ଲୋକ ନିମନ୍ତେ କୌଣସି କରବରର ପ୍ରୟୋଜନ ନାହିଁ । ସମୁଦ୍ର ହିଁ ମୋ ବାପାଙ୍କର କବର । ମୋ ବାପା ସତରେ ଖଣ୍ଡେ ମୁକ୍ତା ପାଲଟି ଗଲେ କି ?

 

ମୁଁ ବର୍ତ୍ତମାନ ସୁଦ୍ଧା ଠିଆହୋଇ ରହିଛି, ଯଦିଓ ମୁଁ ଅନେକବେଳ ହେଲା ସ୍ଥିର କରି ସାରିଲିଣି ଯେ ଏ ସ୍ଥାନ ଛାଡ଼ିବାକୁ ହେବ । କହି ରଖିଲେ କ୍ଷତି କ’ଣ ? ମୁଁ ମୋ ବାପାଙ୍କର କଥା ଅନୁସାରେ ବ୍ୟବସାୟ କରୁନାହିଁ....ଲାଭ କ୍ଷତିର ହିସାବ ମଧ୍ୟ କରୁନାହିଁ । ମୁଁ ଏକ ପ୍ରବାହ ମଧ୍ୟରେ ବଞ୍ଚିଛି ଏବଂ ମୃତ୍ୟକୁ ଡରୁନାହିଁ । ଏହାର ଅର୍ଥ ନୁହେଁ ଯେ, ମୁଁ ମରିଯିବାକୁ ଚାହୁଁଛି....ହୁଏତ ମରିଯିବାକୁ ଚାହୁଁଛି ମାତ୍ର ଚେଷ୍ଟା କରୁନାହିଁ....ହୁଏତ ମରିଯିବାକୁ ଚେଷ୍ଟା କରୁଛି ମାତ୍ର ମରିଯାଉ ନାହିଁ ।

 

ଜଣେ କେହି ଦାର୍ଶନିକ କହୁଥିଲେ–‘‘ମନର ଚାହିଦା ଦେହ ସବୁବେଳେ ପୂରଣ କରିପାରେ ନାହିଁ ।’’ ହଁ ଠିକ୍‌ କଥା ତ,–ମୋର ମନର ଚାହିଦା ଯଦି ମୋର ଦେହ ପୂରଣ କରିପାରୁଥାନ୍ତା, ତା’ହେଲେ......ମୁଁ ଅନେକ ଦିନରୁ ଏଇ କବରଖାନା ଭିତରେ ରହିଯାଇ ସାରିଥାନ୍ତି-। ଏ ସ୍ଥାନ ଚାଡ଼ିବାର ପ୍ରଶ୍ନ ମଧ୍ୟ ଉଠନ୍ତା ନାହିଁ । ଜୀବନ ମଧ୍ୟରେ ଯେଉଁ ଦାର୍ଶନିକମାନେ ମୃତ୍ୟୁଭୟ ଅନୁଭବ କରିଛନ୍ତି ସେମାନେ ହେଲେ କିର୍କଗାର୍ଡ଼, କାଫ୍‍କା, ସା’ର୍ତ୍ରେ ଓ ଆହୁରି ଅନେକ । ସା’ର୍ତ୍ରେ ତ ଜୀବନୁ ‘ମରଣର ଏକ ପ୍ରକ୍ରିୟା’ ବୋଲି କହନ୍ତି । ‘‘ଉଇ ଆର୍ ଲିଭିଙ୍ଗ୍‌ ଦି ଡେଥ୍‌’’ ମୁଁ ଇଚ୍ଛା କଲେ ସେମାନଙ୍କର ଆହୁରି କୋଟେସନ୍ ମଧ୍ୟ ସ୍ମରଣ କରିପାରିବି । ମାତ୍ର ମୁଁ ତାହା କରିବି ନାହିଁ ।

 

କାରଣ ଅନ୍ଧାର କ୍ରମେ ଦୃଢ଼ ହେଉଛି ଏବଂ ମୋତେ ଚାପି ଧରୁଛି । ମୋର ସାଙ୍ଗ ମୋତେ ଏତେ ଜୋରରେ ଚାପି ଧରୁଛି ଯେ, ମୋର ଶ୍ୱାସ ରୁଦ୍ଧ ହେଉଛି ଏବଂ ମୋ ଆଖିକୁ କିଛି ଦେଖାଯାଉ ନାହିଁ... ମୋ କାନକୁ କିଛି ଶୁଭୁ ନାହିଁ....ମୋର ପାଟି ଫିଟୁନାହିଁ....ମୋର ସକଳ ଇନ୍ଦ୍ରିୟରେ ଏକପ୍ରକାର ନିର୍ଜୀବତା । ତଥାପି ମୁଁ ଜାଣେ ଯେ, ଅନ୍ୟ କେଉଁଠି ନୁହେଁ... ମୁଁ ଏଇ କବରଖାନା ପାଖରେ ହିଁ ଠିଆହୋଇଛି ।

 

ବର୍ଣ୍ଣାନ୍ଧତା.....କବରଖାନାର ରଙ୍ଗ ନାହିଁ । ଏବଂ ମୁଁ କ୍ରମଶଃ ଭୟ କରିବାକୁ ଆରମ୍ଭ କରିଦେଲିଣି ଯେ ଯମ ନାମକ ମୃତ୍ୟୁ ଦେବତା ମୋ ନିକଟକୁ ଆସୁଚି..... ।

 

ସେ ଅଦୃଶ୍ୟ । ମଇଁଷି ପିଠିରେ ଚଢ଼ି ଆସୁନାହିଁ । ସେ ଆସୁଚି ଏକ ବୁଲଡ଼ୋଜର ନେଇ, କିମ୍ବା ମୁଁ ନିଜେ ତା’ ପାଖକୁ ଯାଉଛି ।

 

ସର୍ପର କୁଣ୍ଡଳୀ ଭାଙ୍ଗିଯାଉଛି ଏବଂ ଗୁଡ଼ାଏ ତତଲା ନିଶ୍ୱାସ ଛାଡ଼ି ସେ ଠିଆହୋଇପଡ଼ୁଚି...ତା’ର ଲାଞ୍ଜ ଅଗଟି କଲମ ମୁନଠାରୁ ଆହୁରି ପତଳା ଅଥଚ କାବା କଥା–ସେ ଠିଆହୋଇ ପାରୁଛି । ମୋତେ ଏ ସ୍ଥାନ ଛାଡ଼ିବାକୁ ହେବ । ମାତ୍ର କିପରି ? ....ମୋର ପାଦ ଦୁଇଟି ଏଇ ମୋରମ୍‌ ରାସ୍ତାରେ ଲାଖି ଯାଇଥିବାବେଳେ ମୁଁ ଏ ସ୍ଥାନ ଛାଡ଼ିବି କିପରି ? ମୋର ପାଦତଳୁ ଚେର ବାହାରି ମାଟି ଭିତରେ ମାଡ଼ିଗଲା କି ? ମୁୀଁ କ’ଣ ସତରେ ଗଛ ପାଲଟି ଗଲି ?

 

କବରଖାନାର ଫାଟକ ଦେହରେ ଏକ ମସ୍ତବଡ଼ ତାଲା । ଜଙ୍କ୍‌ । ....ହୁଏତ ସେଇ ତାଲାଟି ଦେହରେ କି ଆଉ ଜୀବନ ନାହିଁ....ହୁଏତ ସେଇ ତାଲାଟି ଆଉ କେବେ ଖୋଲିବ ନାଇଁ । କବରଖାନାର ସବୁ କିଛି କ’ଣ ଜୀବନ ଶୂନ୍ୟ ?

 

ଅ-ସ-ମ୍‌-ଭ-ବ....ମାତ୍ର ନେପୋଲିଅନ ତ କହିଥିଲେ–‘ମୋ ଅଭିଧାନରେ ଅସମ୍ଭବ ବୋଲି କୌଣସି ଶବ୍ଦ ନାହିଁ ।’ ସେ ଅଭିଧାନ ପ୍ରଣୟନ କରିଛନ୍ତି କି ? ନେପୋଲିଅନ କେବେ ଆସି ଏଇ ମୋରମ୍ ରାସ୍ତାରେ ଠିଆହୋଇ କବରଖାନା ଭିତରେ ଫୁଟିଥିବା ଫୁଲମାନଙ୍କୁ ଦେଖି ନ ଥିଲେ । ମୁଁ ଦେଖୁଚି । ଏଣୁ କହୁଚି ଯେ କବରଖାନା ଭିତରେ ସବୁ କିଛି ଜୀବନହୀନ ହେବା କଥାଟି ଅସମ୍ଭବ । କବରଖାନା ଭିତରେ ବି ଜୀବନର ଲୀଳା ଚାଲିଛି ।

 

–‘ଲୀଲା ?’

 

–‘କ୍‌....ଉଁ....’ –ଅନ୍ଧାର ଭିତରୁ ମୋର ମୃତା ପତ୍ନୀର ସ୍ୱର....ତା’ର ଗର୍ଭସ୍ଥ ଶିଶୁର ସ୍ୱର ସହିତ ମିଶି ଯାଉଛି ।

 

–‘ମୁଁ ତୁମକୁ କେମିତି ଲାଗୁଚି ?’

 

–‘ପୁରୁଣା ।’

 

–‘ମାନେ ?’

 

–‘ନୂଆ ଲାଗୁନ ।’

 

–‘କେମିତି ଦିଶୁଚି ?’

 

–‘ଦୂର୍‌-ବଳ ।’

 

–‘ମାନେ ?’

 

–‘ସବଳ ଦିଶୁନି’

 

....ଦୁର୍ବଳତାର ଅନ୍ୟ ନାମ ମୃତ୍ୟୁ ।

 

ମୁଁ କୌଣସି ଭୂତ ସହିତ କଥାବାର୍ତ୍ତା କରୁନାହିଁ । ଭୂତମାନଙ୍କର ଭାଷା ମୋତେ ଜଣା ନାହିଁ । ମୁଁ ମୋର ପତ୍ନୀ ସହିତ କଥାବାର୍ତ୍ତା କରୁଛି ।

 

ମାତ୍ର ମୁଁ ତ ମୋର ପତ୍ନୀକୁ ଏଇ କବରରେ ପୋତି ନ ଥିଲି । ଦୀର୍ଘ ୨୦୦ କିଲୋମିଟର ଦୂର ଏକ ସହରର କବରଖାନାରେ ମୁଁ ତାକୁ ନିଜ ହାତରେ ପୋତିଥିଲି । ଏପିଟାଫ୍‌ ଲେଖିଥିଲି । ମୋର ଭ୍ରୂଣଟି ପୃଥିବୀର ଅନ୍ଧାର ଦେଖିବା ପୂର୍ବରୁ ସେ ମରିଯାଇଥିଲା । ମୋ ଭ୍ରୂଣ....ମୋର ରକ୍ତର ବିଗ୍ରହ....ମୋର ବ୍ୟାୟାମର ମେଦ.....ମୋର ପ୍ରତିନିଧି ଏବଂ ମରିଯାଇଥିଲି ମୁଁ ?

 

ବର୍ତ୍ତମାନ ଏଠି କେବଳ ଶୂନ୍ୟତାର ସ୍ୱର–ସି... ଇଁଇଁ...ଇଁଇଁ..... ସର୍‌ର..... । ଏଇ ମୋରମ୍‌ ରାସ୍ତାରେ ଠିଆହୋଇ ମୁଁ ପୁନଶ୍ଚ ଭାବୁଚି ଯଦି ଏଇ କବରଖାନାର ସାମ୍ନାରେ ଥିବା ଘାସପଡ଼ିଆରେ ଏକ ପ୍ରସୂତିଗୃହ ନିର୍ମାଣ କରାଯାଇ ପାରନ୍ତା ? ଯଦି ଏଇ ନେତାଙ୍କର ପ୍ରତିମୂର୍ତ୍ତି ବଦଳରେ ମୋର ପତ୍ନୀ ‘ଲୀଳା’ର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପାରନ୍ତା ? ଯଦି ଏଇ ମୋରମ୍‌ ରାସ୍ତାଟିର ନାମ ‘ଜୀବନପଥ’ ରଖାଯାଆନ୍ତା ? କିମ୍ବା ଯଦି ମୁଁ ସମସ୍ତ ଏପିଟାଫ୍‌ ଏକାଥରକେ ମୁଖସ୍ଥ କରିଦେଇ ପାରନ୍ତି ?

 

ତା’ହେଲେ....ତା’ହେଲେ କ’ଣ ମୁଁ ଏଇ କବରଖାନା ପାଖରେ ଆସି ଠିଆ ହୁଅନ୍ତି ନାହିଁ ? ତା’ହେଲେ କ’ଣ ମୁଁ ଅନ୍ଧାରକୁ ସାଙ୍ଗ କରି ସେଇ ନାଳ ଉପରେ ଥିବା ପୋଲର ରେଲିଂ ଦେହରେ ଆଉଜାଇ ହୁଅନ୍ତି ନାହିଁ ? ତା’ହେଲେ କ’ଣ କିର୍କଗାର୍ଡ଼, କାଫ୍‌କା ଓ ସାର୍ତ୍ରେଙ୍କ କୋଟେସନ୍ ସବୁ ମୁଁ ଭୁଲିଯାଇ ପାରନ୍ତି ? ତା’ହେଲେ କ’ଣ ମୋର ପାଦତଳୁ ଚେର ବାହାରନ୍ତା ନାହିଁ ? ଏଭଳି ଅନେକ ସମ୍ଭାବନାକୁ ଉତ୍ସାହିତ କରି କୌଣସି ଲାଭ ନାହିଁ (ବାପାଙ୍କର....ବିରୁଦ୍ଧାଚରଣ–ପୁଣି ଲାଭ କ୍ଷତିର ବିଚାର ?)

 

ପୁନଶ୍ଚ ଅନ୍ଧାର (ମୋ ମିତ) ଏତେ ଦୃଢ଼ ହେଲାଣି ଯେ, କଦରଖାନା ଦେଖାଯାଉ ନାହିଁ, ଫାଟକ ଦେଖାଯାଉ ନାହିଁ, ସେଇ ମସ୍ତବଡ଼ ତାଲାଟି ଦେଖାଯାଉ ନାହିଁ, ନେତାଙ୍କର ପ୍ରତିମୂର୍ତ୍ତି ଦେଖାଯାଉ ନାହିଁ ଏବଂ ନାଳ ଉପରେ ଥିବା ପୋଲଟି ମଧ୍ୟ ଦେଖାଯାଉ ନାହିଁ ।

 

ଏଥର ବର୍ଣ୍ଣାନ୍ଧତା ନୁହେଁ..... ରଙ୍ଗାନ୍ଧତା ନୁହେଁ.... ଅନ୍ଧତ୍ୱ, ମୋର ଚକ୍ଷୁର ଚତ୍ୱରେ ।

 

ମୁଁ ନିଜକୁ ନିଜେ ମଧ୍ୟ ଦେଖି ପାରୁନାହିଁ । ମୁଁ ଏଠି କ’ଣ କରିବି ?

 

ମୁଁ ଏ ସ୍ଥାନ ଛାଡ଼ିବି ଏବଂ ପ୍ରକୃତରେ ଏ ସ୍ଥାନ ଛାଡ଼ିବି ।

 

ମୁଁ ଏ ଗ୍ରହ ଛାଡ଼ିବି ।

 

ଏବଂ ପ୍ରକୃତରେ ଏ ଗ୍ରହ ଛାଡ଼ିବି ।

 

(ପଞ୍ଚମୁଖୀ–ଅଗଷ୍ଟ, ୧୯୬୭ )

Image

 

ନଗର ପ୍ରସିଦ୍ଧ ବ୍ୟକ୍ତି

(କାଶ୍ମୀର–ଏକ ପ୍ରସ୍ତାବ)

 

ତୁମେ କେବେ କାଶ୍ମୀର ଯାଇଚ ?

 

X X X

 

ସବୁବେଳେ ଇସ୍ତ୍ରୀକରା ଶାଢ଼ି ପିନ୍ଧି ତାଙ୍କର ବାସନବାକ୍‌ସ ଭଳି ବିରାଟ ରେଡ଼ିଓରୁ କ୍ରକେଟ୍‌-କମେଣ୍ଟ୍ରି ନ ହେଲେ ଶାସ୍ତ୍ରୀୟ ସଂଗୀତ ଶୁଣିବାକୁ ଭଲ ପାଉଥିବା ସେଇ ଝିଅଟି ମୋତେ ପଚାରୁଛି । କହି ରଖିଲେ ଅପ୍ରାସଙ୍ଗିକ ହେବ ନାଇଁ, ତା’ର ବାପା (ଯାହାଙ୍କୁ ସେ ଏବେ ବି ‘ପାପା’ କହେ ) ଜଣେ ନଗର ପ୍ରସିଦ୍ଧ ବ୍ୟକ୍ତି ଏବଂ ଅନେକ ଏଣୁ ତେଣୁ ଅନୁଷ୍ଠାନର ସଭାପତି । ଏହା ମଧ୍ୟ କହିରଖିବା ଉଚିତ ଯେ, ସେଇ ଝିଅଟିର ନାସ୍‌ପାତି ଭଳିଆ ଗାଲରେ, ହ୍ରଦ ଭଳିଆ ଆଖିରେ, ବରଫ ଭଳିଆ ହାତ ଓ ସୂର୍ଯ୍ୟାସ୍ତ ଭଳିଆ ନଖ ତଥା ଓଠରେ ମୁଁ ଦେଖେ କାଶ୍ମୀରକୁ.......କାଶ୍ମୀରୀ ହ୍ରଦରେ ଭାସିଯାଉଥିବା ଖଣ୍ଡିଏ ଏକାନ୍ତ ଶୀକାରାକୁ....... ତହିଁରେ ବସି ଆହୁଲା ମାରୁଥିବା ମୋତେ ଓ ଗୀତ ଗାଉଥିବା ତାକୁ ।

 

X X X

 

କାଶ୍ମୀର ଆଉ ମୁଁ ? ତୁମକୁ ବେଶ୍‍ ଥଟ୍ଟା କରି ଆସେ ତ !

 

X X X

 

ଏଭଳି ଏକ ଉତ୍ତର ଦେଇ ମୁଁ କଥାଟିର ଗୁରୁତ୍ୱ ଭାଙ୍ଗିଦେବାକୁ ଚାହୁଁଥିଲି । ମାତ୍ର ମୁଁ ଯେ ଏଯାଏଁ କାଶ୍ମୀର ଯାଇପାରି ନାହିଁ ଏହା କ’ଣ ମୋର ନ୍ୟୂନତାର ପରିଚୟ ଦିଏନା ? ମୋର ବିଧବା ମା’ ସତେ କ’ଣ ମୋତେ କାଶ୍ମୀରୀ ଯିବାକୁ ଅନୁମତି ଦେଇପାରେ ? ପନ୍ଦର ଦିନରୁ କମରେ ତ ସେଠାକୁ ଯାଇ ଫେରି ଆସି ହେବ ନାଇଁ ? ଡିନର ଟେବ୍ଲରେ ମୋର ଅନୁପସ୍ଥିତିକୁ ଦୀର୍ଘ ଏତେ ଦିନ ଧରି ସେ କ’ଣ ସହ୍ୟ କରିପାରିବ ? ଉଡ଼ାଜାହାଜରେ ଗଲେ ଅବଶ୍ୟ ଶୀଘ୍ର ପହଞ୍ଚି ପାରିବି । କିନ୍ତୁ ଖବରକାଗଜମାନଙ୍କରେ ପ୍ରକାଶିତ ବିମାନ ଦୁର୍ଘଟଣାର ସଚିତ୍ର ଖବର ମୋ ବୋଉ ବ୍ରେକଫାଷ୍ଟବେଳେ ମନଦେଇ ପଢ଼େ । ସେ କ’ଣ ତା’ର ଏକମାତ୍ର ପିତୃହରା ସନ୍ତାନକୁ ଏଭଳି ବିପଜ୍ଜନକ ଭାବରେ କାଶ୍ମୀର ଯିବାପାଇଁ ଅନୁମତି ଦେଇପାରେ ? ସେ ଯଦି ‘ହଁ’ କହିବା ଭଙ୍ଗୀରେ କେବଳ ଥରେ ମୁଣ୍ଡ ହଲାଇ ଦିୁଅନ୍ତା, ତା’ହେଲେ ମୁଁ ଚିତ୍କାର କରିପକାନ୍ତି–ମାଏ ଡିଅରେଷ୍ଟ ମମ୍‍ମି....ୟୁ ଆର୍‍ ଓ୍ୱାଣ୍ଡରଫୁଲ୍‌ ।

 

X X X

 

ଚାଲ ଲନରେ ବସିବା ।

 

ମୁଁ ପ୍ରସ୍ତାବ ଦେଲି ।

 

ଅରେଞ୍ଜ ନା ପାଇନଆପ୍ଲ ?

 

ସେ ଝିଅଟି ପଚାରିଲା ।

 

ନଥିଂ....କିଛି ନାଇଁ ।

 

ମୁଁ ପଦାକୁ ବାହାରି ଆସୁ ଆସୁ କହିଲି ଏବଂ ଭାବିଲି ତା’ ଭଳିଆ ମାଂସଳବସ୍ତୁ ମୋତେ ବେଶ୍‌ ଗରମ କରିଦେଇପାରେ, ମାତ୍ର କାଶ୍ମୀର ନ ଯାଇ ଏତେଗୁଡ଼ିଏ ସ୍କ୍ୱାସ ଖୁଆଇ ଥଣ୍ଡା କରିବ କିପରି ? ତାଙ୍କ ରେଫ୍ରିଜେରେଟର୍‍ ଭିତରୁ ସବୁ ପରିବା, ଫଳ ଆଉ ବୋତଲ ଫିଙ୍ଗି ଦେଇ ମୁଁ ଯଦି ତା’ ଭିତରେ ଅତି କମରେ ଅଧଘଣ୍ଟା ବସି ପାରନ୍ତି !

 

X X X

 

ତାଙ୍କ ଲ’ନରେ ବସିବାକୁ ଭାରି ଭଲଲାଗେ ମୋତେ । କାରଣ ଆମ ଲ’ନ୍‌ର ଘାସଗୁଡ଼ିକ ଠିଆ ଠିଆ ଓ ଡେଙ୍ଗା ।

 

ଆମେ ଦୁହେଁ ଅର୍ଦ୍ଧଶାୟିତ ଅବସ୍ଥାରେ ତାଙ୍କ ଲ’ନରେ ବସିଚୁ....ଏମିତି ଘଣ୍ଟା ଘଣ୍ଟା ଧରି ବସିବାକୁ ଭଲଲାଗେ ? ତା’ର ନଳୀଗୋଡ଼ର ମାଂସ ପିଣ୍ଡୁଳାକୁ ହାତରେ ଛୁଇଁଲେ ଖୁବ୍‌ ମଜା ଲାଗେ । ଦିନେ ଦିନେ ସେଠି ସେମିତି ଗପ କରୁ କରୁ ଆମେ ଶୋଇପଡ଼ୁ । ମାତ୍ର ଏମିତି ନିଦରେ ସ୍ୱପ୍ନ ଦେଖିଚି ବୋଲି ମୋର ମନେ ନାହିଁ । ପୋର୍ଟିକୋରେ ଗାଡ଼ି ରହିବାର ଶବ୍ଦ....ନଗର ପ୍ରସିଦ୍ଧ ବ୍ୟକ୍ତିଙ୍କର ଅଲିଅଳ ଦୁହିତା ମୋ ହାତରୁ ଛଡ଼େଇ ହୋଇଉଠିଲା । ବୁଦା ପାଖକୁ ଯାଇ ଦେଖିଲା ଓ କହିଲା–

 

ତୁମ ଗାଡ଼ି ।

 

ଆମ ଗାଡ଼ି ?

 

ମୁଁ ଆଶ୍ଚର୍ଯ୍ୟରେ ପଚାରିଲି । କାରଣ ମୁଁ ପ୍ରତିଦିନ ସ୍କୁଟର ନେଇ ତାଙ୍କ ଘରକୁ ଆସେ ।

 

ହଁ, ହୁଏତ ତୁମ ବୋଉ !

 

ସେ ଅନୁମାନ କଲା ।

 

X X X

 

କହି ରଖୁଚି, ମୋର ବାପା ନାହାନ୍ତି ଓ ତା’ର ମା’ ନାହାନ୍ତି.... ଯେଉଁ ଦୂର ଅତୀତରେ ସେମାନେ ଯେ ଆମକୁ କାଖ କରି କିମ୍ବା ପେରାଂବୁଲେଟରରେ ବସାଇ ଲଲାବାଏ ଶୁଣାଉଥିଲେ ତାହା ଆମର ମନେ ନାହିଁ । ଆଜିକାଲି ବୈଠକ ଘରେ ତାଙ୍କର ତୈଳଚିତ୍ର ଦେଖି ଆମ ଆଖିରୁ ଲୁହ ଝରେ....ମୂଲ୍ୟବାନ ଲୁହ । ଶୁଣିଚି, ଏକଦା ମୋ ବୋଉ ଓ ନଗର ପ୍ରସିଦ୍ଧବ୍ୟକ୍ତି ଏକା କଲେଜରେ ପାଠ ପଢ଼ୁଥିଲେ । କଲେଜ ଡ୍ରାମାରେ ବୋଉ ଯେଉଁ କପ୍‌ ସବୁ ପାଇଥିଲା, ସେସବୁ ଆଉ ଚିକ୍ ଚିକ୍‌ କରୁନାହାନ୍ତି । ମୋ ବୋଉର ଶୁଖିଲା ମୁହଁଭଳି ସେସବୁ ଦୀପ୍ତିହୀନ ।

 

X X X

 

ଆମେ ଦୁହେଁ ଭିତର ପାଖ ବାରଣ୍ଡାକୁ ଆସିଲୁ । ତା’ର ନଗର ପ୍ରସିଦ୍ଧ ବାପା ଓ ମୋର ମା’ ବସିଛନ୍ତି ପ୍ଲାଷ୍ଟିକ ସୂତାବୁଣା ଗୋଲ ଲୁହା ଚଉକିରେ । ମୋତେ ଦେଖି ବୋଉ ହସିଲା । ବୋଉ ପ୍ରାୟ ହସେ ନାହିଁ । ମାତ୍ର ଏଇ ନଗର ପ୍ରସିଦ୍ଧ ବ୍ୟକ୍ତିଙ୍କର ଘର ଅଗଣାରେ ସେ ଖୁବ୍‌ ହସେ । କହିଲା–

 

କାଶ୍ମୀର ଯିବା ?

 

X X X

 

ଆନନ୍ଦର ଏକ ସ୍ରୋତ ବୋଉ କଣ୍ଠରୁ ଭାସି ଆସି ମିଶିଗଲା ମୋର ରକ୍ତରେ । ତାଳି ମାରି ମାରି ଡେଇଁ ପଡ଼ିବାକୁ ମୋର ଇଚ୍ଛା ହେଉଥିଲା....ଚିତ୍କାର କରି ଘର ଫଟାଇ ଦେବାକୁ ମୋର ଇଚ୍ଛା ହେଉଥିଲା । .....ମାତ୍ର....ମାତ୍ର ମୋର ଏହି ଆନନ୍ଦ ଦେଖିବା ପାଇଁ ସେଇ ନଗର ପ୍ରସିଦ୍ଧ ବ୍ୟକ୍ତିଙ୍କର ଅଲିଅଳ ଝିଅଟି ଆଉ ସେଠି ନ ଥିଲା । ସେ ଘର ଭିତରକୁ ପଶିଯାଇ ଉଚ୍ଚସ୍ୱରରେ ରେଡ଼ିଓ ବଜାଇ ନିଜର ଗୋପନୀୟ ଆନନ୍ଦକୁ ପ୍ରକାଶ କରୁଥିଲା ।

 

X X X

 

କିନ୍ତୁ ବୋଉ ମୁଁ...... ପରୀକ୍ଷା ?

 

ମୁଁ କାଶ୍ମୀର ଯିବା ସମ୍ବନ୍ଧରେ କହିଲି ଏବଂ ଗୁଡ଼ାଏ ଇଲିପ୍‌ସିସ ଉଚ୍ଚାରଣ କରି ‘ପରୀକ୍ଷା’ ଶବ୍ଦଟିକୁ ପ୍ରଶ୍ନେଇ ଦେଲି ।

 

ନୋ କିନ୍ତୁ ଫିନ୍ତୁ, ନୋ ଏକଜାମ୍‌ ମାଏ ବୟ,.... ଉଇ ଶେଲ୍‌ ପ୍ରସିଡ ଟୁମରୋ.... ବି ରେଡ଼ି–ନଗର ପ୍ରସିଦ୍ଧ ବ୍ୟକ୍ତି ତାଙ୍କର ଅକାଟ୍ୟ ସିଦ୍ଧାନ୍ତ ଦେଲେ ।

 

X X X

 

ମୁଁ ଘୁଞ୍ଚି ଆସୁଚି ବାରଣ୍ଡାରୁ କୋଠରୀ ଆଡ଼କୁ । ନଗର ପ୍ରସିଦ୍ଧ ବ୍ୟକ୍ତି ମୋ ମା’ର ହାତରେ ହାତ ରଖି ଧୀରସ୍ୱରରେ ତା’ କାନ ପାଖରେ କିଛି କହୁଛନ୍ତି । ଜୋରରେ ବାଜୁଥିବା ରେଡ଼ିଓ ଯୋଗୁଁ ମୋତେ କିଛି ଶୁଭୁ ନାଇଁ । ରେଡ଼ିଓ ଏତେ ଜୋରରେ ବାଜୁଛି ଯେ, ବାହାର ଲୋକେ ହୁଏତ ଭାବିବେ....ଏଇଠି କାହାର ବାହାଘର ହେଉଚି ।

 

X X X

 

କାଶ୍ମୀର.... କାଶ୍ମୀର.... କା–ଶ–ମୀ–ର, ଆଃ କେତେ ସୁନ୍ଦର । କେତେ ଥଣ୍ଡା ! କେତେ ବରଫ ! ଏଠୁ କେତେ ବାଟ ?

 

X X X

 

ରେଡ଼ିଓ ବନ୍ଦ ହେଲା । ମୁଁ ଦେଖୁଚି କୋଠରୀର ଦ୍ୱାରବନ୍ଧରେ ଛିଡ଼ା ହୋଇ, ହାତରେ ଫଟୋ ଏଲବମ୍‌ ଧରି ନଗର ପ୍ରସିଦ୍ଧ ବ୍ୟକ୍ତଙ୍କର ସାହସୀ ଝିଅଟି ମୋ ଆଡ଼କୁ ଆଗେଇ ଆସୁଛି । ଆଗେଇ ଆସୁଚି ଏବଂ ହସି ହସି ପଚାରୁଛି–

 

ତୁମେ କେବେ କାଶ୍ମୀର ଯାଇଛ ?

 

(ପଞ୍ଚମୁଖୀ–ସେପ୍ଟେମ୍ବର, ୧୯୬୭)

Image

 

ଅନିୟମିତ

 

ହଁ ଆଜ୍ଞା ମୁଁ ଟିକେ ବେଶି କଥା କହିଥାଏଁ । ଏହାର ଅର୍ଥ ନୁହେଁ ଯେ ଗୁଡ଼ାଏ ଅଦରକାରୀ ଶବ୍ଦକୁ ମୁଁ ବାରମ୍ବାର ବ୍ୟବହାର କରେ ।

 

ଅସଲ କଥା ହେଲା, ମୁଁ ଯାହା କହିବାକୁ ଚାହେଁ, କେବଳ ତାହାହିଁ କହିଥାଏ ଏବଂ ସେ କଥାଟିକୁ ପୂରାପୂରି ବୁଝାଇବା ପାଇଁ ମୋତେ ଅନେକଗୁଡ଼ିଏ ଇଲଷ୍ଟ୍ରେସନ ମାନେ ଉଦାହରଣ ଓ ବଡ଼ଲୋକଙ୍କର କୋଟେସନ୍, ସର୍‌ରି.....ଉଦ୍ଧରଣର ଆଶ୍ରୟ ନେବାକୁ ପଡ଼ିଥାଏ । ଏମିତି ଆଶ୍ରୟ ନେବାଟା କିଛି ଗର୍ହିତ କାମ ନୁହେଁ ତ ? କେହି ଜଣେ ଯଦି ମୋ କଥାରୁ ଭିନ୍ନ ଅର୍ଥ ବାହାର କରେ ତା’ହେଲେ ମୋର ବଡ଼ ମନଦୁଃଖ ହୁଏ । ଅବଶ୍ୟ ମୋର ମନଦୁଃଖ ହେଲେ କେତେ ଓ ନ ହେଲେ ବା କେତେ ? ତଥାପି ମୋତେ ଖୁବ୍‌ ବ୍ୟସ୍ତ ଲାଗେ....ନଈର ପ୍ରଖର ସୁଅରେ ଭାସି ଗଲା ଭଳି ଲାଗେ । ମୋର ବିଶ୍ୱାସ, ଆପଣଙ୍କୁ ମଧ୍ୟ ଏଭଳି ଲାଗୁଥିବ ।

 

ଏଇ ଦେଖନ୍ତୁ ! ଏଠିକି ଆସି ଆମର ଏମିତି ଚୁପ୍‌ଚାପ୍‌ ବସି ରହିବାଟା ଆଦୌ ସୁନ୍ଦର ନୁହେଁ । ନା ଆଜ୍ଞା–ମୁଁ ଏଇନେ ଚା’ ଖାଇବି ନାଇଁ । କାରଣ ଦିନକୁ ମୁଁ କେବଳ ଦୁଇଥର ଚା’ ଖାଇଥାଏଁ । ଥରେ ସକାଳେ ଏବଂ ଆଉ ଥରେ.... ଆପଣ ହୁଏତ ଭାବିବେ ସନ୍ଧ୍ୟାରେ । ମାତ୍ର ମୁଁ ସଞ୍ଜବେଳେ ଚା’ ଖାଏନା । ହଁ, ଆଉ ଥରେ ଚା’ ଖିଆ ହୁଏ ଦିନ ଦୁଇଟାରେ । ଦେଖନ୍ତୁ ନା, ମୋର ହାତଘଣ୍ଟା ନାଇଁ । କିନ୍ତୁ ଏମିତି ଅଭ୍ୟାସ ପଡ଼ିଗଲାଣି ଖାଇବା ପାଇଁ ମନ ହେଲେ ମୁଁ ଠିକ୍‌ ବୁଝିପାରେ ଯେ, ଦିନ ଦୁଇଟା ହେଲା । ହେଃ....ହେଃ ମୁଁ ତ ପୁଣି ମଣିଷ ଆଜ୍ଞା, ଅଭ୍ୟାସର ଦାସ ନ ହେବି କିପରି ?

 

ଆଚ୍ଛା ଆପଣ ଯଦି ଚା’ ଖାଇବେ ଖାଆନ୍ତୁ, କାରଣ ଏଠି କଫି ଖାଇବା ମାନେ ଯାହା, ପାଣିରେ ପଇସା ପକାଇବା ମାନେ ତାହା । ମୋଟେ ମିଛ କଥା ନୁହେଁ ଆଜ୍ଞା, ଓଡ଼ିଆମାନଙ୍କୁ ବିଲକୁଲ କଫି ତୟାର କରି ଆସେନାହିଁ । ଏଇ ହୋଟେଲରେ ଆପଣ କେବେ ଭାତ, ଆଇମୀନ୍‌ ମିଲ୍‌ ଖାଇଛନ୍ତି ? ମୁଁ ତ କାବା ହୁଏଁ, ଗୋଡ଼ିମିଶା ନାଲି ଭାତ ଓ ଟିକିଏ ପାଣିଆ ଡାଲି ଖାଇବା ପାଇଁ କାହିଁକି ଲୋକେ ଏତେ ରୁଣ୍ଡ ହୁଅନ୍ତି । ବାପରେ, ଦିନ ସାଢ଼େ ଆଠରୁ ଗୋଟାଏ.....ପୂରା ସାଢ଼େ ଚାରିଘଣ୍ଟା ଏଠି ଏତେ ଭୀଡ଼ ହୁଏ ଯେ, କେହି କାହାରି କଥା ଶୁଣିବା ଅବସ୍ଥାରେ ନ ଥାନ୍ତି ।

 

କିନ୍ତୁ ମେନେଜର ବାବୁ ବାବୁ ଭାରି ଶାନ୍ତ ଲୋକ । ଦିନକୁ ଡଜନେ ଖଣ୍ଡେ ଗ୍ଲାସ ଭାଙ୍ଗିଯାଏ, ତଥାପି ଏ ଭଦ୍ରଲୋକ କେବେ ଦିନେହେଲେ କାହାରି ଉପରେ ଖପା ହୁଅନ୍ତି ନାଇଁ । ନିଜେ ମୂଳରୁ ଇଂଲିଶ୍‌ର ଇ ଜାଣନ୍ତି ନାଇଁ, ଅଥଚ ଦେଖନ୍ତୁ ! ତାଙ୍କ ଟେବୁଲ ଉପରେ କେତେଗୁଡ଼ାଏ ଇଂଲିଶ୍‌ ମାଗାଜିନ୍ ଥୁଆ ହୋଇଛି । ସବୁ ଗ୍ରାହକମାନଙ୍କ ପାଇଁ ।

 

ହଁ ଆଜ୍ଞା ପ୍ରକାଶ ପାଇଥିବ, ମାତ୍ର ମୁଁ ସେ ଗପଟା ପଢ଼ିନି । କାହିଁକି ମିଛ କହିବି ? ଅବଶ୍ୟ ମିଛ କହିବାଟା ଏକ ମାରାତ୍ମକ ପାପ ବୋଲି ମୁଁ ବିଚାର କରେ ନାହିଁ... ପ୍ରକୃତରେ ପାପ ବୋଲି କିଛି ନାହିଁ..... ନିଜ ନିଜ ମନର ପ୍ରତିଫଳନ । ଆପଣଙ୍କୁ ଯାହା ପାପ, ମୋତେ ତାହା ପୁଣ୍ୟ ଏବଂ ଏଠି ଯାହା ପାପ, ପିକିଂରେ ତାହା ପୁଣ୍ୟ । କିନ୍ତୁ....ହଁ..... କ’ଣ କହୁଥିଲି କି,.... ଗପ ଇତ୍ୟାଦିରେ ମୋର ସଉକ ନାହିଁ । ଅନେକ ଦିନ ତଳେ ଖୁବ୍‌ ଗପ ପଢ଼ୁଥିଲି.... ଦେଖିଲି ଯେ, ସମସ୍ତେ ଖାଲି ପ୍ରେମ ବିଷୟରେ ବାଉଳି ଛାଡ଼ୁଛନ୍ତି । ସେଇ ଦିନଠୁ ଗପପଢ଼ା ବନ୍ଦ ।

 

ନା–ନା ରାଶିଫଳରେ ମୋର ବିଶ୍ୱାସ ନାହିଁ । ମାତ୍ର ମୁଁ ତାକୁ ନିୟମିତ ପଢ଼େ । ଏଥର ଲେଖିଚି....ପତ୍ନୀଙ୍କ ସହ କଳହର ସମ୍ଭାବନା ଅଛି । ମାତ୍ର ଏ ପୃଥିବୀରେ କେଉଁ ମରଦ କା ବଚ୍ଚା ଅଛି ଯିଏ କି ନିଜ ପତ୍ନୀ ସାଙ୍ଗରେ କଳହ କରେ ନାହିଁ ? ସେଇ କାରଣରୁ ଆଜ୍ଞା, କେବଳ ସେଇ କାରଣରୁ ମୁଁ ଏଯାଏଁ ବାହା ହୋଇନାହିଁ । କିନ୍ତୁ ୟା ବୋଲି ଆପଣ ଭାବି ନିଅନ୍ତୁ ନାଇଁ ଯେ, ମୁଁ ଜଣେ ବିଫଳ ପ୍ରେମିକ । ମୁଁ ତ ଜୀବନରେ ମୋଟେ ପ୍ରେମ କରି ନାଇଁ, ଏଣୁ ବିଫଳ ବା ସଫଳ ହେବାର ପ୍ରଶ୍ନ କାହିଁ ?

 

ହଁ–ଅବଶ୍ୟ ନାରୀମାନଙ୍କ ସହିତ ମୋର ସମ୍ପର୍କ ନାନା ପ୍ରକାରର । ମୁଁ ଭାବେ ଯେ, ନିଜର ମାଆ ଓ ଭଉଣୀଙ୍କୁ ଛାଡ଼ି ଦେଲେ ଅନ୍ୟ ଯେକୌଣସି ନାରୀ ସହିତ ସମ୍ପର୍କ ସ୍ଥାପନ କରାଯାଇପାରେ । ସେମାନେ ଗୋଟିଏ ଲେଖାଏଁ ଶିଶୁ.... ସାମାନ୍ୟ ଚକ୍ଲେଟଟିଏ ଯାଚିଲେ ବେକରେ ଓହଳି ପଡ଼ିବେ ।

 

ମାତ୍ର ଏସବୁ ବିଷୟ ଆଲୋଚନା କରି ଲାଭ କ’ଣ ? ନା–ଆଜ୍ଞା ଆପଣ ଯଦି ଆଗ୍ରହୀ ତା’ହେଲେ ମୁଁ କିଏ ଯେ ଆପଣଙ୍କ ଆଗ୍ରହରେ ବାଧା ଦେବି ? ଅବଶ୍ୟ ଏକଥା ସତ ଯେ, ଲାଭ କ୍ଷତିର ବିଚାରଟା କେବଳ ବ୍ୟବସାୟୀମାନେ କରନ୍ତି । ଗୋଟିଏ ଦୃଷ୍ଟିରୁ ବିଚାର କଲେ ସ୍ୱୀକାର କରିବାକୁ ପଡ଼ିବ ଯେ, ପ୍ରତ୍ୟେକ ମଣିଷ ଜଣେ ଲେଖାଏଁ ବ୍ୟବସାୟୀ ଖାଲି ନିଜ ନିଜ ବ୍ୟବସାୟରେ ଦକ୍ଷ ହେବା କଥା.... ନିଶ୍ଚୟ.... ଗତକାଲି ଅପେକ୍ଷା ଆଜି ଟିକେ ବେଶୀ ଗରମ ଲାଗୁଛି । ମୋର ମୁଣ୍ଡ ମଧ୍ୟ ଝିମ୍‌ଝିମ୍‌ କରୁଛି । କିନ୍ତୁ ଆଜ୍ଞା.... ଆମେ ଏ ବିଷୟରେ କଥାବାର୍ତ୍ତା କଲେ ସୂର୍ଯ୍ୟ ତ ଆଉ ଆକାଶ ଛାଡ଼ି ପଳାଇବ ନାହିଁ ? ଖାଲି ନିଜ ମନକୁ ବୋଧ ଦେବା କଥା ବୋଲି ଆପଣ ବୟକୁ ପଙ୍ଖା ଚଳାଇବା ପାଇଁ କହିପାରନ୍ତି ।

 

ପଙ୍ଖା ଘୂରୁଛି ବୋଲି ଝାଳ ହୁଏତ ବାହାରୁ ନାଇଁ, ମାତ୍ର ଗରମ ଲାଗୁ ନାଇଁ ବୋଲି କିପରି କହିବି ? ଅସଲ କଥା, ଝାଳ ବାହାରିବା ଓ ଗରମ ଲାଗିବା ମଧ୍ୟରେ କୌଣସି ବିଶେଷ କାରଣ ନାହିଁ । ଝାଳ ନ ବାହାରିଲେ ବି ଗରମ ଲାଗିପାରେ ଓ ଗରମ ନ ଲାଗିଲେ ମଧ୍ୟ ଝାଳ ବାହାରି ପାରେ ।

 

କ’ଣ କହୁଛନ୍ତି ?

 

ମୁଁ ମାନୁଛି ଆଜ୍ଞା–ହଁ ନିଶ୍ଚୟ ଏସବୁ ପରିସ୍ଥିତି ଉପରେ ନିର୍ଭର କରେ । ତହିଁରୁ ଟିକିଏ ଟସ୍‌ କିମ୍ବା ମସ୍‌ ହେବାର ଉପାୟ ନାଇଁ । ମୂଳକଥା.... ଆମେସବୁ ନିଜକୁ ପ୍ରବୋଧନା ଦେଇ ଦେଇ ପରିସ୍ଥିତିକୁ ଫାଙ୍କି ଦେବାର ମତଲବରେ ଅଛୁଁ ।

 

କ’ଣ କହିଲେ ? କିଛି ବୁଝିପାରିଲେ ନାଇଁ । ଏ ତ ଅତି ଆଶ୍ଚର୍ଯ୍ୟ କଥା, ଆପଣଙ୍କ ଭଳି ବିଦ୍ୱାନ୍‌ ଲୋକ ଏଇ ସାଧାରଣ କଥା ଟିକିଏ ବୁଝିପାରୁ ନାହନ୍ତି ? ମିଛ କଥା ଆଜ୍ଞା, ପୂରା ମିଛ କଥା, ମୋତେ ଆଉ ଅପମାନ କରନ୍ତୁ ନାଇଁ... ମୁଁ କିଛି ବିଶେଷ ବଡ଼ କଥା କହି ନାଇଁ । ମୁଁ ଜଣେ ଅତି ସାଧାରଣ ମଣିଷ ଆଜ୍ଞା.... ମୋର ବା ଦର୍ଶନଶାସ୍ତ୍ରରେ କି ଦଖଲ ଅଛି ଯେ, ମୁଁ ଏତେ ବଡ଼ କଥା କହିପାରିବି ?

 

ଏଠି ଆଉ ଇଚ୍ଛାର ପ୍ରଶ୍ନ ଉଠିବ କାହିଁକି ? ମୋର ତ ସାମର୍ଥ୍ୟ ଜମ୍ମାରୁ ନାଇଁ; ସାମର୍ଥ୍ୟ ଥିଲେ ସିନା ଇଚ୍ଛା ଅନିଚ୍ଛାର ପ୍ରଶ୍ନ ଉଠନ୍ତା ? ମୋର ଯେତେବେଳେ ସାମର୍ଥ୍ୟ ନାଇଁ, ମୁଁ ଆଉ କ’ଣ ବା ଅଧିକ ଇଚ୍ଛା କରିପାରେ ?

 

ନିଶ୍ଚୟ ଆଜ୍ଞା.... ଭେଟ କାହିଁକି ନ ହେବ ? ମୁଁ ଏଇ ହୋଟେଲର ଜଣେ ନିୟମିତ ଗ୍ରାହକ; କାରଣ ଅନିୟମିତ ହେବାକୁ ମୋତେ ବଡ଼ କଦର୍ଯ୍ୟ ଲାଗେ ।

 

ହଉ ଆଜ୍ଞା... ନମସ୍କାର ।

 

(ପଞ୍ଚମୁଖୀ–ସେପ୍ଟେମ୍ୱର, ୧୯୬୭)

Image

 

ପିଲାଟିଏ

 

ପିଲାଟିଏ ଜାଣିପାରିଲା ନାଇଁ, ସେ କେତେବେଳେ ଗେରୁ ରଙ୍ଗର ମୋରମ୍‌ ରାସ୍ତା ଛାଡ଼ି ପିଚୁ ସଡ଼କରେ ପାଦ ଦେଲା । ଗେରୁ ରାସ୍ତାରେ ଆସୁଥିଲାବେଳେ ପିଲାଟି ଶୁଣୁଥିଲା ଭୀମ ଭୋଇଙ୍କର ଅଲେଖ-ଭଜନାବଳୀ । ପକ୍ଷୀମାନଙ୍କର ଚିଁ ଚାଁ ଏବଂ ଗୋରୁମାନଙ୍କର ହମ୍ବାରଡ଼ି ।

 

ପିଚୁସଡ଼କରେ ପାଦ ଦେଲାମାତ୍ରେ ତା’ର ମନେହେଲା, କାହାରି ମୃତ୍ୟୁରେ ଶୋକ ପ୍ରକାଶ କରି ସମଗ୍ର ପୃଥିବୀ ଯେଭଳି କିଛି ସମୟ ପାଇଁ ନୀରବ ହୋଇପଡ଼ିଛି ।

 

ଗେରୁ ରାସ୍ତାର ଦୁଇ ପାଖରେ ପ୍ରଚୁର ଗଛ ଥିଲା । ଗଛମାନଙ୍କର ଏକ ଜଙ୍ଗଲ ଥିଲା । ପିଚୁସଡ଼କର ଗୋଟିଏ ପାଖରେ ଟେଲିଫୋନ୍‍ ଖମ୍ବ ଓ ଅନ୍ୟ ପାଖରେ ବିଜୁଳି ଖମ୍ବ । ସମ୍ଭାଷଣ ଓ ଶକ୍ତି ।

 

ପିଲାଟି ପିଚୁ ସଡ଼କରେ ଅନେକ ବାଟ ଚାଲିଆସିବାପରେ ଯାଇଁ ବୁଝିଳା ଯେ, ସେ ଏକ ଭିନ୍ନ ପଥରେ ଚାଲୁଛି । ନୁଖୁରା ବାଳ, ଉଜ୍ଜ୍ୱଳ ଆଖି, ବଳିଷ୍ଠ ହାତଗୋଡ଼, ଖଣ୍ଡେ ଛିଣ୍ଡା ଗାମୁଛା, ମଇଳା ଧୋତି ଏବଂ ଖୋଲା ପାଦ ନେଇ ପିଲାଟି ଚାଲୁଥିଲା ।

 

ତା’ର ଚାଲିକୁ ସାମରିକ ଚାଲି ବୋଲି କୁହାଯାଇପାରିବ ନାହିଁ । ତଥାପି ତା’ର ଚାଲିଟା ଥିଲା ଅତିମାତ୍ରାରେ ଯାନ୍ତ୍ରିକ....ସ୍ୱୟଂକ୍ରିୟ ।

 

ସେ ଚାଲୁଛି ତ ଚାଲୁଛି ।

 

ଦେଖିଲା : ରାସ୍ତା କଡ଼ରେ ଗୋଟିଏ ଗଛ ଏବଂ ସେଇ ଗଛତଳେ ଏକ ନୁଆଁଣିଆ ଚାଳଘର । ସେଇ ଘରଭିତରୁ ହାତରେ ଗୋଟିଏ ଶୂନ୍ୟ ବୋତଲ ଧରି ଜଣେ ମୋଟାସୋଟା କଳାମଣିଷ ବାହାରି ଆସିଲା । ଗଛମୂଳେ ଠିଆହୋଇ ଡାକିଲା–ଏ ପିଲା, ଏ... ଏ ପିଲା ।

 

ପିଲାଟି କିଛି ନ ଶୁଣି ଚାଲିବାକୁ ଲାଗିଲା। କିଛି ସମୟ ପରେ ସେଇ ଚାଳଘର ଭିତରୁ ଛିଟ କନାର ପାତଳ ଶାଢ଼ି ପିନ୍ଧି ଜଣେ କିଶୋରୀ ବାହାରି ଆସିଲା ଓ ଲୋକଟିର କାନ୍ଧରେ ଆଉଜିପଡ଼ି ତା’ର ସାମାନ୍ୟ ଧଳା ପଡ଼ିଆସୁଥିବା ଦାଢ଼ି ସାଉଁଳିବାରେ ଲାଗିଲା ।

 

ଲୋକଟି ପୁଣି ଡାକିଲା ଏବଂ ଏଥର ଟିକିଏ ଚଢ଼ାଗଳାରେ ଡାକିଲା–ହଇରେ... ଏ.... ଏ.ପିଲା । ଏ ପି, ଏଃ ପି... ଇ ଲ୍ଲା । ତତେ କ’ଣ ଶୁଭୁନି ?

 

କିଶୋରୀଟି ବିରକ୍ତ ହୋଇ କହିଲା–ଥାଉ ବା । ସେଇଟା କାଲଟାଏ ଚାଲ ।

 

ପିଲାଟି ଲେଉଟି ଚାହିଁଲା ନାଇଁ ।

 

ପିଚୁସଡ଼କ ହେଲେ କ’ଣ ହେବ : ପାହାଡ଼ର ଉଠାଣି ଯେତେ କଷ୍ଟପ୍ରଦ, ପିଚୁସଡ଼କର ଉଠାଣି ମଧ୍ୟ ସେତେ କଷ୍ଟପ୍ରଦ । ପିଲାଟି ପିଚୁସଡ଼କର କଷ୍ଟପ୍ରଦ ଉଠାଣି ଟପି ଯେତେବେଳେ ଏକ ଅତି ସଂକୀର୍ଣ୍ଣ ପୋଲ ନିକଟରେ ପହଞ୍ଚିଲା–

 

ସେତେବେଳେ ସେ ଭାବିଲା :

 

ଟିକିଏ ପାଣି ପିଇବି ।

 

ଏପାଖରୁ ସେପାଖକୁ ଅନେଇଲା, ସେପାଖରୁ ପୁଣି ଏପାଖକୁ ଅନେଇଲା । କିଛି ନାହିଁ-। ଛିଣ୍ଡା ଗାମୁଛାରେ ମୁହଁ ଓ ବେକତଳୁ ଝାଳ ପୋଛି ପିଲାଟି ନଦୀଗର୍ଭକୁ ଚାହିଁଲା-। କିଛି ନାହିଁ । କେବଳ ବାଲି ।

 

 

କେତେଦିନୁ କେଜାଣି, ସେଇ ବାଲିର ଶେଯରେ ପଡ଼ି ରହିଛି କୌଣସି ଏକ ପଶୁର ଶବ । ଦଳେ ଶାଗୁଣା ସେଇ ଶବଟିର ଦେହରୁ ଖୁମ୍ପି ଖୁମ୍ପି ଖଣ୍ଡ ଖଣ୍ଡ ମାଂସ ଖାଇଯାଉଛନ୍ତି । କିଭଳି ଏକ ମୃତ୍ୟୁର ଗନ୍ଧ ଭାସିଆସୁଛି ସେଇ ଶବଟାର ଦେହରୁ । ପିଲାଟି ଶାଗୁଣାମାନଙ୍କର ଡେଣା ଝାଡ଼ିବାର ଶବ୍ଦ ଶୁଣି ଶୁଣି ନାକରେ ଗାମୁଛା ଚାପି ଆକାଶକୁ ଅନେଇଲା । କିଛି ନାହିଁ । ସାମନାରେ ଲମ୍ବି ଯାଇଥିବା ରାସ୍ତାକୁ ଅନେଇଲା । କିଛି ନାହିଁ । ଜଳର ଭ୍ରମ ସୁଦ୍ଧା ନାହିଁ ।

 

ପିଲାଟି ଟଳମଳ ହୋଇ, ପୋଲକଡ଼ର ଲୁହା ବାଡାକୁ ଆଶ୍ରୟ କରି ପୋଲ ଉପରର ସଂକୀର୍ଣ୍ଣ ରାସ୍ତାରେ ଚାଲୁଥାଏ । ପ୍ରଚଣ୍ଡ ସୂର୍ଯ୍ୟ-କିରଣରେ ଆଖି ତା’ର ମୁଦି ହୋଇଯାଉଥାଏ ।

 

ହଠାତ୍‌–ସେ ଜାଣିପାରିଲା ନାଇଁ, ବୁଝିପାରିଲା ନାଇଁ, ଶୁଣିପାରିଲା ନାଇଁ–ହଠାତ୍‌ ଏକ ବୋଝେଇ ଟ୍ରକ୍‍ ତା’ ପାଖଦେଇ ଅତି ଦ୍ରୁତ ଗତିରେ ପୋଲ ଉପରେ ଚାଲିଗଲା । ପୋଲର ସର୍ବାଙ୍ଗ ଥରିଉଠିଲା । ପିଲାଟିର ସର୍ବାଙ୍ଗ ଥରିଉଠିଲା । ତଳେ ପଡ଼ି ଯାଉଁ ଯାଉଁ ପିଲାଟି ନିଜକୁ ସମ୍ଭାଳି ନେଲା ।

 

ଟ୍ରକ୍‌ଟି ଚାଲିଯିବା ପରେ ମୁଣ୍ଡରେ ପରିବାବୋଝ ବୋହି ଜଣେ ବୟସ୍କା ନାରୀ ପିଲାଟିକୁ ଅତିକ୍ରମ କରି ଯିବାବେଳେ ଚିତ୍କାର କଲା–ଆରେ, ଅନ୍ଧୁଟାଏ କିରେ....ମରିଥାଆନ୍ତୁ ।

 

ପିଲାଟି ଲେଉଟି ଚାହିଁଲା ନାଇଁ ।

 

ପୋଲର ଶେଷ ମୁଣ୍ଡରେ ପହଞ୍ଚି ପିଲାଟି ତଳକୁ ଦେଖିଲା ଧଳାବାଲି ଉପରକୁ ଦେଖିଲା : ପାରଦର ଆକାଶ । ପଛକୁ ଦେଖିଲା : ନୀଳ ପାହାଡ଼ ଏବଂ ଆଗକୁ ଦେଖିଲା : କେବଳ ଦୀର୍ଘ ପିଚୁସଡ଼କ ।

 

ଆହୁରି ଆଗରେ ଧଳା, ବାଇଗଣି, ଲାଲ, ହଳିଦିଆ, ଶାଗୁଆ, ନୀଳ, ଏବଂ ଆହୁରି ଅନେକ ରଙ୍ଗରେ ରଞ୍ଜିତ ହୋଇ ଦିଶୁଚି ପୁଞ୍ଜେ ଘର ।

 

ପିଲାଟି ଚାଲି ଚାଲି ଯାଇ ଯେତେବେଳେ ସେଇ ଘରମାନଙ୍କ ମଝିରେ ପହଞ୍ଚିଲା, ସେତେବେଳେ ତା’ ଆଖି ଆଗରୁ ବାଲି, ଆକାଶ ଓ ପାହାଡ଼ ସବୁ ଉଭେଇ ଗଲା ।

 

ତା’ରି ଚାରିପାଖରେ ଘର । ଖାଲି ଘର । କେବଳ ଘର । ଘର ବ୍ୟତୀତ ଅନ୍ୟକିଛି ନାହିଁ । ତୁଚ୍ଛା ଘର । ଏଠାକାର ରାସ୍ତା ଯେମିତି ଏକ ଅତି ଜଟିଳ ଗୋଲକଧନ୍ଦାର ଗୁପା ହୋଇ ପଡ଼ିଥିବା ରେଖା । କେଉଁଠୁ ଏହାର ଆଦି ଓ କେଉଁଠି ଏହାର ଅନ୍ତ :ତାହା କହିପାରିବାର ଶକ୍ତି କାହାରି ନାଇଁ ।

 

ଥରେ ଏଠି ପାଦ ଦେଲେ ମଣିଷ କେବଳ ବାଟବଣା ହୋଇ ବୁଲୁଥିବ ଆଉ ବୁଲୁଥିବ । ଜୀବନ ପଛକେ ଶେଷ ହୋଇଯିବ, ଏଇ ରାସ୍ତା ଶେଷ ହେବ ନାହିଁ । ଘରଗୁଡ଼ିକ ଯେଭଳି କାରାଗାର ଏବଂ ସେଠି ବାସ କରୁଥିବା ଜନ ସମୁଦାୟ ଯେଭଳି ଯାବଜ୍ଜୀବନ କଏଦୀ !

 

ରାସ୍ତା ସହିତ, ରାସ୍ତାର ଭିଡ଼ ସହିତ, ମଣିଷମାନଙ୍କ ସାଙ୍ଗରେ, ମଟରମାନଙ୍କ ସାଙ୍ଗରେ ପିଲାଟି ନିର୍ବିକାରଭାବରେ ଚାଲିବାକୁ ଲାଗିଲା ।

 

କିଛି ଦୂର ଗଲାପରେ ସେ ଦେଖିଲା : ରାସ୍ତାରେ ଏକ ଖୋଲା ପାର୍ଶ୍ୱରେ ଗୋଟିଏ ନଳରୁ ପ୍ରଚଣ୍ଡ ବେଗରେ ଜଳସ୍ରୋତ ଛୁଟି ଚାଲିଛି । ଅଥଚ ସେ ଜଳପାନ କରିବା ଲାଗି ତୃଷାର୍ତ୍ତ ବୋଲି କେହି ନାହିଁ ।

 

ପିଲା ଅତି ବିକଳରେ ସେଇ ନଳ ଆଡ଼କୁ ଧାଇଁଗଲା । ତା’ର ଆଖି ଦୁଇଟି ଆହୁରି ଉଜ୍ଜ୍ୱଳ ହୋଇପଡ଼ିଲା ।

 

ସେଇ ନଳ ପାଖରେ ନଇଁପଡ଼ି ପିଲାଟି ଆଞ୍ଜୁଳା ଆଞ୍ଜୁଳା ପାଣି ପିଇବାକୁ ଲାଗିଲା ।

 

ଏହି ସମୟରେ ବୋଝେ ଓଦା ଲୁଗା ମୁଣ୍ଡେଇ ଏକ ମୋଟି ମାଇକିନିଆ ନଳ ପାଖରେ ପହଞ୍ଚିଲା ।

 

ପଚାରିଲା–ଆରେ, ଏ, ଏଠି କ’ଣ କରୁଚୁ ?

 

ପିଲାଟି ମୁହଁ ଟେକି ସେଇ ମାଇକିନିଆକୁ ଚାହିଁଲା । ତା’ର ଚାହାଣିରେ ଭୟ, ସଙ୍କୋଚ, ବିସ୍ମୟ ବା ପ୍ରତିବାଦର କୌଣସି ଆଭା ସୁଦ୍ଧା ନ ଥିଲା । ତା’ର ଚାହାଣିରେ ଅସହାୟ ଭାବ ମଧ୍ୟ ନ ଥିଲା ।

 

ପିଲାଟି ପୁଣି ନଇଁପଡ଼ି ଆଞ୍ଜୁଳା ଆଞ୍ଜୁଳା କରି ପାଣି ପିଇବାକୁ ଲାଗିବାରୁ ମୋଟି ମାଇକିନିଆଟି ଚିତ୍କାର କଲା–ମଲା, କତେ ପାଣି ପିଇବୁ ବା ? ତତେ ତ ଗୋଟିଏ ନଦୀ ବି ଅଣ୍ଟିବ ନାଇଁରେ !

 

ପାଣି ପିଇସାରିବା ପରେ ପିଲାଟି ସେଇ ମୋଟି ମାଇକିନିଆର ଦୁଇଟି ବିରାଟ ବକ୍ଷୋଜକୁ ଦେଖିବାରେ ଲାଗିଲା । ଦେଖିବାରେ ଲାଗିଲା ନାଇଁ ଯେ, ନିରେଖିବାରେ ଲାଗିଲା । ପିଲାଟି ପଛରେ ଛାଡ଼ି ଆସିଥିବା ନଦୀଗର୍ଭକୁ ସ୍ମରଣ କଲା ।

 

ଆରେ, କ’ଣଟା ଚାହିଁଚୁରେ, ଯା, ଭାଗ, ପଳା–ମାଇକିନିଆ ଚିତ୍କାର କଲା, ପୁଣି ଥରେ-

 

ପିଲାଟି ସେଇ ପୂର୍ବ ଯାନ୍ତ୍ରିକ ପ୍ରଣାଳୀରେ ପିଠି କରି ଚାଲିଗଲା । ମାଇକିନିଆ ପିଲାଟିର ପ୍ରଶସ୍ତ ପିଠିକୁ ଚାହିଁ କହି ହେଲା–ମୂକଟାଏ ମ !

 

ଏହାପରେ ସେ ନିଜର ଛାତି ଉପରୁ ଖସିଯାଇଥିବା ଲୁଗାକୁ ଟାଣିଆଣି ତା’ର ପୃଥୁଳ ବକ୍ଷୋଜ ଦୁଇଟିକୁ ଘୋଡ଼ାଇ ଦେଲା ଏବଂ ଓଦାଲୁଗା ସବୁ ନଳ ଚୌତରାରେ କଚାଡ଼ି ଦେଇ ଲଥକରି ତଳେ ବସିପଡ଼ିଲା ଓ ମଇଳା ଲୁଗା ସବୁକୁ ପିଟି ପିଟି ସଫା କରିବାରେ ଲାଗିଲା ।

 

ରାସ୍ତାର ଗୋଟିଏ କଡ଼ରେ ପିଲାଟି ଚାଲିବାକୁ ଲାଗିଲା....ପେଟଭିତରେ ଏକ ସମୁଦ୍ର ଘେନି । ଅଗସ୍ତି ପରି ।

 

ଗୋଟିଏ ସ୍ଥାନରେ ସେ ଦେଖିଲା ଅନେକ ଚିରା କାଗଜ ଗଦା ହୋଇଛି ଏବଂ ସେଇ ଚିରା କାଗଜର ସ୍ତୂପ ପାଖରେ ବସି ଜଣେ ପ୍ରଚକ୍ଷୁ ପିନ୍ଧା ଲୋକ ଅଗ୍ନି ସଂଯୋଗ କରୁଛି ।

 

ସେଇ କାଗଜଗଦା ଭିତରେ ପିଲାଟି ଦେଖିଲା : ଗୀତା, ବାଇବେଲ୍, କୋରାନ, କାଳିଦାସ, ସେକ୍‌ସପିୟର, ବେଦ, ଡାରଉଇନ, ଜୟଦେବ, ଚାଣକ୍ୟ, ଫ୍ରଏଡ, ମାର୍କସ୍, ଗାନ୍ଧୀ, ଦେଶ ବିଦେଶର ସମ୍ବିଧାନ, ସାର୍ତ୍ତେ, ହକସଲି, ଖବରକାଗଜ, ସିନେମାଗୀତ ବହି, ରବୀନ୍ଦ୍ରନାଥ, ତଦନ୍ତ କମିଶନ ରିପୋର୍ଟ, ରାଜନୈତିକ ପ୍ରଚାରପତ୍ର, ଗୋପୀ ମହାନ୍ତି, ନଙ୍ଗୁଳୀ ସ୍ତ୍ରୀ-ମାନଙ୍କର ଚିତ୍ର, କାମଶାସ୍ତ୍ର, ଇଲିଅଟ ଏବଂ ଇତ୍ୟାଦି ଇତ୍ୟାଦି କେଉଁ ବହିର ଫାଳେ ଅଛି ତ କେଉଁ ବହିଟା ପୂରା ଅଛି ।

 

ପିଲାଟି ବୁଝିପାରିଲା ନାଇଁ ଏ ଅଗ୍ନି ସଂଯୋଗର କାରଣ । ଏହା ଏକ ଏନ୍ତୁଡ଼ିଶାଳର ନିଆଁ ନା ଏକ ଚିତାଗ୍ନି ? ଏହା ଏକ ସାଦାଚୁଲିର ରଡ଼ନିଆଁ ନା ହୋମାଗ୍ନି ?

 

ପିଲାଟି ଜାଣିଥିଲା, ଜୀବନର ଆରମ୍ଭଠାରୁ ଶେଷପର୍ଯ୍ୟନ୍ତ ଅଗ୍ନିର ପ୍ରୟୋଜନ । ପିଲାଟି ଜାଣିଥିଲା, କାଠ, କୋଇଲା, କିରୋସିନୀ ଇତ୍ୟାଦିକୁ ଇନ୍ଧନରୂପେ ବ୍ୟବହାର କରାଯାଏ । ମାତ୍ର ଏ ଯେ ଏକ ନୂତନ ପ୍ରକାର ଇନ୍ଧନ ।

 

ଚିରା କାଗଜରେ ଅଗ୍ନି ସଂଯୋଗ କରି ସାରି ଲୋକଟି ଖଣ୍ଡେ ବାଡ଼ି ସାହାଯ୍ୟରେ କାଗଜସବୁକୁ ଉପରକୁ ଟେକି ଖେଳାଇ ଦେଉଛି । ଅଗ୍ନି ଆହୁରି ଜୋରରେ ପ୍ରଜୁଳିତ ହୋଇଉଠୁଛି-। ଅଗ୍ନିଶିଖାର ଅପର ପାର୍ଶ୍ୱରେ ଲୋକଟିର ମୁହଁ ପିଲାଟିର ଆଖିକୁ ତରଙ୍ଗାୟିତ ହୋଇଗଲା ପରି ଦିଶୁଚି ।

 

ଏ କେଉଁ ସୃଷ୍ଟିର କମାରଶାଳ ? ଏ ଲୋକଟା କିଏ ? ସ୍ରଷ୍ଟା ନା କଂସେଇ ?

 

ପିଲାଟିର ନିଜ ଅଜାଣତରେ ଆଖିରୁ ଦୁଇ ବୁନ୍ଦା ଲୁହ ଖସିପଡ଼ିଲା, ମାତ୍ର ଏଇ ସାମାନ୍ୟ ଦୁଇବିନ୍ଦୁ ଲୁହରେ କ’ଣ ଏ ପ୍ରଚଣ୍ଡ ଭୟାବହ ଅଗ୍ନିକାଣ୍ଡ ନିର୍ବାପିତ ହୋଇପାରିବ ? ଲୋକଟିର ମୁହଁ ଏବଂ ସେଇ ଅଗ୍ନିଶିଖା ମଧ୍ୟରେ କୌଣସି ଫରକ ନ ଦେଖି ପିଲାଟି ହଠାତ୍‌ ନିଜ ଭିତରେ ଆତଙ୍କିତ ହୋଇପଡ଼ିଲା ଓ ପାଣିନଳକୁ ସ୍ମରଣ କଲା । ଅତି ବିକଳଭାବରେ ପିଲାଟି ଆକାଶକୁ ଅନେଇଲା । ଖଣ୍ଡେ ହେଲେ ମେଘ ନାହିଁ । ଲୋକଟି ଚିତ୍କାର କଲା–କ’ଣ ଦେଖୁଚୁ ବେ ଓଲୁ ? ଯା, ଭାଗ, ପଳା-

 

ପିଲାଟି ଲେଉଟି ଚାହିଁଲା ନାଇଁ । ଚାଲିଲା; କିନ୍ତୁ ଗୋଟିଏ ହେଲେ ଉପାସନା ସ୍ଥାନ ଦେଖିଲା ନାଇଁ, ଗୋଟିଏ ହେଲେ ଜଳାଶୟ ଦେଖିଲା ନାଇଁ, ଗୋଟାଏ ହେଲେ ଗଛ ଦେଖିଲା ନାଇଁ । ବାଲି, ଆକାଶ, ଘାସ କିଛି ଦେଖିଲା ନାଇଁ ।

 

ପିଚୁସଡ଼କ ଘର ଓ ଗଳି । ଘର, ଗଳି ଓ ପିଚୁସଡ଼କ । ଗଳି, ପିଚୁସଡ଼କ ଓ ଘର ।

 

ଗୋଟିଏ ସଂକୀର୍ଣ୍ଣ ଗଳିମୁଣ୍ଡରେ ଠିଆହୋଇ ପିଲାଟି ଦେଖିଲା : ଦଳେ ଲୋକ କୋକେଇ ବୋହି ଚାଲି ଆସୁଛନ୍ତି । ପିଲାଟି ଶୁଣିଲା : ସେମାନେ ଇଚ୍ଛା ନ ଥିଲା ଭଙ୍ଗୀରେ କହୁଛନ୍ତି–ରାମନାମ ସତ୍ୟ ହେ, ହରିନାମ ସତ୍‌ଇଅ ହେ ।

 

କୋକେଇ ବୋହି ଲୋକମାନେ ଚାଲିଯିବା ପରେ ପିଲାଟି ଗଳିମୁଣ୍ଡରେ ଏକ ଅଳ୍ପ ଉଚ୍ଚ ବାରଣ୍ଡାରେ ଉପରକୁ ଚଢ଼ିଗଲା । ଦେଖିଲା : ସେଇ ବାରଣ୍ଡାରେ ଧାଡ଼ିବନ୍ଧା ହୋଇ ଅନେକ ଗାମଲା ଥୁଆ ହୋଇଛି । ଅଧିକାଂଶ ଗାମଲାରେ ଓଦାମାଟି, ମାତ୍ର ଗୋଟିଏ ହେଲେ ଗଛ ନାହିଁ, ଏବଂ ଯେଉଁ କେତୋଟି ଗାମଲାରେ ଗଛ ଗଜେଇଛି, ତା’ର ମାଟି ଶୁଖି ଗଲାଣି, ଫାଟି ଯାଇ ଆଁ କଲାଣି ।

 

ପିଲାଟି ବେକରୁ ଓ ମୁହଁରୁ ଝାଳପୋଛି ସେଠି ବସି ପଡ଼ିଲା । ଆଖି ଆଗରେ ସବୁ ଦୃଶ୍ୟ ଖେଳିଗଲା । ନଦୀ-ବାଲିର ଶବ । ମୋଟି ମାଇକିନିଆର ସ୍ତନ । ଜଳି ଯାଉଥିବା କାଗଜ । ପିଲାଟି ଶକେଇ ଶକେଇ କାନ୍ଦିବାକୁ ଲାଗିଲା, ମାତ୍ର ଏଥର ତା’ର ଆଖିରୁ ବୁନ୍ଦେହେଲେ ଲୁହ ଖସିଲା ନାହିଁ । ପ୍ରକୃତରେ ସ୍ମୃତି ଅପେକ୍ଷା ଜୀବନ ହିଁ ଅଧିକ ମହତ୍ତର ।

 

କିଛି ସମୟ ପରେ ହାତରେ ଦୁଇଖଣ୍ଡ ଶୁଖିଲା ପାଉଁରୁଟି ନେଇ ବୁଢ଼ୀଟିଏ ଘରଭିତରୁ ବାରଣ୍ଡାକୁ ଆସିଲା । ପିଲାଟି ଆଡ଼କୁ ସେତକ ଫିଙ୍ଗିଦେଇ କହିଲା–ଏଇ ନେ’, ଯା, ଉଠ୍‌ ପଳା ।

 

ପିଲାଟି କିଛି ଶୁଣିଲା ନାଇଁ କିମ୍ବା ପାଉଁରୁଟି ମଧ୍ୟ ଛୁଇଁଲା ନାହିଁ । ଆଣ୍ଠୁ ସନ୍ଧିରେ ମୁହଁ ଜାକି ସେ କେବଳ କାନ୍ଦୁଥାଏ । ବୁଢ଼ୀଟି ପୁଣି ଡାକିଲା ଏବଂ ଏଥର ଟିକିଏ କଅଁଳେଇ କରି ଡାକିଲା–ଏଇ ନେ’ ଖା, ଖାଇଦେ ।

 

ପିଲାଟି ମୁହଁଟେକି ବୁଢ଼ୀଟିର ଚମ ଧୁଡ଼ୁ ଧୁଡ଼ୁ ଦେହରେ ଅଧ୍ୟୟନ କଲା ମଧ୍ୟ-ଶତାଦ୍ଦୀର ପାଦଟୀକା । ସେ ଟିକିଏ ବି ହଲଚଲ ହେଲା ନାହିଁ । ବୁଢ଼ୀଟି ଏକ ଶତାଦ୍ଦୀ ଭଳି ଠିଆହୋଇଥାଏ ।

 

ପଙ୍ଗୁଟାଏ କିରେ ? ବୁଢ଼ୀ ପଚାରିଲା ।

 

ବୁଢ଼ୀଟିର ପ୍ରଶ୍ନ ନ ସରୁଣୁ ବାରଣ୍ଡା ଉପରୁ ଏକ କୁଦାମାରି ପିଲାଟି ଏତେ ଜୋରରେ ଦୌଡ଼ି ଦୌଡ଼ି ପଳାଇଲା ଯେ, ବୁଢ଼ୀଟି କେବଳ ଆଁ ଫାଡ଼ି ଅନାଇ ରହିଥାଏ ।

 

ଗ୍ରୀଷ୍ମର ଖରା, ବର୍ଷାର ଜଳଧାରା ଓ ଶୀତର ଓଠଥରା ନ ମାନି ଏଇ ପିଲାଟି ଏବେ ପୃଥିବୀର ପ୍ରତ୍ୟେକଟି ସହରରେ ଘୂରିବୁଲୁଛି । ମୋରମ ରାସ୍ତାର ସ୍ମୃତି କ୍ରମଶଃ କ୍ଷୀଣ ହୋଇଯାଉଛି ଏବଂ ଶତାଦ୍ଦୀ ଭଳି ଠିଆ ହୋଇଥିବା ବୁଢ଼ୀମାନେ ଦିଗନ୍ତରେ ମିଶି ଯାଉଥିବା ପିଲାଟିର ପ୍ରଶସ୍ତ ପିଠିକୁ ଆଁ ଫାଡ଼ି ଅନାଇ ରହିଛନ୍ତି ।

 

(ଝଙ୍କାର–ମାର୍ଚ୍ଚ, ୧୯୬୯)

Image

 

ଅଢ଼େଇ ଘଣ୍ଟା

 

ଦଶ ବାର ବର୍ଷ ତଳର କଥା । ଆମ କଲେଜକୁ ଲାଗି ରେଳ ଷ୍ଟେସନ ଏବଂ ଟିକିଏ ଅବସର ପାଇଲେ ଆମେ ଦଳ ଦଳ ପିଲା ଏଇ ଷ୍ଟେସନକୁ ଚାଳି ଆସୁଥିଲୁ । ଷ୍ଟଲରେ ପତ୍ରିକା ଘାଣ୍ଟୁଥିଲୁ, କେଣ୍ଟିନରେ ଚା’ ଖାଉଥିଲୁ, ନ ହେଲେ ପ୍ରତୀକ୍ଷାରେ ଥିବା ସୁନ୍ଦରୀମାନଙ୍କୁ, ଜଣେ ବନ୍ଧୁଙ୍କ ଭାଷାରେ, ଚାହାଁଣିର ଚିଠି ଦେଉଥିଲୁ । ଯେ ସମୟରେ ମୋର ଜମାରୁ ଧାରଣା ନ ଥିଲା ଯେ ମୋତେ ମଧ୍ୟ ଏଇ ଷ୍ଟେସନରେ ଦିନେ ଅପେକ୍ଷା କରିବାକୁ ପଡ଼ିବ ।

 

ଆଜି ମୁଁ ଏଇ ଷ୍ଟେସନରେ । ମାତ୍ର ଷ୍ଟଲ କିମ୍ବା କେଣ୍ଟିନ୍‍ କୁଆଡ଼େ ହେଲେ ଯାଇପାରୁନାହିଁ । ପ୍ରଥମ ଶ୍ରେଣୀ ବିଶ୍ରାମାଗାରର ଆଗ ବାରଣ୍ଡାରେ ଥୁଆ ହୋଇଥିବା ଦୁଇଟି ବିରାଟ ଟ୍ରଙ୍କ ଏବଂ ବେଡ଼ିଙ୍ଗକୁ ଜଗି ଜଗି ମୁଁ ଠିଆହୋଇଛି । ଭିତରେ ଆରାମ ଚଉକିରେ ବସି କୌଣସି ଏକ ରହସ୍ୟ ଉପନ୍ୟାସର ପୃଷ୍ଠାରେ ତନ୍ମୟ ହୋଇ ହଜିଯାଇଥିବା ତରୁଣୀଟି ମୋର ପତ୍ନୀ ନିହାର ।

 

ମୁଁ ଡାକିଲି–‘‘ନିହାର !’’

 

ବହିରୁ ମୁହଁ ଟେକି ସେ ମୋ ଆଡ଼କୁ ଚାହିଁଲା ।

 

ପଚାରିଲି–‘‘ଚା’ ଖାଇବ ?’’

 

‘‘ନା’’–କେବଳ ଏଇ ଗୋଟିଏ ଅକ୍ଷର ଉଚ୍ଚାରଣ କରି ସେ କଥା ଛିଣ୍ଡାଇ ଦେଲା ଏବଂ ପୁଣି ଉପନ୍ୟାସ ପୃଷ୍ଠାରେ ହଜିଗଲା । ହୁଏତ ସୁନ୍ଦର ଉପନ୍ୟାସଟିଏ ହୋଇଥିବ ।

 

ନ ହେଲେ.....

 

ମୋର ଇଚ୍ଛା ହେଉଥିଲା, ମୁଁ ଟିକିଏ ଷ୍ଟେସନ ସାରା ବୁଲି ଆସନ୍ତି । ସମ୍ଭବ ହେଲେ କଲେଜରୁ ମଧ୍ୟ ଘେରାଏ ।

 

‘‘ଶୁଣୁଚ?’’

 

ଏଥର ନିହାର ମୁଣ୍ଡ ଟେକିଲା । ମାତ୍ର ତା’ର ମୁହଁରେ ବିରକ୍ତିର ଲକ୍ଷଣ ସ୍ପଷ୍ଟ । ଯାହା କହିବାକୁ ଚାହୁଁଥିଲି କହିଲି ନାଇଁ । ମୋର ଇଚ୍ଛା ହେଉଥିଲା, ତାକୁ ଡାକନ୍ତି....ଷ୍ଟେସନ ସାରା ଘେରାଏ ବୁଲାଇ ଆଣନ୍ତି... ସମ୍ଭବ ହେଲେ ମୋର କଲେଜ ଆଡ଼କୁ ମଧ୍ୟ । ମାତ୍ର ମୁଁ କହିଲି ‘‘ଟ୍ରେନ୍ ଆଜି ଅଢ଼େଇ ଘଣ୍ଟା ଲେଟ୍‌ ।’’ ନିହାର ନିଜ ଘଣ୍ଟାକୁ ଚାହିଁଲା । କହିଲା–‘‘ତୁମେ ଟିକେ ବସି ପଡ଼ୁନ....ଏଇ ଫଙ୍ଖା ତଳେ.... ଆସ । ସେଠି ଠିଆ ହେଲେ କ’ଣ ଟ୍ରେନ୍‌ଟା ଆଗରୁ ଆସିଯିବ ?’’

 

ନିହାର କ’ଣ ଜାଣେ ନାହିଁ ଯେ, ଏଇ ସହରରେ ଦୀର୍ଘ ଚାରିବର୍ଷ ଧରି ମୁଁ ପାଠ ପଢ଼ୁଥିଲି ? ନିହାର କ’ଣ ଜାଣେ ନାହିଁ ଯେ ଏଇ ଷ୍ଟେସନରେ ମୁଁ ପ୍ରତିଦିନ ଦ୍ୱିପ୍ରହର ବେଳେ ହାଜିରା ପକାଉ ଥିଲି ? ନିହାର କ’ଣ ଜାଣେ ନାହିଁ ଯେ, ଏଠି ଏଇ ଷ୍ଟେସନ୍‌ ସାରା ଘୂରିବୁଲିବାକୁ ମୁଁ ବ୍ୟାକୁଳ ହୋଇପଡ଼ିଲିଣି ? ନିହାର କ’ଣ ?

 

‘‘ଶୁଣୁଚ’’–ନିହାର ଡାକୁଛି ।

 

‘‘କ’ଣ କହୁଚ’’ ? ଏଇ କଥା ପଦକ କହି ସାରିବା ପରେ ମୁଁ ତଉଲି ଦେଖିଲି । ମୋର ଉଚ୍ଚାରଣ ରୁକ୍ଷ ହୋଇନାହିଁ ତ ? ପ୍ରକୃତରେ କଥା କହିଲା ବେଳେ ମୋତେ ଅଭିନୟ କରି ଆସେ ନାହିଁ । ରୁକ୍ଷ ହେଉ ବା କୋମଳ ହେଉ ଶବ୍ଦ ଗୁଡ଼ିକର ଉଚ୍ଚାରଣ ହେବା ଉଚିତ ।

 

ନିହାର ହସୁଚି ।

 

ପଚାରୁଛି–‘‘ଚା’ ଖାଇବ ?’’

 

କିଛି ସମୟ ଆଗରୁ କହିଥିଲେ ହୁଏତ ଖାଇଥାନ୍ତି, ବର୍ତ୍ତମାନ ବି ହୁଏତ ଖାଇବି, ମାତ୍ର ଥର୍ମସ୍‌ର ଚା’ ନୁହେଁ । ସେଇ କେଣ୍ଟିନ୍‌ର ଚା’ । ଆଃ ସେଇ କେଣ୍ଟିନ୍‌ର ଚା’ । ହେଲେ ହେଉ ପଛେ ବର୍ତ୍ତମାନ ଜୀବନ ଭଳି ସ୍ୱାଦୁହୀନ ।

 

‘‘ନା’’–ମୁଁ ଉତ୍ତର ଦେଲି ।

 

‘‘ସେଠି ଠିଆ କାହିଁକି ହେଲ ? ଆସ ।’’

 

‘‘ସତ କହିବି ନିହାର !’’

 

ସେ ବିସ୍ମିତ ହୋଇ ମୋ ଆଡ଼କୁ ଚାହିଁଲା । ମୁଁ ହୁଏତ ବର୍ତ୍ତମାନ ତା’ ଆଗରେ କୌଣସି ଏକ ରହସ୍ୟର ପେଟି ଖୋଲିବି ।

 

‘‘କ’ଣ କହିବି ?’’

 

‘‘ମୋର ମନେହେଉଛି, ମୁଁ ଯେମିତି ଏଇ କଲେଜରେ ପାଠ ପଢ଼ୁଚି । ଆଉ....ଆଉ....ତୁମେ ଜାଣନା ଏଠି ହଷ୍ଟେଲରେ ରହି ପାଠ ପଢ଼ୁଥିଲି ?’’

 

‘‘ଜାଣେ..... ତୁମର କଲେଜ ଏଠୁ କେତେଦୂର ?’’ ମୁଁ ଆଗ୍ରହୀ ହୋଇ ତାକୁ ଝରକା ପାଖକୁ ଡାକି ନେଲି । ଝରକାରୁ ଦେଖାଯାଉଥିବା ଆମ କଲେଜ କୋଠା ଆଡ଼କୁ ଆଙ୍ଗୁଳି ଦେଖାଇ କହିଲି–

 

‘‘ଏଇତ !’’

 

‘‘ତୁମର ସାର୍‌ମାନେ ଏଠି ଥିବେ ତ ?’’

 

‘‘ହଁ ସାର୍‌ମାନେ ତ କେତେଜଣ ଏଠି ଅଛନ୍ତି.... ତା’ଛଡ଼ା ଅବସର ଏଠି ଇଂରାଜୀ ଅଧ୍ୟାପକ ।’’

 

‘‘କେଉଁ ଅବସର ?’’

 

‘‘ଯାହା ସାଙ୍ଗରେ ମୁଁ ଅନର୍ସ ନେଇ ପଢ଼ୁଥିଲି । ଜାଣିଚ ? ସେ ଭାରି ମେଳାପୀ... ଏଯାଏଁ ବାହା ହୋଇନାଇଁ’’–ମୁଁ ପ୍ରଗଳ୍‌ଭ ହୋଇପଡ଼ିଲି । ‘‘ଏଇ ସହରରେ ବଡ଼ ବଡ଼ ପାର୍କ ଅଛି ।

 

‘‘.....ମହାନଦୀ କୂଳରେ ହାଓ୍ୟା... ତା’ଛଡ଼ା ଶାଢ଼ି ଖୁବ୍‌ ଶସ୍ତାରେ ମିଳେ ।’’

 

ନିହାର ହସିଲା ।

 

‘‘କାହିଁକି ହସୁଚ ?’’

 

‘‘ନ ହେଲେ କ’ଣ କାନ୍ଦନ୍ତି ? .... ଆଚ୍ଛା.... ତୁମ ସାଙ୍ଗରେ ଯୋଉ ଝିଅଟା.... କ’ଣ ଯେ ତା’ର ନାଁଟା.... ।’’ ନିହାର ମନେପକାଇବାର ଭଙ୍ଗୀ କରି ଭ୍ରୂଲତା ଉପରକୁ ଟେକିଲା ।

 

‘‘ଓ ହୋଃ ତା’ କଥା...... ସେଇ ସରିତା କଥା ପଚାରୁଛ ? ସିଏତ ଏବେ ‘‘ଶ୍ରୀମତୀ ସରିତା ପଟ୍ଟନାୟକ, ଲେକ୍‌ଚରର ଇନ୍ ଇକ୍‌ନମିକ୍‌ସ୍‌ । କିନ୍ତୁ ଯେଉଁ ପଟ୍ଟନାୟକକୁ ସେଇ ପଟ୍ଟନାୟକ, ମାନେ ଏଯାଏଁ ବାହା ହୋଇନି ।’’ କିଛି ସମୟପରେ ନିହାର କହିଲା–‘‘ମୁଁ ତ ନଭେଲଟା ଶେଷ କଲିଣି, ଆମେ ଟିକେ କଲେଜରୁ ଯାଇ ବୁଲି.....’’ ସେ ତା’ର ବାକ୍ୟ ଶେଷ କରିବା ପୂର୍ବରୁ ହ୍ୱିସିଲ ଦେଇ ପ୍ଲାଟଫର୍ମ ଉପରେ ଆମର ଟ୍ରେନ୍‌ ଆସି ଠିଆହୋଇ ସାରିଥିଲା ।

 

ମୁଁ ଚମକି ପଡ଼ିଲି । ଅବସର ଓ ସରିତା.... ସେମାନେ କ’ଣ ?

 

(ନବରାଗ–ମେ, ୧୯୬୯)

Image

 

ଅନ୍ୟନଗ୍ର, ନଗ୍ରାନ୍ତର

 

ଆଉ ଟିକିଏ ଧୈର୍ଯ୍ୟ ଧରରେ କ୍ରୀତଦାସ !

 

ମୋର ଛାତି ଭିତରେ ଜିଭଟି ହଲିଲା । ମୁଁ ନିଜେ ଏକଥା କହିଲି, ମାତ୍ର ମୁଁ ନିଜେ କିମ୍ବା ଅନ୍ୟ କେହି ତାହା ଶୁଣିପାରିଲେ ନାହିଁ । କାରଣ ମୋର ଶବ୍ଦ ସବୁ ଧ୍ୱନି ପାଲଟି ଯିବାର କାଳ୍ପନିକ ଗୌରବରୁ ସଦାବେଳେ ବଞ୍ଚିତ । କାରଣ ମୁଁ ନିଜକୁ ବିକି ଦେଇ ସାରିଛି କିମ୍ବା ସେମାନେ ମୋତେ ବିକିଦେଇ ସାରିଛନ୍ତି ।

 

ସେମାନେ, ଅର୍ଥାତ୍ ମୋ ବ୍ୟତୀତ ଅନ୍ୟ ସମସ୍ତେ ।

 

ଜଙ୍ଗଲ ଭିତର ଦେଇ ବସ୍‌ଟି ଚଢ଼ାଣି ଗଡ଼ାଣି ଓ ଅଙ୍କା ବଙ୍କା ଟଙ୍କା ରାସ୍ତା ଉପରେ ଗଡ଼ି ଆସୁଥିଲା ବେଳେ ଝରକା ବାହାରେ ଲାଗିଥିବା ତାର୍ପଲିନ୍‌ ପର୍ଦ୍ଦା ଏତେ ଜୋର୍‍ ଫଡ଼ଫଡ଼ କରୁଥିଲା ଯେ, ଏବଂ ବସ୍‌ ଭିତରକୁ ଏତେ ବେଶୀ କୋହଲା ପବନ ପଶିଆସୁଥିଲା ଯେ; ଏବଂ ଏତେ ତୀବ୍ର ଭିଜା ଭିଜା ଗନ୍ଧ ହେଉଥିଲା ଯେ, ତହିଁରେ ନିନ୍ଦ୍ରାର ଦାସତ୍ୱ ମାନିନେବା ଆଦୌ ସମ୍ଭବ ନ ଥିଲେ ହେଁ, ପୁରୁଷଯାତ୍ରୀଗଣ ଶୋଇପଡ଼ିବାର ଛଳନା କରି ୟା’ ତା’ ଦିହରେ ଢୁଳେଇ ପଡ଼ୁଥିଲେ ।

 

କେତେଜଣଙ୍କର ଘୁଙ୍ଘୁଡ଼ି ଶବ୍ଦ, ମା’ର ସ୍ତନରୁ ଖସିପଡ଼ିଥିବା କୌଣସି ଶିଶୁର କ୍ରନ୍ଦନ ଧ୍ୱନି, ପର୍ଦ୍ଦାର ଫଡ଼ଫଡ଼ ଏବଂ ବସ୍‌ ଗଡ଼ିବାର ଘୁଁ ଘୁଁ ଶବ୍ଦ ଯୋଗୁଁ ପାଖ ବିଲରେ ବିଲୁଆ ଭୁକୁଚି ନା ନାଇଁ ଏବଂ କିଏ କାହାକୁ ଫୁସ୍‌ଫୁସ୍‌ କରି କିଛି କହୁଚି ନା ନାଇଁ; ତାହା ଯେତେ କାନେଇଲେ ମଧ୍ୟ ଶୁଭୁ ନ ଥିଲା ।

 

(ବସ୍‍ଟା ଛାଡ଼ିବାର ଠିକ୍‌ ଦଶମିନିଟ୍‌ ପୂର୍ବରୁ ଜଣେ ଚଶମା ପିନ୍ଧା, ମୋଟା ଚନ୍ଦାମୁଣ୍ଡିଆ ବ୍ୟକ୍ତି ମୋତେ ପଚାରିଥିଲେ–ଆଜ୍ଞା ଡିଆସିଲି ଅଛି ?

 

ଏତକ ପଚାରି ବୁଝିବା ପୂର୍ବରୁ ସେ ମୁହଁରେ ଖଣ୍ଡେ ସିଗାରେଟ ଧରି ସାରିଥିଲେ । ମୁଁ କହିଲି–ହଁ ।

 

ତା’ପରେ ‘‘ଦରିଦ୍ର ବ୍ରାହ୍ମଣକୁ ଦୁଇପଇସା ଦାନ କରନ୍ତୁ, ଆପଣଙ୍କର ଧର୍ମ ହେବ’’–ଭଙ୍ଗୀରେ ସେ ମୋ ଆଡ଼କୁ ହାତ ବଢ଼ାଇ ଥିଲେ । ତାଙ୍କର ସେଇ ଭଙ୍ଗୀ ଦେଖି ମୋ ମନରେ ଦୟାଭାବ ଜାତ ହୋଇଥିଲେ ହେଁ ମୁଁ ହସିଦେଇଥିଲି ଓ କହିଥିଲି–ନା, ସାର୍‌ ମୁଁ ସିଗାରେଟ ଫିଗାରେଟ ଖାଏନା ।)

 

ସେହି ବ୍ୟକ୍ତି ଜଣକ ଅନ୍ୟ ଜଣେ ଲୋକକୁ ବିଲ୍‌କୁଲ୍‌ ଜାଗା ନ ଛାଡ଼ି ପୂରା ସିଟକୁ ଆକ୍ରାନ୍ତ କରି ଏଭଳି ବସିପଡ଼ିଥିଲେ ଯେ, ତାହା ଦେଖିବାକୁ ବଡ଼ ଆମୋଦଦାୟକ ମନେହେଉଥିଲା ।

 

କିନ୍ତୁ ନାଲି ରଙ୍ଗର ଅତ୍ୟନ୍ତ ଫିକା ଆଲୁଅରେ ବେଶୀ ବେଳ ଦେଖିବା ସମ୍ଭବ ନ ହେବାରୁ ମୁଁ କେବଳ ବସି ରହିଥାଏ ଏବଂ ଏଭଳି ଦୀର୍ଘ ଦଶଘଣ୍ଟା ବସିବା ପରେ ବସ୍‌ଟା ଆସି ରେଳଷ୍ଟେସନ ପାଖରେ ଅଟକିବାରୁ କିଛିଟା ଆଶ୍ୱସ୍ତ ହେଲି । ସେଠି ବେଶୀ ବେଳ ଟାକିବାକୁ ପଡ଼ିଲା ନାହିଁ । ଠିକ୍‌ ଛ’ଟା ବେଳକୁ ମୁଁ ଟ୍ରେନ୍‌ ଧଇଲି ।

 

କିନ୍ତୁ ମୁଁ ଯେଉଁ ଡବାରେ ଚଢ଼ିଲି ସେଠି ଅନେକ ଧୂମପାୟୀ ଥିଲେ ଓ ସେମାନେ ସକାଳ ଛ’ଟାରୁ ଆରମ୍ଭ କରି ବର୍ତ୍ତମାନ ଦିନ ଗୋଟାଏ ପର୍ଯ୍ୟନ୍ତ କେବଳ ଧୂଆଁ ଖାଇ ଲାଗିଛନ୍ତି । ସେମାନେ ଯେଉଁ ଭାଷାରେ କୋଳାହଳ କରୁଛନ୍ତି ମୁଁ ତାହା ଆଦୌ ବୁଝିପାରୁ ନାହିଁ । ବେଳେ ବେଳେ ସେମାନେ ଏଭଳି ଭାବରେ ମୋ ଆଡ଼କୁ ଚାହିଁ ଏଭଳି ଭାବରେ ହସୁଛନ୍ତି ଯେ, ମୋର ମନେହେଉଛି–ମୋତେ ନେଇ ସେମାନେ ଏକ ଅଶ୍ଳୀଳ ପରିହାସ କରୁଛନ୍ତି । ମାତ୍ର ମୁଁ ଏଥିରେ କୌଣସି ଆପତ୍ତି କରିପାରୁ ନାହିଁ, ସେମାନଙ୍କୁ କିଛି କହିପାରୁ ନାହିଁ ।

 

ମୋର ଠିକ୍ ପଞ୍ଜରା ତଳେ ଛାତି ଭିତରେ ଜିଭଟି ହଲୁଛି ।

 

ଧୈର୍ଯ୍ୟ ଧରରେ କ୍ରୀତଦାସ !

 

ମୋତେ ଆସନ୍ତାକାଲି [କି ବାର କି ?] ଦିନ ଦଶଟା ତିରିଶ ମିନିଟ ସୁଦ୍ଧା ପଜିଟିଭ୍‌ଲି କାର୍ଯ୍ୟରେ ଯୋଗଦେବାକୁ ହେବ । ଏହା ମୋର କର୍ତ୍ତାଙ୍କର ଲିଖିତ ଆଦେଶ । ଆଜି ସନ୍ଧ୍ୟା ପାଞ୍ଚଟାବେଳେ, ଅର୍ଥାତ୍‌ ଆଉ ସାଢ଼େ ତିନିଘଣ୍ଟା ପରେ ମୁଁ ରେଳଗାଡ଼ି ଛାଡ଼ି ପୁଣି ବସରେ ଚଢ଼ିବି । ଶୁଣିଛି, ଠିକଣା ସ୍ତାନରେ ପହଞ୍ଚୁ ପହଞ୍ଚୁ ରାତି ନ’ଟା ବାଜିଯିବ ।

 

ଏ ଦୀର୍ଘ ଯାତ୍ରା ପରେ ମୁଁ ଭଲଭାବରେ ଟିକେ ଶୋଇପାରିବି ତ ? କେଜାଣି !

 

ଢିପ ଅଞ୍ଚଳର ଲୋକ ଖାଲ ଭିତରେ ପଡ଼ିଗଲେ ଯେମିତି ଲାଗେ ମୋତେ ଠିକ୍‌ ସେମିତି ଲାଗୁଛି । ଏବଂ ଏ ଟ୍ରେନ୍‍ଟା ଏତେ ମନ୍ଥର ଯେ, ଛି, ମଣିଷ ଜିଇଁବ କିପରି ? ତା’ଛଡ଼ା ଏକା ସାଙ୍ଗରେ ଏତେଗୁଡ଼ିଏ ମଫସଲିଆ ଲୋକ ମୁଁ କେବେ ଦେଖିନଥିଲି ବା ଦେଖିବି ବୋଲି କଳ୍ପନା ମଧ୍ୟ କରିନଥିଲି । ସେମାନେ ଏ ଟ୍ରେନରେ କେତେବାଟ ଯିବେ କେଜାଣି !

 

ମୁଁ ଝରକା ବାହାରେ ପାଣି ଚବ ଚବ ଧାନକ୍ଷେତ ଦେଖୁଥାଏ ଓ ଝରକା ବାଟ ଦେଇ ଯେତିକି ଆକାଶ ଦେଖାଯାଉଥାଏ, ତା’ରି ଭିତରେ ହିଁ କୌଣସି ଏକ ପକ୍ଷୀକୁ ଖୋଜି ବୁଲୁଥାଏ । ମାତ୍ର ପ୍ରଚୁର ଖରାକୁ ବୋଧହୁଏ ପକ୍ଷୀମାନେ ବି ଡରନ୍ତି ।

 

ମୋର କେଶ ଭିତରେ ଏତେ ବହଳର କୋଇଲା ଗୁଣ୍ଡ ପଶି ସାରିଲାଣି ଯେ, ମୁଁ ଭଲଭାବରେ ଥରେ ପ୍ରଚୁର ସାବୁନ ଲଗାଇ ଗାଧୋଇବା ପୂର୍ବରୁ ମୁଣ୍ଡରେ ପାନିଆ ମାରିବାର ଆଦୌ ସମ୍ଭାବନା ନାହିଁ । କିନ୍ତୁ ଦୀର୍ଘକାଳ କୁଣ୍ଡେଇ ନ ହେବାରୁ ମୁଣ୍ଡଟା ଅଠାଳିଆ ହୋଇ ଏତେ ଅସନା ଲାଗୁଛି ଯେ, ଥାଉ, ସେ କଥା କ’ଣ କହିବି ?

 

ହ୍ରଦ କୂଳେ କୂଳେ ଟ୍ରେନ୍‌ ଚାଲିଗଲାବେଳେ ମୁଁ ବିଫଳ ପାଣିକୁଆମାନଙ୍କୁ ଲକ୍ଷ୍ୟ କରୁଥାଏ । ଯେଉଁ ଡଙ୍ଗାଟି ପାଣି ଉପରେ ଏକ ବକ୍ରରେଖା ଟାଣି ଟଳମଳ ହୋଇ ଚାଲିଯାଉଛି, ତହିଁରେ ବସିଥିବା ନାଉରିଟି ଟ୍ରେନ୍‌ଆଡ଼କୁ ଆଦୌ ଚାହୁଁ ନାଇଁ । ନିଜର ମାଂସପେଶୀ ଉପରେ ତା’ର ଗଭୀର ବିଶ୍ୱାସ । ଏଣୁ ସେ କେବଳ ଆହୁଲା ମାରି ଲାଗିଛି । କିନ୍ତୁ ସେସବୁ ଦେଖିବାକୁ ହେଲେ ହଳେ ସନ୍‌ଗ୍ଲାସ୍‌ ଦରକାର ।

 

ଟ୍ରେନ୍‌ର ଚେନ୍‌ଟା ଟାଣିଦେବି କି ?

 

ଅନେକ ପଛରେ ଛାଡ଼ିଆସିଥିବା ସହରଟି ମୋର ସ୍ମୃତିର ସହର । ଆହା ! ମୋ ବିହୁନେ ସହରଟା ମଳିନ ଦେଖାଯାଉଥିବ କି ? କିମ୍ବା ମୋ ବୋଉ ‘ଖଣ୍ଡକ୍ଷୀର ଦେବି ମୁଁ କାହାକୁ ?’ ବୋଲୁଥିବ କି ?

 

ହୁଏତ ସରିତା ମୋ ପାଖକୁ ଚିଠି ଲେଖିବା ଆରମ୍ଭ କରିଦେଇଥିବ । ଅକ୍ଷର ସୁନ୍ଦର ହେଲେ ହେଁ ତା’ର ବନାନ ସବୁ ଭୁଲ । ମୁଁ ତା’ ଉପରେ ବାରମ୍ବାର ବିରକ୍ତ ହୁଏ ଏବଂ ତା’ର ବେଣୀଟିକୁ ଟାଣିଆଣିଲା ବେଳେ ମୋର ମନେହୁଏ ଯେ, ମୁଁ ଏକ ଟାଙ୍ଗରା ଜମିରେ ଟଗ୍‌ ଅଫ୍ ଓ୍ୱାର ଖେଳୁଛି ।

 

ମୁଁ ଯେଉଁଦିନ ନିଯୁକ୍ତିପତ୍ର ପାଇଲି, ସେଦିନ ସରିତା ମୋତେ ବେଶୀ ଚିନି ମିଶା ଚା’ (ନା କଫି ?) ଖୁଆଇ କହିଥିଲା–‘‘ଆଉ ତୁମର ଲ’ପାଠ କ’ଣ ହେବ ?’’

 

ମୁଁ କହିଥିଲି–‘‘ସେଇଟା ଆଉ ପଢ଼ିବି ନାଇଁ ।’’

 

ସେ କହିଥିଲା–‘‘ଜାଇଁଲ ? ତୁମକୁ କଳା କୋଟ୍‌ ପିନ୍ଧି ବରଗଛ ମୂଳେ ଠିଆହୋଇ ମଫସଲିଆଙ୍କ ସାଙ୍ଗରେ ଯୁକ୍ତିତର୍କ କରିବାଟା ଆଦୌ ସୁନ୍ଦର ଦେଖାଯାଇନଥାନ୍ତା ।

 

ମୁଁ ମୁଣ୍ଡ ଟୁଙ୍ଗାରି ଗାଇଥିଲି–

 

‘‘ସେମାନେ ତିନି ଭଉଣୀ

ସାନଟାହିଁ ସବୁଠୁ ସୁନ୍ଦର

ଟଳମଳ ଡଙ୍ଗାରେ ସେ

ବସିବାକୁ ମନ କରେ ନାହିଁ

ହେ, ପ୍ରଭୁ । ତାକୁ ଚାହେଁ

ଦସ୍ୟୁ ମୁହିଁ ତାର ହୃଦୟର ।’’

 

ସରିତା ହସିଲେ ତା’ର ହଳଦିଆ ଦାନ୍ତ ଦୁଇଧାଡ଼ି ଦେଖି ମୁଁ ବିରକ୍ତ ହୁଏ । ଏଣୁ ସେ କଥା କହିଲା ବେଳେ ଦାନ୍ତ ମୋଟେ ନ ଦେଖାଇବାକୁ ଚେଷ୍ଟାକରେ । ମୋର ଗୀତ ଶୁଣି କହିଥିଲା–‘ବାଃରେ, ଭାରି ତ ଓକିଲମାନଙ୍କର ଡଙ୍ଗାକୁ ଟଳମଳ ବୋଲି କହୁଛ ?’

 

ନୁହେଁ ତ ଆଉ କ’ଣ ?

 

କୌଣସି ଏକ ପୋଲ ଉପରେ ଟ୍ରେନ୍‍ ଚାଲୁଛି । ସେମାନେ ଧୂଆଁଖିଆ ମୋଟେ ବନ୍ଦ କରି ନାହନ୍ତି । ଜଣେ ଛୋଟ ଛୁଆ ମୋର ବିନା ଅନୁମତିରେ ମୋର ବୁଟ୍‌ ହଳକ ନେଇ ପାଲିସ୍‌ ଆରମ୍ଭ କରିଦେଇଛି ଏବଂ ମୋ ସାମ୍ନାରେ ବସିଥିବା ଭଦ୍ରବ୍ୟକ୍ତିଙ୍କ ମୁହଁ ଉପରେ ପ୍ରଚୁର ଖରା ପଡ଼ୁଥିଲେ ହେଁ ସେ ଶୋଇଯାଇଛନ୍ତି କିମ୍ବା ଶୋଇଯାଇଥିବାର ଛଳନା କରୁଛନ୍ତି ।

 

ସୂର୍ଯ୍ୟ ଯେଉଁ ଦିଗରେ ଅସ୍ତଯାଆନ୍ତି, ମୁଁ ଏଇ ଟ୍ରେନ୍‌ ଓ ଏମାନେ ସମସ୍ତେ ସେଇ ଦିଗକୁ ମାଡ଼ି ଚାଲିଛନ୍ତି ।

 

ଆଉ ଟିକିଏ ଧୈର୍ଯ୍ୟଧରରେ କ୍ରୀତଦାସ ।

 

ଏ ସ୍ୱର ବଡ଼ କରୁଣ ଏବଂ ମୋତେ ଠିକ୍ ଏଥର ଶୁଭିଲା । କେତେଟା ବାଜିଲା କି ? ମୋର ପିତୃଦତ୍ତ ଘଡ଼ିର ଚକତିରେ ୪ଟା ୩୫ ଏବଂ ମୋର ବିଶ୍ୱାସ ଘଡ଼ିଟି ଠିକ୍‌ ଚାଲିଛି । ସେକେଣ୍ଡ କଣ୍ଟାଟା ଠିକ୍‌ ବୁଲୁଛି ତ ? ହଁ ଠିକ୍‌ ବୁଲୁଛି ।

 

ମୁଁ ଏହାପରେ ଭିତର ବା ବାହାରର କୌଣସି ଦୃଶ୍ୟ ନଦେଖି କେବଳ ମୋ ଘଣ୍ଟା ଚକତିକୁ ଚାହିଁରହିଲି ଯେତେବେଳ ଯାଏଁ, ଧକେଇ ଧକେଇ, ଟ୍ରେନ୍‌ଟା ଷ୍ଟେସନ ପ୍ଲାଟଫର୍ମ ଉପରେ ଠିଆହୋଇପଡ଼ିଲା ।

 

୫ଟା ୩–ଟ୍ରେନ୍‌ ପ୍ରାୟ ଠିକ୍‌ ସମୟରେ ପହଞ୍ଚିଲା ।

 

ପ୍ଲାଟଫର୍ମ ଉପରେ ଲାଲକୁର୍ତ୍ତା ପିନ୍ଧି ଠିଆ ହୋଇଥିବା ଲୋକଟିକୁ ମୁଁ ମୋର ବାକ୍‌ସ ଦୁଇଟା ଦେଖାଇ ଦେଲି । ପ୍ରଥମ ବାକ୍‌ସଟି ମୁଣ୍ଡ ଉପରେ ଟେକି ଧରୁ ଧରୁ ଲୋକଟି କହି ପକାଇଲା–‘‘ଭିତରେ ପଥର ଅଛି କି ବାବୁ ?’’

 

ମୁଁ ଲଜ୍ଜିତ ହେଲି । ନା, ରେ, ତୁଚ୍ଛା ବହି ।

 

ମୁଁ ସେଇ ଲୋକଟାର ପଛେ ପଛେ ଷ୍ଟେସନ ବାହାରକୁ ଆସିଲି ଓ ଅଳ୍ପ ସମୟ ପରେ ଆମେ ଦୁହେଁ ବସ୍‌ ନିକଟରେ ପହଞ୍ଚିଲୁ ।

 

ଏଠୁ ପୁଣି ୭୫ ମାଇଲ ?

 

ଏଇ ତ ସମୟ ।

 

ସେଠି ଥିଲେ ଏତେବେଳକୁ ସରିତା ସାଙ୍ଗରେ ବୁଲି ବାହାରିଥାନ୍ତି ନହେଲେ ଚା’ ଖାଉଥାନ୍ତି ।

 

ବସରେ ଚଢ଼ିଲାପରେ ହିଁ ମୋର ମନେହେଲା ଯେ, ମୁଁ ସରିତାର ଖଣ୍ଡେ ଫଟୋ ଆଣିବାକୁ ଭୁଲି ଯାଇଛି । ମୁଁ ତା’ର ଚେହେରାଟିକୁ ବାରମ୍ବାର ମନେପକାଇବାକୁ ଚେଷ୍ଟା କଲି, ମାତ୍ର ତାହା ଆଦୌ ମନେପଡ଼ିଲା ନାହିଁ ।

 

କୁଲିକୁ ବାରଣା ସ୍ଥାନରେ ଟଙ୍କାଟିଏ ଦେଇଦେବାରୁ, ତା’ର କୃତଜ୍ଞତାପୂର୍ଣ୍ଣ ହସ ଲାଭ କଲି । ମୁଁ ସାଙ୍ଗରେ ଆଣିଥିବା କାଜୁବାଦାମ ଚୋବାଇବାକୁ ଆରମ୍ଭ କରିଥାଏ, ବସ୍‌ଟି ଚାଲିବାକୁ ଆରମ୍ଭ କଲା ।

 

ସାମ୍ନାର କାଚରେ ବସ୍ ଭିତରର ଦୃଶ୍ୟ ଅସ୍ପଷ୍ଟ ଭାବରେ ପ୍ରତିଫଳିତ । ବାହାରେ ଅନ୍ଧାର ଯୋଗୁଁ କୌଣସି ଦୃଶ୍ୟ ବା ବ୍ୟକ୍ତି ସ୍ପଷ୍ଟ ଭାବରେ ଦେଖାଯାଉ ନାହାନ୍ତି । ଏ ଉଭୟ ଦୃଶ୍ୟ ମିଶିଗଲା ବେଳେ ମନେହେଉଛି ଯେ ଅନ୍ଧାରର ଲେଣ୍ଡସ୍କେପ୍ ଦେହରେ ଶହ ଶହ ଚେହେରା ଫୁଟି ଉଠୁଛନ୍ତି–ତାରା ଭଳି, ଫୁଲ ଭଳି ।

 

ନିଦର ଓଜନରେ ମୋର ଆଖିପତା ନଇଁ ପଡ଼ୁଛି । ଭିତରୁ ଶୁଭୁଛି–ଆଉ ଟିକିଏ ଧୈର୍ଯ୍ୟ ଧରରେ କ୍ରୀତଦାସ ।

 

କଣ୍ଡକ୍ଟରକୁ ପଚାରିବି ନାଇଁ ପଚାରିବି ନାଇଁ ବୋଲି ପଚାରିଦେଲି–ଆମେ ନ’ଟା ବେଳକୁ ପହଞ୍ଚିଯିବା ତ !

 

ଅତି ନିର୍ଲିପ୍ତ ଭାବରେ ସେ ହସିଲା ଓ କହିଲା–ନିଶ୍ଚୟ ଆଜ୍ଞା ।

 

(ଆସନ୍ତା କାଲି–ପୂଜାସଂଖ୍ୟା, ୧୯୬୯)

Image

 

Unknown

ଭିତର ବାହାର

 

ସବା ଉପରମହଲାରେ ଏକମାତ୍ର କୋଠରୀ । ସେଠୁ ଅନେକ ଅଦେଖା ଜିନିଷ ଦେଖିହୁଏ, ଅନେକ ଅଶୁଣା ସ୍ୱର ଶୁଭେ । ସାଇଁ ସାଇଁ ପବନ ବହେ । ଝରକା ବାଟଦେଇ ତରଳ ଅନ୍ଧାର ପଶି ଆସେ ।

ସେମାନେ ମଧ୍ୟ ଆସନ୍ତି । କୋଠରୀର ଚାରିକାନ୍ଥରେ ମେଟାଲିକ୍‌ ଗ୍ରୀନ୍‌ରଙ୍ଗ, ଝରକା ଓ ଦରଜାରେ ହେଣ୍ଡଲୁମ୍‌ ପର୍ଦ୍ଦା, ଚଟାଣ ଉପରେ ଭେଲଭେଟ ଗାଲିଚା ସେମାନଙ୍କୁ ଭଲଲାଗେ, ମୃଦୁ ପବନ ସେମାନଙ୍କୁ ସୁଖ ଦିଏ ।

ତେଣୁ ସିନା ସେମାନେ ଥରେ କୌଣସି ପ୍ରକାରେ ଏ କୋଠରୀ ଭିତରକୁ ପଶିଆସିଲେ, ଆଉ ଥରେ ଫେରିବାର ନାଁ ସୁଦ୍ଧା ଧରନ୍ତି ନାଇଁ ।

ସେମାନେ ଆସନ୍ତି–ଅନେକ ନଦୀ ନାଳ, ପାହାଡ଼ ପର୍ବତ ଟପି–ଅନେକ ଗାଁରୁ ଅନେକ ସହରରୁ । ଛୋଟିଆ କୋଠରୀରେ ଭୀଡ଼ ଜମେ–ସବୁ କିଛି ଅସ୍ତବ୍ୟସ୍ତ ହୋଇଯାଏ–ଶୃଙ୍ଖଳା ନଷ୍ଟ ହୁଏ, ଝରକା ପର୍ଦ୍ଦାରେ ମଇଳା ଲାଗେ, କାଚ ଭାଙ୍ଗିଯାଏ, ସୋଫା ଓଲଟି ପଡ଼େ, ଗାଲିଚା ଲୋଚାକୋଚା ହୋଇଯାଏ ।

ମାତ୍ର ସେମାନଙ୍କୁ ମନା କରିହୁଏ ନାହିଁ । ସେମାନେ ଆସନ୍ତି କୋଠରୀର ବାୟୁମଣ୍ଡଳକୁ ବିଭିନ୍ନ ଗନ୍ଧରେ ଚହଲାଇ ଦିଅନ୍ତି, ବିଭିନ୍ନ ସ୍ୱରରେ କୋଳାହଳମୟ କରି ପକାନ୍ତି ସେଇ ଛୋଟିଆ କୋଠରୀକୁ ।

ଅନ୍ଧାର ହେଉ ବା ଆଲୁଅ

ଗ୍ରୀଷ୍ମ ହେଉ ବା ବର୍ଷା ।

ସେମାନେ କିଛି ମାନନ୍ତି ନାହିଁ । ଏଭଳିକି କୋଠରୀକୁ ପଶିବା ପୂର୍ବରୁ ପଚାରନ୍ତି ନାହିଁ । କଲିଂବେଲରେ ଟିପ ନମାରି ସେମାନେ ସିଧାସଳଖ କୋଠରୀ ଭିତରକୁ ପଶି ଆସନ୍ତି । ମୋତେ ଦେଖି ତାତ୍ସଲ୍ୟର ହସ ହସି କହନ୍ତି–ତୁ ନା ସେଇ କାପୁରୁଷ, ଯାହାର.....

ବାକ୍ୟ ଶେଷ ନ କରି ସେମାନେ ହସନ୍ତି । ସେଇ ହସର ଅର୍ଥ ବୁଝିବା ମୋ ପକ୍ଷରେ ବଡ଼ କଠିନ । ସେମାନଙ୍କ ତାତ୍ସଲ୍ୟର ହସକୁ ମୁଁ ବରଦାସ୍ତ କରେ । ମୁଁ ସହ୍ୟ କରେ ।

କିଏ ଜଣେ ସକେଇ ସକେଇ କାନ୍ଦେ । ହାତ ପାପୁଲିରେ ମୁହଁ ଘୋଡ଼ାଇ ଅସ୍ପଷ୍ଟ ସ୍ୱରରେ କହେ–ତୁମେ ହିଁ ମୋର ସର୍ବନାଶ କରିଚ..... ତୁମରି କଥାରେ ପଡ଼ି ଆଜି ମୋର ଏ ଦୁର୍ଦ୍ଦଶା..... ଏ ଦୁଃଖ ..... ଏ ଯାତନା ।

–କାହିଁକି କାନ୍ଦୁଚ ? କ’ଣ ହେଲା ତୁମର ? ଏଥିରେ ମୋର କି ଦୋଷ ?

ଅନେକ ଥର ଭାବିଛି, ଏକଥା ପଚାରିବି ବୋଲି । ମାତ୍ର ପାରି ନାହିଁ । ହୁଏତ ପଚାରି ଦେଲେ ସେ ଏଠୁ ଫେରିବାର ନାଁ ସୁଦ୍ଧା ଧରିବ ନାହିଁ । ମୋର ଏଇ ଉପରମହଲାର କୋଠରୀକୁ ଅଧିକାର କରିନେବ । ଏଇ କୋଠରୀରେ ବସି ସେ କାଠ ଚାଉଳର ବରାଦ କରିବ, ଛୁଆଜନ୍ମ କରିବ ଓ ଶେଷରେ ଏଇ କୋଠରୀରୁ ତା’ର କୋକେଇ ମଧ୍ୟ ଉଠିବ ।

ମୁଁ ଏସବୁ ପାରିବି ନାହିଁ । ତିନୋଟି ଇଟାଖଣ୍ଡର ଅସ୍ଥାୟୀ ଚୁଲିକୁ ଯିଏ ନିଜର କରି ନେଇ ପାରିଛି, ସେ ବା କାହିଁକି ଖୋଜିବ ଗ୍ୟାସ ସିଲିଣ୍ଡର, ଷ୍ଟୋଭ ଓ ଇନ୍ଧନ ?

ଗେଟ୍‌ଆଉଟ୍‌, ଆଇ ସେ । ତୁମେ ସବୁ ଚାଲିଯାଅ ଏଠୁ ।

ମୁଁ ମୋର ସବୁ ଜୋର୍‍ ଦେଇ ଚିତ୍କାର କରେ ସେମାନେ କ୍ଷଣକ ପାଇଁ ନୀରବ ଓ ଜଡ଼ ପାଲଟି ଯାଆନ୍ତି ।

ପୁଣି ପର ମୁହୂର୍ତ୍ତରେ ଯେଭଳି ଏକ କୋରସରେ କହିଉଠନ୍ତି–ହଉ, ହେଲା, ଯାଉଛୁ । ମାତ୍ର ମନେରଖ....ଆମେ ତୋତେ ଛାଡ଼ିବୁ ନାଇଁ....ଆମେ ପୁଣି ଆସିବୁ, ପୁଣି ଆସିବୁ, ପୁଉଣି ଆସିବୁ ।

ମୋର ଦୁଇ କାନରେ ହାତ ଆଙ୍ଗୁଠି ଗୁଞ୍ଜିଦେଇ ମୁଁ ପୁଣି ଚିତ୍କାର କରେ–ଗେଟ୍‌ଆଉଟ୍‌ ଆଇ ସେ । ଏଥର ମୋର ନିଜର ଚିତ୍କାର ମୁଁ ନିଜେ ମଧ୍ୟ ଶୁଣିପାରେ ନାହିଁ ।

କେବେ କେବେ ଆକାଶରେ ଚନ୍ଦ୍ର ଉଇଁଲେ ମୁଁ ଝରକା ଫାଙ୍କରୁ ଦେଖେ....କବାଟ ସବୁ ବନ୍ଦ ରଖିବାକୁ ମୁଁ ବାଧ୍ୟ....କାରଣ ସେସବୁ ଖୋଲା ଥିଲେ ସେମାନେ ଅବାଧରେ କୋଠରୀ ଭିତରକୁ ପଶି ଆସି ପାରିବେ ।

କିନ୍ତୁ ଦୁଆର ମେଲା ନଥିଲେ କଲିଂବେଲ୍‌ ବାଜେ । କବାଟ ଦେହରେ ଜୋର୍‍ ଧକ୍‌କା ହୁଏ । ସେସବୁ ବନ୍ଦ ହୁଏ ନାହିଁ ।

ଭିତରେ ମୁଁ ଅଣନିଶ୍ୱାସୀ ହୋଇପଡ଼େ.... ରୁଦ୍ଧଶ୍ୱାସ ହୋଇପଡ଼େ ।

ଓଃ ମୋତେ ଜିଇଁବାକୁ ଦିଅ... ମୁଁ ବଞ୍ଚିବି.... ମୁଁ ବଞ୍ଚିବି । ଜୀବିତୁଚ୍ଛାମି ।

ବାହାରୁ ସେମାନେ ପଚାରନ୍ତି–ଆମ ବ୍ୟତୀତ ତୁ ବଞ୍ଚି ପାରିବୁ ?

ହଁ, ହଁ, ନିଶ୍ଚୟ ପାରିବି ।

ଏତେ ଦୃଢ଼ଭାବେ ଏସବୁ ଉଚ୍ଚାରଣ କରି ମଧ୍ୟ ମୁଁ ଆଶ୍ୱସ୍ତ ହୋଇପାରେନା । ମୋର ସନ୍ଦେହ ହୁଏ । ମୁଁ ସତରେ କ’ଣ ଏମାନଙ୍କ ବ୍ୟତୀତ ବଞ୍ଚି ପାରିବି ?

ଉପରେ କୋଠରୀରୁ ଅନେକ ନଦୀର ଧୂଆଁଳିଆ ଘାଟ ଦିଶୁଚି–ମୁଁ ସ୍ନାନ କରିଥିଲି । ପୁଣି ଅନେକ ପାଠଗାରର ଥାକ ଥାକ ବହି, ଗୋଡ଼ ଭଙ୍ଗା ଚଉକି ଓ ସ୍ୟାହିଭିଜା ଟେବ୍ଲ ଦିଶୁଚି–ମୁଁ ପାଠ ପଢ଼ିଥିଲି ଆହୁରି ଦିଶୁଚି ଅନ୍ୟାନ୍ୟ ଅନେକ କୋଠରୀ, ତମ୍ବୁ ଭଳି କୋଠରୀ ସବୁ–ମୁଁ ପ୍ରେମ କରିଥିଲି ।

ସମାନେ ସବୁ ମା’ ହୋଇ ସାରିଲେଣି । ମୋର ଭ୍ରୂଣ ସବୁ ଅନେକ ଦିନରୁ ଦଗ୍‌ଧ ହୋଇ ସାରିଲେଣି ।

ତଥାପି ସେମାନେ ଆସୁଛନ୍ତି । ସରିତା, ନିହାର, ବନାନୀ, ଉଷା ଓ ଅନ୍ୟମାନେ ମୋତେ ଜେରା କରିବାକୁ, ମୋର କୋଠରୀର ଦ୍ୱାରରେ ଧକ୍‌କା ଦେଇ ଚୁରମାର କରିଦେବାକୁ ।

ମୁଁ କହି ଲାଗିଛି–ଗେଟ୍‌ଆଉଟ୍‌ । ଅଥଚ ସେମାନଙ୍କ ମୁହଁରେ ଲଜ୍ଜା ନାହିଁ । ମୋର ରକ୍ତର ନଦୀରେ ସନ୍ତରଣ ନ କରିବା ପର୍ଯ୍ୟନ୍ତ ସେମାନେ କବାଟ ବାଡ଼ଉଥିବେ । ମୁଁ ମୋ ନିଜ ହାଡ଼ର ଆହୁଲା ସେମାନଙ୍କୁ ଧରାଇଦେଇ ପାରିବି ନାହିଁ । ମୁଁ ନିଜକୁ ଆଉ କେତେ ଦିନ ଯାଏଁ ବାଣ୍ଟି ଚାଲିବି ?

ମୋର କୋଠରୀ ଭିତରେ ମୁଁ ରୁଦ୍ଧଶ୍ୱାସ ହୋଇେ ମରିଯିବି ପଛକେ ଦୁଆର ଓ ଝରକା ଖୋଲିବି ନାହିଁ । ନା, ଖୋଲିବି ନାହିଁ ।

କିନ୍ତୁ ସେମାନେ ଏତେ ଜୋରରେ ଚିତ୍କାର କରୁଛନ୍ତି ଯେ, ମୁଁ ବରଦାସ୍ତ କରିପାରିବି ନାହିଁ । ମୋର ବିଚ୍ଛିନ୍ନ ବିଭକ୍ତ ବ୍ୟକ୍ତିତ୍ୱରେ ଆଉ ଶକ୍ତି ନାହିଁ । ମୁଁ ଆଉ ଲଢ଼ି ପାରିବି ନାହିଁ ।

ମୁଁ ଯଦି ଏଇ ଝରକା ବାଟଦେଇ ଅନ୍ଧକାରର ସମତଳ ପଡ଼ିଆ ଉପରକୁ ଲମ୍ଫପ୍ରଦାନ କରିପାରନ୍ତି ? ମୋ ଭିତରର ଅନ୍ଧାର ଓ ବାହାରର ଅନ୍ଧାର ମଧ୍ୟରେ ଯଦି କିଛି ବୁଝାମଣା ସମ୍ଭବ ହୋଇପାରନ୍ତା ?

ନାଃ... ମୁଁ ଭଲଭାବରେ ଜାଣେ ଯେ, ଏଇ କୋଠରୀ ବାହାରର ଲୋକେ ମୋର ଅନ୍ଧକାରକୁହିଁ ଆଲୋକ ବୋଲି ମାନିନେଇଛନ୍ତି ।

 

(ପଞ୍ଚମୁଖୀ–ପୂଜାସଂଖ୍ୟା, ୧୯୬୯)

Image

 

ପୋଖରୀ

 

ପୋଖରୀର ଉତ୍ତର-ହୁଡ଼ାରେ ସିମେଣ୍ଟତିଆରି ଘାଟ । ଠାଏ ଠାଏ ଖଣ୍ଡିଆ-ଖାବରା ହୋଇଯାଇଥିଲେ ହେଁ ବସାଉଠା କରିବାକୁ ସୁବିଧା । ଏଇ ଚଟାଣରୁ ପାହାଚସବୁ ଗୋଟିଏ ପାଖରେ ପୋଖରୀର ଶାଗୁଆ ପାଣିକୁ ଓ ଅନ୍ୟ ପାଖରେ କଳା ମିଚ୍‌ ମିଚ୍‌ ପିଚୁସଡ଼କକୁ ଉତୁରି ଯାଇଛି । ଏଇ ରାସ୍ତା ଉପରେ ଠିଆହୋଇ ସେଦିନ ମାଛି–ଅନ୍ଧାର ବେଳେ ମଙ୍ଗଳୁ କହିଥିଲା.... ବାଃ କି ସୁନ୍ଦର ଜେଗା ଖଣ୍ଡେ !

 

ସତୁ ସମ୍ମତି ଜଣାଇଥିଲା,... ହଁ ଏଇଠି ଶୋଇପଡ଼ିବା ।

 

ସେଇ ପୋଖରୀଘାଟରେ ଥକ୍‌କାମାରି ବସିପଡ଼ି ସେ ଦୁହେଁ ଦେଖିଲେ, ଅଳ୍ପ ଦୂରରେ ଧାଡ଼ି ଧାଡ଼ି ହୋଇ ଆଲୁଅ ଜଳୁଛି । ଏଇ ତ ସହର ! ରାତି ଦିନ ସବୁ ସମାନ ।

 

ଦକ୍ଷିଣ-ହୁଡ଼ାର ଆର ପାଖରେ ଏକ ବିରାଟ ଧାନକଳ । ଧାନସିଝା ଚାଲିଛି, ସଁ ସଁ ଚର୍ଜ୍ଜୁଛି–ସବୁବେଳେ । ଏଇଠି ପହଞ୍ଚିବାର ପରଦିନ ସକାଳୁ ସେ ଦୁହେଁ ଯାଇଥିଲେ ଧାନକଳକୁ, କାଳେ କିଛି କାମ ମିଳିଯିବ ।

 

ସେଇ ଧାନକଳର ବିରାଟକାୟ ଲୁହା-ଦରଜାକୁ ଦେଖି ସେ ଦୁହେଁ ପ୍ରଥମେ ପଛଘୁଞ୍ଚା ଦେଇଥିଲେ; କିନ୍ତୁ ପରେ ସେଇ ଦରଜା ସାମନାରେ ବସିଥିବା ନିଶୁଆ ତ୍ରିପଣ୍ଡ କଳା ଲୋକଟିକୁ ନିଦରେ ବା ମଦରେ ଢୁଳାଉଥିବାର ଦେଖି ସେମାନଙ୍କ ମନରେ ସାହସ ଠୁଳ ହେଲା । ଧୀରେ ଧୀରେ ସେ ଦୁହେଁ ଫାଟକ ପାରିହୋଇ ଭିତରକୁ ପଶିଲେ ।

 

ଭିତରେ ବିରାଟ ସିମେଣ୍ଟ ପଡ଼ିଆରେ ଧାନ ଶୁଖିଥାଏ । ଗୋଟିଏ କଣରେ ହଜାର ହଜାର ବସ୍ତା ଧାନ ଗୋଟିକ ଉପରେ ଗୋଟିଏ ଲଦାହୋଇ ଥୁଆ ହୋଇଛି । ଡେଙ୍ଗା ଡେଙ୍ଗା ଚିମ୍‌ନିରୁ ସଁ ସଁ ହୋଇ ଧୂଆଁ ବାହାରୁଥାଏ । ମଙ୍ଗଳୁ କହିଲା–

 

ବାପରେ କେତେ ଧାନ ।

 

କ’ଣ ହେଲା ସେଇଠୁ ?

 

ମୋର କଲିଜା ଜଳିଯାଉଛି ।

 

ଚୋପ୍‌ ବେ ।

 

ସେ ଦୁହେଁ ଗୋଟିଏ ବଡ଼ ଟେବୁଲ୍‌ ଆଡ଼କୁ ଆଗେଇଲେ । ସେଠି ବସି ମେନେଜର ବୁଢ଼ା ନାଲିଖାତାରେ ହିସାବ ଲେଖୁଥାଏ ।

 

ଏ ଦୁହେଁ ନିଜ କଥା ବଖାଣିଲେ ।

 

ରାଜସ୍ତାନୀ ମେନେଜର ବୁଢ଼ା ମୁଣ୍ଡ ହଲାଇ କହିଲା....ଧାନ୍‍କା ଖେତ୍‌ ଔର ଧାନ୍‌କା ମିଲ୍‍ । ଏକ୍‌ ବାତ୍‌ ନହିଁ ହୈ । ତୁମ୍‌ ଲୋଗ୍‌ ଖେତ୍‌ ମେଁ କାମ୍‌ କରନେ ଓ୍ୱାଲା ଆଦ୍‌ମୀ । ୟାହାଁ କ୍ୟା କରୋଗେ ?

 

ସତୁ ଓ ମଙ୍ଗଳୁ କେବଳ ବଲ୍‌ ବଲ୍‌ କରି ଅନେଇ ରହିଲେ । ବୁଢ଼ା ପଚାରିଲା.....କ୍ୟା ସମଝେ ?

 

ପ୍ରକୃତରେ ସେମାନେ କିଛି ବୁଝିପାରିଲେ ନାହିଁ । ଶରୀରର କଳ କବ୍‌ଜାରେ ମୂର୍ଚ୍ଛାଲାଗିଯିବ, ସେମାନେ ଯଦି କାମ ନ କରିବେ ଚର୍ବି ବଢ଼ିଯିବ । ପେଟ ବାହାରି ପଡ଼ିବ । କିନ୍ତୁ କାମ କାହିଁ ? ଗାଁରେ କାମ ନାହିଁ କି ସହରରେ ମଧ୍ୟ କାମ ନାହିଁ ।

 

ସେମାନଙ୍କ ଗାଁରେ କେନାଲ ମାଡ଼ି ନାହିଁ । ତେଣୁ କେବଳ ବର୍ଷା ଚାରିମାସ ବିହୁଡ଼ା, ରୁଆ ଘାସ-ବଛାବଛିରେ କଟେ । ଶୀତ ଚାରିମାସ ଧାନ-ଅମଳ ଓ ମଡ଼ାମଡ଼ିରେ ସରିଯାଏ ।

 

ଏ ସନ ଗ୍ରୀଷ୍ମରେ ମଙ୍ଗଳୁକୁ ପାଖରେ ବସାଇ ସତୁ କହି ଚାଲିଲା,.... ସହରରେ କ’ଣ ନାଇଁରେ ? କିଛି ନ ହେଲେ ମାଟି ଖୋଳିବା, କୋଠା ତୋଳିବା, ରାସ୍ତା ଗଢ଼ିବା, ରିକ୍‌ସା ଟାଣିବା, ଅର୍ଦ୍ଦଳୀ ଦପ୍ତରୀ ହେବା । ସେତକ ନ ହେଲେ ଅଇଁଠା ଧୋଇବା ।

 

ମଙ୍ଗଳୁ ସନ୍ଦେହ କରିଥିଲା ।

 

କିନ୍ତୁ କାମ ମିଳିଲେ ତ ?

 

ହଜାର ହଜାର ଲକ୍ଷ ଲକ୍ଷ ଲୋକ କାମ ପାଉଛନ୍ତି । ଆମେ ପାଇବା ନାହିଁ ?

 

କିଏ ଜାଣେ ।

 

ସହରର ଏକ ଅସ୍ପଷ୍ଟ ଚିତ୍ରକୁ ମନ ସନ୍ଧିରେ ସାଇତି ରଖି ସେ ଦୁହେଁ ଶେଷକୁ କାଖରେ ଗଣ୍ଠିଲି ଜାକି ବାହାରି ପଡ଼ିଥିଲେ । ମଙ୍ଗଳୁ ତା’ର ଦେଢ଼ ବର୍ଷର ପୁଅକୁ କାଖକରି ଖୁବ୍‌ କାନ୍ଦିଥିଲା ଓ କହିଥିଲା, ଏଇ ଗଲି ଆଉ ଆସିଲିରେ ପୁଅ । ମାସ ଚାରିଟାର କଥା ତ !

 

ଏଇ ପୁଅକୁ ଧରି ସେ ଦିନେ ଗାଉଥିଲା :–

 

ସଭେଁ ପିନ୍ଧିଥିବେ ଛିଣ୍ଡା କୋତରା

ମୋ ପୁଅ ପିନ୍ଧିଥିବ ପାଟ,

ସଭେଁ ଯାଉଥିବେ ବଣରେ ବିଲରେ

ମୋ ପୁଅ ଦେଖାଇବ ବାଟ ।

 

ମଙ୍ଗଳୁର ସ୍ତ୍ରୀ ସମ୍ବାରୀ ଆଖିରୁ ଲୁହ ପୋଛି ପୋଛି ଗାଁ ମୁଣ୍ଡରୁ ଫେରି ଯାଇଥିଲା ଓ ଦୁଇହାତର ମୋଟା ମୋଟା ପାଣିକାଚ ସବୁକୁ ଚୁମା ଦେଇଥିଲା । ମଥାରେ ଗ୍ରାମଦେବତୀର ସିନ୍ଦୂର ମାରି ବହଳ ଧୂଳିଧୂସର ବାଟରେ ଚାଲୁ ଚାଲୁ ସତୁ କହିଥିଲା....ମୁଁ ଆଉ ଫେରିବି ନାଇଁରେ ।

 

ମଙ୍ଗଳୁ ପଛକୁ ଲେଉଟି ଚାହିଁଥିଲା । ଆମ୍ବ ବୁରେଇ ଭିତରେ ପୁଞ୍ଜେ ଘର–ତା’ର ଗାଁ । ଆଗରେ ଦୀର୍ଘ ପଥ । ସତୁର ନିଷ୍ପତ୍ତି ଶୁଣି ପଚାରିଥିଲା, କାହିଁକି ?

 

ମୋର କିଏ ଅଛି ଯେ ଫେରିବି ?

 

ଏଇ ଗାଁ ।

 

ରଖ୍ ତୋର ଗାଁ । ଯାହାର ମା’ ନାଇଁ, ତା’ର ଗାଁ ଗୋଟେ କ’ଣରେ ?

 

ମଙ୍ଗଳୁ ବାକ୍ୟହୀନ ।

 

କେତେ ବଡ଼ ସତକଥା ଅଥଚ କେତେ ସହଜରେ ସତୁ କହି ପକାଇଲା ! ସତୁର ସତଗୁଡ଼ିକ ସବୁବେଳେ ଏମ୍‌ତି !

 

ଏଇ କଥା ପଦକ ଶୁଣି ସାରିଲା ପରେ ମଙ୍ଗଳୁ ଆଉ ପଛକୁ ଲେଉଟି ଚାହିଁଲା ନାହିଁ । ମନେହେଲା, ଲୁହାକୁ ଚୁମ୍ବକ ଟାଣିନେଲା ପରି ଏଇ ଗାଁଟା ବି ତାକୁ ଟାଣି ନେବ ଓ ଭୋକ ଉପାସରେ ଦହଗଞ୍ଜ କରି ମାରିବ ।

 

କିନ୍ତୁ ଆଗକୁ ମାଡ଼ି ଚାଲିବାରେ ବି ଏକ ସୀମା ଅଛି । ଦୀର୍ଘ ତିଦିଦିନ ଧରି ସକାଳୁ ସଞ୍ଜଯାଏ ଚାଲିଲା ପରେ ବି ସେମାନେ ସହର ତ ଦୂରର କଥା, ପକ୍‌କା ସଡ଼କ ବି ଦେଖିବାକୁ ପାଇଲେ ନାହିଁ । ସେମାନେ ଜମାରୁ ଜାଣିନଥିଲେ ଯେ, ସହରକୁ ଯିବାକୁ ହେଲେ ପାଦରେ ଏତେ ଧୂଳି, ଏତେ ଗୋବର, ଏତେ କାଦୁଅ ଓ ଏତେ କଣ୍ଟା ଲାଗେ–ଏତେ ନଈ ନାଳ ବଣ ପାହାଡ଼ ଡେଇଁବାକୁ ହୁଏ–ଏତେ ଭୋକ ଦୁଃଖ ଖରା ଝାଞ୍ଜି ସହିବାକୁ ହୁଏ ।

 

ଗଣ୍ଠିଲିର ଚୁଡ଼ା, ମୁଢ଼ି, ଗୁଡ଼ ସବୁ ଶେଷ ହୋଇଯିବା ପରେ ଅଣ୍ଟି ଫିଟିଲା । ସେ ଦୁହେଁ ନିଜ ନିଜ ପାଖରେ ଥିବା ପଇସା ଗଣିଲେ ।

 

ଚତୁର୍ଥ ଦିନ ରାତି ବେଳକୁ ସେମାନେ ପହଞ୍ଚିଲେ କଳା ସଡ଼କରେ । ସେଠି ଚାଲିଲାବେଳେ ପାଦ ଚାରିଟାକୁ ଆରାମ ମିଳିଲା ସତ, ମାତ୍ର ପେଟ ଦୁଇଟାର ଭୋକ ଅସହ୍ୟ ଭାବରେ ବଢ଼ିଗଲା । ସେଦିନ ରାତିରେ ଦୁହେଁ ରାସ୍ତା-କଡ଼ର ଗଛମୂଳରେ କରିଆ ପକାଇ ଶୋଇପଡ଼ିଲେ । ଅନେକ ମଟରଗାଡ଼ି ଆଲୁଅ ଫିଙ୍ଗି, ଧୂଳି ଉଡ଼ାଇ ଚାଲିଗଲେ.....ଚାଲିଯାଉଥାନ୍ତି ।

 

ମଙ୍ଗଳୁ ଅନେକ ଥର ଉଠି ହାତ ଦେଖାଇଲା । ଗୋଟିଏ ହେଲେ ମଟରଗାଡ଼ି ଅଟକିଲା ନାହିଁ । ଭୋକରେ ମଙ୍ଗଳୁ ଅସ୍ଥିର ହୋଇପଡ଼ୁଥାଏ; କିନ୍ତୁ ସତୁ ନିଶ୍ଚିନ୍ତରେ ଶୋଇପଡ଼ିଲା । ସ୍ୱପ୍ନ ଦେଖିବା ଆବଶ୍ୟକତା ଥିଲେ ନିଦ ଆପେ ଆପେ ଆସିଯାଏ ।

 

....ଗାଁରେ ଅନେକ ଚେହେରା ଭିତରୁ ତୁଳସୀର ଚେହେରା ବାରି ହାଇପଡ଼େ । ଦିନ ଦିପହରବେଳେ ବଡ଼ ପୋଖରୀରୁ କାନ୍ଧରେ କଇଁନାଡ଼ ନଦି ଫେରୁଥିବା ତୁଳସୀ, ମୁଣ୍ଡରେ ବୋଝ ବୋହି ଦୂରହାଟରୁ ମୋରମ ରାସ୍ତାର ନିର୍ଗୁଣୀ ସନ୍ଧିଦେଇ ଫେରୁଥିବା ତୁଳସୀ, ଘର ଅଗଣାରେ ଗୋବରପାଣି ଛିଞ୍ଚି ପାହାନ୍ତା ପହଁରା ଦେଉଥିବା ତୁଳସୀ, ରାତି ଅଧର ଦଣ୍ଡନାଚ ବେଳେ ନିଦୁଆ ଆଖିରେ ଚେଇଁ ଶୋଇଥିବା ତୁଳସୀ । ଏଇ ତୁଳସୀର ଗୋଲଗାଲ ଡଉଲ ଚେହେରାଟା, ଠେସା ଦେହଟା ଦିଶୁଛି ।

 

ସେଦିନ ଖରାବେଳଟାରେ ବଡ଼ ମହାପ୍ରୁ ଘର ସାମ୍ନାର ମଝିଖୁଲିରେ ଏଇ ତୁଳସୀ ସତୁର ଘରକରା ପ୍ରସ୍ତାବକୁ ଖୁରେଇ ଦେଇ କହିଥିଲା, ଯାଃରେ ଯାଃ, ଖରା ଦିନର ଆମ୍ବ ମୁଁ ନୁହେଁ ଯେ, ତୁ ମୋତେ ଏତେ ଶସ୍ତାରେ ପାଇଯିବୁ । ତୋର କ’ଣ ବା ଅଛି ? ଘର ନା ଦ୍ୱାର ? ଆଉ କିଏ ବା ଅଛି ? ବାପ ନା ମା’ ନା ଥାଉ କେହି ? ସତୁ କେବଳ ଅନେଇ ରହିଥାଏ ।

 

ମୋତେ ଖଟେଇବାକୁ ହେଲେ ଟଙ୍କା ଦରକାର, ଟଙ୍କା । ବୁଝିଲୁ ? ତୁଳସୀ ଚାଲି ଯାଇଥିଲା ।

 

ସବୁ ସବୁ ବୁଝିଥିଲା । ମଙ୍ଗଳୁର ଭାରିଯା ସମ୍ବାରୀ ଖଟୁଛି, କାରଣ ମଙ୍ଗଳୁ ଏକ ଫଳନ୍ତି ଗଛ ନ ହେଲେ ହେଁ ଏକ ବୀଜ, ବୀଜରୁ ଗଛ ହେବ, ଗଛରେ ଫଳ ଫଳିବ । ସେଇ ଫଳକୁ ଅନିସା କରି ସମ୍ବାରୀ ଖଟୁଛି....କିନ୍ତୁ ମୁଁ ? ସତୁ ଭାବିଲା... ମୁଁ କ’ଣ ବୀଜ ନୁହେଁ ? ମୁଁ କ’ଣ ଫଳ ଫଳାଇ ପାରିବି ନାହିଁ ?

 

ମୁଁ କ’ଣ ଟଙ୍କା ଜମାଇ ପାରିବି ନାହିଁ ?

 

ନିଶ୍ଚୟ ପାରିବି ।

 

ଚିତ୍କାର କଲା ସତୁ ।

 

ମଙ୍ଗଳୁ ଚେଇଁପଡ଼ିଲା । ପଚାରିଲା,

 

କ’ଣ ହେଲା କିରେ ?

 

କିଛି ନାଇଁ ।

 

ଆଖି ମଳି ମଳି କହିଲା ସତୁ ଓ ତା’ପରେ ତା’ର ନିଷ୍ପତ୍ତି ଶୁଣାଇଲା, ମୁଁ ଭିକ ମାଗିବି ।

 

ମଙ୍ଗଳୁ ସକାଳୁ ସକାଳୁ କାବା ହେଲା । ତୁ କ’ଣ ବକୁଛୁ ସତୁ ? ତୁ କ’ଣ ଶେଷକୁ ସତରେ ଭିକ ମାଗିବୁ ?

 

ହଁ, କ୍ଷତି କ’ଣ ।

 

ତୁ ବାୟା ହେଲୁଣି ସତୁ । ତୋ ମୁହଁରେ ଲାଜ ଥିଲେ ଏମିତି କହନ୍ତୁ ? ଭୋକ ଆଗରେ ଲାଜ ଗୋଟେ କ’ଣରେ । କିନ୍ତୁ ତୋତେ ଭିକ ଦେବ କିଏ ।

 

କାହିଁକି ? ଲୋକେ କ’ଣ ଆଉ ପାପ କରୁ ନାହାଁନ୍ତି । ମୋତେ ଭିକ ନ ଦେଲେ ସେ ପାପ ଧୋଇହେବ କେମିତି ।

 

ତୁ ବ୍ରାହ୍ମଣ ନୋହୁଁରେ ସତୁ !

 

କାନ୍ଧରେ ସୂତାଖଣ୍ଡେ ପକାଇଲେ ମୁଁ ବି ବ୍ରାହ୍ମଣ ବନିଯିବି । ଆଉ ଭିକ ନ ମିଳିଲେ ଚୋର ହେବି, ଡ଼କାୟତ ହେବି ।

 

ଛି-ଛି ! ଏସବୁ ତୁ କ’ଣ ବକି ଚାଲିଛୁ ସତୁ । ତୁ ବାୟା ହେଲୁଣି ।

 

ହେଇଥିବି । ତୋର ମୁଣ୍ଡବଥା କାହିଁକି ? ମୋର ଘର ନାଇଁ, ଦ୍ୱାର ନାଇଁ, ମା’, ବାପ କେହି ନାଇଁ । ମୁଁ ଏକଲା ମଣିଷ । ମଲେ ଥିଲେ ସବୁ ସମାନ । ଲୋକଙ୍କ ଅଇଁଠା ଉପରେ ଆଶ୍ରା କଲେ ବର୍ଷେ ଚଳିଯିବି ।

 

....ତା’ପରେ । ମଙ୍ଗଳୁ ପଚାରିଲା ।

 

ପ୍ରକୃତରେ ତା’ପରେ କ’ଣ । ସତୁର ଆଖିରେ ଲୁହ ଜକେଇ ଆସିଲା । ସେ ସେଇ କୋହଭରା କଣ୍ଠରେ କହିଲା, ତୋତେ କ’ଣ ମିଳିବ ସେଥିରୁ । ତୋ ବାଟରେ ତୁ ଯା, ଇଟା ଗଢ଼ିବୁ, ମାଟି ଖୋଲିବୁ, ପଥର ତାଡ଼ିବୁ । ତୋର ଭାରିଯାକୁ ଆଣି ଛୁଆ ଜନ୍ମ କରିବୁ ।

 

ଆଉ ତୁ ?

 

ମୁଁ ମରିଗଲାଣି ବୋଲି ଧରି ନେ ।

 

ତୁ ସେମିତି କହନା ସତୁ । ତୋର ଆଉ କେହି ନ ଥିଲେ ବି ମୁଁ ଅଛିରେ–ଆମର ଗାଁ ଅଛି । ଚାଲ୍‌ ଚାଲ୍‌, ଉଠ୍‌ ।

 

ସେ ଦୁହେଁ ପୁଣି ବାଟ ଚାଲିଲେ । ସଡ଼କକଡ଼ର ଦୋକାନରୁ ଗୁଲୁଗୁଲା ଓ ମୁଢ଼ିମୁଆଁ ଖାଇ, ପେଟେଲେଖେ ପାଣି ପିଇ ସେ ଦୁହେଁ ପୁଣି ବାଟ ଚାଲିଲେ ।

 

ସନ୍ଧ୍ୟା ବେଳକୁ ଦୁହେଁ ପୋଖରୀ ନିକଟରେ ପହଞ୍ଚିଲେ । ସେଦିନ ରାତିରେ ଆକାଶ-ଗୋଟାକ ଖସି ପଡ଼ିଥିଲା ପୋଖରୀ ଦେହକୁ । ପୋଖରୀର ନୀଳ ଜଳର ସମତଳରେ ଚନ୍ଦ୍ର, ତାରା ଓ ମେଘ ସବୁକିଛି ସ୍ପଷ୍ଟ । ଆକାଶରେ ଚନ୍ଦ୍ର । ପୋଖରୀରେ ଚନ୍ଦ୍ର । ମାଛ କି ବେଙ୍ଗଟିଏ ଡେଇଁଲା ହୁଏତ । ଅସଂଖ୍ୟ ତରଙ୍ଗର ବୃତ୍ତ କ୍ରମେ କ୍ରମେ ପ୍ରସାରିତ ହୋଇ ତୁଠ ଛୁଇଁଲା । ପୋଖରୀ ଜଳରେ ଶହ ଶହ ଚନ୍ଦ୍ର ଭାଙ୍ଗିପଡ଼ୁଛି ।

 

ମଙ୍ଗଳୁ କହି ପକାଇଲା, ବାଃ କି ସୁନ୍ଦର ।

ସତୁର କାନ ପାଖରେ ମାଶା ଭଣ ଭଣ ହେଉଥିଲେ । ସେ ବିରକ୍ତ ହେଲା, କ’ଣ ସୁନ୍ଦର-

ଏଇ ଚନ୍ଦ୍ର ।

ହଃ….

ସିରି ସିରି ପବନରେ ପୂର୍ବ ହୁଡ଼ାର ଡିମିରିଗଛରୁ ପାଚିଲା ଫଳର ବାସ୍ନା ଭାସି ଆସୁଥାଏ-

ମଙ୍ଗଳୁ ପଚାରିଲା, ତତେ ଭୋକ ହେଉଚି ସତୁ ।

ହଁ–ସେସବୁ ଫୁସୁଲାଫୁସୁଲି କଥା ରଖ–ମୁଁ ତ ତୋ ଆଖିର କୁଟା ରେ । ଚଣା ଖାଇବୁ-?

ଦେ ।

ସତୁ ହାତ ବଢ଼ାଇଲା । ମଙ୍ଗଳୁ ଗଣ୍ଠିଲି ଭିତରୁ ଅଧମୁଠା ଚଣା କାଢ଼ି ସତୁକୁ ଦେଲା । ସତୁ ଚଣା ଚୋବାଇବାରେ ଲାଗିଥାଏ । ମଙ୍ଗଳୁ ପୁଣି ଗଣ୍ଠିଲି ଭିତରୁ ଖଣ୍ଡେ ଶୁଖିଲା ରୁଟି କାଢ଼ି କହିଲା, ରୁଟି ଖାଇବୁ ? ଏଇ ନେ ।

ଦେ ।

ସତୁ ହାତ ବଢ଼ାଇଲା ।

ପୁଣି ରୁଟି ଚୋବାଇବାରେ ଲାଗିଲା ଓ କହିଲା....ତମଭଳି ହେଇଚି ।

.....ମୁଁ ତୋର କନିଆଁ ନୁହେଁ ।

ଅଃ ।

ଅଃ କ’ଣ ? ମୁଁ ତୋର କନିଆ ନୁହେଁ ଯେ, ନରମ ନରମ ରୁଟି ସେକି ଖୁଆଇବି । ଆଛା ସତୁ ଏ ଚନ୍ଦ୍ରଟା..... ।

ରଖ୍‌ ତୋର ଚନ୍ଦ୍ର ଫନ୍ଦ୍ର । ମୋତେ ଭାରି ନିଦ । ସେ ଦୁହେଁ ପରସ୍ପରର ଛାତିରେ ହାତ ଦେଇ ସିମେଣ୍ଟ ଚୌତରା ଉପରେ ଖୋଲା ଆକଶତଳେ ଶୋଇପଡ଼ିଲେ । ସତୁ ମୁହଁ ଘୋଡ଼ାଇ ପକାଇଲା ।

ତହିଁ ଆରଦିନ ସକାଳୁ ଧାନକଳରୁ ଫେରିବା ପରେ ସେ ଦୁହେଁ ସହରସାରା ଘୂରି ବୁଲିଥିଲେ । କାମ ମିଳିଲା ନାହିଁ ।

ଗାଁରୁ ବାହାରିଲା ଦିନ ଆଜି ଭଳି ଦେହରେ ମଇଳା ଲୁଗା ନ ଥିଲା, ମୁଣ୍ଡର ବାଳ ଏମିତି ନୁଖୁରା ହୋଇନଥିଲା, ଡିମା ଡିମା ଆଖି ଚାରିଟାରେ ଅନ୍ଧାରର ସ୍ପର୍ଶ ନ ଥିଲା କି ଗାଲର ହନୁହାଡ଼ ଏତେ ସ୍ପଷ୍ଟ ବାରି ହୋଇପଡ଼ୁନଥିଲା ।

 

ସେଦିନ ଧୋବ ଲୁଗା ପିନ୍ଧି, ମୁଣ୍ଡରେ ସୁନ୍ଦର ସଳଖ ଟେରିକାଟି କପାଳରେ ଗ୍ରାମଦେବତୀର ସିନ୍ଦୂର ଟିପା ମାରି ସେ ଦୁହେଁ ବାହାରିଥିଲେ । ବାଟର ମଇଳାରେ ଲୁଗା ମଇଳା ହେଲା, ଦେହ ମଇଳା ହେଲା, ମନ ବି ମଇଳା ହେଲା ।

 

କିନ୍ତୁ ସ୍ୱପ୍ନ ?

 

ସେ ବା କାହିଁକି ଏମିତି ବେଳଟାରେ ଭାଙ୍ଗିଗଲା ? ଦୁନିଆକୁ ଏତଲା କରି ମଣିଷ ବଦଳେ ନାହିଁ । କୌଣସି ସିଦ୍ଧାନ୍ତ କରି ମଧ୍ୟ ବଦଳେ ନାହିଁ । ଏମିତି, ଏଇମିତି ବଦଳି ଯାଏ ।

 

କିଛି ଜଣାପଡ଼େ ନାହିଁ–ବୁଝାପଡ଼େ ନାହିଁ ।

 

ସେଦିନ ରାତିରେ ସବୁ କହିଲା, ତୁ ଗାଁକୁ ଫେରିଯା, ମଙ୍ଗଳୁ । ଗାଁରେ ତୋର ପିଲା ମାଇପ ଅଛନ୍ତି । ସେମାନଙ୍କୁ କଷ୍ଟ ଦେ’ନା । ମୁଁ ଡିଁଡା ଲୋକ । ମୋର ଚଳିଯିବ ।

 

....ମୁଁ ଫେରିଯିବି ? ‘ତୁ’ ଏ କଥା କହୁଛୁ ? ତୁ ନା ସେ ସତୁ, ଆସିଲାବେଳେ କହୁଥିଲୁ ‘ମାଟିହାଣିବା, ରିକ୍‌ସା ଟାଣିବା’–କୁଆଡ଼େ ଗଲା ସେ ଦମ୍ଭ ?

 

ସତୁ ହସିଲା । ହୁଏତ ଏଇ ହସ ଟିକକରେ ସେ କହିପକାଇଲା ଯେ, ମଣିଷ ଜୀବନରେ ଦମ୍ଭଟା ସେମିତି କିଛି ବଡ଼କଥା ନୁହେଁ ।

 

ମଙ୍ଗଳୁ କହିଚାଲିଲା, କିଛି କାମ ନ ମିଳିଲେ, କାନ୍ଧରେ ମାଙ୍କଡ଼ ଛୁଆଟିଏ ବସେଇ ଗଳି ଗଳି ଘର ଘର ବୁଲିବି ।

 

ସତୁ ଆହୁରି ଜୋରରେ ହସିଲା, ତୁ ଭିକ ମାଗିବୁ ?

 

ହଁ । କ୍ଷତି କ’ଣ ?

 

ଖରାରେ ସିଝି ସିଝି ମରିଯିବୁରେ ।

 

......ମଣିଷ ଜୀବନଟା ଏତେ ଶସ୍ତା ନୁହେଁ ସତୁ । ମଙ୍ଗଳୁ ଦୃଢ଼ କଣ୍ଠରେ କହିଲା ।

 

ଧାନକଳର ଡେଙ୍ଗା ଚିମ୍‌ନିରୁ ଅଗ୍ନିକଣା ଉଠୁଚି । ଊର୍ଦ୍ଧ୍ୱମୁଖୀ ଅଗ୍ନିକଣାସବୁ ଆକାଶର ବ୍ୟାପ୍ତିରେ ମିଶିଯାଉଛନ୍ତି । ସଁ ସଁ ଶବ୍ଦ ଶୁଭୁଛି । ଧାନ ସିଝାର କେମିତିଆ ଗୋଟାଏ ଗନ୍ଧ ଭାସିଆସୁଛି । ତା’ ସାଙ୍ଗରେ ପାଚିଲା ଡିମିର ଫଳର ଗନ୍ଧ ମିଶିଗଲା ବେଳକୁ ବିଲ୍‌କୁଲ୍‌ ସହି ହେଉ ନାହିଁ । ସତୁ ଗାମୁଛାରେ ନାକ ଘୋଡ଼ାଇ କହିଲା, ଇଃ କି ଗନ୍ଧ ।

 

ମଙ୍ଗଳୁ ସତୁର ମୁହଁକୁ ଚାହିଁଲା ।

 

ସତୁ ପଚାରିଲା, ଭୋକ ହେଉଥିବ । ନା ରେ ମଙ୍ଗଳୁ ?

 

...ହଁ ।

 

ନିଜର ଗଣ୍ଠିଲି ଭିତରୁ ବିଡ଼ାଏ ବଡ଼ ବଡ଼ ନୋଟ କାଢ଼ି ସତୁ କହିଲା, ଏଇ ନେ, ଖା । ଖାଇଦେ । ସବୁ ଭୋକ ଏକାବେଳେ ଛାଡ଼ିଯିବ ।

 

ମଙ୍ଗଳୁ ଭୟଭୀତ ହୋଇପଡ଼ିଲା । ସତ କି ? ତା’ର ସର୍ବାଙ୍ଗ ଥରିଉଠିଲା । ବିକଳରେ ପଚାରିଲା, କେଉଁଠୁ ଆଣିଲୁ ?

 

ଚୁପ୍ ରହ, ପାଟି କର ନା ।

 

କେଉଁଠୁ ଆଣିଲୁ ?

 

ଧୀର ସ୍ୱରରେ ପଚାରିଲା ମଙ୍ଗଳୁ ।

 

ଦୃଢ଼ କଣ୍ଠରେ ଉତ୍ତର ଦେଲା ସତୁ, ଚୋରି କରିଛି ।

 

ତୁ ଚୋରି କରିଛୁ ?

 

....ହଁ–ଧାନ-କଳରୁ ।

 

.....ତୁ ଏଇଆ କଲୁ ସତୁ ?

 

....ତୁ ସେଇ ପେଟୁ ମେନେଜର ଆଗରେ ମୁଣ୍ଡ ନୁଆଁଇ ହାତ ଜୋଡ଼ି ଭିକ ମାଗୁଥିଲା ବେଳେ....ମଙ୍ଗଳୁ ଆଉ କିଛି ଉଚ୍ଚାରଣ କରିପାରିଲା ନାହିଁ । ସକାଳ ପାହି ଆସୁଥାଏ ।

 

ପଶ୍ଚିମ ହୁଡ଼ାର ମନ୍ଦିରରୁ ଶଙ୍ଖ ଶୁଭିଲା, ଘଣ୍ଟ ଶୁଭିଲା । ଡିମିରିଗଛରୁ ଦଳେ ପକ୍ଷୀ ଫୁର୍‌ ଫୁର୍‌ ଚିଁ ଚିଁ କରି ଉଡ଼ିଗଲେ ।

 

ସତୁ ଚମକି ପଡ଼ିଲା । ମଙ୍ଗଳୁ କହିଲା, ଏ ତୁ କ’ଣ କଲୁ ସତୁ ? ଭଗବାନ୍ ତୋତେ କ୍ଷମା କରିବେ ନାହିଁ । ଏ ଘୋର ଅପ୍ରାଧ ।

 

ସେ ଯାହାହେଉ, ତୁ ଯଦି ଏଥିରୁ କିଛି ରଖିବୁ ରଖ୍‍ । ମୁଁ ଆଉ ଏଠି ରହିପାରିବି ନାଇଁ । ସିଧା ଗାଁକୁ ଚାଲିଯିବି ।

 

... ଗାଁରେ ତୋର କିଏ ଅଛି ?

 

.... ଗାଁ ଅଛି, ଗାଁ । ଆଉ କେହି ଥିଲେ କେତେ, ଆଉ ନ ଥିଲେ ବା କେତେ ?

 

ପୋଖରୀ-ପଙ୍କର ଆଇଁଷିଣିଆ ଗନ୍ଧ । ସତୁ ଗାମୁଛାରେ ନାକ ଚାପିଲା । ପୂର୍ବ-ହୁଡ଼ାର ଶିମୁଳିଗଛରୁ ମେଞ୍ଚା ମେଞ୍ଚା ସଫେଦ ତୁଳା ଉଡ଼ି ଆସି ପୋଖରୀର ଶାଗୁଆ ପାଣିରେ ଛାଇ ହୋଇଗଲା । ଯେମିତିକି ନୀଳ ଆକାଶରେ ଖଣ୍ଡ ଖଣ୍ଡ ସଫେଦ ମେଘ ।

 

ମଙ୍ଗଳୁ ପୁଣି କହିଲା, ଏ ଭଲ କାମ ନୁହେଁ, ସତୁ ।

 

ଏହା ମୋର ‘କାମ’ ନୁହେଁ ମଙ୍ଗଳୁ । ଏଇ ପ୍ରଥମ ଆଉ ଏଇ ଶେଷ ।

 

.....କିନ୍ତୁ, ଅପ୍ରାଧ ?

 

....ସେସବୁ ମୁଁ ଜାଣେନା । ମୋର ଟଙ୍କା ଦରକାର ଥିଲା, ମୁଁ ଟଙ୍କା ଆଣିଛି ।

 

....ମୋର ପିଲା ମାଇପ ଥାଇ ବି ମୁଁ ଏ କାମ କଲି ନାହିଁ । ଆଉ ତୁ...... ମଙ୍ଗଳୁ ମୁହଁରୁ କଥା ଛନେଇ ନେଇ ସତୁ ଅତି କରୁଣ କଣ୍ଠରେ କହିଲା, ମୋର ପିଲା ମାଇପ ଦରକାର ବୋଲି ମୁଁ ଏ କାମ କରିଛି, ମଙ୍ଗଳୁ ।

 

....ମୁଁ ସବୁ ଜାଣୁଛି, ସବୁ ବୁଝିଛିରେ ସତୁ...ତୁ କାହିଁକି ଫେରି ଯାଉଛୁ ।

 

ରାସ୍ତା ଉପରେ ଟ୍ରକଟିଏ ଧକେଇ ଛିଡ଼ା ହେଲା । ଦଳେ କୁଲି ସେଇ ଟ୍ରକରୁ ଓହ୍ଲାଇ ଆସି ପୋଖରୀ ପଥର ଘାଟରେ ବସି ଏକ ଯାନ୍ତ୍ରିକ ଢଙ୍ଗରେ ଶୀଘ୍ର ଶୀଘ୍ର ଦାନ୍ତ ଘସିବାକୁ ଲାଗିଲେ-। ଟ୍ରକ ଭିତରୁ ପଞ୍ଜାବୀ ଡ୍ରାଇଭରର ଚିତ୍କାର–ଅରେ ଜଲ୍‍ଦି କରୋ ।

 

ମଙ୍ଗଳୁ ଟ୍ରକ ପାଖରେ ହାତ ଯୋଡ଼ି ଠିଆ ହେଲା । ସତୁ ତା’ର ଗଣ୍ଠିଲି ବାନ୍ଧୁଥାଏ ।

 

ଡ୍ରାଇଭର ପଚାରିଲା, କ୍ୟା ବାତ୍‌ ହୈ ?

 

ମୁଁ କାମ କରିବି ବାବୁ

 

ମଙ୍ଗଳୁ ଥରୁଥାଏ ।

 

.....ପତ୍‌ଥର ତୋଡ଼୍‍ ସକେଗା ?

 

....ହଁ ବାବୁ ।

 

ମଙ୍ଗଳୁ ଥରୁଥାଏ ।

 

....ତୋ ଫିର୍‌, ବୈଠ ଯା ।

 

ମଙ୍ଗଳୁ ସେଇଠି, ଟ୍ରକ୍‌ ତଳେ ବସି ପଡ଼ିଲା ।

 

...ଅରେ ଓ୍ୱହାଁ ନାହିଁ, ଗଡ୍‌ଡ଼ି କେ ଉପର୍ ।

 

ସତୁ ଗଣ୍ଠିଲି କାଖେଇ ମଙ୍ଗଳୁ ପାଖକୁ ଆସିଲା । ମଙ୍ଗଳୁକୁ ଗାଡ଼ି ଉପରେ ଚଢ଼େଇ ଦେଇ କହିଲା, ତୁ ରହ ମଙ୍ଗଳୁ, ମୁଁ ଗଲି ।

 

ଲୁହ ଛଳ ଛଳ ଆଖିରେ ମଙ୍ଗଳୁ କହିଲା, ମୁଁ ସବୁ ବୁଝିଛିରେ । ହେଲେ ତୋ ଭଳି ହେଇପାରୁନାହିଁ । ଯଦି ପାରିବୁ, ଆମ ଗାଁର ବଡ଼ ପୋଖରୀରେ ଏମ୍‌ତି ଏକ ଘାଟ ତୋଳିବୁ । ଅଧର୍ମବିତ୍ତ ଧର୍ମରେ ଲାଗିଯିବ ।

 

ସତୁ ମୁଣ୍ଡ ହଲାଇଲା ।

 

କୁଲିମାନେ ଫେରିଲେ । ଟ୍ରକ୍‌ଟା ଧୂଆଁ ଛାଡ଼ି, ଗର୍ଜ୍ଜନ କରି, ଧୂଳି ଉଡ଼ାଇ ସହର ଆଡ଼କୁ ଚାଲିଗଲା । ଟ୍ରକ୍‌ଟି ଅଦୃଶ୍ୟ ହୋଇଯିବା ପରେ ସତୁ କଳ୍ପନା କଲା–ତା’ ଗାଁର ବଡ଼ ପୋଖରୀରେ ଏକ ସିମେଣ୍ଟ ତିଆରି ଘାଟ । ସେଇ ଘାଟରେ ବସି ତୁଳସୀ ହଳଦୀ ମାଖୁଛି ।

 

ସହର ଆଡ଼କୁ ନିଜର ପ୍ରଶସ୍ତ ପିଠି ଦେଖାଇ ସତ୍ୟନାରାୟଣ ଭୋଇ ବିକ୍‌କଣ କଳା ପିଚୁ-ସଡ଼କରେ ଚାଲିବାକୁ ଲାଗିଲା ।

 

(ଝଙ୍କାର–ନଭେମ୍ବର, ୧୯୬୯)

Image

 

ଫିଡିଂବଟଲ୍

।। ଏକ ।।

 

ଭଦ୍ରମହିଳାଙ୍କ ବିପୁଳ ଖୋସା ଏକ ନିଶ୍ଚିତ ଆକର୍ଷଣ ଦାବି କରୁଥିଲା ଏବଂ ହୋଟେଲ ବାରଣ୍ଡାରେ ବସି ମୁଁ ମୁଗ୍‌ଧ ହେବାରେ କୃପଣ ହେଲି ନାହିଁ । ତା’ପରେ ଭଦ୍ରମହିଳା ରାସ୍ତା ଉପରେ ଠିଆହୋଇ ସମୁଦ୍ର ଆଡ଼କୁ ଚାହିଁଲେ । ସେଇ ମୂର୍ତ୍ତିମନ୍ତ ଅବସ୍ଥାରେ କଟିଗଲା ଦୁଇ ମିନିଟ ସମୟ ଓ ଭଦ୍ରମହିଳା ଭ୍ୟାନିଟି ବେଗ୍‌ ଖାଲି ଚଶମା ବାହାର କଲେ, ଶାଢ଼ି କାନିରେ ପୋଛିବାକୁ ଲାଗିଲେ, ପିନ୍ଧିଲେ । ତାଙ୍କ ଭ୍ୟାନିଟି ବେଗ୍‌ ଭିତରେ ଫିଡ଼ିଂବଟଲ୍‍ ଦେଖି ମୁଁ ଦ୍ୱିଧାରେ ପଡ଼ିଲି । ମୋତେ ହସ ମାଡ଼ିଲା । ପାଖରେ ବା କାଖରେ ଛୁଆ ନାଇଁ, ଅଥଚ....ଭଦ୍ରମହିଳାଙ୍କ ବକ୍ଷଦେଶ ମଧ୍ୟ ଏଇ ଉପକୂଳବର୍ତ୍ତୀ ଅଞ୍ଚଳ ଭଳି ସମତଳ । ଢିପ ନାଇଁ ।

 

ତା’ପରେ ଭଦ୍ରମହିଳା ବାରମ୍ବାର ରିକ୍‍ସା ଶବ୍ଦଟି ଉଚ୍ଚାରଣ କରିବାରେ ବିଫଳ ହୋଇ ‘ଏ ରିକ୍‌ସା, ଏ ରିକ୍‌ସା’ ବୋଲି ପାଟି କରିବାକୁ ଲାଗିଲେ । ମୁଁ ଏଥର ହସ ସମ୍ଭାଳି ପାରିଲି ନାହିଁ । ଚଶମା ଭିତରୁ ଭଦ୍ରମହିଳା ମୋ ଆଡ଼କୁ କଟମଟ କରି ଚାହିଁଲେ । ମୁଁ ମୋର ଅଙ୍ଗୁଳି ସନ୍ଧିର ଅର୍ଦ୍ଧଦଗ୍‌ଧ ସିଗାରେଟ ଖଣ୍ଡିକୁ ବାରଣ୍ଡା ତଳକୁ ଫୋପାଡ଼ି ଦେଲି ।

 

‘ରିକ୍‌ସା’ ସବୁ ଏତେ ନିକଟରେ ଥିଲେ ଯେ ସେମାନେ ଭଦ୍ରମହିଳାଙ୍କ ପାଖକୁ ଆସିବା ଅନାବଶ୍ୟକ ଓ ଅର୍ଥହୀନ ମନେ କଲେ । ଏଣୁ ବାଧ୍ୟ ହୋଇ ଭଦ୍ରମହିଳା ରିକ୍‌ସା ପାଖକୁ ଗଲେ, ରିକ୍‌ସା ଉପରେ ଚିଢ଼ିଲେ ଓ କହିଲେ, ‘ଚଲାଓ’ ।

 

ରିକ୍‌ସାଟି କିଛିବାଟ ସିଧା ସମୁଦ୍ର ଆଡ଼କୁ ଯିବା ପରେ ଭଦ୍ରମହିଳା ପଛକୁ ଲେଉଟି ଚାହିଁଲେ ଓ ବାଁ ହାତି ମୋଡ଼ରେ ତାହା ଅଦୃଶ୍ୟ ହେବା ପର୍ଯ୍ୟନ୍ତ ପଛକୁ ଚାହିଁରହିଲେ ।

 

।। ଦୁଇ ।।

 

ମୁଁ ଅନେକ ସମୟରେ ସମୁଦ୍ର କୂଳରେ ବସି ବାଲିର ଘର, ଦେଉଳ, କୋଠା ଗଢ଼ିବାକୁ ଭଲ ପାଉଥିଲି–ପିଲାଦିନେ । ଏବେ କିନ୍ତୁ ହୋଟେଲ ବାରଣ୍ଡାରୁ ବସି ସମୁଦ୍ର-ଭୀରୁ ସ୍ନାନାର୍ଥିନୀମାନଙ୍କୁ ଦେଖୁଚି–ଦେଖୁଚି, ସେମାନେ କିପରି ନୋଳିଆ ଟୋକାର କଷରା ଦେହରେ ଏକାକାର ହୋଇଯାଇଛନ୍ତି, ଦେଖୁଚି ସେମାନଙ୍କର ଚନ୍ଦାମୁଣ୍ଡିଆ ସ୍ୱାମୀମାନେ କିପରି, ବାଲିଉପରେ ମୁହଁମାଡ଼ି ଶୋଇ ଗୋଟିଏ ପରେ ଗୋଟିଏ ଢେଉର ମାଡ଼ ବରଦାସ୍ତ କରୁଛନ୍ତି ।

 

ପୁନଶ୍ଚ ଦେଖୁଚି କିପରି ଢେଉର ଆତଯାତ ହେବାର କୌଣସି ଶୃଙ୍ଖଳା ନାଇଁ–ସବୁଥର ଭିନ୍ନ ଭିନ୍ନ ରୂପରେ ଆସି ବାଲି ଉପରେ ଭିନ୍ନ ଭିନ୍ନ ପ୍ରକାରର ରେଖାଟାଣି ସେମାନେ ଫେରି ଯାଉଛନ୍ତି ।

 

ସମୁଦ୍ର ମୋତେ ବାଧ୍ୟ କରେ ଚିନ୍ତା କରିବାକୁ ।

 

ହୋଟେଲ ବୟ ଆସି ମୋତେ କହିଗଲା–‘ସାର୍ ଲଞ୍ଚ୍‌ ରେଡି’ ।

 

।। ତିନି ।।

 

ଡାଇନିଂ ହଲରେ ମୋ ସାମ୍ନାରେ ବସିଥିଲେ ସେଇ ଭଦ୍ରମହିଳା । ମନେହେଲା, ସେ ଜାଣିଶୁଣି ଏପରି ବ୍ୟବସ୍ଥା କରିଛନ୍ତି ।

 

ଏଥର ତାଙ୍କର ବିପୁଳ ଖୋସାଟି ଫିଟି ସାରିଥିଲା–ପିଠିରେ ଗୋଛେ କଳା ମିଶ୍‌ ମିଶ୍‌ ଲମ୍ବା କେଶ–ମୁଁ ଏଥିରେ ବି ମୁଗ୍‌ଧ ହେଲି । ଏଥର ତାଙ୍କ ଆଖିରେ ଚଶମା ନାଇଁ, ରଙ୍ଗ ନାଇଁ ।

 

ପ୍ରଥମ କୋର୍ସ ସାର୍ଭ ହେବାପରେ ସେ ପଚାରିଲେ–‘ଆପଣ କେଉଁଠୁ ଆସିଛନ୍ତି ?’

 

ମୁଁ କହିଲି–ରାଉରକେଲାରୁ ଓ ପୁଣି ପଚାରିଲି..... ଆପଣ ?

 

ସେ କହିଲେ–ମୁଁ ଏଇଠି ଥାଏ ।

 

ମାନେ ?

 

ଏଇ ହୋଟେଲରେ ।

 

ମୁଁ ଆଉ ଅଧିକ ପଚରା ଉଚରା ନ କରି ଖାଇବାରେ ଲାଗିଲି । କିନ୍ତୁ ସେ କହି ଚାଲିଲେ–

 

ସୁବିଧା ଦେଖି ଆପଣ ଥରେ ଅଧେ ମୋ ରୁମ୍‌ ଆଡ଼େ ଆସନ୍ତୁ ନା । ୨୩ । ଚେସ୍‌ ଖେଳିବା ନ ହେଲେ ତାସ୍‌ ନ ହେଲେ ଖାଲି ଗପ ତ କରିବା ।

 

।। ଚାରି ।।

 

ମୁଁ ମନେ ମନେ କଳ୍ପନା କରି ନେଲି, ଆପାତତଃ ଭଦ୍ରମହିଳା ଭଳି ଦେଖାଯାଉଥିବା ଏଇ ନାରୀଟି କେଉଁ ଶ୍ରେଣୀର । ଆଗରୁ ବନ୍ଧୁମାନଙ୍କଠାରୁ ଶୁଣିଥିଲି ଚେଷ୍ଟା କଲେ ହୋଟେଲମାନଙ୍କରେ ଏ ପ୍ରକାର ନାରୀ ସବୁ ମିଳନ୍ତି । କିନ୍ତୁ ମୁଁ ଆନନ୍ଦିତ ହେଲି ଯେ, ମୋତେ ଅନ୍ତତଃ ଏଥିପାଇଁ କୌଣସି ପ୍ରକାର ଚେଷ୍ଟା କରିବାକୁ ପଡ଼ିନାହିଁ । ଶିକାର ଆସି ନିଜେ ଶିକାରୀ ଆଗରେ ଠିଆହୋଇଛି । କିନ୍ତୁ ଯଦି....

ତଥାପି ସନ୍ଧ୍ୟାରେ ମୁଁ ରୁମ୍‌ ନଂ ୨୩ର ଦରଜାରେ କରାଘାତ କଲି । ସେତେବେଳକୁ ଅନ୍ଧାର ଆଦୌ ହୋଇ ନ ଥାଏ ।

‘‘ଆସନ୍ତୁ, ଆସନ୍ତୁ’’–ଭିତରୁ ଶୁଭିଲା । ମୁଁ ଭିତରକୁ ଯାଇ ଦେଖିଲି ହୋଟେଲର ଅନ୍ୟାନ୍ୟ କୋଠରୀଠୁଁ ତାଙ୍କ କୋଠରୀଟି କୌଣସି ଦିଗରୁ ଭିନ୍ନ ନୁହେଁ । କିନ୍ତୁ ଟେବ୍ଲ ଉପରେ ବୋଝେ ଲୁଗା ଓ ଚଉକି ଉପରେ ଷ୍ଟୋଭଟିଏ ରଖା ହୋଇଥିବାରୁ ମୁଁ ଚଟାଣ ଉପରେ ଠିଆହୋଇ ରହିବାକୁ ବାଧ୍ୟ ହେଲି ।

କିନ୍ତୁ ଭଦ୍ରମହିଳା ଖଟ ଉପରୁ ଟିକିଏ ଘୁଞ୍ଚିଯାଇ ଡାକିଲେ–ଆସନ୍ତୁ ଏଠିକି ଆସନ୍ତୁ !

ଅଗତ୍ୟା ମୁଁ ତାଙ୍କ ସାଙ୍ଗରେ ଖଟ ଉପରେ ବସିବାକୁ ବାଧ୍ୟ ହେଲି ।

ସେ ପଚାରିଲେ–ଆପଣ କ’ଣ କରନ୍ତି ?

ଆଚ୍ଛା, ଆପଣ ଗଳ୍ପ ଲେଖନ୍ତି ?

ହଁ

Really I am happy to meet you. ମୋର ସ୍ୱାମୀ ମଧ୍ୟ ଗଳ୍ପ ଲେଖୁଥିଲେ-

ମୁଁ କେବଳ ସମର୍ଥସୂଚକ ମୁଣ୍ଡ ହଲାଇଲି । କିଛି ସମୟ ନୀରବରେ କଟିଗଲା । ଲକ୍ଷ୍ୟ କଲି, ତାଙ୍କ ମଣିବନ୍ଧ ଶୂନ୍ୟ ।

ପଚାରିଲି–ଆପନଣ କ’ଣ କରନ୍ତି ?

ମୁଁ ? ଏଇ ହୋଟେଲର ଏକାଉଟେଣ୍ଟ । ପ୍ରତିଦିନର ହିସାବ ଲେଖାଲେଖି କରେ.... ତା’ଛଡ଼ା ଆଉ ଯାହାକରେ, ତାହା ଜାଣି ଆପଣଙ୍କର କୌଣସି ଲାଭ ନାଇଁ ।

ଲାଭ ଥାଉ ବା ନ ଥାଉ କେବଳ ଜାଣିବାରେ କ୍ଷତି କ’ଣ ?

ଆପଣ ପରା ଜଣେ ଲେଖକ ? ଅନୁମାନ କରି ନିଅନ୍ତୁ ।

ମୁଁ କିନ୍ତୁ କିଛି ଅନୁମାନ କରିପାରିଲି ନାହିଁ । ତାଙ୍କର ବ୍ୟବହାର, ଏଇ କେତୋଟି ମିନିଟ ଭିତରେ ଏପରି ଯେ, ତାଙ୍କୁ ଅତି ନିମ୍ନସ୍ତରକୁ ଘେନି ଯିବା ମୋ ପକ୍ଷରେ ସମ୍ଭବ ହୋଇପାରିଲା ନାହିଁ ।

ସେ କହି ଚାଲିଲେ–ମୁଁ ଏଠି ଚାରିବର୍ଷ ହେଲା ଅଛି । ଏଠିକି ଆସିବି ବୋଲି ଯୌବନ ଆସିଲା ଦିନଠୁ କଳ୍ପନା କରୁଥିଲି । ଆମ ଘର ଜୋର୍‌ହାଟରେ । ୧୯୬୦ରେ ଆମର ବିବାହ ହେଲା । ୧୯୬୪ରେ ଦୀର୍ଘ ଚାରିବର୍ଷର ସଞ୍ଚିତ ଅର୍ଥ ଓ ଆମର ଏକମାତ୍ର ଶିଶୁପୁତ୍ରକୁ ଧରି ଆମେ ଏଠାକୁ ଆସିଲୁ ଗ୍ରୀଷ୍ମରେ । କିନ୍ତୁ.... ମୋର ସ୍ୱାମୀ ଓ ପୁତ୍ର ଦୁହେଁ ଦି’ଖଣ୍ଡ ମୁକ୍ତା ପାଲଟି ଗଲେ, ଏଇ ସମୁଦ୍ର ଗର୍ଭରେ ସେ ଦୁହେଁ ଲୀନ ହୋଇଗଲେ ।

 

ଏତକ କହିସାରି ଭଦ୍ରମହିଳା ସକେଇ ସକେଇ କାନ୍ଦିଲେ ନାଇଁ । ହୁଏତ ଏସବୁ ବ୍ୟାଖ୍ୟା କରିବା ତାଙ୍କର ନିତିଦିନିଆ ଅଭ୍ୟାସ । ଗ୍ରାହକ ମନରେ ସମବେଦନା ସୃଷ୍ଟି କରିବାର ଶିକ୍ଷିତ ଉପାୟ ।

 

ମୁଁ କାହାଣୀ କହୁନାଇଁ, ତା’ପରେ ମୁଁ ଆଉ ଘରକୁ ଫେରିଯାଇ ପାରିଲିନି । ଫେରିଥିଲେ ବାୟାଣୀ ହୋଇଯାଇଥାନ୍ତି । ବର୍ତ୍ତମାନ ମୁଁ ଏଇ ଜଗନ୍ନାଥଙ୍କ ମନ୍ଦିର ଓ ସମୁଦ୍ର ମଧ୍ୟରେ ଏକ ଯୋଗସୂତ୍ର ପାଲଟି ଯାଇଛି ।

 

ଆପଣ ହୁଏତ ଜାଣନ୍ତି ଏଠାକୁ ଦୁଇ କିସମର ଲୋକ ଆସନ୍ତି । ଦଳେ ଯେଉଁମାନଙ୍କର ମୁଣ୍ଡର ବାଳ ଧଳା, ଦାନ୍ତ ସବୁ ପଡ଼ି ଗଲାଣି, ବାଇଶ ପାହାଚରେ ଗଡ଼ନ୍ତି, ଅଭଡ଼ା ନିର୍ମାଲ୍ୟ ସେବନ କରନ୍ତି । ସେମାନେ ସମୁଦ୍ର ଦେଖି ନାହାନ୍ତି ।

 

ଆଉ ଦଳେ ଆସନ୍ତି ଦିହରେ ସ୍ୱିମ୍‌ ସୁଟ୍‌ ଗଳେଇ ଚିକିଣିଆ ବାଲିରେ ଗଡ଼ନ୍ତି । ଢେଉରେ ନିଜକୁ ହାଲୁକା କରି ଭସାନ୍ତି । ସେମାନେ ଜଗନ୍ନାଥଙ୍କୁ ଦେଖି ନାହନ୍ତି ।

 

ଏଥର ଭଦ୍ରମହିଳା ଅଳ୍ପ ସମୟ ପାଇଁ ନୀରବ ରହିଲେ ।

 

ପଚାରିଲେ–ମୁଁ ବୋ’ର୍‌ କରୁନାଇଁ ତ ?

 

ମୁଁ କହିଲି–ନା ନା, ଆପଣ କହି ଚାଲନ୍ତୁ ।

 

.....ମୁଁ ଏଇ ସମୁଦ୍ର ଓ ମନ୍ଦିର ମଧ୍ୟରେ ଏକ ପୋଲ । ପ୍ରତିଦିନ ଅଧେ ଏଠି ଓ ଅଧେ ସେଠି କଟାଇବା ମୋର ଚାରିବର୍ଷର ଅଭ୍ୟାସ । ମୁଁ ଦୁଇଟି ଭିନ୍ନମୁଖୀ ଚେତନାକୁ ଜୋଡ଼ୁଛି । ଏଇ ଦେଖନ୍ତୁ ମୋର ଏପାଖ ଝରକାରୁ ଆପଣ ନୀଳ ସାଗରର ଉତ୍ତାଳ ଲହରୀ ଦେଖି ପାରିବେ, ଅନ୍ୟ ଝରକାରୁ ଦେଖିବେ ନୀଳାଚଳର ନେତ ଓ ନୀଳ ଆକାଶ । ଏ ସହରରେ ମୁହିଁ ଏକମାତ୍ର, ଯିଏ ଏଇ ଦୁଇଟିକୁ ଏକା ସାଙ୍ଗରେ ଦେଖେ ।

 

ଭଦ୍ରମହିଳା ଏଥର ଚୁପ୍‌ ରହିଲେ ଏବଂ ଏଭଳି ଏକ ଭଙ୍ଗୀରେ ଆଉଜିପଡ଼ିଲେ ଯେ ମନେହେଲା, ଏଇଠି ତାଙ୍କର ବକ୍ତବ୍ୟ ଶେଷ ହେଲା । ମୁଁ ସତକୁ ସତ ଦେଖିଲି ଗୋଟିଏ ଝର୍କାରୁ ସମୁଦ୍ର ଓ ଅନ୍ୟ ପାଖର ଝର୍କାରୁ ମନ୍ଦିର । ଦୁଇଟିଯାକ କ୍ରମେ ଅସ୍ପଷ୍ଟ ହୋଇଯାଉଛନ୍ତି–ଅନ୍ଧାକାରରେ ।

 

ମୁଁ ପଚାରିଦେଲି–କିନ୍ତୁ ସେଇ ଫିଡ଼ିଂବଟଲ୍‌ ?

 

ସେ ହସିଲେ–ଓହୋଃ, ସେ କଥା, ପୁରୀ ସହରର ବଡ଼ଦାଣ୍ଡଟା ଏକ ବିରାଟ ଅନାଥାଶ୍ରମ । ଆପଣ ଜାଣନ୍ତି ମୋର ପିଲାଟା ସିନା ସମୁଦ୍ରରେ ହଜିଗଲା, ଜଗନ୍ନାଥ ତାକୁ ରକ୍ଷା କରିପାରିଲେ ନାଇଁ । ପୃଥିବୀର ଅନେକ ପିଲା ଏଇ ବଡ଼ଦାଣ୍ଡରେ ମଧ୍ୟ ହଜିଯାଇଛନ୍ତି । ମୁଁ ସେମାନଙ୍କ ପାଇଁ ପ୍ରତିଦିନ ଦୁଧ...

 

ମୁଁ ତାଙ୍କ ପାଟିରୁ କଥା ଛଡ଼ାଇ ନେଇ କହିଲି–ହଁ ହଁ ବୁଝିଲି ।

 

କ’ଣ ବୁଝିଲେ ?

 

ଆପଣହିଁ ମାତୃଶକ୍ତି ।

 

ଥାଉ ସେ ଦାର୍ଶନିକ କଥା । ମୂଳ କଥା ହେଲା ସହର ଭିତରକୁ ନ ଗଲେ ଗ୍ରାହକ ମିଳିବେ କେଉଁଠୁ ?

 

(ଜନସାହିତ୍ୟ–ଡିସେମ୍ବର, ୧୯୬୯)

Image

 

ବକ୍ରଗତି ତର୍କଗତି

 

ଓଁ ପ୍ରଥମେ ଦେଖଇ ମାତା ସରସ୍ୱତୀ ଚିତ୍ର

 

୯।୮.....୭..... ୩।୫।୪.....୭।୨।୧

 

ଏମିତି ଏକ କ୍ରମ ସୃଷ୍ଟି କରାଯାଇପାରେ କି ? କିମ୍ବା ମୋ ଘଣ୍ଟାର ତିନୋଟି ଯାକ କଣ୍ଟା ଓଲଟି ଘୂରି ପାରିବେ କି ? ଏ ଆଣ୍ଟି କ୍ଲକ୍‌ ଓ୍ୟାଇଜ୍‌ ଗତିରେ ମୁଁ କେତେବାଟ ଫେରି ପାରିବି ?

 

[ଅଧ୍ୟାପକ ଦାସ–ଆଚ୍ଛା ଉଲ୍ଲାସ, ତୁମେ କହିଲ ଗତି ସମ୍ବନ୍ଧୀୟ ନିୁଟନଙ୍କ ୩ୟ ନିୟମଟି କ’ଣ ?

 

ଉଲ୍ଲାସ–ପ୍ରତ୍ୟେକ କାର୍ଯ୍ୟର ଏକ ବିପରୀତମୁଖୀ ସମାନ ପ୍ରତିକାର୍ଯ୍ୟ ଥାଏ ।]

 

ଯାହାସବୁ ଛାଡ଼ି ଆସିଛି ସବୁ କ’ଣ ମୋର ମନେଅଛି ? କାହାର ମନେ ଥାଇପାରେ କି-? ମୁଁ ତ ଭୁଲି ପାରୁଛି ବୋଲି ବଞ୍ଚିଛି । ନ ହେଲେ ଅନେକ ଦିନରୁ ମୋ ଖଟର ଖୁରା ଚାରିଟା ଊର୍ଦ୍ଧ୍ୱମୁଖ ହୋଇ ସାରନ୍ତାଣି ।

 

ଅର୍ଥାତ୍‌.....ଥାଉ ।

 

ସବୁ ପ୍ରତୀକକୁ ବୁଝାଇଦେଲେ ସବୁଶେଷ ।

 

୧୯୬୯।। ୧୯୬୮।। ୧୯୬୭।। ୧୯୬୬ ।। ୧୯୬୫........

 

ଡିସେମ୍ବର ।। ନଭେମ୍ବର ।। ଅକ୍ଟୋବର ।। ସେପ୍ଟେମ୍ବର......

 

୩୧ ।। ୩୦ ।। ୨୯ ।। ୨୮ ।। ୨୭ ।। ୨୬ ।। ୨୫

 

ପଦ୍ମନାଡ଼ର ସୂତା ଭଳି ଯେତେ ଲମ୍ବିଲେ ବି ଘଟନା ଓ ଗପମାନ ଛିଣ୍ଡି ଯାଆନ୍ତି । ଏଭଳି ଏକ ପର୍ଯ୍ୟାୟ ଆସି ପହଞ୍ଚେ, ଯେଉଁଠି ସମୟ ‘ସ୍ଥିର’ ହୋଇଯାଏ....ଆଲୋକର ଗତି (ପ୍ରତି ସେକେଣ୍ଡରେ ୧୮୬୩୫୨ ମାଇଲରୁ ଅଧିକ ବେଗରେ ମନକୁ ଚଉଦ ବ୍ରହ୍ମାଣ୍ଡ ବୁଲାଇ ଆଣିଲେ ମଧ୍ୟ....ମୋ ଘଣ୍ଟାର ଚକତିରେ କଣ୍ଟାମାନ ଧୀର ଗତିରେ ଚାଲୁଥାନ୍ତି ।

 

ଅନେକ ସହରର ରାସ୍ତା ଗଳି ପାହାଚ ଦ୍ୱାରବନ୍ଧ ଓ ଅନେକ ବ୍ୟକ୍ତିଙ୍କର ନାକ ନକ୍‌ସା ମଧ୍ୟ ମନେ ରହିଛି । କିନ୍ତୁ ମୋତେ ସବୁବେଳେ ଦୁଇଟି ଜୀବନ ଜିଇଁଲା ପରି ଲାଗୁଛି ।

 

୧ମ ମୋର ଅତୀତର ଜୀବନ

 

୨ୟ ମୋର ବର୍ତ୍ତମାନର ଜୀବନ

 

ଏବଂ ୩ୟ ଜୀବନ କ’ଣ ହୋଇପାରେ ?

 

ଯାହା ହେବାର ଥିଲା ତାହା ହେଲା ନାହିଁ । ଏଣୁ କ’ଣ ହେବାର ଅଛି, ତାହା ନ କହିବା ଭଲ ।

 

କଟକ ନଗରରୁ ସେ ଲେଖିଥିଲା :

 

‘‘ଆମର ବିବାହ ହେବା ଦରକାର । ମୁଁ ଅନେକ ଦିନରୁ ଭଗବାନଙ୍କୁ ମୁଣ୍ଡିଆ ମାରି ଏହାହିଁ ପ୍ରାର୍ଥନା କରୁଛି x x ତୁମେ ରାତି ବାରଟାବେଳେ ରିସର୍ଚ୍ଚ କାମ କରୁଥିବାବେଳେ ମୁଁ ତୁମକୁ ଚା’ କରି ଦେବି ।’’

 

ଯେଉଁଦିନ ଏ ଚିଠିଟି ପାଇଥିଲି, ସେଦିନ ବାହାରକୁ ବିଶେଷ ଗରମ ଜଣାପଡ଼ୁନଥିଲେ ହେଁ, ମୋ ଦିହରୁ ଝାଳ ବାହାରୁ ଥାଏ (ସମୁଦ୍ର କୂଳିଆ ସହରର ଗ୍ରୀଷ୍ମଋତୁ ଭଳି) । ସନ୍ଧ୍ୟାବେଳେ ଜଣେ ଟୋକାବୟସିଆ ଆସି କହିଲା–ନମସ୍କାର ।

 

ନମସ୍କାର

 

ସାର୍‌ ଏ ଛୁଟିରେ ଆପଣ ପୁରୀ ଯାଇଥିଲେ ?

 

ହଁ

 

ସାର୍‌ ମୁଁ ବି ଯାଇଥିଲି

 

ହଁ

 

ସାର୍‌ ପୁରୀ ଆପଣଙ୍କୁ ଭଲଲାଗେ ?

 

ହଁ

 

ସାର୍‌ ମୋତେ ବି ଭଲଲାଗେ ?

 

ତିନିଥର ‘ହଁ’ କହିସାରି ମୁଁ କ୍ଳାନ୍ତ ହୋଇପଡ଼ିଲି ।

 

କିନ୍ତୁ ସେ ନିଜର ଉଦ୍ଦେଶ୍ୟ କହିଲା–ସାର୍‌ ଆମେ ଏକ.....

 

ହଁ

 

ସାହିତ୍ୟ ଅନୁଷ୍ଠାନ କରିଛୁ

 

ହଁ

 

ଆସନ୍ତା ରବିବାର ସାର୍‌

 

ତା’ପରେ ?

 

ବାର୍ଷିକ ଉତ୍ସବ । ଆପଣ ଦୟାକରି କବିତା ପାଠୋତ୍ସବରେ ସଭାପତି

 

ମୁଁ ଏବେ କବିତା ଲେଖୁନାହିଁ

 

କିନ୍ତୁ ତା’ପରେ ମୁଁ ସଭାପତି ହେଲି ନା ନାଇଁ, ମନେ ନାହିଁ । ମୁଁ ଉତ୍ତର ଦେଲି :

 

‘‘ତୁମେ ଏତେ ବେଶୀ ରୁଗ୍‌ଣ (।) ହୋଇପଡ଼ିଛ ବୋଲି ମୁଁ ଜାଣିନଥିଲି । ମୂଳରୁ ଜାଣିନଥିଲି । ମୂଳରୁ ଜାଣିନଥିଲି ମୋ ଭିତରେ ଦୀର୍ଘ ଚବିଶ ବର୍ଷର ମଇଳା..... ଏବଂ ଏଇ ମଇଳା ଯୋଗୁଁ ହିଁ ମୁଁ ସମସ୍ତଙ୍କଠାରୁ ଦୂରେଇ ଯିବାକୁ ଚାହୁଁଛି ।

 

ହଁ–ତୁମଠାରୁ ମଧ୍ୟ ।

 

ଏକା ଏକା ରହିଯିବି ।

 

କ୍ଷତି କ’ଣ ?

 

ଏକାକୀ ହେବାରେ କିଛି ଆଶ୍ୱସ୍ତି ଯେ, ‘ଦୀର୍ଘଦିନ ଏକା ଏକା’ ଏବଂ ମୁଁ ନିଜେ ନିଜର ଚୌକିଦାର । ମୁଁ ଜାଣେ ଯେ ପରିଣୟ ଜନିତ ବନ୍ଧନ ସୃଷ୍ଟସମ୍ବନ୍ଧର ଗଣ୍ଠିଟା ସବୁବେଳେ ଢିଲା ।

 

ଅଥଚ ବେଳେବେଳେ କଦବା ଏବଂ ତଥାପି କିନ୍ତୁ ବରଂ

 

ଏମିତି ମନେହୁଏ ଯେ, କିଏ ଜାଣେ....

 

ନା ଥାଉ ।

 

କିନ୍ତୁ ନିଜକୁ ବ୍ୟାପକ କରି ନ ପାରିଲେ ଜୀନଟା ଯେ ଅର୍ଥହୀନ ହୋଇପଡ଼ିବ ! ‘ତୁ–ମୁଁ’ର ସମ୍ବନ୍ଧଠାରୁ ‘ମୁଁ–ସେମାନେ’ର ସମ୍ବନ୍ଧ ଅଧିକ ଗୁରୁତ୍ୱପୂର୍ଣ୍ଣ ?

 

(ହେ ପ୍ରିୟ ସମ୍ପାଦକ । ମନେ ରଖିବାରେ କାଲି କାଗଜରେ ଦେବେ କି ଖବରତକ ?)

 

ହରିଜନ ମହିଳାଙ୍କ ମୃତ୍ୟୁ ଶିଶୁ ପ୍ରସବ ପରେ.... ତାଙ୍କ ଗର୍ଭାଶୟ ଭିତରୁ ତୁଳା ଓ କନା ବାହାରିଛି ।

 

ଯୁବକ ନିରୁଦ୍ଧିଷ୍ଟ ଆଣିଦେବା ବ୍ୟକ୍ତିମାନଙ୍କୁ ୧୪୫ ଟଙ୍କା ପୁରସ୍କାର ଦିଆଯିବ ଗତ ୨୧ ତାରିଖରୁ....

 

ମୂଳରୁ ମୁଁ ତା’ର ସ୍କିମ୍‌ ଦେହଟାକୁ ଧରିନେଇଥିଲି ଏକ ପାଠାଗାର ବୋଲି, ଏବଂ ଏଥିପାଇଁ ନା39 ମୋତେ ଅଦିନରେ ଚଶମା ପିନ୍ଧିବାକୁ ପଡ଼ିଥିଲା । କୀଟଭୁକ୍ତ ଅନେକ ପୃଷ୍ଠାକୁ ମୁଁ ପୂର୍ଣ୍ଣ କରିଥିଲି ନିଜର ମନ୍ତବ୍ୟଦେଇ । ଆଉ ଆବଶ୍ୟକତାର ଚାପରେ ପଡ଼ି ଚିରିଦେଇଥିଲି ଅନେକ ଛବିଯୁକ୍ତ ବର୍ଣ୍ଣିଳ ପୃଷ୍ଠା । ଏ ମଝିରେ ମୋର କ’ଣ ହୋଇଯାଇଥିଲା କି ?

 

Yes what had happened to me ? yes.

 

କରତର ତୀକ୍ଷ୍‌ଣ ଦାନ୍ତ ପରି ଲହଲହ ଅଗ୍ନିଶିଖା । ଓଃ

 

ଜଳିଯାଇ ଖାର ପାଲଟି ଯିବାର ଯେଉଁ ଅନୁଭବ !

 

କେତେ ଉତ୍ତପ୍ତ, କେତେ ବିସ୍ତୀର୍ଣ୍ଣ !

 

ଏଠି କୌଣସି ସୀମା ସରହଦ ନାଇଁ ହେ !

 

ବାଇନୋକୁଳରର ଦୃଷ୍ଟି ବିଭ୍ରମ । ଯେମିତି ଅଗଣ୍ୟ

 

ଆଲୋକର ସଁବାଳୁଆ ! ରକ୍ଷାକର

 

ସେ ଥିଲେ କହିଥାନ୍ତା :

 

‘‘ଏଗୁରା, ଛି, ଖା’ନା କହୁଛି । ଏଗୁରା ବିଷ । କଲିଜା ଜଳିଯିବ’’

 

ସେ ନାହିଁ ମୁଁ କାଚଗ୍ଲାସ ଭିତରେ ବୁଦ୍‌ବୁଦାକାର ଫେଣ ଲକ୍ଷ୍ୟ କରିବାକୁ ଲାଗିଲି ଏବଂ ନାକ ବା ପାଟିବାଟେ ଟିକିଏ ହେଲେ ଧୂଆଁ ବାହାରକୁ ନ ଛାଡ଼ି ସିଗାରେଟ ଶୋଷିବାକୁ ଲାଗିଲି ।

 

ଯେଉଁ ମୁହୂର୍ତ୍ତମାନ, ଦୃଶ୍ୟମାନ, ଶବ୍ଦମାନ ଏମିତି ଆସି ଏଇମ୍‌ତି ଖସି ଯାଆନ୍ତି ସେମାନଙ୍କୁ ସ୍ମୃତି ବୋଲିବା ଯଥାର୍ଥ ହେବ କି ?

 

ତା’ହେଲେ ତ, ତାଙ୍କ ଘର ଅଗଣାର ଚମ୍ପାଗଛ ପାଖରେ ତା’ର ଦିହଟାକୁ ମୋ ଉପରକୁ ଆଉଜାଇ ଆଣିବା ଏକ ସ୍ମୃତି । ପୁଣି ତା’ର ତଳ ଓଠଟାକୁ ମୋ ପାଟି ଭିତରକୁ ଟାଣିଆଣିବା ମଧ୍ୟ ଏକ ସ୍ମୃତି । ଏବଂ କନ୍‌ଭୋକେସନ ପାଣ୍ଡାଲରୁ ମୋର ଓହ୍ଲାଇବା ଦେଖି ସେଇ ତରୁଣୀମାନଙ୍କର ମଧ୍ୟ ଘନ ଘନ ମାଡ଼ତାଳି ସ୍ମୃତି ।

 

କିନ୍ତୁ ତା’ ବ୍ୟତୀତ କ’ଣ ଅଛି ?

 

କେତେ ବାଟ ଫେରିବି ?

 

ମାଷ୍ଟ୍ରେ କହିଥିଲେ–‘‘ପଛକୁ ନେଉଟି ଚାହିଁବା.... ଓ .... ବୁଢ଼େଇ ଯିବା ମଧ୍ୟରେ କିଛି ଫରକ ନାଇଁରେ ବାପା । ପଞ୍ଚମରେ ଭଲ ହୋଇନଥିଲା ବୋଲି ସପ୍ତମରେ ଭଲହବ ନାଇଁ ! ଏକଥା କିଏସେ କହିଲା ? ଚାଲ୍‌ ଚାଲ୍‌ ମାଡ଼ି ଚାଲ୍‌ ଆଗକୁ । ପଛକୁ ବିଲ୍‌କୁଲ୍‌ ଦେଖ୍‌ନା.....’’

 

ସେଇ ବୁଢ଼ା ମାଷ୍ଟ୍ରେ ତ !

 

ଦୁଇ ହାତ ଟେକି ସ୍ପଷ୍ଟ ଭାବରେ ‘ପ୍ରଣାମ’ ଶବ୍ଦଟି ଉଚ୍ଚାରଣ କରିବାକୁ ପଡ଼ୁଥିଲା ସେତେବେଳେ । ସେ ମରିଗଣଲେଣି । ପଛରେ କିଛି ଛାଡ଼ି ଯାଇ ନାହାନ୍ତି । କେବଳ ଗୋଟିଏ ଧଳା କନାର ଛତା ।

 

ମୁଁ ଆପଣଙ୍କୁ ସ୍ମରଣ କରୁଛି ସାର୍‌ ।

 

ଆଜିକାଲି

 

କିଏ ଜାଣେ ବାଳ କାଟୁ କାଟୁ ଯଦି ଭଣ୍ଡାରିଟା କାଟି ଦିଏ ବେକ : ମୋର ସହକର୍ମୀମାନେ ଲାଇବ୍ରେରିର ପ୍ରତ୍ୟେକ ଆଲମିରାରେ ଜଙ୍କଲଗା କଣ୍ଟା ବାଡ଼େଇବାର ଉପକ୍ରମ କରୁଛନ୍ତି ।

 

ବର୍ଲିନ ମେଲୋଡ଼ି, ବେବୀ ଏଲିଫେଣ୍ଟ, କମ୍‌ ସେପ୍ଟେମ୍ବର–ସବୁ ଏକା ସାଙ୍ଗରେ ବାଜି ଉଠୁଛନ୍ତି । ଟେବ୍ଲ ଉପରେ କାମୁ, ଇଲିଅଟ, ହେମିଂଓ୍ୱେ । ସବୁ ମେଲା ହୋଇ ପଡ଼ିଛନ୍ତି ।

 

ଆଖି ଆଗରେ ଅନେକ ଚିହ୍ନା ଅଚିହ୍ନା ମୁହଁ । ମୁଁ କାହାକୁ ମନେରଖି କ’ଣ ଭୁଲିବି ? କାହାକୁ ? କେତେ ବାଟ ଫେରିବି ?

 

ମୁଁ ଯାହା ପ୍ରତ୍ୟାଖ୍ୟାନ କରେ ସେମାନେ ତାକୁ ଗ୍ରହଣ କରନ୍ତି ।

 

ମୋର ତୋଟି ଭିତରେ ମେଞ୍ଚାଏ କୁହୁଡ଼ି

 

(ମୋ ଜିଭ କାଟି ସେମାନେ କୁକୁରକୁ ଖାଇବା ପାଇଁ ଦେଇ ଦେଇଛନ୍ତି । ପୋଷ୍ଟ ଅଫିସ, ଟ୍ରେଜେରୀ ଓ କଚେରି ପାଖରେ ସଶସ୍ତ୍ର ପ୍ରହରୀବର୍ଗ ନିଦରେ ଢୁଳାଉଛନ୍ତି ।)

 

ବଣରେ ଚୋର ଭୟ

 

ବଣରେ....

 

ବନ୍ଧୁକଧାରୀ ମୋତେ ପଚାରିଲା

 

କୁଆଡ଼େ ଯିବେ ?

 

ଏଇ ବଣକୁ ।

 

କାହିଁକି ?

 

ମୋତେ ବଣରେ ବୁଲିବାକୁ ଭଲଲାଗେ

 

ସହରରେ ପାର୍କ, କ୍ଲବ, ସ୍ୱିମିଂପୁଲ, ସିନେମା ସବୁ ଅଛି । ସେଠି ବୁଲିବ ଯାଅ ।

 

ଆଉ ଏଠି ?

 

ଏଠି କିଛି ନାହିଁ

 

ଏଠି କାହାକୁ ଜଗିଛ ?

 

ସେ କଥା ସରକାରକୁ ପଚାରିବ । ଯାଅ ବଣରେ ଚୋରଭୟ । ସହରରେ ବୋମାଭୟ-। ସାହିରେ ସାମ୍ପ୍ରଦାୟିକତା । ଘରେ ନିଦ ।

 

କିନ୍ତୁ ଶୋଇପଡ଼ିଲେ ଚଳିବ କି ?

 

ଶୋଇପଡ଼ିଲେ ସ୍ୱପ୍ନର ଗତି ଦ୍ରୁତ ହୋଇପଡ଼ିବ–ଶବ୍ଦମାନ ଅର୍ଥହୀନ ହୋଇପଡ଼ିବେ । ବିମ୍ବମାନ ଫୁଟି ଉଠିବେ ।

 

ନିର୍ଜନ ମନେ ହେବ । କିନ୍ତୁ ଦର୍ପଣରେ ଚେହେରା ଦେଖିଲେ.....

 

ରକ୍ତାକ୍ତ ଦୁଇଟି ଆଖି.....କୃଷ୍ଣଚୂଡ଼ା, କୁଷ୍ଠଗ୍ରସ୍ତ ଅଙ୍ଗୁଳି, ମଦ୍ୟପର ଆଖି, ଲାଲବଇ ରଖ ।

 

ପୁଣି ଥରେ ଜଳି ଉଠିବ–ଜାତି ଉଠିବ । ଓ କିଏ ଜାଣେ

 

ମୁଁ ହୁଏତ

 

ମୁଁ ହୁଏତ

 

ମୁଁ : (ହୁଏତ ଚିତ୍କାର କରିଉଠିବି) ଏକ ଆତତାୟୀ

 

ମୋର ଚେହେରାର ପଛ ପାଖରେ ଅନ୍ୟ ଏକ ଚେହେରା । ତା’ ପଛରେ ଅନ୍ୟ ଏକ ଚେହେରା । ବୃତ୍ତ ଭିତରେ ବୃତ୍ତ ଭିତରେ ବୃତ୍ତ ଭିତରେ ବୃତ୍ତ ଭିତରେ ବିନ୍ଦୁ ।

 

ମୁଁ ସେଇ ବିନ୍ଦୁ କି ? ମୁଁ କାହାର କେନ୍ଦ୍ର ? ମୁଁ କି ନିଜେ ନିଜର ପରିଧି ?

 

ମୁଁ କି ନିଜେ ନିଜ ଶବ ? ନିଜ ପ୍ରେତ ? ନିଜ ସ୍ମୃତି ? ସେ ଲେଖିଥିଲା :

 

‘‘ବିବର୍ତ୍ତନକୁ ଆଉ ପାଦେ ବଢ଼େଇ ନେଲେ

 

ଆମେ କ’ଣ ହେବା ଜାଣିଛ ?’’

 

ମୁଁ କହିଥିଲି

 

‘‘ତିନି ।’’

 

ସେ ହସିଥିଲା ଓ ହସି ଲୋଟି ଯାଇଥିଲା । ସେତେବେଳେ ପ୍ରଚୁର ବର୍ଷା ପବନ । ଲାଇଟ ଲିଭିଗଲା । ମିଛୁଆ ରେଡ଼ିଓଟା ନୀରବ । ପଙ୍ଖାର ଘୂର୍ଣ୍ଣନ ବନ୍ଦ । ଓ ଠିକ୍‌ ସେତେବେଳେ

 

......ନା ଥାଉ । ସବୁକଥା କହିଦେଲେ

 

ସବୁ ଶେଷ ।।

 

(ବେଳା–ଜାନୁଆରୀ, ୧୯୭୦)

Image

 

ଆର୍କିଓଲଜିଷ୍ଟ

 

ସମୟ ସହିତ ସାଲିସ କରି ଏକ ଯାନ୍ତ୍ରିକ ଢଙ୍ଗରେ ପାଦ ମିଳାଇବାର ଆବଶ୍ୟକତା ନାହିଁ । ବଜାର ଦର ଓ ସମ୍ବାଦପତ୍ରମାନଙ୍କର ରଜନୀତି ସହିତ ସମ୍ପର୍କ ନାହିଁ ।

 

ସେମାନେ ପ୍ରତ୍ୟେକ ସହରରେ ରହି ରହି ପୁରୁଣା ନଥିପତ୍ର ଘାଣ୍ଟନ୍ତି । ପ୍ରାଚୀନ କୋଠାମାନଙ୍କରେ ପଶି ଜୀବନର ଅସ୍ତିତ୍ୱକୁ ଶୁଙ୍ଘି ଖୋଜନ୍ତି, ଚା’ ଖାଉ ଖାଉ ପଙ୍ଖାର ଗୋଲ ଚକଚକିଆ ଚକ୍‌ତିରେ ମୁହଁ ଦେଖନ୍ତି, ବୁଝିପାରନ୍ତି ନାହିଁ ଯେ ଘୂର୍ଣ୍ଣନ ନୁହେଁ, ପ୍ରକୃତରେ ପ୍ରବହମାନତାହିଁ ଜୀବନ ।

 

ଭାଙ୍ଗିପଡ଼ୁଥିବା ମନ୍ଦିର ଗାତ୍ରର ଅସ୍ପଷ୍ଟ ଲିପି ଓ ଚିତ୍ରକୁ କାମେରାରେ ଧରିନେଇ, ଅନ୍ଧାରୁଆ ଗୁମ୍ପା ଭିତରେ ମସାଲ ଜାଳି ଚିତ୍ରମାନଙ୍କର ନକଲ ଉତ୍ତାରି ନିଅନ୍ତି । କୋଣାର୍କ-ନାରୀ ସ୍ତନର ଗୋଲେଇକୁ ଫିତାଧରି ମାପନ୍ତି କିମ୍ବା ମହେଞ୍ଜୋଦାରୋର ସ୍ନାନକୁଣ୍ଡ ପାଖରେ ବସି ସିଗାରେଟ ଖାଆନ୍ତି ଓ ଅର୍ଦ୍ଧନଗ୍ନ ନାରୀମାନଙ୍କର କଳ୍ପନା କରନ୍ତି ।

 

ସେମାନେ ସମୁଦ୍ରକୁ ଘୃଣା କରନ୍ତି, କଅଁଳ ଚାରା ଦେହରୁ ପତ୍ର ଛିଣ୍ଡାଇବାକୁ, ନାରୀ ଛବିରେ ନିଶ ଓ ପୁରୁଷ ଛବିରେ ସ୍ତନ ଆଙ୍କିବାକୁ ଭଲପାଆନ୍ତି ।

 

ସିନେମା କ୍ୱଚିତ୍ ଦେଖନ୍ତି–କିନ୍ତୁ ସିନେମାର ହୃଷ୍ଟପୁଷ୍ଟ ଘୋଡ଼ାମାନଙ୍କୁ ଦେଖି ପ୍ରଶଂସା କରନ୍ତି ।

 

ସେଦିନ ହଠାତ୍‌ ସେମାନଙ୍କ ମେଳରେ ଅନୁପମକୁ ଦେଖି ବିକାଶ ଚିତ୍କାର କରିଥିଲା–

 

Hi, you are there D’you recognise me ?

 

ଅନୁପମ ଦଉଡ଼ି ଆସିଥିଲା । ବିକାଶକୁ ଆଲିଙ୍ଗନ କରି କହିଥିଲା–ବହୁଦିନ ପରେ ଓଡ଼ିଆ କଥା ପଦେ କହୁଛି ଭାଇ, really ଦୀର୍ଘ ବାରବର୍ଷ । ଆଚ୍ଛା ଆଜିକାଲି ତୁ କ’ଣ କରୁଛୁ ? Are you married now ?

 

ଦୁହେଁ ଏକା ସାଙ୍ଗରେ ପଢ଼ୁଥିଲେ, କଲିକତାରେ ବିକାଶ ପଢ଼ୁଥିଲା ଓ ବାପାଙ୍କର ବ୍ୟବସାୟ ମଧ୍ୟ ଦେଖା ଚାହାଁ କରୁଥିଲା । ସେତେବେଳେ ଅନୁପମ ସବୁଥିରେ ପ୍ରଥମ ହେଉଥିଲା ।

 

ଏମାନଙ୍କଠାରୁ ବିଚ୍ଛିନ୍ନ ହୋଇ ପଡ଼ିଥିବା ସେଇ ବିଦେଶୀ ତରୁଣ ତରୁଣୀ ଦଳ ନିକଟକୁ ଯାଇ ଅନୁପମ ପୁଣି କହିଲା ଏମାନେ ସବୁ ମୋର ସହକର୍ମୀ । ଆମେ ଖବର ପାଇଛୁ ଏଠି ନୃସିଂହନାଥ ପାଖରେ ବୌଦ୍ଧକୀର୍ତ୍ତିର ଧ୍ୱଂସାବଶେଷ ରହିଛି । ସେ ବିଷୟରେ Study ଦରକାର । ତେଣୁ.... ଏବଂ ଇଏ ହେଉଛନ୍ତି ମୋର ସତୀର୍ଥ–ବନ୍ଧୁ ବିକାଶ ଚୌଧୁରୀ । ବିକାଶ ହାତ ଟେକିଲା–ନମସ୍କାର ।

 

ନମସ୍କାର ।

 

ନମସ୍ତେ । ନୋ-ମୋସ୍‌ ଟେ ।

 

Glad to meet you

 

Good Day

 

How d’ you do ?

 

ଏମିତି ଅନେକ ସ୍ୱରର ପ୍ରସ୍ଥାନ ପରେ ଅନୁପମ ପୁଣି ପଚାରିଲା–ଆଉ ସବୁ ?

 

ବିକାଶ ହସିଲା–ମୋର ଆଉ କ’ଣ ଭାଇ ? ଚାଲିଛି ଏକ ରକମ । ହଉ ଚାଲ ।

 

ସମସ୍ତଙ୍କୁ ହୋଟେଲ ଭିତରକୁ ଡାକି ନେଇ ବିକାଶ ସତ୍କାର କରିଥିଲା । ପୁଣି କେବେ ସୁବିଧା ହେଲେ ଆସିବାକୁ କହି ଅନୁପମକୁ ଟୁରିଷ୍ଟ ବସ୍‌ ନିକଟରେ ହାତ ହଲାଇ ବିଦାୟ ଦେଇଥିଲା ।

 

କିଛି ଦିନ ପରେ ଅନୁପମ ବିକାଶ ପାଖକୁ ଖଣ୍ଡେ ଚିଠିରେ ଲେଖିଥିଲା–ନୃସିଂହନାଥ ଓ ଅଞ୍ଚଳରେ ବିଶେଷ କିଛି ମିଳିଲା ନାହିଁ । ଏ ମାସ ଶେଷ ସପ୍ତାହରେ ମୁଁ କାଲିଫୋର୍ନିଆ ଫେରି ଯାଉଛି । ସେଠୁ ପୁଣି ଲେଖିବି ।

 

ସେଦିନ ରବିବାର । ହୀରାକୁଦ ଡାଇକ୍ ଉପରୁ ବିକାଶ ଚାହିଁଲା । ନିସ୍ତରଙ୍ଗ ଜଳର ଫର୍ଦ୍ଦଭିତରୁ କେତୋଟି ପୁରୁଣା ମନ୍ଦିରର ଶୀର୍ଷ ଓ କୋଠାଘରର ଉପରମହଲା ମୁଣ୍ଡଟେକି ଠିଆ ହୋଇଛନ୍ତି । ମଣିଷ ଜାଣିଜାଣି ଏଇ ଘର ଓ ମନ୍ଦିର ସବୁ ପାଣିରେ ବୁଡ଼େଇ ଦେଇଛି । ପୁଣି କେବେ ଦିନେ ସେସବୁ ଜଳ ଗର୍ଭରୁ ଉଦ୍ଧାର କରି କହିବ ମୁଁ ପ୍ରତ୍ନତତ୍ତ୍ୱବିଦ୍‌ ।

 

ବିକାଶ ହସିଲା ଓ କାର୍‌ ଡ୍ରାଇଭ କରି ଫେରିଲା । ଏଥର ତା’ର ହସ ନିରର୍ଥକ ନୁହେଁ । ରବିବାର ଦିନମାନଙ୍କରେ ସହରର ବାହରକୁ ଯିବା ବିକାଶର ଏକ ପୁରୁଣା ଅଭ୍ୟାସ । ଏତେ ଚାପ ସତ୍ତ୍ୱେ ଓ ଏ ଅଭ୍ୟାସଟା ଦେହରୁ ଯାଇନି । ହୀରାକୁଦ କୂଳର ଲଙ୍ଗଳା କେଉଟ ପିଲାମାନଙ୍କୁ ପାଖରେ ବସାଇ ସେ ଗପେ । ବିବର୍ତ୍ତନବାଦ ଓ ଦଶ ଅବତାରର କଥା ଗପେ । କହେ–ପ୍ରଥମେ ମାଛ ଥିଲା, କେବଳ ମାଛ । ତା’ପରେ କଇଁଚ ଓ ତା’ପରେ... ଏହାହିଁ ଜୀବନର ଆଦିସ୍ୱରୂପ.... ଜୟ ଜଗଦୀଶ ହରେ ।

 

ପିଲାମାନେ ଆଦିଅନ୍ତ ନ ବୁଝିଲେ ବି ତା’ର ସବୁକଥା ଆଗ୍ରହରେ ଶୁଣନ୍ତି । ତା’ର କାର୍‍ ଠେଲନ୍ତି । ପକେଟରେ ସମସ୍ତ ରେଜା ପଇସା ସେମାନଙ୍କ ମଧ୍ୟରେ ବାଣ୍ଟିଦେଇ ବିକାଶ ଫେରେ । ଯେତେବେଳେ କୁଡ଼ିଆମାନଙ୍କରୁ ଶୁଖୁଆ ପୋଡ଼ାର ଗନ୍ଧ ଭାସିଆସି ସନ୍ଧ୍ୟାର ଅନ୍ଧାରରେ ଚହଲି ଯାଏ ସେତେବେଳେ ପିଲାମାନଙ୍କର ପିଠି ଥାପୁଡ଼ାଇ ବିକାଶ ଫେରେ ।

 

ବିକାଶ ପକ୍ଷରେ କେଉଟୁଣୀମାନଙ୍କ ଦେହର ଆମିଷ ଗନ୍ଧ ବରଦାସ୍ତ କରିବା ହୁଏତ ସହଜ; ମାତ୍ର ଶୁଖୁଆ ପୋଡ଼ାର ଗନ୍ଧ ? ସେ ଭାବେ–ସଦ୍ୟ ମୃତ ମାଛ ଓ ଶୁଖୁଆ ମଧ୍ୟରେ ଯେତିକି ତଫାତ୍‌, ଶୁଖୁଆ ଓ ଫସିଲ ହୋଇସାରିଥିବା ମାଛ ମଧ୍ୟରେ ଓଃ ନା ନା, ଥାଉ ମୁଁ ତ ଆଉ ଅନୁପମ ଭଳି ପ୍ରତ୍ନତତ୍ତ୍ୱବିଦ୍‌ ନୁହେଁ । ତଥାପି ମାଙ୍କଡ଼ ପରେ ଯଦି ମଣିଷ ତେବେ ମଣିଷ ପରେ ? ନିଜ ଭିତରେ ଯଦି ଗୁଡ଼େଇ ତୁଡ଼େଇ ହୋଇ ବିକାଶ ନିଜ କାର୍‌ର ଆଇନାରେ ନିଜକୁ ପଚାରେ–ବିବର୍ତ୍ତନଟା କ’ଣ ଏଇଠି ଶେଷ ହୋଇଗଲା ?

 

ଅନୁପମ କହୁଥିଲା–ଆମ କଥା ତୁ ବୁଝିପାରିବୁ ନାହିଁ । ସାଧାରଣ ଲୋକେ ବୁଝିପାରିବେ ନାହିଁ । କୌଣସି ନୂତନ ପଦାର୍ଥରେ ଆମର ଆଗ୍ରହ ନାହିଁ । ପ୍ରାଚୀନ ପଦାର୍ଥର ନୂତନ ମୂଲ୍ୟାୟନ ଓ ତତ୍ତ୍ୱବ୍ୟାଖ୍ୟାହିଁ ଆମର ଧ୍ୟେୟ । ତୁ ତୋର ଖଣି କାରଖାନା ଚଳା । ଏସବୁ କଥାରେ ତୋର ମୁଣ୍ଡ ଖେଳାଇ ଲାଭ କ’ଣ ?

 

ରବିବାର ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ସକାଳ ସାରା ଉପରମହଲାର ବାରଣ୍ଡାରେ ବସି ବିକାଶ ଚିଠିପତ୍ର ଘାଣ୍ଟେ, କାଗଜପତ୍ର ଦେଖେ, ହିସାବ ତନଖି ଓ ଜରୁରୀ ଟେଲିଫୋନ୍‍ କରେ । ସେଦିନ ବାରଣ୍ଡାର ବାଡ଼ରେ ଆଉଜି ବିକାଶ ଲକ୍ଷ୍ୟ କରୁଥିଲା, ଲନ୍‌କୁ । ଲ’ନ ଦେହର ଘାସ ସବୁକୁ ସମାନ କରୁଥିଲା ମାଳୀ ବୁଢ଼ା । ବିକାଶ କାଶିଲା ।

 

ମାଳୀ ବୁଢ଼ା ଭାବିଲା, ବାବୁ ବୋଧେ ତାକୁ ଡାକୁଛନ୍ତି । ଉପରକୁ ଚାହିଁ କହିଲା–ଆଜ୍ଞା ।

 

ଏଇ ‘ଆଜ୍ଞା’ ଶବ୍ଦଟା ମାଳୀ ବୁଢ଼ାର ପାକୁଆ ପାଟିରେ ଉଚ୍ଚାରିତ ହେଲେ ‘ଆଜ୍ଞ’ ଭଳି ଶୁଭେ । ବିକାଶ ହସି ହସି ଭାବିଲା ସେ ଅଜ୍ଞ ନୁହେଁ ତ ଆଉ କ’ଣ ? ଗଦାଏ ଟଙ୍କା ବ୍ୟାଙ୍କରେ ଅଛି ସିନା....ସେ ତ ଅନୁପମ ଭଳି ପ୍ରତ୍ନତତ୍ତ୍ୱବିଦ୍‌ ନୁହେଁ, ରଞ୍ଜନ ଭଳି ଡାକ୍ତର ନୁହେଁ । ଶୁଣିଛି ଏଥର ମଧୁମୟ ସାହିତ୍ୟରେ ଡକ୍ଟରେଟ କଲା । ସେ ତ ମଧୁମୟ ଭଳି ସାହିତ୍ୟିକ ମଧ୍ୟ ନୁହେଁ । ତେବେ-?

 

କିଛି ନାହିଁ–ବିକାଶ ପାଟି କଲା ।

 

ମାଳୀ ବୁଢ଼ାଟା ପୁଣି ନିଜ କାମରେ ଲାଗିଲା ।

 

ବିକାଶ ଚଉକିରେ ବସି ମୁଣ୍ଡରେ ହାତ ଦେଲା । ତାକୁ ଏଭଳି ଅବସ୍ଥାରେ ଦେଖିଲେ ତା’ର ପତ୍ନୀ ନିହାର ବ୍ୟସ୍ତ ହୋଇପଡ଼େ । ଏଥର ମଧ୍ୟ ବ୍ୟସ୍ତ ହୋଇ ପଚାରିଲା–Hello, what do’ in there.

 

ବିକାଶ ହସିଲା । ସତେ ଯେମିତି ସେ ନିଜକୁ ନିଜେ ବିଦ୍ରୂପ କରୁଛି । ଲଞ୍ଚ ପାଇଁ ତୁମକୁ ଡାକିବାକୁ ଆସି ଦେଖୁଛି ତୁମେ ମୁଣ୍ଡରେ ହାତ ଦେଇ ବସିଛ । କ’ଣ ହେଲା ତୁମର ? ନିହାର ପଚାରିଲା ।

 

ମୋ ମୁଣ୍ଡରେ କିଛି ନାହିଁ ନିହାର–ବିକାଶ କହିଲା ଏଥର ନିହାର ହସିଲା ଓ ସେ ଏତେ ଜୋରରେ ହସିଲା ଯେ, ମାଳୀ ବୁଢ଼ାଟି ନିଜର କାମଛାଡ଼ି ଉପରକୁ ଚାହିଁବାକୁ ବାଧ୍ୟ ହେଲା । ନିହାରର ଅଜନ୍ତା ଶୈଳୀର ବିପୁଳ ଖୋସା ଦେହରୁ ବାସ୍ନା ଆଘ୍ରାଣ କରି ବିକାଶ ପଚାରିଲା–ତୁମେ ବି ଆର୍କିଓଲଜି ପଢ଼ୁଛ ?

 

କାହିଁକି ?

 

ଏ ଖୋସା କେଉଁଠୁ ଶିଖିଲ ? ଏ ତ ପୂରା ଅଜନ୍ତା ଶୈଳୀ ।

 

ହଉଛାଡ଼, ଲାଞ୍ଚ ବେଳ ହେଲାଣି ଚାଲ । ତେଣେ ସବୁ ଥଣ୍ଡା ହୋଇଯିବ । ବିକାଶର ହାତ ଧରି ନିହାର ଟାଣି ନେଲା ।

 

ତା’ପରେ ସେଇ ବିରାଟ ଡାଇନିଂ ଟେବୁଲରେ କେବଳ ଦୁଇ ଜଣ । ବିକାଶ ମନ୍ତବ୍ୟ କଲା–ଆଜି ତୁମେ ଠିକ୍‌ କୋଣାର୍କର ସେଇ ନାରୀ ଭଳି ଦିଶୁଛ ଆଉ ତୁମରି ବାହୁ, ବକ୍ଷ, ଗ୍ରୀବା ମଧ୍ୟ ଠିକ୍‌ । ନିହାର କହିଲା–ଏଇ ଦିନ ବେଳଟାରେ କ’ଣ ଏମିତି ହେଉଛ ?

 

ବିକାଶ ଅଧିକ କିଛି ନ କହି ଚାମୁଚା ଚାମୁଚା କରି ସୁପ୍‌ ଖାଇବାରେ ଲାଗିଲା ।

 

କିନ୍ତୁ କୁଆଡ଼େ ଗଲେ ବାକିମାନେ । ତା’ର ବାପା, ବୋଉ, ଭାଇ, ଭଉଣୀ ?

 

ବିକାଶ କାନ୍ଥକୁ ଚାହିଁଲା, ନୀଳ ପେଣ୍ଟକରା ସେଇ ବିରାଟ କାନ୍ଥରେ ଏକ ଗ୍ରୁପ୍ ଫଟୋଗ୍ରାଫ୍‍.... ଚିତାଗ୍ନି ଭଳି ବା ଅସ୍ତମାନ ସୂର୍ଯ୍ୟ ଭଳି ଜଳୁଛି । ଅସ୍ତମାନ ସୂର୍ଯ୍ୟଟିକୁ ପଶ୍ଚିମ ଦିଗନ୍ତରୁ ଓଟାରି ଆଣିବା ଆଦୌ ସହଜ ନୁହେଁ । ବିକାଶ ଆଉ ସେ ଫଟୋଟିକୁ ଚାହିଁପାରିଲା ନାହିଁ-। ଫଟୋରେ ତା’ର ବାପା, ବୋଉ, ଭାଇ ଓ ଭଉଣୀଙ୍କୁ ଦେଖି ତା’ର ସ୍ମୃତିର ତରଙ୍ଗ ଚଞ୍ଚଳ ହୋଇଉଠିଲା । ମନେପଡ଼ିଲା.....

 

......ସାତ ବର୍ଷ ତଳେ । ଜୁନ ମାସ । ଚେଞ୍ଜ୍‌ପାଇଁ ସେମାନେ ଯାଇଥାନ୍ତି ମସୁରୀ । ଏକ ମାସ୍କ ବଫେରେ ସେ ପ୍ରଥମେ ଭେଟିଥିଲା ନିହାରକୁ । ଏହି ଭେଟରୁ କ୍ରମେ ଆତ୍ମୀୟତା ଓ ପ୍ରେମ ଜାଗ୍ରତ ହୋଇଥିଲା । ଯେଉଁଦିନ ଫେରିବା କଥା ସେଦିନ ବିକାଶ କହିଥିଲା–ମୋର ତ ଛୁଟି ସରିନି, ତୁମେ ସମସ୍ତେ ଯାଅ, ମୁଁ ଆଉ ସପ୍ତାହ ପରେ ଯିବି । ଏଠି ମୋତେ ଭଲ ଲାଗୁଛି ।

 

ବିକାଶର ବଡ଼ ଭାଇ ପ୍ରକାଶ ସବୁ ଜାଣିଥିଲେ । ନିହାର ତାଙ୍କ ମନକୁ ପାଇଥିଲା, ବାପା ଓ ବୋଉଙ୍କ ମନକୁ ମଧ୍ୟ ପାଇଥିଲା । ନିହାର ଭଳିଆ ଝିଅ କାହା ମନକୁ ବା ପାଇବ ନାହିଁ ? ସାନ ଭଉଣୀ ତରୁ ତ ନିହାରକୁ ‘ଭାଉଜ’ ଡାକିବା ଆରମ୍ଭ କରି ଦେଇଥିଲା ।

 

ତେଣୁ ସେମାନେ ବିକାଶକୁ ନିହାର ସହ ଅଧିକ ମିଳାମିଶାର ସୁଯୋଗ ଦେଇ ଫେରିଥିଲେ, କିନ୍ତୁ ବିକାଶ ତ ଜମାରୁ ଜାଣିନଥିଲା ଯେ, ସେମାନେ ଯେଉଁ କାରରେ ଫେରୁଥିଲେ, ସେଇ କାର୍‌ଟା ଶେଷରେ ତିନିଶହ ଫୁଟ ରାସ୍ତା ଉପରୁ ପାହାଡ଼ ତଳକୁ ଖସି ପଡ଼ିବ । ସେଦିନ ରାତିରେ ବିକାଶ ଖବର ପାଇଥିଲା ଯେ, ଏକ ବିପଦଜନକ ମୋଡ଼ ବୁଲୁବୁଲୁ କାର୍‍ଟା ଖସି ପଡ଼ି ନିଶ୍ଚିହ୍ନ ହୋଇଯାଇଛି । ଏ କେଉଁ ମୋଡ଼, ଏ କେଉଁ ବୁଲାଣି ? ବିକାଶ ଅନେକ ଚିନ୍ତା କରିଥିଲା । ତକିଆ ଚାଦର ଓଦା କରି, ସେ ଅନେକ ଲୁହ ଢାଳିଥିଲା ।

 

ବିକାଶର ଭାଉଜ ପ୍ରକାଶର ପତ୍ନୀ । ଦୁଇ ବର୍ଷ ତଳେ ସାମାନ୍ୟ କାରଣରୁ ବିଷ ଖାଇ ଆତ୍ମହତ୍ୟା କରିଥିଲେ । ତା’ପରେ ପ୍ରକାଶ ଦୀର୍ଘ ଦିନ ଧରି ଅନ୍ୟମନସ୍କ ରହୁଥିଲେ । ଭବିଷ୍ୟତରେ ଆଉ କେବେ ବିବାହ କରିବେ ନାହିଁ ବୋଲି ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଏବଂ ଏଥର..... ସେ ନିଜେ ଡ୍ରାଇଭ୍‌ କରୁଥିଲେ । ତା’ହେଲେ ?

 

ବିକାଶର ମୁଣ୍ଡ ଝିମ୍ ଝିମ୍‌ କଲା । ସବୁଆଡ଼େ ଖାଲି ଅନ୍ଧାର...ଜଘନ୍ୟ ଅନ୍ଧାର । କିନ୍ତୁ ସେଇ ମୁହୂର୍ତ୍ତରେ ଆଲୋକର ବାର୍ତ୍ତା ଘେନି ଯେଉଁ ତରୁଣୀଟି ତାକୁ ସାନ୍ତ୍ୱନା ଦେବାକୁ ଆସିଥିଲା; ସିଏ ଶେଷକୁ ଚୌଧୁରୀ ବଂଶର କୁଳବଧୂ ପାଲାଟି ଗଲା । ତା’ର ମାର୍ବଲ ଶୁଭ୍ର କପାଳରେ ରକ୍ତ ସିନ୍ଦୂରର ଏକ ପ୍ରତୀକାତ୍ମକ ବିନ୍ଦୁକୁ ଦେଖି ବିକାଶ ଏକ ନୂତନ ସକାଳରୁ ଆଲୋକ ଅନୁଭବ କରିଥିଲା ।

 

‘‘କ’ଣ ସିଆଡ଼େ ଚାହିଁଛ ?’’ ନିହାର ନୀରବତା ଭାଙ୍ଗି କହିଲା–‘‘ଏଣେ ସବୁ ଥଣ୍ଡା ହେଲାଣି ।’’ ‘‘କେବଳ ତୁମ ଲାଗିହିଁ ମୁଁ ବଞ୍ଚିଗଲି ନିହାର’’, ଏଇ ଦେଖୁନ–‘‘ବିକାଶ ସେଇ ଗୃହ ଫଟୋଗ୍ରାଫ୍ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କଲା ।’’ ତା’ ଆଖିରେ ଲୁହ । ବିକାଶ ଆଖିରୁ ନିଜର ଶାଢ଼ି କାନିରେ ଲୁହ ପୋଛି ଦେଇ ନିହାର କହିଲା–‘‘ସେଇ ଗୋଟିଏ କଥାକୁ ସବୁଦିନ ଭାବି ବସିଲେ ହେବ ?’’

 

ବିକାଶ ଟେବୁଲ୍‌ ଛାଡ଼ି ଉଠିଗଲା । ତା’ ପଛେ ପଛେ ନିହାର ମଧ୍ୟ ।

 

ଏଇ ଡାଇନିଂ ଟେବୁଲ୍‌ ଉପରେ ସେମାନେ ମନେପଡ଼ନ୍ତି । ବିକାଶ ଅନେକ ଥର ଭାବିଛି, ଫଟୋ ଖଣ୍ଡିକ କାଢ଼ିନେଇ କେଉଁ ଏକ ସିନ୍ଦୁକ ଭିତରେ ରଖିଦେବ । ମାତ୍ର ପାରିନି । ଯେଉଁ ଲୋକ ଏତେ ଜଣଙ୍କର ମିଳିତ ମୃତ୍ୟୁକୁ ବରଦାସ୍ତ କରିନେଇ ବଞ୍ଚି ରହି ପାରିଲା ସେ କ’ଣ ସେମାନଙ୍କର ସ୍ମୃତି ଅବଶେଷର ଉପସ୍ଥିତିକୁ ସହ୍ୟ କରିପାରିବ ନାହିଁ ?

 

ବିକାଶ ଓ ନିହାର ଦୁହେଁ ଫେରିଲେ ।

 

ବିକାଶ ମାଗିଲା–ଚାବିମାଳଟା ଟିକେ ଆଣ ତ ।

 

କ’ଣ କରିବ ?

 

ତୁମେ ଆଣ ତ ?

 

ଆଲବମ ଦେଖିବ ।

 

ନା ।

 

ତା’ହେଲେ ?

 

ପୁରୁଣା କାଗଜପତ୍ର ସବୁ ଦେଖିବି ।

 

କାହିଁକି ?

 

ବହୁ ଦିନରୁ ବାପାଙ୍କ ହାତଲେଖା ପଢ଼ିନି ।

 

ତୁମେ ତ ଆର୍କିଓଲଜିଷ୍ଟ ହୋଇପଡ଼ିବ ।

 

ହଁ ।

 

ନିହାର ଅଧିକ ଯୁକ୍ତି ନକରି ଅନ୍ୟ କୋଠରୀକୁ ଚାଲିଗଲା । କିନ୍ତୁ ସେ ଚାବିମାଳ ନେଇ ଫେରିବା ପୂର୍ବରୁ ଫୋନ୍‌ ବାଜି ଉଠିଲା ।

 

ସାମାନ୍ୟ ବିରକ୍ତ ହେଲେ ବି ବିକାଶ ଯାଇ ଫୋନ୍ ଟେକିଲା, ‘‘ୟେସ୍‌.... ବିକାଶ ସ୍ପିକିଂ-।’’

 

ଅନ୍ୟ ପାଖରୁ ତା’ର ଖଣି ମେନେଜର ଦୀପଙ୍କର କହୁଛି, ‘‘ନମସ୍କାର ସାର୍‌ ।’’

 

ହଁ, ନମସ୍କାର–କ’ଣ ହେଲା ?

 

ଆପଣ ଟିକେ ମାଇନ୍‌ସ ଆଡ଼କୁ ଆସନ୍ତୁ ସାର୍‌, ଦେଖିଯିବେ ।

 

ବି କ୍ଲିଅର୍‌, କ’ଣ ହୋଇଛି କୁହ ।

 

ଖଣିଭିତରୁ ସାର୍‌, କିଛି ପୁରୁଣା ଗହଣା, ଟଙ୍କା ଓ ତମ୍ବା ପାତ୍ର ମିଳିଛି ଆଉ....

 

ହଁ....ହଁ

 

ସାର୍‌ ଭଗବାନ ବୁଦ୍ଧଙ୍କର ଗୋଟିଏ ମୂର୍ତ୍ତି ମଧ୍ୟ, ସାର୍‍ ଗୋଟିଏ ସ୍ଥାନରେ କାନ୍ଥ.....

 

ମୋର ତ ମନେହୁଏ.....

 

ଆପଣ ଶୀଘ୍ର ଆସନ୍ତୁ ସାର୍‌ ।

 

ହଁ ହଁ ମୁଁ ଯାଉଛି ।

 

ଖଣି ମେନେଜରକୁ ଆଉ ଅଧିକ କିଛି କହିବାର ସୁଯୋଗ ନଦେଇ ବିକାଶ ଫୋନ୍‍ଟା ରଖିଦେଲା ଓ ଡାକିଲା, ‘‘ନିହାର୍‌ ।’’

 

‘‘ହଁ ହଁ ନେଉଛି’’, ଅନ୍ୟ କୋଠରୀରୁ ନିହାର କହିଲା–ନା ନା ଚାବି ଦରକାର ନାଇଁ । ଶୁଣ ତୁମଠି କଥା ଅଛି ।

 

ଅନ୍ୟ କୋଠରୀରୁ ଧାଇଁ ଆସି ନିହାର ପଚାରିଲା, ‘‘କ’ଣ ?’’

 

ମୁଁ ଯାଉଛି ।

 

କୁଆଡ଼େ ?

 

ଆଜି ସନ୍ଧ୍ୟା ସୁଦ୍ଧା ଫେରିବି । ମୋର କୋଟ୍‌ଟା ଆଣ ।

 

ହଁ ଯେ, କୁଆଡ଼େ ଯାଉଛ ? କିଏ ଫୋନ୍‌ କରିଥିଲା ? କ’ଣ ହେଲା ?

 

କିଛି ହେଇନି.... ବ୍ୟସ୍ତ ହ’ନା..... ଆଚ୍ଛା ମୁଁ...... ନିହାର କହିଲା, ‘‘ମୁଁ ବି ଯିବି ।’’

 

ନା,

 

ବିକାଶ ଭାବିଲା–ମୋର ସକଳ ସମ୍ପତ୍ତିର ତୁମେ ଅଧିକାରିଣୀ ସିନା, ଏବେ ମୁଁ ଯେଉଁ ବିପୁଳ ରତ୍ନଭଣ୍ଡାର ଓ ଜ୍ଞାନର ଅଧିକାରୀ ହେବାକୁ ଯାଉଛି, ତହିଁରେ ତୁମର ଭାଗ ନାହିଁ, କାହାରି ଭାଗ ନାହିଁ । ତା’ ମୋର, କେବଳ ମୋର ।

 

ବିକାଶ ତର ତର ହୋଇ ପାହାଚ ସବୁ ଓହ୍ଲାଇ ଗଲା । ତା’ର ମନ ନାଚି ଉଠୁଥାଏ । ସେ ଆନନ୍ଦରେ ପ୍ରାୟ ପାଗଳ ହୋଇପଡ଼ୁଥାଏ ।

 

କୋଟ୍‍ଟା ନେଇଯାଅ ।

 

ତଳ ପାହାଚରୁ ବିକାଶ ମନା କଲା, ‘‘ଥାଉ ।’’

 

ପୋର୍ଟିକୋରୁ କାର୍‌ ବାହାର କରି ରାସ୍ତାରେ ପହଞ୍ଚିବା ପୂର୍ବରୁ ବିକାଶ ପଛକୁ ଲେଉଟି ଦେଖିଲା, ଉପରମହଲାର ବାରଣ୍ଡାରେ ନିହାର ଏକ ମାର୍ବଲ ମୂର୍ତ୍ତି ଭଳି ଛିଡ଼ା ହୋଇଛି ।

 

ଏଇ ପ୍ରଥମ ଥର ପାଇଁ ସେ ନିହାର ନିକଟରେ ଦୁର୍ଭେଦ୍ୟ ହୋଇଛି, ଦୁର୍ବୋଧ୍ୟ45 ହୋଇଛି କାରଣ ଏଥର ସେ ଯାହା ହେବାକୁ ଯାଉଛି ତହିଁରେ ଅନ୍ୟ କାହାରି ଭାଗ ନାହିଁ ।

 

ମାଳୀ ବୁଢ଼ା ଗେଟ୍‌ ବନ୍ଦ କରି ସାରିବା ପରେ ବିକାଶ ଦେଖିଲା ତା’ ନିଜର ନେମ୍‌ ପ୍ଲେଟଟା ମଳିଚିଆ ପଡ଼ି ଆସୁଛି । ତହିଁରେ ଲେଖାଅଛି,

 

Ms/Bikash Chowdhury

 

Mine Owner and Exporters

 

କାର୍‌ର ଏକସ୍ଲେରେଟର ଚାପି ଦେଇ ବିକାଶ ମନେ ମନେ ‘ଆର୍କିଓଲିଜିଷ୍ଟ’ର ଶୁଦ୍ଧ ଇଂରାଜୀ ବନାନ୍‌ କ’ଣ ହେବ ତାହା ସ୍ମରଣ କରିବାକୁ ଲାଗିଲା ।

 

(ଅଲୋକ ଜାନୁୟାରୀ, ୧୯୭୦)

Image

 

ବୋମା, ବିଲେଇ, ଫ୍ଲୁ

 

ଏକା ସାଙ୍ଗରେ ତିନି ଲକ୍ଷ ଝିଙ୍କାରି ଡାକିଉଠିଲେ ।

 

କୌଣସି ଜିନିଷ ଭଲଭାବରେ ଦେଖାଯାଉ ନଥାଏ–ସବୁ ଫେଡ଼୍‌ ଆଉଟ୍‌ କରି ଯାଉଥାନ୍ତି, କୌଣସି ଶବ୍ଦ ସ୍ପଷ୍ଟ ଶୁଭୁ ନ ଥାଏ–ଦିନବେଳା ମିଡ଼ିଅମ୍‌ ଓ୍ୱେଭର ରେଡ଼ିଓ ଷ୍ଟେସନ ପରି, ମୁଣ୍ଡଟା ଭାରି ଭାରି ଲାଗୁଥାଏ, ଆଣ୍ଠୁଗଣ୍ଠିରେ ବଥା ଏବଂ ନାକପୁଡ଼ାରୁ ଅବିରତ ପାଣି ବୋହୁଥାଏ, ଆଖି ଦୁଇଟି ଆଲୋକର ଲୟକୁ ବରଦାସ୍ତ କରିପାରୁନଥାନ୍ତି ।

 

ତା’ପରେ ପୁଣି କାଶ । ଅନ୍ତବୁଜୁଳାଟା ହୃତ୍‌ପିଣ୍ଡସମେତ ଓଟାରି ହୋଇ ଏଇନେ ପାଟି ବାଟେ ଖସି ପଡ଼ିବ ।

 

ଗରମ ସୋରିଷ ତେଲରେ ପଞ୍ଚଫୁଟଣ ପଡ଼ିବାର ଚଡ଼ଚଡ଼ ଶବ୍ଦ ଏବଂ ବାସ୍ନା । ଷ୍ଟୋଭଟା ସଁ ସଁ ଗର୍ଜୁଛି ଭିତରେ । ଇଚ୍ଛାଥିଲା, କଥା ଦେଇଥିଲି ମଧ୍ୟ, କ୍ଲବ ଯାଇ ଅନ୍ତତଃ ଗୋଟିଏ ଗେମ୍ ବେଡ଼ମିଣ୍ଟନ୍‌ ଖେଳି ଆସିବି । ମାତ୍ର ଏ ଅବସ୍ଥାରେ ଘରେ ପଡ଼ିରହିବାକୁ ହିଁ ସ୍ଥିର କଲି ।

 

କିଛି ଟିକିଏ ପଢ଼ନ୍ତି କି ? ଟେବୁଲ ଉପରେ ଥିବା ଏକ ଅଧା ପଢ଼ା ବହିକୁ ଛୁଇଁଲି ମାତ୍ର ଆଣିପାରିଲି ନାହିଁ । କିଛି ଗୋଟାଏ ଲେଖି ପକାଇବାକୁ ମଧ୍ୟ ଇଚ୍ଛା ହେଲା । ମାତ୍ର ଆଗରେ ପ୍ୟାଡ୍‍ ଓ ହାତରେ କଲମ ଥାଇ ମଧ୍ୟ ବିଫଳ ହେଲି ।

 

ଅଦିନିଆ ବର୍ଷା ବେଳେ ଦମକାଏ ଶୀତଳ ପବନ ଭଳି ଦମକାଏ ଶୀତ ଛୁଇଁଗଲା ମୋତେ । ହାଡ଼-ଦୋହଲା, ରୁମ ଟଙ୍କୁରା ଶୀତ । ତକିଆ ତଳେ ବହୁ ଦିନରୁ ଚଉତା ହୋଇ ଥୁଆ ହୋଇଥିବା କମ୍ବଳ ଖଣ୍ଡିକ ଟାଣିଆଣି ମୁଁ ଘୋଡ଼େଇ ହୋଇପଡ଼ିଲି ଓ ତଥାପି ଉ-ହୁହୁ କରିବାରେ ଲାଗିଲି ।

 

ଭିତରୁ ନିହାର, ମୋର ପତ୍ନୀ, ଡାକିଲା–‘‘କ’ଣ ହେଲା କି ତମର ଆଜି ?’’

 

ସେ ତା’ର ରନ୍ଧାରେ ବ୍ୟସ୍ତ ଥାଏ ।

 

ମୁଁ କହିଲି–‘‘ନା, ନା, କିଛି ହେଇନି ।’’ ।

 

କିନ୍ତୁ ପ୍ରକୃତରେ କିଛି ଗୋଟାଏ ହୋଇଥିଲା ।

 

କଲିଂବେଲ ଶୁଭିଲା । ମନେହେଲା କେହି ଜଣେ ଅତି ନିଜର କେବଳ ଭଦ୍ରତା ଖାତିରରେ ଟିପ ମାରୁଛି । କିଏ ସେ ? ଦୁଇଫାଳିଆ କବାଟ ଅଧା ବନ୍ଦ ବା ଅଧା ଖୋଲାଥାଏ ।

 

ଡାକିଲି–‘‘କମ୍‌ ଇନ୍ ପ୍ଲିଜ ।’’

 

ସ୍କ୍ରିନ ଆଡ଼େଇ ପଶିଆସିଲେ ଆମର ଡାକ୍ତରବାବୁ... ଶ୍ରୀଯୁକ୍ତ ନଟବର ଗନ୍ତାୟତ ।

 

ମୋ ସ୍ତ୍ରୀର ପ୍ରଥମ ଗର୍ଭରୁ ଏକ ଷ୍ଟିଲ ବର୍ନ ଛୁଆ ଜନ୍ମ ହେବାପରେ ତା’ର ସାଧାରଣ ସ୍ୱାସ୍ଥ୍ୟ ଆଉ ଭଲ ରହିଲା ନାହିଁ । ଡେଲିଭରି ପରର ତିନି ମାସ ମଧ୍ୟରେ ସେ ସାତଥର ମୂର୍ଚ୍ଚା ଯାଇଥିଲା ଏବଂ ସେଇ ସାତଥର ଯାକ ଏଟେଣ୍ଡ କରିଥିଲେ ଶ୍ରୀଯୁକ୍ତ ଗନ୍ତାୟତ । ତା’ପରେ ବେଳେବେଳେ ଆସି ନିହାରର ହାଲ ବୁଝି ଯାଆନ୍ତି ଓ ଚା’ ଖାଇ ଯାଆନ୍ତି ।

 

X X X

 

ସେଦିନ ମୁଁ ଲେବର୍‌ ରୁମ୍‌ ସାମ୍ନାର ଲ’ନରେ ଠିଆହୋଇ ରହିଥାଏ । ଭିତରେ ସେମାନେ ହାତ ପୂରାଇ ମୋ ପତ୍ନୀ ଗର୍ଭରୁ ବାହାର କରିଆଣିଥିଲେ ଏକ ମୃତ ଶିଶୁ ।

 

‘‘ଏ ଷ୍ଟିଲ ବର୍ନ ଚାଇଲଡ୍‍’’–ନର୍ସ ମୋ ପାଖରେ ଠିଆହୋଇ ହତାଶ ଓ କ୍ଷମା ଯାଚନା ଭଙ୍ଗୀରେ କହିଥିଲେ ।

 

ସେଇ ଛୁଆଟା ପୁଅ ନା ଝିଅ ତାହା ମୁଁ ଜାଣିବାକୁ ଚାହିଁ ନ ଥିଲି ।

 

ପଚାରିଥିଲି–‘‘ନିହାର କେମିତି ଅଛି ?’’

 

ତଳକୁ ମୁହଁ କରି ନର୍ସ କହିଥିଲେ–‘‘ଏବେ କିଛି କହି ହେବନାହିଁ । ଚେତା ଫେରିନି ।’’

 

ମୁଁ ଘରକୁ ଫେରିଥିଲି । ପ୍ରଥମେ ନିହାର ବୁଣିଥିବା କୁନି କୁନି ଉଲେନ୍‌ ମୋଜାରେ ନିଆଁ ଲଗାଇଥିଲି । ତା’ପରେ ମୋର ଗାଇବାକୁ ମନ ହୋଇଥିଲା–

 

‘ମାଇ ବେବି ଇଜ୍‌ ଷ୍ଟିଲ ବର୍ନ ।

 

ଆଇ ଆମ୍‌ ଷ୍ଟିଲ ଲିଭିଂ ।’

 

ଏବଂ ଗାଇଥିଲି ମଧ୍ୟ । ଚଟାଣ ସାରା ଟେଲକମ୍‌ ପାଉଡର ବିଞ୍ଚି ଗୀତ ସାଙ୍ଗରେ ଷ୍ଟେପ୍‌ସ ମିଳାଇ ନାଚିଥିଲି ମଧ୍ୟ, ଘର୍ମାକ୍ତ ହେବାଯାଏଁ ।

 

ହସ୍ପିଟାଲରେ କିଛିଦିନ ରହି ନିହାର ଫେରିଥିଲା ।

 

ବିବର୍ଣ୍ଣ ମୁହଁ ଶେଥା ଓଠ, ମଳିଚିଆ ଆଖିପତା ।

 

କୁଆଡ଼େ ଗଲା ମୋର ପୂର୍ବର ନିହାର ?

 

ମୁଁ କେବେ ମରୁଭୂମି ଦେଖି ନାହିଁ । କିନ୍ତୁ ସଦ୍ୟ ହସ୍ପିଟାଲରୁ ଫେରିଥିବା ନିହାରକୁ ଦେଖି ମୁଁ ମରୁଭୂମି କିପରି ହୋଇଥିବ ତାହା କଳ୍ପନା କରିନେଲି ।

 

ରୁକ୍ଷ, ଶୁଖିଲା, ଶୂନ୍ୟ, ଜୀବନହୀନ ।

 

ନିହାର ମଧ୍ୟ ପ୍ରାୟ ସେହିପରି;

 

ଉଦାସ, ନିରାସକ୍ତ, ସ୍ଫୂର୍ତ୍ତିହୀନ ।

 

ସେତେବେଳେ ଏଇ ଡାକ୍ତର ସାନ୍ତ୍ୱନା ଦେଲାଭଳି କହିଥିଲେ–‘‘ଆପଣ ଯୁବକ ଲୋକ । ଆଗରେ ଦୀର୍ଘ ଜୀବନ ପଡ଼ିଛି । ବ୍ୟସ୍ତ ହୁଅନ୍ତୁନି । ଉଗାଣ୍ଡାରେ ଜଣେ ବାସ୍ତରି ବର୍ଷର ପୁରୁଷ ବାପା ହୋଇପାରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ବୟସ ଛପନ ।’’ ସେ ମୋର ପିଠି ଥାପୁଡ଼ାଇ କହୁଥିଲେ–‘‘ଗୋ ଅନ୍‌, ୟଙ୍ଗମେନ !’’

 

କିନ୍ତୁ ରାତ୍ରିର ସ୍ୱଳ୍ପାନ୍ଧକାରରେ ନିହାରକୁ ଦେଖିଲେ ମୋ ମନରେ ଉତ୍ତେଜନା ନୁହେଁ, ଦୟା ଓ କରୁଣା ଜାଗ୍ରତ ହେଉଥିଲା । ତା’ର କେଶରେ ଆଙ୍ଗୁଳି ସଞ୍ଚାଳନ କରିବା ବା ପିଠି ଥାପୁଡ଼ାଇବା ବ୍ୟତୀତ ଅନ୍ୟ କିଛି ଅଧିକ କରିଥିଲେ ମୁଁ ନିଜେ ପଶୁ ହୋଇଯାଉଛି ବୋଲି ମନେ ହୋଇଥାନ୍ତା ।

 

ତା’ପରେ ଅନେକ ପ୍ରକାର ଔଷଧ, ଟନିକ ଓ ଭିଟାମିନ୍‌ ଗନ୍ଧରେ ମୋର ଘର ଉଛୁଳି ପଡ଼ିଲା । ଦିନେ ଏଇ ଘରେ ଚହଲୁଥିଲା ଧୂପ ଓ ସିନ୍ଥେଟିକ୍ ଅତରର ବାସ୍ନା ।

 

ମାତ୍ର ତେଇଶ ବର୍ଷ ବୟସରୁ ତା’ର ଏଭଳି ହୋଇଯିବା ଦେଖି ମୁଁ ତାକୁ କିଭଳି ଭାବରେ ଓ କେଉଁ ଭାଷାରେ ସାନ୍ତ୍ୱନା ଦେବି ବୁଝିପାରିଲି ନାହିଁ । ତା’ର ଔଷଧ-ସେବନ ନିୟମିତ ଚାଲିଥାଏ । ମାତ୍ର କୌଣସି ବିଶେଷ ଫଳ ଦୃଷ୍ଟିଗୋଚର ହେଉନଥାଏ । ମୁଁ ଅନେକ ଥର ଚେଷ୍ଟା କରି ମଧ୍ୟ ଥରକ ପାଇଁ ହେଲେ ତାକୁ ଘରୁ ବାହାରକୁ ବା ଅନ୍ୟ କାହା ଘରକୁ ଆଣିପାରିଲି ନାହିଁ । ଥିଏଟର, ସିନେମା, କ୍ଲବ, ରେସ୍ତୋରାଁ ସବୁ ବନ୍ଦ ହୋଇଗଲା ।

 

କିନ୍ତୁ କିଛି ଦିନ ଉତ୍ତାରୁ ସେ ଏଭଳି ଏକ କାମ ଆରମ୍ଭ କଲା ଯାହାଦ୍ୱାରା ତା’ର ଅଧିକାଂଶ ସମୟ ଆରାମରେ କଟିଗଲା । ନିହାର ଗୋଟେ ଧଳା ରଙ୍ଗର ବିଲେଇ ପାଳିବାକୁ ଲାଗିଲା । ବିଲେଇଟା ବଡ଼ କୁନୁମୁନିଆ–ଉଲ୍‌ ପରି କଅଁଳ, ଖଡ଼ି ପରି ତୋଫା । ତା’ ସାଙ୍ଗରେ ନିହାର ଘଣ୍ଟା ଘଣ୍ଟା ଗେଲ ହୁଏ । ତାକୁ ସାଙ୍ଗରେ ବସି ଖୁଆଏ । ତାକୁ ନିଜ ଖଟରେ ଶୁଆଏ ।

 

.....ଏବଂ ସେଇ ସାତଥର ଯାକ ଏଟେଣ୍ଡ କରିଥିଲେ ଶ୍ରୀଯୁକ୍ତ ଗନ୍ତାୟତ । ତା’ପରେ ବେଳେବେଳେ ଆସି ନିହାରର ‘ହାଲ’ ବୁଝି ଯାଆନ୍ତି ଓ ଚା’ ଖାଇ ଯାଆନ୍ତି । ମୁଁ କହିଲି–ନମସ୍କାର, ବସନ୍ତୁ ।

 

ମୋର କଣ୍ଠସ୍ୱର ଓ ମୁଖଭଙ୍ଗୀରୁ ବୋଧହୁଏ ସେ ଜାଣିଗଲେ ଯେ, ମୋର କିଛି ଗୋଟାଏ ହୋଇଛି କିମ୍ବା ହେବାକୁ ଯାଉଛି । ଚଟ୍‌କିନି ରୋଗ ଚିହ୍ନି ପକାଇବାରେ ସେ ଜଣେ ସୁଦକ୍ଷ ବଣିଆ ।

 

ଭିତରକୁ ଆସି ମୋର ଖଟ ଉପରେ ବସିପଡ଼ି ସେ ପଚାରିଲେ–‘‘କ’ଣ ହେଇଛି ?’’

 

ମୁଁ ନିଜର ଅବସ୍ଥା ଉପରେ ବିଶେଷ ଗୁରୁତ୍ୱ ନ ଦେଲା ଭଳି କହିଲି–‘‘ନା, ନା ସେମ୍‌ତି କିଛି ହେଇନି । ଏଇ ଟିକେ ସାମାନ୍ୟ ସର୍ଦି.....ମାମୁଲି ଥଣ୍ଡା ।’’

 

ସେ କହିଲେ–ନୋ ନୋ, ନିଜ ଶରୀର ସମ୍ବନ୍ଧରେ ଏତେଟା ଉଦାସୀନ, ଏତେଟା ଅବହେଳା, ନେଭର, ଆଦୌ ଠିକ୍ ନୁହେଁ । ଆଚ୍ଛା ଜିଭ କାଢ଼ିଲେ ।’’

 

ମୁଁ ଜିଭ ଦେଖାଇଲି । ତା’ପରେ ସେ ମୋର ଆଖିପତା ଟେକି ଦେଖିଲେ । ଛାତି ଓ ପିଠିରେ ଷ୍ଟେଥୋ ଲଗାଇ ଶୁଣିଲେ । ନିଃଶ୍ୱାସ ନେବାକୁ କହିଲେ । ତାପ ମାପିଲେ । ନାଡ଼ି ଚିପିଲେ-

 

ଏସବୁ ଉପଚାର ପରେ ପଚାରିଲେ–ମୁଣ୍ଡ ବିନ୍ଧୁଛି ?

 

ମୁଁ କହିଲି–‘‘ହଁ’’

 

‘‘କାଶ ହେଉଛି ?’’

 

‘‘ହଁ’’

 

‘‘ଆଖି ?’’

 

‘‘ଜଳୁଛି.... ଭୀଷଣ ।’’

 

ମୁଁ ତିନିଥର ଯାକ ସତ କହିଲି ।

 

ସବୁ ଶୁଣି ସାରି ସେ ଦଣ୍ଡେ ନୀରବ ରହିଲେ । ପରେ ଏକ ସିଦ୍ଧାନ୍ତ ଦେଲାଭଳି କହିଲେ–‘‘ଆପଣଙ୍କୁ ହଂକଂ ଫ୍ଲୁ ହୋଇଛି ।’’

 

ମୁଁ ଭାବିଲି, ‘ଫ୍ଲୁ ତ ଫ୍ଲୁ । ପୁଣି ହଂକଂ ଫ୍ଲୁ କ’ଣ?’

 

ସେ କହି ଚାଲିଲେ–‘‘ଏଇ ଫ୍ଲୁ ଯୋଗୁଁ ଏ ବର୍ଷ ଇଂଲଣ୍ଡରେ ଚାରିହଜାର ମଣିଷ ମରିଛନ୍ତି-। ବଡ଼ ସାଂଘାତିକ ଏ ରୋଗ । ଏକପ୍ରକାର ଏସିଆନ ବା ଏ-ଟୁ ଭାଇରସ ଯୋଗୁଁ....’’

 

ସେ ବାକ୍ୟ ଶେଷ କରବା ପୂର୍ବରୁ ମୁଁ ମଝିରେ ବାଧା ଦେଇ ପଚାରି ଦେଲି–‘‘ଭାଇରସର ପୁଣି ଜାତି ଥାଏ ?’’

 

ସେ କହିଲେ–‘‘ହଁ ହଁ ନିଶ୍ଚୟ....ଜାତି କାହାର ବା ନ ଥାଏ ୟଙ୍ଗମେନ୍ ? ବିଲାତି କୁକୁର ଓ ଆମର ହିନ୍ଦୁସ୍ଥାନୀ କୁତ୍ତା ଭିତରେ କେତେ ଫରକ ଲକ୍ଷ୍ୟ କରିଛନ୍ତି ? ହଲାଣ୍ଡ ଗାଈ ଓ ଆମର ଗୋମାତା ମଧ୍ୟରେ ତଫାତ୍‌.... ଆକାଶ ପାତାଳ ।’’

 

ପୁଣି ସେ ମନେପକାଇଲା ଭଳି କହିଲେ–‘‘ହଁ ଛାଡ଼ନ୍ତୁ ସେ କଥା । କ’ଣ କହୁଥିଲି କି, ଏଇ ଏସିଆନ ଭାଇରସମାନେ ମଧ୍ୟ ଅନ୍ୟ ଭାଇରସମାନଙ୍କଠାରୁ ଭିନ୍ନ । ମୋ ଜାଣିବାରେ ୧୯୧୮ କିମ୍ବା ୧୯ ବେଳକୁ ଏମାନଙ୍କର ଜନ୍ମ । ଏମାନଙ୍କ ଯୋଗୁହିଁ ହଂକଂ ଫ୍ଲୁ......’’

 

ଯାହା ଏତେବେଳେଯାଏଁ ମନେ ମନେ ଭାବୁଥିଲି ତାହା ଶେଷକୁ ସିଧା ପଚାଦେଲି–‘‘ହଁ ସେ, ଏକ ହଂକଂ ଫ୍ଲୁ ପୁଣି କ’ଣ ?’’

 

ସେ ମୋର ପିଠି ଥାପୁଡ଼ାଇଲେ ।

 

କହିଲେ–‘‘ଏତେ ସହଜ ନୁହେଁ ମାଇଁ ବୟ । ହଂକଂ ପ୍ଲୁର ବି ଏକ ଇତିହାସ ଅଛି । ୧୯୧୮-୧୯ରେ ସେ ରୋଗ ଯୋଗୁଁ ପୃଥିବୀର ଏକକୋଟି ଲୋକ ସାଫ୍‌ ହୋଇଗଲେ.... ମହାମାରୀ ହଇଜା, ବସନ୍ତ ପରି । ୧୯୫୭ରେ ଚୀନ ଏକ ଆଣବିକ ବୋମା ପରୀକ୍ଷା କଲା । ଫଳରେ ବାୟୁମଣ୍ଡଳ ଦୂଷିତ ହୋଇ ହଂକଂରେ ଏ ଭାଇରସର ଜନ୍ମ ହେଲା । ଏହା ପଳରେ ସମଗ୍ର ପୃଥିବୀରେ ଏଇ ନୂଆ ରୋଗ ପ୍ଲୁ ବା ଇନ୍‌ଫ୍ଲୁଏଞ୍ଜା ବା ହଂକଂ ଫ୍ଲୁ ଯାହା କହନ୍ତୁ ବ୍ୟାପିଗଲା ଓ ହଜାର ହଜାର ଲୋକ ମଲେ । ଆପଣଙ୍କର ମନେଅଛି ନା ନାଇଁ, ସେଥର ଆମ ରାଜ୍ୟରେ ମଧ୍ୟ ଅନେକ ଲୋକ ମରିଥିଲେ ।’’

 

ତାଙ୍କର ଏ ବକ୍ତବ୍ୟର ଐତିହାସିକ ସତ୍ୟତା ବିଷୟରେ ମୁଁ ସନ୍ଦିହାନ ଥିଲେ ହେଁ ଶୁଣିବାକୁ ବଡ଼ ମଜା ଲାଗୁଥିବାରୁ କୌଣସି ବାଧା ନ ଦେଇ ଶୁଣୁଥାଏ ।

 

କିନ୍ତୁ ହଠାତ୍‌ ସେ କହିବା ବନ୍ଦ କରି ଦେଇ ନିଜର ଚମଡ଼ା ବ୍ୟାଗ ଅଣ୍ଡାଳୁ ଅଣ୍ଡାଳୁ ମୋତେ ପଚାରିଲେ–‘‘ଅଦା ଅଛି ?’’

 

ମୁଁ ଟିକିଏ ଉଚ୍ଚସ୍ୱରରେ ଭିତରେ କାର୍ଯ୍ୟବ୍ୟସ୍ତ ନିହାରକୁ ପଚାରିଲି–‘‘ଶୁଣିଲ ନିହାର ! ଅଦା ଅଛି ?’’

 

ଭିତରୁ ନିହାର କହିଲା–‘‘ଅଛି’’

 

ମୁଁ ଡାକ୍ତରଙ୍କୁ ଜଣାଇ ଦେଲି–‘‘ଅଛି’’

 

ଡାକ୍ତର ଟିକେ ହସିଲେ । ତାଙ୍କ ପାଚିଲା ମୁଖମଣ୍ଡଳରେ କୁଞ୍ଚନ ସୃଷ୍ଟି କରି ହସିଲେ, ସାମ୍ନା ପାଟିରୁ ଭାଙ୍ଗି ଯାଇଥିବା ଦୁଇଟି ଦାନ୍ତର ଶୂନ୍ୟସ୍ଥାନ ଦେଖାଇ ହସିଲେ ।

 

ସେ ନିହାର ସହିତ ସିଧାସଳଖ କଥାବାର୍ତ୍ତା କରନ୍ତି ନାହିଁ, ଯଦିଓ ସେ ବୟସରେ ନିହାରର ବାପାଙ୍କଠାରୁ ବି ବଡ଼ ହେବେ । ମୋତେ ସବୁବେଳେ ମାଧ୍ୟମ ବନାନ୍ତି ।

 

ଡାକ୍ତରଙ୍କୁ ଆସି ଅଣଷଠି ବର୍ଷ । ଏଯାଏଁ ବାହା ହୋଇ ନାହାନ୍ତି–କଲେଜ ପଢ଼ାବେଳେ ପ୍ରେମ କରୁଥିବା ଝିଅଟି ଧୋକା ଦେଲା ବୋଲି । ତେଣୁ ବୋଧହୁଏ ତରୁଣୀମାନଙ୍କଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । x x x

 

...ତା’ ସାଙ୍ଗରେ ନିହାର ଘଣ୍ଟା ଘଣ୍ଟା ଗେଲ ହୁଏ । ତାକୁ ସାଙ୍ଗରେ ବସି ଖୁଆଏ, ତାକୁ ନିଜ ଖଟରେ ଶୁଆଏ ।

 

ଦିନେ ଦିପହରବେଳେ ମୁଁ ବସି ଲେଖାଲେଖି କରୁଥାଏ, ଶୋଇବାଘରୁ ନିହାରର ଚିତ୍କାର ଶୁଭିଲା । ମୁଁ ଲେଖା ବନ୍ଦ କରି ଭିତରକୁ ଧାଇଁଯାଇ ଦେଖେ ତ, ନିଜର ଛାତିକୁ ଦୁଇ ହାତରେ ଚାପିଧରି ସେ କାନ୍ଦୁଛି । ମୁଁ କିଛି ବୁଝିନପାରି ପଚାରିଲି–‘‘କ’ଣ ହେଲା ?’’

 

ସେ କିଛି କହିଲା ନାହିଁ । ଛାତି ଉପରେ ଶାଢ଼ି ପଣତ ଘୋଡ଼େଇ ଦେଇ ତୁନି ରହିଲା । ମାତ୍ର ତା’ର ମୁଖଭଙ୍ଗୀରୁ ସେ ଭୋଗୁଥିବା ଯନ୍ତ୍ରଣା ସ୍ପଷ୍ଟ ହୋଇଉଠୁଥାଏ ।

 

ମୁଁ ପୁଣିଥରେ ବିରକ୍ତ ହୋଇ ‘କ’ଣ ହେଲା ?’ ବୋଲି ପଚାରିବାରୁ ତା’ ଆଖିରୁ କେଇ ବିନ୍ଦୁ ଲୁହ ଖସିପଡ଼ିଲା । ଏହାପରେ ଗଭୀର ଲଜ୍ଜାରେ ଆରକ୍ତ ମୁହଁଟିକୁ ନୁଆଁଇ ଦେଇ ସେ କହିଲା–‘‘ବିଲେଇଟାକୁ କ୍ଷୀର ଖୋଉଥିଲି । କାମୁଡ଼ି ଦେଲା ।’’

 

ଏଥିରେ ମୁଁ ହସିବି ନା ତା’ ମସ୍ତିଷ୍କର ସୁସ୍ଥତାକୁ ସନ୍ଦେହ କରିବି, କିଛି ସ୍ଥିର କରିପାରିଲି ନାହିଁ । ସେ କୈଫିୟତ ଦେଲା ଭଳି କହିଲା–‘‘ମୋ ସାଙ୍ଗରେ ଶୋଉଥିଲା, ଗେଲ ହେଉଥିଲା । କେବେ କିଛି କରୁନଥିଲା ।’’

ମୁଁ ତା’ର ଶାଢ଼ି ଆଡ଼େଇ ଦେଖିଲି, ତା’ ବକ୍ଷରେ ଚାରି ପାଞ୍ଚଟା ଗଭୀର ଦନ୍ତକ୍ଷତ । ଦୁଇ ତିନିଟା ପ୍ରାନ୍ତରୁ ରକ୍ତ ମଧ୍ୟ ଝରୁଥାଏ । ତା’ରି ଶାଢ଼ି କାନିରେ ହିଁ ମୁଁ ବୋହିପଡ଼ୁଥିବା ରକ୍ତ ପୋଛି ଦେଲି ।

କିଭଳି ଏକ ସମ୍ଭାବ୍ୟ ଦୁର୍ଦ୍ଦଶାର ଚିନ୍ତାରେ ହୁଏତ ସେ ପଚାରିଲା–‘‘କିଛି ହେବ ନାଇଁ ତ-?’’

ମୁଁ ସେଠୁ ଫେରି ଆସୁ ଆସୁ ତାକୁ ଗାଳି ଦେବାକୁ ମନହେଲା । ମାତ୍ର ନିଜକୁ ସମ୍ଭାଳିନେଇ କହିଲି–‘‘କିଛି ହେବ ନାଇଁ । ତେବେ ରକ୍ତ ଯାଇଛି ଯେତେବେଳେ, ଡେଟଲ୍‍ ଟିକେ ଲଗେଇ ଦିଅ ।’’

ନିହାର କହିଲା–‘‘ତୁମେ ଲଗେଇ ଦେଉନ ?’’

ତା’ର କହିବାର ଭଙ୍ଗୀ ଓ ଉଚ୍ଚାରଣ ଏପରି ଯେ, ତାହା ମୋତେ ଏକ ଅପରିଚିତାର ରତି ଆହ୍ୱାନ ପରି ମନେହେଲା । ମୋର ମନହେଲା, ନିହାର ମୋର ପତ୍ନୀ ନୁହେଁ, ମୋର ପ୍ରେମିକା । ଏବଂ ଏ ସୁଯୋଗ ଥରେ ହାତରୁ ଖସିଗଲେ ଆଉ କେବେ ମିଳିବ ନାହିଁ । ବହୁଦିନ ପରେ ଏକ ନୂତନ ଶକ୍ତିର ଛନ୍ଦ, ଅବଦମିତ କାମନାର ସ୍ପନ୍ନଦ ଚହଲିଗଲା ମୋର ଶିରା ପ୍ରଶିରାରେ-

ମୁଁ ଲେଉଟି ଯାଇ ଅପ୍ରତ୍ୟାଶିତ ଭାବରେ ତାକୁ କୁଣ୍ଢାଇ ପକାଇଲି ଓ ତା’ର ଓଠ ଏବଂ କ୍ଷତ ବିକ୍ଷତ ବକ୍ଷରେ ବାରମ୍ବାର ଚୁମ୍ବନ ଦେବାକୁ ଲାଗିଲି ।

ଅନେକ ଗୋଲାପ ଫୁଟି ଉଠିଲା, ଆକାଶରେ ମେଘ ସନ୍ଧିରୁ ଖଣ୍ଡେ ଧନୁଭଳି ଚନ୍ଦ୍ର ବାହାରି ପଡ଼ିଲା ଓ ଶାନ୍ତ ଶୀତଳ ବାୟୁ ହିଲ୍ଲୋଳରେ ମୁଁ ଦୋହଲି ପଡ଼ିଲି ।

ସେ କହି ଚାଲିଥାଏ–ନାଇଁ ନାଇଁ ମୁଁ ମରିଯିବି । ସତରେ ।

ମାତ୍ର ମୁଁ ତା’ର କୌଣସି ବାଧା ମାନି ନ ଥିଲି ।

ଉଚ୍ଛ୍ୱାସ ନିକଟରେ ଯୁକ୍ତିର ପରାଜୟ ।

X X X

....ତେଣୁ ବୋଧହୁଏ ତରୁଣୀମାନଙ୍କଠୁଁ ଦୂରରେ ରହିବାକୁ ପସନ୍ଦ କରନ୍ତି ।

ପଚାରିଲେ–‘‘ଆଚ୍ଛା ନିହାରର ଦେହ ପା’ ?’’

ମୁଁ ଜଣାଇ ଦେଲି–‘‘ସବୁ ଠିକ୍‌ ଯେ, ଉଇକନେସ୍‌ଟା ଟିକେ ଯାଇନି । ତା’ଛଡ଼ା ଆଇ ବିଲିଭ, ସି ଇଜ୍‌ କେରିଙ୍ଗ୍‌....

ଡାକ୍ତର କହିଲେ–‘ଓଃ କନ୍‌ଗ୍ରାଚୁଲେସନ, ୟଙ୍ଗମେନ୍‌ ।’

ପୁଣି ନିଜର କଣ୍ଠସ୍ୱରରୁ ସେଇ ଗଦ୍‌ଗଦ୍‌ ଉଚ୍ଛ୍ୱାସ ଫେରାଇଆଣି ଅତି ସାଧାରଣ ଭାବରେ କହିଲେ–‘‘ଆରେ ମୁଁ ତ ଭୁଲି ଯାଇଥିଲି.... ମୁଁ ଆପଣଙ୍କୁ ଏକ ବୋମା ଦେବି ।’’

 

ମୁଁ ପଚାରିଲି–‘‘ବୋମା ?’’

 

ସେ ସାନ୍ତ୍ୱନା ଦେଲା ଭଳି କହିଲେ–‘ଡରନ୍ତୁ ନାଇଁ । ଆପଣ ସେଇ ବୋମାକୁ ଗିଳିଦେଇ କପେ ଗରମ ଚା’ ପିଇଦେବେ । ଅଦା କଥା ପଚାରୁଥିଲି ନା ? ଚା’ରେ ଟିକେ ଠେସା ଅଦା ପଡ଼ିଲେ ଭଲ । କହି ଦିଅନ୍ତୁ ।’

 

ମୁଁ ନିହାରକୁ କହିଦେଲି–‘ଶୁଣୁଚ ନିହାର ? ଡାକ୍ତରବାବୁ ଆସିଛନ୍ତି । ଠେସାଅଦା ପକେଇ ଦି’କପ୍‌ ଚା’ କରିବ ।’

 

ଡାକ୍ତର ପୁଣି କହିଲେ–‘‘ଗୋଟିଏ ବୋମା ଯୋଗୁଁ ଯେଉଁ ରୋଗର ଉତ୍ପତ୍ତି, ସେଇ ରୋଗର ବିନାଶ ପାଇଁ ମଧ୍ୟ ଏକ ବୋମା ବାହାର କରାଯାଇ ପାରେ । ଏଇ..... ’’

 

ସେ ତାଙ୍କ ଚମଡ଼ା ବେଗ ଭିତରୁ ଏକ କାଚ ଶିଶି ବାହାର କଲେ, ତହିଁରୁ ଏକ ଔଷଧ ବଟିକା ମୋ ଆଡ଼କୁ ବଢ଼ାଇଦେଇ କହିଲେ–‘‘ନିଅନ୍ତୁ ବୋମା । ରୋଗ ସାଫ୍‌ ହୋଇଯିବ ।’’

 

ଡାକ୍ତରବାବୁ ଯେପରି ନିଜେ ନିଜ ସହିତ ଆଳାପ ଆରମ୍ଭ କରିଦେଲେ–‘‘ଏଇ ପ୍ଲୁଟା ସେତେ ମାରାତ୍ମକ ନୁହେଁ । ଥରେ ଚିହ୍ନା ପଡ଼ିଗଲେ ତା’ର ପ୍ରପର୍‌ ଟ୍ରିଟମେଣ୍ଟ ଦରକାର । ଆଜିକା ଡାକ୍ତର ରୋଗ ଚିହ୍ନିପାରୁନଥିବାରୁ ସିନା ଏତେ କମ୍ପ୍ଲିକେସି ।’’

 

ତାଙ୍କର ମନୋଲଗ ଚାଲିଥାଏ । ମୁଁ ଭିତରୁ ଯାଇ ଦୁଇ କପ ଚା’ ନେଇ ଆସିଲି ।

 

ଡାକ୍ତର ହାତ ବଢ଼ାଇଲେ । ମୁଁ ତାଙ୍କୁ ଚା’ କପ୍‌ଟା ବଢ଼େଇ ଦେଲି । ସେ ଢୋକେ ପିଇଲା ପରେ ତୃପ୍ତିସୂଚକ ମୁଖଭଙ୍ଗୀ କରି କହିଲେ–‘ଆପଣ ଖାଇ ନିଅନ୍ତୁ । ମୁଁ ନିହାର ପାଇଁ ଟନିକ୍‌ ଲେଖି ଦେଉଛି । ହଁ..... ଆପଣ ଟିକେ ହସ୍ପିଟାଲ ଯାଇ ‘ସେ’ ବିଷୟରେ ସର୍ଟେନ ହୋଇଯିବା ଭଲ । ତେଣିକି ନିୟମିତ ପ୍ରି-ନାଟାଲ ବଟିକା.....’

 

ମୁଁ ବୋମା ଗିଳିଲି ।

 

ଡାକ୍ତର କହିଲେ–‘‘ୟେ ଏମିତି ରୋଗ ଯେ, ଚିକିତ୍ସା କଲେ ସପ୍ତାହକରେ ଓ କୌଣସି ଚିକିତ୍ସା ନ କଲେ ସାତ ଦିନରେ ଭଲ ହୋଇଯାଏ.....’’

 

ମୁଁ ହସିଲି । ଡାକ୍ତର ମଧ୍ୟ ।

 

ତା’ପରେ କହିଲେ–‘‘ସେ ଯାହାହେଉ, ଆପଣ ଲୁଣପାଣିରେ କୁଳୁକୁଞ୍ଚା କରିବେ.... ଗର୍ଗଲ୍‍ । ଆମ ଦେଶ ପଛୁଆ । ଫ୍ଲୁ ଟିକା ଏଯାଏଁ ଆସି ନାଇଁ । ତେଣୁ ବାଧ୍ୟ ହୋଇ ଏଂବ୍ରିନ୍‌ ଓ ନୋଭାଲଜିନ ଟ୍ୟାବଲେଟ ଉପରେ ଭରସା କରିବାକୁ ପଡ଼ୁଛି ।’’

 

ଡାକ୍ତର ଖଣ୍ଡେ କାଗଜରେ ଔଷଧ ଲେଖି ଦେଇ ଠିଆ ହେଲେ । କହିଲେ–‘‘ଆଛା ମୁଁ ତେବେ....’’

 

ମୁଁ ତାଙ୍କୁ ଦୁଆର ମୁହଁରେ ବଳେଇ ଦେଇ ଆସିଲି ।

 

X X X

 

....ମାତ୍ର ମୁଁ ତା’ର କୌଣସି ବାଧା ମାନି ନ ଥିଲି । ତା’ପରେ ସେଇ ବିଲେଇଟିକୁ ଘରୁ ତଡ଼ି ଦେବାର ସମସ୍ତ ଯୋଜନା ପଣ୍ଡ ହୋଇଛି । ତାକୁ ଯେତେ ଖେଦିଲେ, ଯେତେ ମାରି ଗୋଡ଼େଇଲେ, ଯେତେ ଖାଇବାକୁ ନ ଦେଲେ ବି ସେ ଆମଘର ଛାଡ଼ିଲା ନାଇଁ ।

 

ସେ ଆଜି ଆମ ପାଇଁ ଏକ ଅତି ବ୍ୟକ୍ତିଗତ ପ୍ରତୀକ ପାଲଟି ଯାଇଛି । ଅନେକ ସମୟରେ ନିହାରର ଲଜ୍ଜାରୁଣ ମୁହଁ ଦେଖିବାର ଇଚ୍ଛା ହେଲେ ମୁଁ ତାକୁ ବିଲେଇ ଓ କ୍ଷତ କଥା ସ୍ମରଣ କରାଇ ଦିଏ ।

 

ନିହାର କହେ–‘‘ତୁମେ ଯାହା ବି କହ ପଛକେ, ଏ ବିଲେଇଟା କିନ୍ତୁ ଆମ ପାଇଁ ବ୍ଲେସିଂ ଇନ୍‌ ଡିସ୍‌ଗାଇଜ ।’’

 

(ଝଙ୍କାର–ଜୁଲାଇ, ୧୯୭୦)

Image

 

ଅବଚେତନର ଭାଷାରେ ଅସମ୍ପାଦିତ ସ୍ମରଣ

 

ପ୍ରେମ ପୂର୍ବର ପରିଚୟ ପୂର୍ବର ଅଳ୍ପ ଜଣାଶୁଣା ପୂର୍ବରୁ ଏଠି ନ ଥିବା ବେଳର ଏକାକୀତ୍ୱ ଭିତରେ ସେଠି ମୋର ବାପାଙ୍କର ବାପାଙ୍କର ବାପାଙ୍କର ଘର ସାମ୍ନାର ନର୍ଦ୍ଦମାରେ ଲଟପଟ ହେଉଥିବା ତିନୋଟି ଘୁଷୁରି ଛୁଆଙ୍କ ବିଷୟରେ ମଧ୍ୟ ଚିନ୍ତା କରବାକୁ ବା ଚିନ୍ତାକୁ ଶବ୍ଦରୂପରେ ପ୍ରକାଶ କରିବାକୁ ବା ରୋଜନାମଚାର ପୀଡ଼ିତ ପୃଷ୍ଠାରେ ସନ୍ତର୍ପଣେ ଟିପି ରଖିବାକୁ ଅସଂସ୍କୃତି ବୋଲି ଭାବୁନଥିଲି ସତ କହୁଛି ସତ ବ୍ୟତୀତ ଅନ୍ୟ କିଛି କହୁନାହିଁ ଖାଣ୍ଟି ନିରୋଳା ଶୁଦ୍ଧ ସତ କହୁଛି ମାତ୍ର ମୁଣ୍ଡ ଉପରେ ବା ଛାତି ଉପରେ ହାତ ରଖି ମୁଁ ରାଣ ଖାଇବି ନାହିଁ ଯେହେତୁ ମୋର ଅନେକ ଦିନରୁ ସୁନାମ ଅଛି ଯେ ମୋ ବୋଉର ଦାବି ଅନୁସାରେ ମୁଁ ମାଛିକୁ ସୁଦ୍ଧା ମ’ କହେ ନାହିଁ ଏବଂ ଘୁଷୁରିମାନେ ଆମ ସମ୍ପ୍ରଦାୟର ଗୃହପାଳିତ ବା ଲାଳିତ ଚତୁଷ୍ପଦ ପ୍ରାଣୀ ହୋଇନଥିବାରୁ ବା ମୁଁ ସେମାନଙ୍କୁ ପରସ୍ପରଠାରୁ ଅଲଗାକରି ଏକକଭାବରେ ଚିହ୍ନିପାରୁନଥିବାରୁ ମୋର ଯାହା ମନେପଡ଼ୁଛି ସେଇ ତିନୋଟିଯାକ ଘୁଷୁରିଛୁଆଙ୍କ ସମ୍ବନ୍ଧରେ କେବଳ ଗୋଟିଏ କଥାହିଁ ଚିନ୍ତା କରୁଥିଲି ବାରମ୍ବାର ଥରକୁଥର ପ୍ରତିଦିନ ସକାଳେ ମାଟିପିଢ଼ାରେ ପୂର୍ବଦିଗକୁ ପିଠିଆଇ ବସି ବାରମ୍ବାର କେବଳ ଥରେଅଧେ ନୁହେଁ କାରଣ ଅଛି ।

 

କାରଣ ବିନାକାରଣରେ ମୋର ଏପରି ହୋଇଯିବା କସ୍ମିନ କାଳେ ସମ୍ଭବ ନୁହେଁ; କାରଣ ମୁଁ ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ ପୃଥକ ଅଲଗା କାରଣ ପ୍ରକୃତରେ କେହି କାହା ସହିତ ସାମାନ ନୁହନ୍ତି କାରଣ ପ୍ରତ୍ୟେକ ପ୍ରତ୍ୟେକଙ୍କଠାରୁ ଅଲଗା ।

 

ଏବେ ଗତ ସପ୍ତାହକ ମଧ୍ୟରେ ମୋ ସ୍ୱପ୍ନର ନିର୍ଦ୍ଦିଷ୍ଟ କିଶୋରୀ ସହିତ ତିନିଥର ଭେଟ କିନ୍ତୁ କୌଣସିଥର ବି କଥା ନାହିଁ ମୁରୁକିହସା ନାହିଁ, ଆଳାପ ସଂଳାପ କିଛି ନାହିଁ ଛି ଚୁମ୍ବନ ଆଲିଙ୍ଗନ ଓ ନିର୍ଧୂମ ରତିର ବେହୋସପଣିଆ ଚାଖିବା ତ ଦୂରର କଥା ହଁ ଖାଲି ଟିକିଏ ଆଖି ମିଶାମିଶି ଏଣେତେଣେ ସତର୍କ ଦୃଷ୍ଟିର ନାରାଚ ନିକ୍ଷେପ କରି ଛାତି ଭିତରେ ସ୍ମୃତି ଗଣ୍ଠେଇ ମୁଁ ଓ ସେ ଉଭୟେ ଭୀଡ଼ ଭିତରେ ଏକାକାର ହୋଇଯିବାର ଅବଶ୍ୟମ୍ଭାବୀ ଅନୁଭବ ।

ତିନିଥରଯାକ ନା କାନରେ ଫୁଲ ନା ବେକରେ ଥିଲା ହାର ନା ହାତରେ ଥିଲା ଶଙ୍ଖା ନା ଆଖିରେ କଜଳ ପାଦରେ ଅଳତା ନା ଓଠରେ ଲାଲି ନା କପାଳରେ ଟିକା ନା ବେଣୀରେ ଫିତା ନା ମୋର ଯାହା ମନେପଡ଼ୁଛି ତିନିଥର ଯାକ ଥିଲା ସେ କେବଳ ସେ ଟକମକ ବୟସର ତାପ ।

ଚର୍ଚ୍ଚ ପାଖରେ ଥରେ ପୁଣି ଲେ’କ ପାଖରେ ଥରେ ଏବଂ ଛକ ପାଖରେ ଥରେ ଏମିତି ତିନିଥର ଦେଖିଲା ପରେ ମୁଁ ତାକୁ ଯଥାକ୍ରମେ ଏକ ଧଳା ଗାଉନ-ପରିହିତା ଇଷତ୍‌ ହାସମୟୀ ସିଷ୍ଟର ପୁଣି ଚେକ୍‌ ସର୍ଟସ୍‌ ପିନ୍ଧି ବନ୍‌ସୀ କଣ୍ଟା ପକାଇ ବସିଥିବା ଭାଗ୍ୟବାଦୀ ମାଛଧରାଳୀ ଏବଂ ଭାରତନାଟ୍ୟମ୍‍ ପୋ’ଜରେ ଯାନବାହନ ମଣିଷ ଓ ଷଣ୍ଢମାନଙ୍କର ଗତି ନିୟନ୍ତ୍ରଣ କରୁଥିବା କନଷ୍ଟେବଳ ସହିତ ତୁଳନା କରିବାକୁ ବାଧ୍ୟ ହେଲି କିମ୍ବା ଏମାନଙ୍କ ରୂପ ବା ରୂପର ଛାଇ ମୋ ଆଖି ଆଗରେ ନାଚି ଉଠିଲା ।

ଖୁବ୍‌ ମଜା ଖୁବ୍‌ ମଜା ସେଥର ପିକ୍‌ନିକରେ ସେପରି ମଜା ସେପରି ଉଲ୍ଲାସ ସେପରି ଗଦ୍‌ଗଦ୍ ଭାବ ତା’ ପୂର୍ବରୁ ବା ପରେ ମଧ୍ୟ କେତେବେଳେ ହୋଇନାହିଁ ଯେତେବେଳେ ମୁଁ ତା’ର ସରଳ ଚିକ୍‌କଣ କଳା ନରମ କେଶର ବେଣୀରେ କ୍ଷୁଦ୍ର ଏକ ମାହାଳିଆ ମିଳିଥିବା ସେବତୀ ଫୁଲ ଖୋସିବା ପାଇଁ ଅନୁମତି ଲୋଡ଼ି ମଧ୍ୟ ପାଇ ନ ଥିବାରୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ତାକୁ ଲୋକହସା କରିବାର ମତଲବ ନେଇ ସେ ଗୀତଗାଇ ଜାଣେ ନାହିଁ ବୋଲି ମୁଁ ନିଶ୍ଚିତ ନିଃସନ୍ଦେହ ଥାଇ ତାକୁ ଏକ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲି ଏବଂ ସେ ମୋ ଆଡ଼କୁ ତା’ର କଜ୍ଜଳ ପୂରିତ ଲୋଚନର ତୀକ୍ଷ୍‌ଣ ତୀର ଫିଙ୍ଗି ତଳ ଓଠରେ ସୁଦୃଢ଼ ଦନ୍ତଚାପ ଦେଇ ଗାଇବାକୁ ଚେଷ୍ଟା କରିଥିଲା ଚକାଡୋଳା କିପାଁ ଡକା କିପାଁ ଡାକ ନ ଶୁଣ ହେ ଚକା ଡୋଓଓ ଓଳା ।

ଓହୋ ଓ ଓ ଓ ଓ ତା’ପରେ ସେ ଯେଉଁ ହସ ହସି ହସି ହସି ହସି ସମସ୍ତଙ୍କର ଦମ୍ ନିକିଲି ଯାଉଥିଲା ସମସ୍ତେ କାଶିପକାଉଥିଲେ କି ସଂକ୍ରାମକ ସେ ହସ ହେଃ ହେଃ ହେଃ ପେଟ ଫୁଲି ଯାଉଥିଲା ହାଃ ହାଃ ହାଃ ଆଖିରୁ ଲୁହ ବାହାରି ପଡ଼ୁଥିଲା ଇଃ ଇଃ ହି ହି ।

କିନ୍ତୁ ମୁଁ ପରେ ତାକୁ ସାନ୍ତ୍ୱନା ଦେବା ଭଙ୍ଗୀରେ ଗୁଡ୍‌ ହ୍ୟୁମରରେ ସେସବୁ ସହ୍ୟକରି ଯଦି ସମ୍ଭବ ମୋତେ କ୍ଷମା କରି ଜଣେ ବନ୍ଧୁଭାବରେ ଗ୍ରହଣ କରିନେବାକୁ ଅନୁରୋଧ କରିବାରୁ ସେ ସାମାନ୍ୟ ହସିଥିଲା ଠିକ୍‌ ଯେପରି ମୁଁ ତାକୁ କୁତ୍‌ କୁତ୍‌ କରୁଛି ଏବଂ ମୋତେ ତାଙ୍କ ଫୋନ୍‍ ନମ୍ବର କହି ବେଳେବେଳେ ସୁବିଧା ହେଲେ ବିଶେଷ କରି ଶନିବାର ସନ୍ଧ୍ୟା ବା ରବିବାର ସକାଳେ ‘କଲ୍‌’ କରିବା ପାଇଁ ପ୍ରତିଅନୁରୋଧ କରିଥିଲା ମାତ୍ର ସେ କେଉଁ ସାହିର କେଉଁ ଗଳିରେ କେତେ ନମ୍ବର ଘରେ ରହେ କହିନଥିଲା ।

ପ୍ରଥମଥର ଫୋନରେ ଲାଇନ୍‌ ଏନଗେଜ୍‌ଡ. ଥିଲା ମୁଁ ୧୦ ମିନିଟ ଟାକିଥିଲି । ଦ୍ୱିତୀୟ ଫୋନରେ ସେ ମିଳି ନ ଥିଲା ମିଳିଥିଲା ତା’ର ଆଠବର୍ଷିଆ ସାନଭଉଣୀ ।

ତୃତୀୟଥର ଫୋନରେ ତା’ର ମା’ ।

ଚତୁର୍ଥଥର ପାଇଁ ଫୋନ୍‍କରି ଜାଣିଲି ଯେ ସେମାନଙ୍କ ଲାଇନ କଟିଯାଇଛି ।

ପିକ୍‌ନିକ୍‍ ବେଳର ଗୋଟିଏ ଘଟନାକୁ ମନେରଖି ମୁଁ ତାକୁ ସ୍ୱପ୍ନରେ ଦେଖୁଛି ସ୍ୱପ୍ନ ସାଙ୍ଗରେ ମୋର ଭବିଷ୍ୟତ ଗୁନ୍ଥୁଛି ତାକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ମନେକରୁଛି ତାକୁ ଯଥେଷ୍ଟ ଗୁରୁତ୍ୱର ସହ ସାଇତି ରଖୁଛି ଏବଂ ଗତ ଏକ ସପ୍ତାହ ମଧ୍ୟରେ ତିନିଥର ଆମର ଭେଟ ହୋଇଥିଲେ ମଧ୍ୟ ଆମେ ପରସ୍ପର ସହ କଥାବାର୍ତ୍ତା କରିବାର ସୁବିଧା ପାଇପାରିନାହୁଁ ।

ମୋର ପିଲାଦିନର ଘୁଷୁରିମାନେ ମୋର ପିଲାଦିନର ଘରଚଟିଆ, ଶୁଆ ଓ ମଇନାମାନେ କେହି ଏଇ ସହରରେ ନାହାନ୍ତି ଏବଂ ମୋତେ ବଡ଼ ବିବ୍ରତ ଲାଗୁଛି । ତାକୁ ପୁଣି ଥରେ ଭେଟି ନ ପାରିଲେ ମୋର ଜୀବନରେ କୌଣସି ଅର୍ଥ ନାହିଁ ବୋଲି ମଧ୍ୟ ବେଳେ ବେଳେ ମନେହେଉଥିଲେ ହେଁ ମୁଁ ମୋର ହୃଦୟ ଭିତରେ କ୍ରମଶଃ କଫ ଭଳି ମୁଣ୍ଡା ବାନ୍ଧି ଜମି ଯାଉଥିବା ପ୍ରେମ ନାମକ ଅନୁଭବ ଟିକକ ଥୁଃ କରି ଥୁକି ଦେଉଛି ଅଦର୍କାରୀ ଆବେଗ ସବୁକୁ ଏଡ଼ାଇ ଦେଇ ଯାଉଛି ଅବଶ୍ୟ ଶୌଚାଳୟ ଭିତରେ ଆବଶ୍ୟକତାରୁ ଅଧିକ ସମୟ କାଟି ଯାଉଛି ଏବଂ ଶୌଚାଳୟର କାନ୍ଥ ଦିହରେ ଫୁଟି ଉଠୁଥିବା ଦୃଶ୍ୟରେ ଦେଖାଯାଉଛି ଏକ ସୁନ୍ଦର ନୀଳହ୍ରଦର ଜଳରେ ରେଖାଟାଣି ଭାସି ଯାଉଥିବା ଏକ ଲାଲ୍‌ ଶିକାରାରେ ବସିଛୁ ସେ ଓ ମୁଁ । ସେ ତଳ ଓଠରେ ଦନ୍ତଚାପ ଦେଇ ଚୁମ୍ବନ ଆହ୍ୱାନ କରୁଛି ହାଇମାରି ଆଲିଙ୍ଗନ ଆହ୍ୱାନ କରୁଛି ଏବଂ ତା’ର ନରମ ନରମ ସ୍ତନ ମୋର ସଂକୀର୍ଣ୍ଣ ଛାତିର ଆୟତନ ଟପି ଯାଉଛନ୍ତି । ସଁ ସଁ ନିଶ୍ୱାସ ଶବ୍ଦ ଭିତରେ ଘୋଟି ଆସୁଛି ଅନ୍ଧାର ବଜ୍ର ବିଦ୍ୟୁତ ମେଘ ବର୍ଷା ପ୍ରଚୁର ବର୍ଷା ସବୁ ଜଳାଶୟ ପୂର୍ଣ୍ଣ ହୋଇଯାଉଛି ଏବଂ ତିନି ଲକ୍ଷ ବେଙ୍ଗ ଏକା ସାଙ୍ଗରେ କୋରସ୍‌ଧ୍ୱନି ଦେଇ ଡାକି ଉଠୁଛନ୍ତି ଏବଂ ମୁଁ ଲୀନ ନିଶ୍ଚିହ୍ନ ନିଃଶେଷ ସମାପ୍ତ ହୋଇଯାଉଛି–

କିନ୍ତୁ ଥାଉ ସେସବୁ

ସବୁ ଅନୁମାନ ବୃଥା

ବୃଥା ମୋର ସ୍ୱପ୍ନ

ସ୍ୱପ୍ନରେ ସେ

ସେ ମୋତେ ଭେଟି ନାହିଁ

ନାହିଁ ତା’ର ସ୍ମୃତି

ସ୍ମୃତି ମିଛ

ମିଛ ମୋର ସ୍ୱପ୍ନ

ସ୍ୱପ୍ନ ମୋର ବୃଥା ।

ଥାଉ ଥାଉ ସେସବୁ ବୃଥା ନାହିଁ ସ୍ୱପ୍ନ ମିଛ । ତା’ ବିଷୟରେ ଚିନ୍ତା କରି ଦୀର୍ଘ ରାତି ବିନିଦ୍ର ହେବାର ଅନୁଭବ ଯେପରି କଳପାଣି ତଳେ ଲଙ୍ଗଳା ବସି ଠିଆହୋଇ ଗାଧୋଇବା ଯେପରି ଗାଈର ବା ଛେଳିର ପହ୍ନାରୁ କ୍ଷୀର ଦୁହିଁବା ଯେପରି ନରମ ଚିକିଟା ମାଟି କାଦୁଅ ଭିତରେ ହାତଗୋଡ଼ ସର୍ବାଙ୍ଗ ଶରୀର ପଶାଇ ଦେବା ଯେପରି ଶୌଚାଳୟର କାନ୍ଥରେ ତା’ର ଉଲଗ୍ନ ରୂପ ଦର୍ଶନ କରି ଏକ କାଳ୍ପନିକ ମୈଥୁନର ପୀଡ଼ାରେ ଘର୍ମାକ୍ତ ହୋଇପଡ଼ିବାର ସୁଖ ଯେପରି ଗୁଗୁପାଚି ଖେଳ ।

ପିଲାଦିନର ବାପ ମା’ ସାଙ୍ଗସାଥୀ କହି ମନେପଡ଼ୁନାହାନ୍ତି ହୁଏତ ଏଥିପାଇଁ ଯେ ମୁଁ ସେମାନଙ୍କ ସାଙ୍ଗରେ ଖେଳିଛି ଏବଂ ଏଇ ନିର୍ଦ୍ଦିଷ୍ଟ କିଶୋରୀଟି ସହିତ ଖେଳିବାକୁ ଚାହୁଁଛି ନଈବାଲିରେ ଦୁର୍ଗ ଗଢ଼ି ।

କଲେଜ ପଢ଼ା ପରର ଅଳ୍ପ ଜଣାଶୁଣା ପରର ପିରିଚୟ ପରର ଏଇ ନିର୍ଦ୍ଦିଷ୍ଟ କିଶୋରୀ ପ୍ରତି ମୋ ମନରେ ପଜେସ୍‌ କରିବାର ଇଚ୍ଛା ଧାରଣା ଯୋଜନା ଫନ୍ଦିଫିକର କଳ ବଳ କୌଶଳ ବଢ଼ିବାରେ ଲାଗିଛି ଏବଂ ମୁଁ ତେଣୁ ବିଶ୍ୱାସ କରିବା ଲାଗି ବାଧ୍ୟ ହେଉଛି ଗଧର ମଧ୍ୟ ଏଭଳି ସୁଦିନ ଆସେ ଯେ ପ୍ରଭୁ ଯୀଶୁ ତାକୁ ବାହନ ବନାନ୍ତି । ମାଛ ଧରାଳୀର ମଧ୍ୟ ଏଭଳି ସୁଦିନ ଆସେ ଯେ ଓଜନଦାର ମାଛର ଅସ୍ଥି ଅବଶେଷ ନେଇ ଆନନ୍ଦରେ ଫେରେ ଏବଂ କନଷ୍ଟେବଳର ମଧ୍ୟ ଏଭଳି ସୁଦିନ ଆସେ ଯେ ସେ ରାଷ୍ଟ୍ରପତିଙ୍କଠାରୁ ସ୍ୱର୍ଣ୍ଣ ପଦକ ଲାଭ କରେ ।

ଚର୍ଚ୍ଚ ଲେ’କ ଓ ଛକ ପାଖରେ ଯାହା ସହିତ ମୋର ଦେଖା ତାକୁ ମୁଁ ସ୍ମରଣ କରୁଛି ପିଲାଦିନର ତିନିଗୋଟି ଏକାପରି ଦିଶୁଥିବା ନର୍ଦ୍ଦମା ଲଟପଟ ଘୁଷୁରି ଛୁଆଙ୍କ ସହିତ ।

(ଙ ଜ ଝ–୧୯୭୦)

Image

 

ଦୁଇଟି ଅଙ୍କନ

 

୧ । ହୁ-ମୋ-ନ-ନ

 

ସେ କ’ଣ ସତରେ କେବେ ଆଡ଼ ଆଖିରେ ଚାହିଁ ନାହିଁ ଏକ ନିର୍ଦ୍ଦିଷ୍ଟ ଲୋମହୀନ ନଳୀଗୋଡ଼କୁ ? କିମ୍ବା ସେ କ’ଣ ଏକ କଠିନ ରଙ୍ଗର ଆକସ୍ମିକ ମୃତ୍ୟୁବେଳେ ନିଜକୁ ବୁଡ଼ାଇ ଦେଇ ନାହିଁ ଏକ ଅନିର୍ଦ୍ଦିଷ୍ଟ ଚକାଭଉଁରୀର ଖିଆଲରେ ? ଯେତେବେଳେ ଗୁହାଳ ଭିତରେ ବଳଦମାନେ ଚର୍‍ଚର୍‌ ପୁଆଁଳ ଚୋବାଉଥାନ୍ତି ସେତେବେଳେ ।

 

ଆର ପଡ଼ାର ଘରଯୋଗ୍ୟା ଟୋକିମାନେ ହୁ-ମୋ-ନ-ନ-ନ-ନ ଗାଇ, ଧୂଳି ଖୁରେଇ କ୍ଷେପି ଆସନ୍ତି ଏ ପଡ଼ାକୁ ଏବଂ ନିଜ ନିଜର କ୍ରମବର୍ଦ୍ଧିଷ୍ଣୁ ସ୍ତନଗୁଡ଼ାକ ସଯତ୍ନେ ବାରମ୍ବାର ଘୋଡ଼ାଇବାର ଛଳନା ମାତ୍ର କରି ଦେଖାଇ ଦିଅନ୍ତି ଆକାଶରେ ଭାସିଯାଉଥିବା ମେଘ ସନ୍ଧିରେ ପଶି ଯାଉଥିବା ଚନ୍ଦ୍ରକୁ । ସେ କ’ଣ କେବଳ ସେଇ ବିସ୍ମୃତ ଚନ୍ଦ୍ରର ନୀରବ ଅବସାନ ଦେଖିବା ପାଇଁ ବସିଥାଏ ପିଣ୍ଡାରେ ? କିମ୍ବା ସେ କ’ଣ କେବଳ ବସିବା ପାଇଁ ହିଁ ବସିଥାଏ ? ନା ଅନ୍ୟ କିଛି ?

 

...ନ ଯାଉଁ ତୁମ୍ଭର ଦେଶ ବୋଇଲିରେ,

 

ନ ଯାଉଁ ତୁମ୍ଭର ଦେଶ....

 

ଅଥଚ ତହିଁରେ କାହାର କି ଯାଏ ଯେ, ମିଛଟାରେ ଗୁମ୍ମାରି ବସିଥିବା ଲୋକଟା ବିଷୟରେ ଏତେଗୁଡ଼େ ଭାବିବ ? କିନ୍ତୁ ତା’ର ତ ଗୋଟିଏ ଛାଇ ଅଛି, ଯାହା ଆଲୋକର ଲୟ ମାନି ଦୀର୍ଘ ହୁଏ, ଦିଗନ୍ତ ଛୁଏଁ । କିନ୍ତୁ ତା’ର ତ ଯୋଡ଼ିଏ ହାତ ଅଛି, ଯାହା ତା’ର ପ୍ରଶସ୍ତ ମୁଖମଣ୍ଡଳର ଭାର ସମ୍ଭାଳେ ।

 

ମୁଁ ସେ ଲୋକଟାକୁ ଜାଣେ ଏବଂ ଆହୁରି ମଧ୍ୟ ଜାଣେ ଯେ ସେ ଭଜନ ବା କୀର୍ତ୍ତନ କରି ଜାଣେ ନାହିଁ । ଗଞ୍ଜେଇ ଭିଡ଼େ ନାହିଁ । ସଞ୍ଜବେଳେ ପୋଖରୀ ହୁଡ଼ାରେ ବସି ଗୁଡ଼ାଖୁ ଘସୁ ଘସୁ ଖୁଁ ଖୁଁ କାଶେ ନାହିଁ । ସେ ଲୋକଟାକୁ ମୁଁ ଜାଣେ ଏବଂ ଆହୁରି ମଧ୍ୟ ଜାଣେ ଯେ, କ୍ଷେତରେ ସେ ତିନିଟା ବଳଦର କାମ କରିପାରେ, ମୁଣ୍ଡ ଉପରକୁ ଖରା ନ ଉଠୁଣୁ ସେ ବିଲଟା ଯାକର ଲଟା ବାଛି ପକାଏ ଓ ଘଣ୍ଟାଏ ଭିତରେ ତିନି ଡାଲା ଶୁଖିଲା ଗୋବର ବେଟିଆଣେ । ସେ କିନ୍ତୁ ଆହା, ଲକ୍ଷ୍ୟବେଧ କରିପାରେ ନାହିଁ । ସେ ଲୋକଟାକୁ ମୁଁ ଚିହ୍ନେ–ତା’ର ଯୋଡ଼ିଏ ଜ୍ୱଳନ୍ତ ଆଖି ସହ ମୁଁ ପରିଚିତ । ମାତ୍ର ତା’ର କ’ଣ କୌଣସି କାମ ନାହିଁ ଯେ ମଝି ଖୁଲିରେ ପିଣ୍ଡାରେ ବସି ସେ ବଢ଼ିଲା ଝିଅମାନଙ୍କୁ କେବଳ ଚାହିଁବାରେ ଲାଗିଥିବ ଓ ସ୍ଥାନଟି ଛିନା ନ ହେବାଯାଏ ଘରକୁ ଫେରିବ ନାହିଁ-?

 

ତା’ ଘରକୁ ଯିବାକୁ ହେଲେ ଅନେକ ଲାଜକୁଳୀ ଲତା ଛୁଇଁ ଯିବାକୁ ହୁଏ ।

 

ତା’ ଘରକୁ ଯିବାକୁ ହେଲେ ମନ୍ଦିର ପାଚେରୀର ଦୈର୍ଘ୍ୟ ଅତିକ୍ରମ କରିବାକୁ ହୁଏ ।

 

ସେ ପ୍ରାର୍ଥନା କ’ଣ ଜାଣେନା

 

ସେ ନିବେଦନ କ’ଣ ଜାଣେନା

 

ସେ ଲାଜ କ’ଣ ଜାଣେନା

 

ସେ ଦିନ କ’ଣ ରାତି କ’ଣ ଜାଣେନା

 

ତେଣୁ ତାକୁ ମୁଁ ଦୋଷ ଦେଇପାରୁ ନାହିଁ ।

 

କିନ୍ତୁ ଝିଅମାନେ ।

 

ସେମାନେ କ’ଣ ସେଇ ଭେଣ୍ଡାଟାକୁ ‘ଆ ଖେଳିବା’ ବୋଲି ଡାକିପାରନ୍ତେ ନାହିଁ ?

 

ନ ଡାକନ୍ତୁ !

 

ସେ ସେମିତି ବସିଥାଉ । ବସୁଥାଉ ଏବଂ ଚାହିଁ ରହୁଥାଉ ଲୋମହୀନ ନଳୀ ଗୋଡ଼ମାନଙ୍କର ଆଗମନ ଓ ପ୍ରତ୍ୟାଗମନକୁ ।

 

ସେ ସ୍ଥିର ରହୁ ଏକ ଗଛ ପରି

 

ଲତା ପରି ସେ ଛନ୍ଦି ନ ହେଉ ଅନ୍ୟ ଏକ ଡାଳରେ ।

 

 

୨ । ମୃତ୍ୟୁର ନାମ ଅନ୍ଧାର

 

ରାସ୍ତା କଡ଼ରେ ହଳଦିଆ ପଥର ଖମ୍ବ ଦିହରେ ଦପ୍‌ ଦପ୍‌ କରୁଛି କଳା ଅକ୍ଷର ।

 

N. H 42

 

76 K.M.

 

SAMBALPUR ପୁଣି

 

N.H 42

 

75 K.M.

 

SAMBALPUR ପୁଣି

 

N.H. 42

 

74 K.M.

 

SAMBALPUR

 

ସେ ଦୂରକୁ ଦୂରକୁ କ୍ରମଶଃ ବିଚ୍ଛିନ୍ନ

 

ତାଙ୍କର ସେ ନିରୁଦ୍ଦେଶ୍ୟ ଚାହାଣି–ହଜିଲା ହଜିଲା ଦୁଇଟି ଆଖିର ଅନ୍ତରାଳରେ ଯେଭଳି ଅନେକ ଦୃଶ୍ୟ ସାଇତା ହୋଇ ରହିଛି–କେତେ ବ୍ୟାପକ, କେତେ ସୁଦୂରଗାମୀ, କେତେ ତୀକ୍ଷ୍‌ଣ; ପୁଣି କେତେ ନିରୀହ, ନିଷ୍ପାପ ।

 

ସେଇ ଚାହାଣିରେ କେବେ କିଛି ନ ଥିଲା, ଏବେ କିଛି ନାହିଁ, ଆଉ କିଛି ହେବାର ସମ୍ଭାବନା ସୁଦ୍ଧା ନାହିଁ । କିନ୍ତୁ ସେ ଯେମିତି କଳନା କରି ନିଅନ୍ତି, ଆଖିରେ ଯାହା ଦେଖନ୍ତି ମନ ଭିତରେ ତାକୁ ଉତ୍ତାରି ନିଅନ୍ତି । କେତେ ଧୈର୍ଯ୍ୟ ଓ କେତେ ବିଶ୍ୱାସ ନେଇ ସେ ଏତକ ପାଇଛନ୍ତି ।

 

ତଥାପି ଆଜି ତ କିଛି ଦିଶୁ ନାହିଁ

 

ନା କୌଣସି ରଙ୍ଗ ନା ରୂପ ଆକାର

 

ବସ୍ତୁ ଜଗତରୁ ବିଚ୍ଛିନ୍ନ ହୋଇପଡ଼ି ସେ ଖାଲି ଅନ୍ଧାର ଛଡ଼ା ଆଉ ପାଇଲେ କ’ଣ ?

 

ଏ ଅନ୍ଧାର ପୁଣି ଏପରି ଯେ ଆଖି ଦେଖି ପାରିବ, କାନ ଶୁଣି ପାରିବ, ମାତ୍ର ଓଠ ହଲାଇ ତାହା ବର୍ଣ୍ଣନା କରିହେବ ନାହିଁ । ସବୁ ବୁଝି ହେଉଛି, ମାପି ହେଉଛି, ମାତ୍ର ପ୍ରକାଶ କରିହେଉ ନାହିଁ । ଏ ଅନ୍ଧାରର ଯେପରି କୌଣସି ଥଳ-କୂଳ ନାହିଁ ।

 

ଅଥଚ ଆଖି ଦୁଇଟାକୁ ସେ ସମୁଦ୍ର ପରି ମେଲାଇ ରଖିଥିଲେ, ଆକାଶ ପରି ଖୋଲା ଛାଡ଼ି ଦେଇଥିଲେ, ପଲକ ମଧ୍ୟ ପଡ଼ୁ ନ ଥିଲା । ନୀଳ, ଗଭୀର ।

 

ପ୍ରତ୍ୟେକ ସ୍ନାୟୁରେ ସେ ଅନୁଭବ କରୁଥିଲେ କିଭଳି ଏକ ସ୍ପନ୍ଦନ–ସମଗ୍ର ଶରୀରରେ ଚରି ଯାଉଥିଲା । ରକ୍ତ ପ୍ରବାହର ବେଗ ଦ୍ରୁତତର ହୋଇପଡ଼ିଥିଲା, ହୃଦୟର ସ୍ପନ୍ଦନ ଅମାନିଆ ଏବଂ ୟାରି ମଧ୍ୟରେ ତାଙ୍କର ସେ ନିଷ୍ପଲକ ଚାହାଣି କୌଣସି ଏକ ବୌଦ୍ଧଭିକ୍ଷୁକ ଚାହାଣି ପରି ଉଦାର

 

ପତା ପଡ଼ୁ ନାହିଁ କି ଡୋଳା ହଳୁ ନାହିଁ

 

ଗୋଟେ ନିସ୍ତରଙ୍ଗ ହ୍ରଦ ପରି

 

ଗୋଟେ ନିର୍ମେଘ ଆକାଶ ପରି

 

ସେଇ ଆଖିର ଅନ୍ତରାଳରେ ଯାହା ଘୂରି ଘୂରି ଫେରିଆସୁଥିଲା, ତାକୁ, ସେଇ ଅନୁଭବ ସବୁକୁ ସେ ବାଣ୍ଟିଦେବାକୁ ଚାହୁଁଥିଲେ । ଚାହୁଁଥିଲେ ମୁହୂର୍ତ୍ତକ ପାଇଁ ହେଲେ ନିଜକୁ ବିଶ୍ୱସ୍ତ ଭାବରେ ପ୍ରକାଶ କରିଦେବାକୁ ।

 

ମାତ୍ର କେତେ ଚଞ୍ଚଳ, କେତେ କ୍ଷୀପ୍ର

 

ଚାହୁଁ ଚାହୁଁ କେଜାଣି କେଉଁଠି ଲୀନ ହୋଇଯାଉଛି । ହାତ ଧରି ପାରୁ ନାହିଁ–ମନ ରଖି ପାରୁ ନାହିଁ । ସେଇ ପ୍ରବାହ ଭିତରେ, ଯେଉଁଠାରେ ଗତ, ବର୍ତ୍ତମାନ, ଭବିଷ୍ୟତର କିଛି ଦ୍ୱନ୍ଦ୍ୱ ନାହିଁ; ଯେଉଁଠାରେ ନା ଅଛି ସ୍ମୃତି ନା ଅଛି ସ୍ୱପ୍ନ, ସେଇଠି ସେ ଉବୁଟୁବୁ ହେଉଛନ୍ତି ।

 

କିଛି କହି ପାରୁ ନାହାନ୍ତି–ସବୁ ଦେଖୁଛନ୍ତି ଅନ୍ଧକାରର ରୂପ ଓ ନୀରବତାର ସଙ୍ଗୀତ ଶୁଣୁଛନ୍ତି ।

 

ସେଇ ପ୍ରବାହ ଭିତରେ ଯେଉଁଠି ତାଙ୍କ ପୂର୍ବରୁ ଅନେକ ଯାଇଥିଲେ, ସାଙ୍ଗରେ ଅନେକ ଯାଉଛନ୍ତି ଓ ପରେ ଅନେକ ଯିବେ; ଯେଉଁଠି ସମୟ ଓ ବୟସର ମାନେ ନ ଥାଏ, ସେଇ ପ୍ରବାହ ଭିତରେ ସେ ଅଦୃଶ୍ୟ ହୋଇଗଲେ ନିଜର ସଦା ଜାଗ୍ରତ ଆଖି ଦୁଇଟାକୁ ବନ୍ଦ କରିଦେଇ ।

 

ପାଦଟୀକା :

 

ଜୀବନର ଆଲୋକରେ ଯିଏ ସମ୍ମାନ ପାଇ ପାରି ନାହିଁ ମୃତ୍ୟୁର ଅନ୍ଧାରରେ ସେ ସମ୍ମାନ ପାଇଲେ ସତ, ମାତ୍ର ତାଙ୍କର ଜୀବନ ପରି ମୃତ୍ୟୁ ମଧ୍ୟ ନିରୁଦ୍ଦେଶ୍ୟ ।

 

(ନବରବି–ଜୁଲାଇ, ୧୯୬୦)

Image

 

ସବୁ ଗଲା ପରେ

 

ମୋର ଶରୀରର ପ୍ରତ୍ୟେକ ଅଙ୍ଗ ଏବେ ପୂର୍ଣ୍ଣରୂପେ ଶିଥିଳ । ମୋର ଅପହୃତ ସ୍ପର୍ଶ ଶକ୍ତିକୁ ଫେରି ପାଇବାର ଯେଉଁ ଆଶା ଟିକକ ଥିଲା ତାହା ଏକ ପ୍ରଦୀପର ମ୍ଳାନ ଶିଖା ପରି ବହୁଦିନ ଯାଏଁ ଜଳିଲା; କିନ୍ତୁ ଆଲୋକଟା ସବୁବେଳେ ଏକ ମଧ୍ୟବର୍ତ୍ତୀ ପର୍ଯ୍ୟାୟ । ଜଳିବା ପୂର୍ବରୁ ଅନ୍ଧକାର, ଜଳି ସାରିବା ପରେ ପୁଣି ଅନ୍ଧକାର ।

 

ମୁଁ କାହାକୁ ଛୁଇଁଛି ।

 

ମୋତେ କିଏ ଛୁଇଁଛି ।

 

ମୁଁ କିଛି ଜାଣୁ ନାହିଁ ।

 

ମୁଁ ମଧ୍ୟ ଦେଖିଲି, ଦିନେ ସେଇ ପ୍ରଦୀପର ମ୍ଳାନ ପୀତାଭ ଶିଖାଟିର ନିର୍ବାପନ । ଏବେ ଆଉ ଆଶା ନାହିଁ ।

 

ମୋତେ କିଏ ଦେଖୁଛି

 

ମୁଁକାହାକୁ ଦେଖୁଛି ।

 

ମୁଁ କିଛି ଜାଣୁ ନାହିଁ ।

 

ମୋର ଚାରି ପାଖରେ କେବଳ ଅନ୍ଧକାର । ଅଖଣ୍ଡ ଅନ୍ଧକାର ।

 

ମୋର ଦୃଷ୍ଟିଶକ୍ତି ମଧ୍ୟ ଲୋପ ପାଇଗଲା । ବହୁଦିନ ଧରି ବ୍ୟବହାର କରି ସାରିଥିବା ମୋଟାକାଚର ଚଶମାଟିକୁ ମୁଁ ଫିଙ୍ଗି ଦେଲି–ଉପରମହଲାର ଝରକା ବାଟେ ।

 

ଏଇ ଝରକାହିଁ ମୋ ଘରର ଆଖି । ଏକପ୍ରକାର ନିର୍ବେଦ-ଶୂନ୍ୟତା ଘେନି ମୁଁ ତଥାପି ଜିଇଁ ରହିଲି ।

 

ନିହାର ଦିନେ ଦିନେ କହେ : ବାଃ ! କି ସୁନ୍ଦର ଜହ୍ନ

 

ମୁଁ ପାଳିଆ ଧରେ । ହଁ ଖୁବ୍‌ ସୁନ୍ଦର !

 

ସେ ପଚାରେ : ତୁମେ କ’ଣ ଦେଖି ପାରୁଚ ?

 

ମୁଁ କହେ : ତୁମର ଦେଖିବା ଓ ମୋର ଦେଖିବାରେ ଫରକ କ’ଣ ?

 

ସେ ମୋର ଛାତିରେ ମୁଣ୍ଡ ଗୁଞ୍ଜି କାନ୍ଦି ଉଠେ ।

 

କହେ : ଜଗତଟା କେଡ଼େ ସୁନ୍ଦର ! ଏ କ’ଣ ହେଇଗଲା ତୁମର ?

 

ଏବଂ ପୁଣି ଦିନେ ମୋର ମନେହେଲା ଯେ, ମୋର କାନ ଦୁଇଟି ଅକାମୀ ହୋଇପଡ଼ୁଛନ୍ତି । ମୋର ଶ୍ରବଣ-ଶକ୍ତି କ୍ରମଶଃ ଲୋପ ପାଇ ଆସୁଛି ।

 

କାନ ପାଖରେ ଏକ ସମୁଦ୍ର କିମ୍ବା ସାପ ଗର୍ଜୁଛି ।

 

ହ୍ୱିସିଲ୍‌ ଦେଇ ରେଳଗୋଡ଼ି ଚାଲିଯାଉଛି ।

 

ଅସଂଖ୍ୟ ଝିଙ୍କାରୀ । ଲକ୍ଷ ଲକ୍ଷ ବେଙ୍ଗ ।

 

ଅସହ୍ୟ ହୋଇପଡ଼ିଲା ।

 

ଏଥର ମୁଁ ଚିତ୍କାର କଲି ।

 

ଶକ୍ତି-ହୀନତା ବିରୁଦ୍ଧରେ ମୋର ପ୍ରଥମ ଚିତ୍କାର ।

 

ମାତ୍ର ନିହାର ଆସି ମୋର ପିଠି ଉପରେ ଲଦି ହୋଇ ପୁଣି କାନ୍ଦିଲା ଓ କ’ଣ କହିଲା କେଜାଣି, ମୋତେ ଶୁଭିଲା : ତୁମେ ଭାଗ୍ୟବାନ–ଭଲ ହୋଇଚି ଏକ୍‌ରକମ୍‌ ଏ ବଜାତ୍‍ ପୃଥିବୀର କୁତ୍ସିତ ଶବ୍ଦ ସବୁ ଶୁଣିବାରୁ ବଞ୍ଚିତ ।

 

ମୁଁ ପ୍ରତିବାଦ କଲି : ମଣିଷ ଚନ୍ଦ୍ରକୁ ଯାଉ ବା ମଙ୍ଗଳକୁ, ମୋର ଶକ୍ତି ଲୋଡ଼ା । ହଁ ହଁ ଶକ୍ତି ।

 

ନିହାର ଆଗକୁ ଆସିଲା । ମୋ ପାଟି ଉପରେ ହାତ ଚାପି ଦେଇ କହିଲା : ମୋର ତ ଭୟ ହେଉଛି । ତୁମେ ଏମିତି ଚିତ୍କାର କଲେ ତୁମର କଣ୍ଠନଳୀ ବି ଛିଣ୍ଡିଯିବ ।

 

ମୁଁ ଚୁପ୍‌ ରହିଲି ।

 

ସେ ଏକ ଭାଷଣ ଦେଲା : ତୁମେ ସ୍ପର୍ଶ-ଶକ୍ତି ହରାଇଛ, କାରଣ ତୁମେ ଛୁଉଁ ନ ଥିଲ; ଜାବୁଡ଼ି ଧରୁଥିଲ, ମୋର ଶିରା ପ୍ରଶିରାରେ ଶିହରଣ ସୃଷ୍ଟି କରୁଥିଲ । ସୃଷ୍ଟି କରୁଥିଲ ସଙ୍ଗୀତ ଓ ତରଙ୍ଗ । ତୁମେ ଦୃଷ୍ଟି-ଶକ୍ତି ହରାଇଛ, କାରଣ ତୁମେ କେବଳ ଦେଖୁ ନ ଥିଲ, ନିରେଖୁ ଥିଲ । ତୁମ ଆଖି ବାଟ ଦେଇ ମୋତେ ଶୋଷି ପକାଉ ଥିଲ । ତୁମେ ଶ୍ରବଣ-ଶକ୍ତି ହରାଇଛ, କାରଣ ତୁମେ କେବଳ ଶୁଣୁ ନ ଥିଲ, କାନଉ ଥିଲି ।

 

ମୁଁ ପୁଣି ଥରେ ଚିତ୍କାର କଲି : ହେ ଭଗବାନ ମୋର ସବୁ ଶକ୍ତି ଚାଲି ଯାଉ ପଛକେ ମୋର ବାକ୍‌-ଶକ୍ତି ଟିକକ ଥାଉ । କାରଣ, ପ୍ରଭୁ, ବାକ୍ୟ ବିନା ପ୍ରାର୍ଥନା ସମ୍ଭବ ନୁହେଁ ।

 

ପ୍ରାର୍ଥନା ବିନା ମଣିଷ ସମ୍ଭବ ନୁହେଁ ଓ

 

ମଣିଷ ବିନା ତୁମେ ସମ୍ଭବ ନୁହଁ ।

 

ଭଗବାନ, ଆଦୌ ସମ୍ଭବ ନୁହଁ ।

 

(ନବରବି, ଅଗଷ୍ଟ–୧୯୭୦)

Image

 

ଯାତ୍ରା

 

ପ୍ରଥମ ବର୍ଷା

 

ଏପାଖ ନ ହେଲେ ସେପାଖ ଏ ମଝି ମଝିଆ ସ୍ଥିତି ଛି ବଡ଼ ବିରକ୍ତିକର ଚାପି ହୋଇଗଲା ପରି ଲାଗେ ହେଲେ ଭଲ କରି ଅସ୍ରାଏ ବର୍ଷି ଦିଅନ୍ତା ହେଲେ ଶୁଖିଲା ଥାଆନ୍ତା ଅନ୍ୟଦିନ ପରି ଏ କ’ଣ ଟୁପ୍‌ ଟୁପ୍‌ ଝୁପୁରୁ ଝୁପୁରୁ ଚାଖିଲା ପରି ଚହଁରେଇଲା ପରି ଗେଷ୍ଟହାଉସ ରୁମ୍ ଭିତରେ ବସି ମୁଁ କେତେବେଳେ ମୋ କାର୍‌ ଫେରିବ ସେ କଥା ଚିନ୍ତା କରୁଥିଲି ପଙ୍ଖାର କୌଣସି ଆବଶ୍ୟକତା ନ ଥିଲେ ବି ଗତ ରାତିରୁ ଘୂରୁଥିଲା ନିଶବ୍ଦ ଭାବରେ ଘୂରୁଚି ତ ଘୂରୁ କ୍ଷତି କ’ଣ ଖଣ୍ଡେ ସିଗାରେଟ ଟାଣିବାକୁ ମନ ହେଲା ମାତ୍ର ତକିଆ ତଳୁ ଶୂନ୍ୟ କାଗଜ ପ୍ୟାକେଟ କାଢ଼ି ମୁଁ ପଙ୍ଖା ଦିହକୁ ଲକ୍ଷ୍ୟ କରି ଫିଙ୍ଗି ଦେଲି କେତେବେଳ ହେଲାକି

 

ଡାକରା

 

କଲିଂବେଲ

 

କଲିଂବେଲ

 

କଲିଂବେଲ ମୁଁ ଉଠିଲି ।

 

ଦୁଆର ଖୋଲିଲି ଡ୍ରାଇଭର ନିଜେ ଆସିଥିଲା

 

ଏଯାଏଁ ବାହାରି ନାହାନ୍ତି ସାର୍‍ ?

 

ଆଇ ଏମ୍‌ ରେଡ଼ି

 

ଅଭିଯାନ

 

ଯିବା ?

 

ଚାଲ । ନିହାର ଆସିଛି ?

 

ହଁ ସାର୍‌

 

ଯିବାକୁ ପଡ଼ିଲା କୋଣାର୍କ ଭଳି ଏକ ସ୍ଥାନରେ ଜଣେ ସଙ୍ଗିନୀ ନ ଥିଲେ ସବୁ ମୂଲ୍ୟହୀନ ବାଜେ ଫାଙ୍କା ଲାଗେ ।

 

ପଛ ସିଟରେ ବସିଥିଲା ନିହାର । ମୁହଁରୁ ନିଦ ଉତୁରି ନ ଥାଏ । ମୋତେ ଦେଖି ଦୁଆର ମେଲା କଲା । ମୁଁଭିତରକୁ ଗଲାମାତ୍ରେ ଉଚ୍ଚାରଣ କଲି–ଗୁଡ୍‍ମର୍ନିଂ । ସେ ମଧ୍ୟ କହିଲା–ଗୁଡ୍‌ମର୍ନିଂ ।

 

ଓ ପୁଣି କହିଲା–ଜାଣିଚ ? କେତେ ମିଛ କଥା କହି ମୁଁ ତୁମ ସାଙ୍ଗରେ କୋଣାର୍କ ଯାଉଛି ?

 

ବଡ଼ ପିଲାଳିଆ, ବଡ଼ ଗେଲେଇ । ଆଃ ତା’ର ଓଠ । କିମିତି କ୍ରମେ ପ୍ରସାରିତ ହୋଇ ଯାଉଥାଏ ।

 

ମୁଁ ପଚାରିଲି–କେତେ ?

 

ସେ କହିଲା–ମୁଁ କହିଲି, My mother is seriously ill at sambalpur.

 

ମୁଁ ହସିଲି–ଏଃ ହେ ହେ ହେଃ ଏ but your mother is dead long since.

 

ସେ କହିଲା–କିନ୍ତୁ ସେ କଥା କ’ଣ ସୁପରିନଟେନ୍‌ଡେଣ୍ଟ ଜାଣନ୍ତି ?

 

ମୁଁ ନିହାରର କାନ୍ଧ ଉପରେ ହାତ ଲଦିଦେଲି । କାର୍‌ ଚାଲିବାକୁ ଲାଗିଲା ।

 

ଆମେ ଦୁଇ ଆମର ଦୁଇ

 

ମୁଁ ପଚାରିଲି–ରେହମାନ ସିଗାରେଟ ରଖିଚ ?

 

ଡ୍ରାଇଭର, ଏକମାତ୍ର ତୃତୀୟ ପୁରୁଷ, ଯିଏ କାଲ ହୋଇଥିଲେ ଭଲ ଓ ଆମକୁ ସୁବିଧା ହୋଇଥାନ୍ତା, କହିଲା–ନାଇଁ ସାର୍‌ ।

 

ମୁଁ ଉଚ୍ଚାରଣ କଲି–ଓଃ !

ଇନ୍ଦ୍ରଜାଲର କରାମତି

ତରୁଣୀର ମୁଣ୍ଡକାଟ

ଟିକଟ ମୂଲ୍ୟ–ଟ ୫-୦୦

ନିହାର ପଚାରିଲା–ଏତେ ଜରୁରୀ ?

କ’ଣ ?

ତୁମର ଶ୍ୱେତ ଧୂମ୍ରଦଣ୍ଡିକା

ୟାହ ଶ୍ୟୋର୍‌

ମୁଁ କାନ୍ଧ ନଚାଇଲି ।

ନିହାର କହିଲା–ହାତ କାଢ଼ିଲ

ମୁଁ ତା’ କାନ୍ଧ ଉପରୁ ମୋର ହାତ ଖସାଇ ଆଣିଲି । ସେ ତା’ର ବେଗ୍‌ ଭିତରୁ ଗୋଟିଏ ପାକେଟ କାଢ଼ି ମୋର ଜଙ୍ଘ ଉପରେ ଥୋଇ ଦେଲା ।

କହିଲା–ନିଅ

କୋଉଠୁ ଆଣିଲ ?

ମୁଁ ଜାଣେ ତୁମର ସିଗ୍ରେଟ ଖିଆ

ଓଃ ଥେଙ୍କ୍‌ସ

ଧନ୍ୟବାଦ କହ

ଆଚ୍ଛା ଧନ୍ୟବାଦ

ବାଶ୍‌ ସେତିକି ?

ଆଉ କ’ଣ

 

BAD CURVE AHEAD DRIVE SLOW

 

କିନ୍ତୁ ଗାଡ଼ିଟା ପୂର୍ବପରି ଚାଲିଥାଏ । ମୁଁ ଆଗକୁ ନଇଁପଡ଼ି ସ୍ପିଡୋମିଟର ଉପରେ ଦେଖିଲି ନାଲି ରଙ୍ଗର କଣ୍ଟାଟା ୬୦ ଓ ୭୦ ଭିତରେ ଲହ ଲହ କରୁଛି ।

 

ତୁମର ଜୀବନ ଆମର ପ୍ରିୟ

 

କିନ୍ତୁ ତୁମର ବେଗ ନୁହେଁ

 

ନିରବତା ଯନ୍ତ୍ରଣାଦାୟକ ଏକ ଦୁର୍ଘଟନାରେ ରକ୍ତାକ୍ତ ହୋଇ ପଡ଼ିଥିବା ଅଙ୍ଗ ପରି ।

 

ତେଣୁ ପଚାରିଲି–ଆଚ୍ଛା ନିହାର ତୁମକୁ ଡ୍ରାଇଭ କରି ଆସେ

 

ନା

 

ଶିଖୁନ ?

 

ନା ବାବା

 

କାହିଁକି ?

 

ତୁମେ ତୁମର ସିଗାରେଟ ଖାଅ ତ

 

ଆମେ ବଞ୍ଚିଲେ ଦେଶ ବଞ୍ଚିବ

 

ମୁଁ ସିଗାରେଟରେ ନିଆଁ ଧରାଇଲି ।

 

କହିଲି–ଡ୍ରାଇଭିଂ ଶିଖିଥିବା ଭଲ । କେଜାଣି କେତେବେଳେ ଦରକାର ପଡ଼ିପାରେ ।

 

ଉଁ ପୁଣି ସେଇ କଥା । ଆଚ୍ଛା ପରେ କେବେ ଶିଖିନେବି । ଶିଖେଇ ଦେବ ତ ?

 

ମୁଁ ଜାଣେ, ସେ ମୋ ମନ ରଖିବା ପାଇଁ ଏ କଥା କହିଲା ।

 

THE MOMENT YOU SAVE BY SPEEDING MAY BE YOUR LAST

 

ମୁଁ ଡ୍ରାଇଭରକୁ ପଚାରିଲି–କେତେ ତେଲ ଅଛି ?

 

ସାର୍‌ ଫୁଲ ଟାଙ୍କି

 

ହୁଁ

 

ମୁଁ ନିହାରକୁ ପଚାରିଲି–ତୁମର ପରୀକ୍ଷା କେବେ ?

 

ଭାବିଛି ଏଥର ଡ୍ରପ୍‌ କରିବି

 

କାହିଁକି ?

 

ଏତେ ଶୀଘ୍ର କଟକ ଛାଡ଼ିବାକୁ ମନ ହେଭନି ।

 

ଆଚ୍ଛା

 

ରେହମାନ ରେଡ଼ିଓ ଖୋଲିଦେଲା–

 

ଦେ ମୋତେ ବାଇଆ କରି

 

ଏ ମୋର ବାଇଆ ରଜା

 

ନିହାରର ଆଖି ହୁଏତ ଏଇ ଗୀତ ଗାଉଛି । ମୁଁ ତା’ ଆଡ଼କୁ ଘୁଞ୍ଚିଲି ।

 

ସେ ପିଚାରିଲା–ଆମେ ପହଞ୍ଚିବା କେତେବେଳେ ?

 

ଦୁଇ ଘଣ୍ଟା ଭିତରେ ଯଦି......

 

ମୋ ପାଟିରୁ କଥା ଛଡ଼େଇ ନେଇ, ମୋର ନେକ୍‌ଟାଇ ସହିତ ଖେଳୁ ଖେଳୁ ସେ ପୁଣି ପଚାରିଲା–ସେଠି କ’ଣ କରିବା ? କିଛି ପ୍ରୋଗ୍ରାମ କରିଛ ?

 

ଶ୍ୟୋର୍‌

 

କ’ଣ ?

 

ଅନୁକରଣ କରିବା

 

କ’ଣ ଅନୁକରଣ କରିବା

 

ମିଥୁନ-ଚିତ୍ର

 

ଧ୍ୟାତ୍‌ । ତୁମ ମୁଣ୍ଡରେ ଏତେ ମଇଳା । ରେଡ଼ିଓରୁ ଗୋଟେ ନୂଆ ଗୀତ :

 

ଆହେ ନୀଳ ଶଇଳ ପ୍ରବଳ

 

ମତ୍ତଅଅ ବାଆଆରଣ ମୋ ଆରତ

 

ନଳିନୀ ବନକୁ କଅଅର ଦଳନ

 

ଆମକୁ ଟପି ଗୋଟିଏ ଲମ୍ବା କାର ସାଏଁ କରି ଚାଲିଗଲା । ମୁଁ ପଛ ପାଖର ସ୍କ୍ରିନ୍‌ ଟାଣିଦେଲି ।

 

ଆମ କାର୍‌ ଭୁବନେଶ୍ୱର ଟପିଗଲା । ନିହାର ଦୁଇହାତ ଜୋଡ଼ି ମୁଣ୍ଡ ନୁଆଇଁ ଅନୁପସ୍ଥିତ ଭଗବାନଙ୍କୁ ପ୍ରଣାମ କଲା ।

 

NARROW BRIDGE AHEAD OVERTAKING PROHIBITED

 

ମୁଁ ପଚାରିଲି–ଆଚ୍ଛା ନିହାର ଭଗବାନ ଶବ୍ଦଟା ପୁଂଲିଙ୍ଗ ନା ସ୍ତ୍ରୀ ଲିଙ୍ଗ ?

 

ସେ ମୋ ନିକଟରୁ ଘୁଞ୍ଚଗଲା ।

 

କହିଲା–ଏମିତି କହନ୍ତି ନାହିଁ ।

 

ଭଗବାନଙ୍କୁ କ’ଣ ମାଗିଲ ?

 

ଆମର ଏଯାତ୍ରାର ଅନ୍ତ ନ ହେଉ ।

 

ସତରେ ।

 

ହୁଁ ।

 

ତା’ର ହୁଁ କରିବାର ଭଙ୍ଗୀ । ଭ୍ରୂଲତା ଟାଣି ହୋଇଯାଏ । ଓଠ ଫିଟେ ନାହିଁ ଅଥଚ ଶବ୍ଦ ବାହାରି ପଡ଼େ ।

 

ବାହାରେ ଏତେ ସଫା ଆକାଶ ମୁଁ ଆଗରୁ କେବେ ଦେଖି ନ ଥିଲି ।

 

ଏତେ ସବୁଜ ପୃଥିବୀ ମଧ୍ୟ । କାର୍‍ ଝରକା ଦେଇ ଭିତରକୁ ପବନ ପଶି ଆସୁଥାଏ । ନିହାର ନିଜ କପାଳକୁ କେବଳ ଅଲରା ବାଳ ସଜାଡ଼ିବାରେ ବ୍ୟସ୍ତ ଥାଏ ।

 

ପଚାରିଲି–ଆମେ କେବେ ବାହା ହେବା ?

 

ବାଃରେ ଏତେ ତର ତର ।

 

ହଁ ।

 

ଆଉ ସହି ପାରୁନ କି ?

 

ମୁଁ ସିରିଅସ୍‌ଲି ପଚାରୁଛି । କୁହନା, ଆମେ କେବେ ବାହା ହେବା ?

 

DIVERSION AHEAD DRIVE SLOW

 

ତୁମର ଯେବେ ଇଚ୍ଛା

 

ହଉ ।

 

ହଉ, କ’ଣ ?

 

ମୁଁ ତୁମକୁ ଟେଲିଗ୍ରାମ କରି ଡକେଇ ନେବି । ଆସିବନା ? ତୁମେ କିନ୍ତୁ ଏଥର ପରୀକ୍ଷାଟା ଦେଇ ଦେଲେ ଗୋଟେ ଜଞ୍ଜାଳ ଯାଆନ୍ତା ।

 

କ୍ଲାସ ମିଳିବ ନାଇଁ ଯେ ।

 

ନ ମିଳୁ, କ୍ଷତି କ’ଣ ?

 

ନିହାର ଚୁପ୍‌ ରହିଲା । ରେଡ଼ିଓରେ ଜଣେ ଭଟର ଭଟର ହେଉଥାଏ ।

 

ମୁଁ କହିଲି–ରେଡ଼ିଓ ଅଫ୍‌ କରିଦିଅ ।

 

ରେହମାନ ରେଡ଼ିଓ ବନ୍ଦ କରିଦେଲା ।

ନିହାର କହିଲା–ରେହମାନ ଗାଡ଼ି ଟିକେ ରଖ । ମୁଁ ପଚାରିଲି–କାହିଁକି ? କ’ଣ ହେଲା-? ସେ ମୋ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କାର୍‌ ଠିଆହୋଇ ସାରିଥିଲା ।

ତଳକୁ ଓହ୍ଲାଇପଡ଼ି ନିହାର କହିଲା–ତୁମ ସେଠି ଥାଅ । ମୁଁ ଏଇ ଟିକେ ଆସିଲି ।

ନିହାର ରାସ୍ତା କଡ଼ର ବୁଦା ଆର ପାଖରେ ଲୁଚିଗଲା ।

ସେ ଫେରିବା ପରେ ଗାଡ଼ି ପୁଣି ଚାଲିଲା ।

 

ଛୋଟ ପରିବାର ମୁଖୀ ବଡ଼ ପରିବାର ଦୁଃଖୀ

 

ମୁଁ ପଚାରିଲି–ଆମର ପରିବାର ଛୋଟ ହେବ ନା ବଡ଼ ?

ସେ କହିଲା–ଥାଉ । ସବୁବେଳେ ସେଇ କଥା । ଆଚ୍ଛା ତୁମେ ଚା’ ଖାଇବ ?

ମୁଁ ଡ୍ରାଇଭରକୁ କହିଲି–ରେହମାନ, ପିପିଲିରେ ଟିକେ ରଖିବ ।

ସାର୍ ।

ଏଇ ଡ୍ରାଇଭର ପୂଝାରିମାନେ ବଡ଼ ମୁସ୍କିଲ ଲୋକ । ସବୁବେଳେ ଖାଲି ସାର୍‌ ସାର୍‌ ।

ପଚାରିଥିଲି–ଆଚ୍ଛା ନିହାର, ଆଗରୁ କେତେଥର କୋଣର୍କ ଯାଇଛ ?

ହେତୁ ଆସିଲା ଦିନଠୁ ଏଇ ପ୍ରଥମ

ଆଉ ୟା ଆଗରୁ ?

ମା’ କାଖରେ ଥରେ । ବାପା କହୁଥିଲେ ।

ମୁଁ କିନ୍ତୁ ପ୍ରାୟ ଦଶ ପନ୍ଦର ଥର ।

ସବୁଥର ଏକା ନା ?

କେବଳ ଥରେ ସରିତା ସାଙ୍ଗରେ

କେଉଁ ସରିତା ? ଓଃ ହୋ ସେଇନା ଯିଏ ଏବେ ମାଷ୍ଟ୍ରାଣୀ, ତୁମେ ଯାହାକୁ ଭାଲୁ ଧରେଇ କଲିକତା ପଠେଇ ଦେଲ ।

ତୁମକୁ କିଏ କହିଲା ଏସବୁ ?

ମୋତେ ସେମିତି କରିବ ନାଇତ ?

ମୁଁ ତା’ ଆଡ଼କୁ ନଇଁପଡ଼ିଲି । ତା’ର କାନ ତଳ ବେକରେ ଓଠ ଛୁଆଁଇ କହିଲି–ନେଭର୍‌-

ସେ ମୋର ଜଙ୍ଘ ଚୁମୁଟି ଦେଇ ମୋ ଆଡ଼କୁ ହାତ ବଢ଼ାଇଲା । ପଚାରିଲା–ପ୍ରମିଜ ?

ମୁଁ–ତା’ର ପାପୁଲି ନିଜର ଛାତି ଉପରକୁ ଟାଣିଆଣି କହିଲି–ପ୍ରମିଜ ।

 

ବିବାହିତ ଭାଇମାନେ

 

ପିପିଲି ।

 

ନିହାର ଶାଢ଼ିର ଭାଙ୍ଗ ଠିକ୍ କରିବାରେ ଲାଗିଲା କହିଲା–ମୋର ମନ ହେଉଛି କୋଣାର୍କ କ୍ୟାନସେଲ୍‌ କରି ସିଧା ପୁରୀ ଯାଆନ୍ତେ । ଏକାବାଟ ତ !

 

କାହିଁକି ?

 

କୋଣାର୍କ ତଳେ ଠିଆହେଲେ ଆଖିବୁଜି ତ ରହି ହେବନାଇଁ । ଆଖି ଖୋଲି ଠିଆହେଲେ ମୋର କ’ଣ ନା କ’ଣ ମନ ହେବ ।

 

ସତେ ନା ?

 

ମୁଁ ହୁଏତ ନିଜକୁ ସମ୍ଭାଳି ପାରିବି ନାହିଁ ।

 

ସେ ତ ମୋର ଭାଗ୍ୟ । ହଉ ଚାଲ ଚା’ ଖାଇ ଫେରିବ ।

 

ନା ମୁଁ ଏଠି ଅଛି । ମୋ ପାଇଁ କପେ ପଠେଇ ଦିଅ । ଆଉ ହଁ ଫ୍ଲାସ୍କରେ ଚାରି କପ୍‌ କଫି ରଖିଥାଅ । ସେଠି ଖାଇବା ।

 

ମୁଁ ରେହମାନକୁ କହିଲି–ରେହମାନ ଫ୍ଲାସ୍କଟା ନେଇ ଆସ ଡିକ୍‌କିରେ ଅଛି ।

 

ସାର୍‌

 

MINERVA RESTAURANT

 

ରେସ୍ତୋରାଁ ଶବ୍ଦର ବନାନରୁହିଁ ମୁଁ ଅନୁମାନ କରିନେଲି ସେଇ ରେସ୍ତାରାଁ ଭିତରର ଅବିସ୍ଥା । ଛି ଅସ୍‌କଟ । ତଥାପି ଯିବାକୁ ହେଲା । ବାରନ୍ଦାରେହିଁ ଠିଆହୋଇ ମୁଁ ଦୋକାନୀକୁ କହିଦେଲି–ତିନି କପ୍‌ ଚା’ । ଗ୍ରୀନ୍‌ ଲିଫ୍ ଅଛି ? ଆଉ ଚାରି କପ୍ ନେସକେଫ୍‌

 

ଦୋକାନୀ ଡାକୁଥାଏ–ଭିତରକୁ ଆସନ୍ତୁ ସାର୍‌

 

ମୁଁ କହିଲି–ଥାଉ । ଠିକ୍‌ ଅଛି । ତୁମେ ଚା’ଟା ଟିକେ ଶୀଘ୍ର କଲ ।

 

LIVVA LITTLE HOT

DRINKA GOLDSPOT

 

ତା’ ତଳକୁ

 

Things go better with CocaCola

 

ଗୋଟିଏ ହାତରେ ଫ୍ଲାସ୍କ । ଅନ୍ୟହାତଟି ରକ୍ତାକ୍ତ । ସେତକ ନେଇ ରେହମାନ ଫେରିଲା ।

 

ମୁଁ କିଛି ବୁଝିପାରିଲି ନାହିଁ । ବାରନ୍ଦା ତଳକୁ ଡେଇଁ ପଡ଼ି ତା’ର ରକ୍ତାକ୍ତ ହତଟିକୁ ଟେକି ଧରି ମୁଁ ପଚାରିଲି–କ’ଣ ହେଲା ?

 

ତା’ର ହାତରୁ ରକ୍ତ ଝରି ପଡ଼ୁଥାଏ । କିଛି ଲୋକ ମଧ୍ୟ ରୁଣ୍ଡ ହୋଇଗଲେ ।

 

ସେ କହିଲା–ସାର୍‍ ବାସ୍କେଟଟା କାଢ଼ୁଥିଲି । ହାତ ଉପରେ ଟୁଲ ବକ୍‌ସ ଖସିପଡ଼ିଲା ।

 

ତା’ର ଡାହାଣ ହାତର ଚାରୋଟି ଅଙ୍ଗୁଳି ଛେଚି ହୋଇଯାଇଥିଲା । ସେ ଯେପରି ନିଜକୁ ନିଜେ କହି ପକାଇଲା–କିଛି ହବ ନାଇଁ ସାର୍‍ । ଟିକେ ବ୍ରେକ୍‌ ଅଏଲ ଦେଇ ଦେଲେ ସବୁ ଠିକ୍‌ ହୋଇଯିବ ।

 

ନୋ ନୋ ନେଭର । ତମର ହାତ ସିଲେଇ ହେବା ଦରକାର । ତୁମେ ବସ । ଭୁବନେଶ୍ୱର ଫେରିଯିବା ।

 

ମୁଁ ମୋର ନିଷ୍ପତ୍ତି ଶୁଣେଇ ଦେଲି ।

 

ମୋତେ କିନ୍ତୁ ବଡ଼ ଖରାପ ଲାଗିଲା । ଏଥିପାଇଁ ନୁହେଁ ଯେ ରେହମାନ ଦୁର୍ଘଟଣାର ଶିକାର ହେଲା । ଏଥିପାଇଁ ମଧ୍ୟ ନୁହେଁ ଯେ ଆମକୁ କୋଣାର୍କ ଯାତ୍ରା କ୍ୟାନସେଲ କରିବାକୁ ପଡ଼ିଲା । କେବଳ ଏଥିପାଇଁ ମୋତେ ଦୁଃଖ ଲାଗିଲା ଯେ, ଏତେ କଥା ଘଟିଗଲା ପରେ ମଧ୍ୟ ନିହାର କାର୍‌ ଭିତରେ ନିର୍ଲିପ୍ତ ଭାବରେ ବସି ତା’ର କପାଳରୁ ଅଲରା ବାଳ ସଜାଡ଼ୁଥାଏ । ହଠାତ୍ ତା’ ପ୍ରତି ମୋ ମନରେ କୋଧ, ଘୃଣା, ଦୟା ମିଶ୍ରିତ ଏକ ଭାବ ଜାତ ହେଲା ।

 

ଓଡିଶାର ନ୍ୟାଯ୍ୟ ଦାବି

ଇସ୍ପାତ କାରଖାନା

 

ତଥାପି ମୁଁ ନିଜେ ଡ୍ରାଇଭ କଲି ।

 

ମନେପଡ଼ିଲା ନିଜର କବିତା :

 

ଯିବାରେ ଆନନ୍ଦ ସିନା ଫେରିବାରେ

 

ପରାଜିତ ଆଖି

 

ସବୁ ସଙ୍କଟମୟ ମୁହୂର୍ତ୍ତରେ ମୋର କବିତା ମନେପଡ଼େ । ଏଥର ଏ ଲେଉଟାଣି ବେଳେ ମନେହେଲା ନିହାର, ରେହମାନ ଓ ମୋ ମଧ୍ୟରେ କିଛି ଗୋଟାଏ ଭିତରେ ଭିତରେ ଘଟି ଯାଉଛି । କ’ଣ ଘଟି ଯାଉଛି ତାହା ଅନୁମାନ କରିବା ବୃଥା ।

 

କାରଣ ରେହମାନ ଚୁପ୍‍ । ସେ ତା’ର ହାତ ନେଇ ବ୍ୟସ୍ତ । କାରଣ ନିହାର ମଧ୍ୟ ଚୁପ୍‌ । ମୁଁ ଦେଖିଲି ପଛ ସିଟରେ ସେ ଢୁଳଉଛି । ମୁଁ ଗାଡ଼ି ଚଳାଉଛି ସତ, ମାତ୍ର ଏଇ ଗାଡ଼ିକୁ ଦୁନିଆ ଓ ଯାତ୍ରାକୁ ଜୀବନ ସହିତ ନିରର୍ଥକ ଭାବରେ ତୁଳନା କରିବା ଆରମ୍ଭ କରିଦେଇଛି । କିଛ ସମୟ ପୂର୍ବର ଜୈବିକ କାମନା ଲୁପ୍ତ । ଏବେ ନିହାରର ମେଲା ବକ୍ଷ କେବଳ ଦୁଇଟି ମାଂସ ପିଣ୍ଡୁଳା ।

 

ଭୁବନେଶ୍ୱର ।

 

ନିହାର ଗାଡ଼ି ଭିତରେ ବସିଥାଏ ।

 

ମୁଁ ରେହମାନକୁ ଡାକ୍ତରଖାନାରେ ଭର୍ତ୍ତି କରାଇ ଦେଇ ଫେରିଲି ।

 

ମୁଁ ଷ୍ଟାର୍ଟ ଦେବା ପୂର୍ବରୁ ନିହାର ପଚାରିଲା–ଏବେ ପୁଣି କୁଆଡ଼େ ଯିବା ?

 

ମୁଁ କିଛି ସମୟ ଚୁପ୍‌ ରହିଲି । ଏଇ ସମୟ ମଧ୍ୟରେ ମୁଁ ତା’ ପ୍ରଶ୍ନର ଉତ୍ତର ଖୋଜୁଥିଲି । ଉତ୍ତର ମିଳିଲା ନାହିଁ ।

 

ତେଣୁ ପଚାରିଲି–କୁହ କୁଆଡ଼େ ଯିବା ?

 

ମୋତେ ଭାରି ଭୋକ

 

ଆଚ୍ଛା ନିହାର, ପିପିଲି ପହଞ୍ଚିଲା ପରଠୁ ତୁମେ ଏତେ ଗୁମ୍‌ସୁମ୍‌ କାହିଁକି ?

 

ନାଇଁ ତ !

 

ମତେ ଲୁଚେଇ କିଛି ଲାଭ ନାହିଁ । କ’ଣ ହେଇଚି କହୁନ ?

 

ଭାବିଚି ପଢ଼ା ଛାଡ଼ିଦେବି ।

 

ହୋଟେଲ ପାଖେଇ ଆସିଥିଲା ।

 

ପଚାରିଲି–ଏଠି ଏଇ ଭିତରେ ବସି ଖାଇବ ନା ଭିତରକୁ ଯିବା ?

 

ଅନୁଗତ ପତ୍ନୀ ପରି ନିହାର ଉଠିଲା । ମୋ ପଛେ ପଛେ ଆସିଲା ।

 

କେବିନ ଭିତରେ ବସି ସେ ପୁଣି ଚୁପ୍‍ । ମୁଁ ଖୁବ୍‌ ଥଣ୍ଡା କଣ୍ଠରେ କହିଲି–ଆଇ ଏମ୍‌ ସରି ବଟ୍‌ ନିହାର ଜୀବନ ଯାତ୍ରାରେ ଆମେ ହୁଏତ ଏକା ସାଙ୍ଗରେ ବାଟ ଚାଲି ପାରିବା ନାହିଁ ।

 

ହ୍ୱାଟ୍‌ ଡୁ ୟୁ ମିନ୍‌ ?

 

ଆଇ ମିନ୍‌ ତୁମେ ତୁମ ପାଇଁ ଜଣେ ସ୍ୱାମୀ ଓ ମୁଁ ମୋ ପାଇଁ ଜଣେ ସ୍ତ୍ରୀ ଖୋଜିବା ଅଧିକ ସୁନ୍ଦର ହେବ ।

 

ନିହାରର ନେତ୍ର ବିସ୍ଫାରିତ ।

 

ପଚାରିଲା–କାହିଁକି ?

 

ଏଇଥି ପାଇଁ ଯେ ମୋ ଭଳି ଜଣେ ନାଲାୟକ ତୁମର ସ୍ୱାମୀ ହେବାର ଯୋଗ୍ୟ ନୁହେଁ ।

 

ତୁମେ କ’ଣ କହୁଛ ?

 

ମୁଁ ଠିକ୍‌ କହୁଚି । ପିପିଲି ଦୁର୍ଘଟନା ପରେ ମୋର ଏହାହିଁ ଧାରଣା ହୋଇଛି ।

 

ହଉ ତୁମର ଯାହା ଇଚ୍ଛା ।

 

ନିହାରର ଏଇ ପଦେ କଥା ଶୁଣିବା ପରେ ମୁଁ ସବୁ ଭୁଲିଗଲି ।

 

(ନବରବି–ପୂଜାସଂଖ୍ୟା, ୧୯୭୦)

Image

 

ପାଚେରୀ

 

ପ୍ରସିଦ୍ଧ ଲୁଗାଦୋକାନୀ ମିଷ୍ଟର ପାଲ୍‌ଙ୍କର ପୃଥୁଳତା ଏଥର କିଛି କମିଯାଇ ଥିବାର ଲକ୍ଷ୍ୟ କଲି । ନିଜକୁ କୌଣସି ପ୍ରକାରେ ଘନ ଘନ ପୋନ୍‌କଲ୍‌ ଓ କେସ୍‍-ମେମୋ ଓ ଆର ଆର ଓ ଗଣ୍ଠିଲିରୁ ମୁକ୍ତ କରି ସେ ମୋ ସହିତ ମ୍ୟାଟିନୀ ଶୋ’ ଯିବାପାଇଁ ବାହାରି ପଡ଼ିଲେ ।

 

କହିଲେ,

 

ତୁମେ ତ ପ୍ରୋଗ୍ରାମରେ ବନ୍ଧା । ନ ହେଲେ ଅନ୍ୟ କିଛିର ଆୟୋଜନ ବି କରିଥାନ୍ତେ ।

 

ମୁଁ ସେ ‘ଅନ୍ୟ କିଛି’ ଅର୍ଥାତ୍‌ ମଦ୍ୟପାନ ନିମନ୍ତେ ଆଦୌ ପ୍ରସ୍ତୁତ ନଥିଲି । ତେଣୁ କଥା ବାଆଁରେଇ ଦେଇ କହିଲି–

 

ସେସବୁ ଥାଉ । ଏଠି ଖୁବ୍‌ ଗରମ । ହଁ ସ୍ୱାସ୍ଥ୍ୟଦୃଷ୍ଟିରୁ ଆପଣ ଖୁବ୍‌ ପ୍ରୋଗ୍ରେସ୍‌...

 

ମୋ’ଠାରୁ କଥା ଛଡ଼େଇ ନେଇ ମିଃ ପାଲ୍‍ ନିଜର ଏକଦା ପୃଥୁଳ ପେଟ ଉପରେ ହାତ ମାରି ଉଲ୍ଲସିତ ହୋଇ କହିଲେ ।

 

କାହିଁ ? ସେ ପେଟ କାହିଁ ?

 

ମୁଁ ଜାଣେ, ମିଃ ପାଲ୍‌ ପ୍ରଚୁର ଘୋଡ଼ା ଦୌଡ଼, ମାରପିଟ ବେଲିଡାନ୍‌ସ ଥିବା ସିନେମା ପସନ୍ଦ କରନ୍ତି । ଏଣୁ ଥିଏଟର ବାଛିବାରେ କୌଣସି ଅସୁବିଧା ନାହିଁ । ହଲ୍‌ ଭିତରେ ସେ ମୋର କାନ୍ଧକୁ ଆର୍ମରେଷ୍ଟ ଭଳି ବ୍ୟବହାର କରନ୍ତି ଓ ପର୍ଦ୍ଦାରେ ଗୋଟିଏ ଗୀତ ଆରମ୍ଭ ହୋଇଗଲେ ଏଣେ ସେ ଯାବତୀୟ କଥାବାର୍ତ୍ତା ଆରମ୍ଭ କରିଦିଅନ୍ତି ।

 

ସେ ଆରମ୍ଭ କଲେ–

 

ତୁମର ତ ମନେଥିବ ।

 

ମୁଁ କୌଣସି ପ୍ରକରଣ ନ ଜାଣି କହିପକାଇଲି,

 

ସରି, ମୁଁ ଭୁଲି ଗଲିଣି ।

 

ସ୍ୱାଭାବିକ୍ । And this is the only truth.

 

ହଁ

 

ମଣିଷ ପେଟରେ ଖାଦ୍ୟ ଓ ମୁଣ୍ଡରେ ସ୍ମୃତି ବେଶୀ ଦିନ ରହିପାରେ ନାହିଁ ।

 

The main function of the human brain is to foget. Am I Wrong ? Any grammatical mistake ?

 

ନୀରବ ରହିଲେ କ୍ଷଣେ । ପୁଣି ପଚାରିଲେ ।

 

Well youngman ! କ’ଣ କରୁଛ ଆଜିକାଲି ?

 

Journalism

 

ଦିଲ୍ଲୀରେ ନା ?

 

ହଁ ।

 

ସିନେମା ଶେଷ । ଜନଗଣ ମନ ଅଧିନାୟକ ଜୟ ହେ । ମୁଁ ମିଃ ପାଲ୍‌ଙ୍କୁ ଗୋ-ଗେ’ ରେସ୍ତୋରାଁ ନିକଟରେ So long କହି ବିଦାୟ ଦେଲି

 

X X X

 

କ’ଣ ସବୁ ମନେ ରଖିବା ଜରୁରୀ ତାହା ବାଛିବାକୁ ହେବ । ସେଦିନର ଅନେକ କିଶୋରୀଙ୍କ ନାମ ମନେଅଛି; କିନ୍ତୁ ଘଟନା ସବୁ ଏଭଳି ଭାବରେ ଫେଣ୍ଟି ହୋଇଯାଇଛନ୍ତି ଯେ କାହା ସାଙ୍ଗରେ ପିକ୍‌ନିକ୍‌, କାହା ସାଙ୍ଗରେ ଟେନିସ୍‌, କାହା ସାଙ୍ଗରେ ବା’ର–ସେସବୁ କିଛି ହେଲେ ନିର୍ଦ୍ଦିଷ୍ଟ ଭାବରେ ମନେ ନାହିଁ ।

 

ଖଡ଼ିଶୁଭ୍ର ଖଣ୍ଡଖଣ୍ଡ ମେଘ । ଦର୍ପଣ କାଚର ଅନେକ ଟୁକୁରା । ପୃଷ୍ଠା ପୃଷ୍ଠା ଭଗ୍ନାଂଶ ।

 

ଭଗ୍ନରୂପେଣ ସଂସ୍ଥିତା ସ୍ମୃତି ମୋର !

 

ସ୍ମୃତି ମୋର, ଆଃ ସ୍ମୃତି ମୋର ।

 

ସ୍ମୃତି ଏକ ଚକିକଟା ଚିଲ ହୋଇଥିଲେ ତାହାକୁ ଦେଖନ୍ତି ବସି ସଂକୀର୍ଣ୍ଣ ପର୍ଚ୍ଛିରୁ ।

 

ଗୀତା ଚୌଧୁରୀ । ନା, ମେହରୋତ୍ର? ଠିକ୍‌ ମନେପଡୁନାହିଁ । ଗୋ-ଗେ’ ବାରନ୍ଦା ।

 

କହିଲା,

 

ହେଲ୍ଲୋ ! ଚିହ୍ନୁଛ ତ ?

 

ମୁସ୍‌କିଲ୍‌ ! ତୁମକୁ ମୁଁ ଭୁଲିପାରେ ?

 

କ’ଣ କରୁଛ ଏବେ ?

 

ସେଇ Journlism, ଦିଲ୍ଲୀରେ ।

 

ଓଃ....excuse me ତେବେ ଏଠି ?

 

ମରୁଡ଼ି ଅଞ୍ଚଳ ଉପରେ ଏକ କଭରେଜ୍‌ ଦେବାକୁ ହେବ । ତେଣୁ । ଆଉ ତୁମେ ?

 

ମୋ କଥା ଛାଡ଼ । ପରେ କହିବି । ଆଚ୍ଛା ତୁମେ ରହିଛ କେଉଁଠି ?

 

ଏକ୍‌ତିରିଶ୍‌, ହୋଟେଲ ନାଲନ୍ଦା ।

 

ନୋ, ନୋ, ସେସବୁ ହେବ ନାହିଁ । ଏଠି ଥିବା ଯାଏଁ ଅନ୍ତତଃ.... ତୁମେ ମୋ ଘରେ ରହିବ ।–କିନ୍ତୁ .... ମୁଁ ଅନ୍ୟ ତିନିଜଣ ବନ୍ଧୁଙ୍କ ସାଙ୍ଗରେ ରହୁଛି ।

 

ମୁଁ ସେସବୁ ଜାଣେନା । ଅନେକ ଦିନ ପରେ....

 

I want to have a good time with you.

 

ମୁଁ ଲକ୍ଷ୍ୟ କଲି ।

 

ଗୀତା ‘ଆମ ଘର’ ନ କହି ‘ମୋ ଘର’ ବୋଲି କହିଲା । ତା’ର ସେଇ ଅଧବୁଣା ଢିଲା ବେଣୀ, ଉନ୍ନତ ସ୍ତନ, ଦାଗହୀନ ଅବୟବ, ସଫା ଦାନ୍ତ, ପାଖୁଡ଼ା ପରି ଓଠ : ସବୁ ଠିକ୍‌ ପୂର୍ବପରି । ଚାରିବର୍ଷତଳେ ମୁଁ ଯେମିତି ଛାଡ଼ିଯାଇଥିଲି, ଠିକ୍‌ ସେମିତି । ଖାଲି ଯାହା କଥାବାର୍ତ୍ତାରେ ଟିକେ ସତର୍କ ।

 

କ’ଣ, କେବେ ନ ଦେଖିଲା ପରି ଚାହିଁଛ ! ଚାଲ ! ତା’ପରେ ତା’ର ସେଇ ବଂଲୋ ଭଳି ବିରାଟ ଘରେ ସେ ଓ ମୁଁ ଦୁଇଜଣ । ଏକା । ଅନେକ ଗତ ଘଟନାର ସ୍ମୃତି ଫ୍ରେମ ବନ୍ଧା ହୋଇ ଝୁଲୁଥିଲା ତା’ର ବଖରାରେ । ଉନ୍ନତ ବକ୍ଷ-ତଳର କ୍ଷୁଦ୍ର ଏକ ବଖରାରେ । ପୁନାରାବୃତ୍ତି ଘଟିଲା । ସେଇ ନୀଳାଭ ପରିବେଶ । ସେଇ ସିନ୍ଥେଟିକ୍‌ ଅତରର ମୃଦୁମନ୍ଦ ସୁରଭି । ସବୁ ପୂର୍ବପରି । ଏକ ଆହତ ବେଦନାରେ ଝାଉଁଳି ପଡ଼ିଲା ପରି ତା’ର ସୀତ୍କାର ।

 

ମୋର ଶକ୍ତି ଉପରେ ଗୀତାର ପ୍ରଚୁର ବିଶ୍ୱାସ । ମୁଁ ସେଇ ଆନନ୍ଦମୟ ମୁହୂର୍ତ୍ତଗୁଡ଼ିକୁ ନିଜର ପେଶୀ ବଳରେ ବଢ଼େଇ ବା ଛିଣ୍ଡେଇପାରେ ବୋଲି ଏଥର ବି କହିଲା ।

 

ବାପରେ, ଦେଖୁଚି ଚାରିବର୍ଷ ଭିତରେ ତମେ ଟିକିଏ ବି ବଦଳିନ । By the by ତୁମର ବାହାଘର ?

 

ନା, ସେ ଜଞ୍ଜାଳରେ ପଶିନି ।

 

ଠିକ୍‌ କରିଛ ।

 

କିନ୍ତୁ ?

 

କିନ୍ତୁ ଭାରି ଏକା ଏକା ଲାଗୁଛି, ନା ?

 

ହଁ ପ୍ରାୟ ସେ’ୟା ।

 

ମୁଁ ପୁଣି ପଚାରିଲି,

 

ଆଉ ତୁମର ବାହାଘର ?

 

ଆମର ସିଏ, ମାଲହୋତ୍ରା ପଟେରୀଜ୍‌ର ସେଲ୍‌ସ ଏଜେଣ୍ଟ । ମାସକୁ ଅଠେଇଶ ଦିନ ଏଠି ସେଠି ବାହାରେ ରହନ୍ତ । ପୁଣି ଶୁଣୁଛି, ସେ ଏବେ ଅନ୍ୟଜଣକୁ ପାର୍ଟନର୍‌....

 

I am so sorry

 

ହଃ ଛାଡ଼ ସେ କଥା ।

 

ଗୀତା ଚୌଧୁରୀ ମୋଠୁ କିଛି ଦାବି କରିନାହିଁ, ମୋତେ କିଛି ପରାମର୍ଶ ଦେଇନାହିଁ । ଏବେ ବି ସେ ପୂର୍ବପରି । ହୁଏତ ଏବେ ବି ସେ ନିୟମିତ ପିଲ୍‌ ଗିଳୁଥିବ ।

 

ମୋର ଚୁମ୍ବନର ଜବାବ ସେ ଆଲିଙ୍ଗନରେ ଦେଲା । ମୋର ଆଶ୍ଳେଷର ଉତ୍ତର ସେ ତା’ର ଭୁଜବନ୍ଧନର ନାଗଫାଶରେ ଦେଲା । ମୋର ଆଘାତର ଜବାବ ସେ ପ୍ରତିଘାତରେ ଦେଲା ।

 

ସେ ଜାଣେ । କେଉଁ ସମୟରେ କ’ଣ କରିବାକୁ ହୁଏ, ତାହା ସେ ଜାଣେ । ସୁଖର ବିନିମୟରେ ସେ ସ୍ମୃତି ଠୁଳେଇବାରେ ଲାଗିଛି । ମୁଁ ତାକୁ ପ୍ରେମ କରିନାହିଁ । ଝଡ଼-ବିକ୍ଷୋଭିତ ସାଗରର ପୋତପାଇଁ ମୁଁ ଏକ ବନ୍ଦର, ମାତ୍ର ମୁଁ ତ ତା’ପାଇଁ ବାରନ୍ଦା ବା କ୍ଲବ୍‍ ଲନରେ ଟାକି ରାତି ଉଜାଗର ରହିନି ।

 

ପ୍ରେମପତ୍ର ଲେଖି ନାହିଁ ।

 

ମିଃ ପାଲ୍‌ ! ଆପଣଙ୍କ ବକ୍ତବ୍ୟରେ; କୌଣସି ବ୍ୟାକରଣ ଗତ ଭୁଲ୍‌ ନଥିଲା; ଭାଗବତ ଭୁଲ୍‌ ଅଛି । ଯେତେ ଭୁଲିଲେ ବି, ଏଇମିତି ନାରୀଙ୍କୁ କ’ଣ କେବେ ଭୁଲି ହୁଏ ?

 

ତା’ର ଗ୍ରୀବା, ତା’ର କଟୀ ତା’ର ବକ୍ଷ, ତା’ର ବାହୁ, ତା’ର ପେଟ, ତା’ର ଜାନୁ, ତା’ର ନିତମ୍ବରେ କି ଏକ ଆନୁପାତିକ ଭାସ୍କର୍ଯ୍ୟର ପୂର୍ଣ୍ଣରୂପ ।

 

ସକାଳୁ ସେଠୁ ବିଦାୟ ନେଇ ଆସିଲା ବେଳକୁ ମୁଁ ପଚାରିଥିଲି ।

 

ଦୀର୍ଘ ଚାରିବର୍ଷ ପରେ ତୁମ ସାଙ୍ଗରେ ମାତ୍ର ଗୋଟିଏ ରାତ୍ରିର ଏ ସ୍ନାୟୁଛିଣ୍ଡା ଖେଳ । ମୁଁ ତୁମକୁ ସୁଖ ଦେଇପାରିଲି ତ ?

 

ସେ ସ୍ୱୀକୃତି ବା ଅସ୍ୱୀକୃତି କୌଣସିଟା ହେଲେ ସଂଳାପ ବା ମୁଖଭଙ୍ଗିୀରେ ପ୍ରକାଶ କରିପାରିନଥିଲା । ତା’ର ନିଦଅଧୁଆ ମୁହଁଟା ଅସମ୍ଭବ ରକମ ଚେପ୍‌ଟା ଦେଖାଯାଉଥିଲା, କିଏ ଯେମିତି ଓଜନିଆ ଇସ୍ତ୍ରୀ ମାରି ତା’ର ମୁହଁଟାକୁ ସମତଳ କରି ଦେଇଥିଲା କିମ୍ବା ସୁଖର ଓଜନରେ ତାହା ସେମିତି ହୋଇଯାଇଥିଲା ।

 

X X X

 

ଏହାପରେ ଦୀର୍ଘ ୮୫ ମାଇଲ୍‌ ଖାଲଢିପ ଧୂଳିପଥର ମଧ୍ୟରେ ଜିପ୍‍ଯାତ୍ରା । ପ୍ରଚୁର ଧୂଳି ଦେହସାରା । ଆମେ ସେଠି ପହଞ୍ଚି ସ୍ନାନ ବ୍ୟାକୁଳ ହୋଇପଡ଼ିଲୁ । ପଞ୍ଚାୟତ ସମିତି ଚେଆରମେନ୍‌ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କ ଭିତିରି ଖଞ୍ଜାରେ ଆମର ରହିବାର ବ୍ୟବସ୍ଥା ହୋଇଥିଲା । ଦାଣ୍ଡରେ ଗୋବର, ଭଙ୍ଗା ହାଣ୍ଡି, ଶଗଡ଼, ପୁଆଳ ପିରଡ଼ାରେ ଶୁଖିଲା ମାଖନ, କଖାରୁ, ଲାଉଲହ, କାନ୍ଥରେ ନିର୍ବାଚନ ପ୍ରଚାର ।

 

ଆମ୍ବ ବୁରେଇ ଟପି ଆମେ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କ ଘରେ ପହଁଚିଲୁ ୧୧:୩୦ରେ । ସେ ଅନୁପସ୍ଥିତ ।

 

୧୧:୩୫ ବେଳେ ମିଃ ଶର୍ମା, ପ୍ରେସ୍‌ ଫଟୋଗ୍ରାଫର, ବ୍ୟସ୍ତ ହୋଇ କହିଲେ–

 

ଆଉ ଗୋଟେ ଦି’ଟା ଫିଲ୍ମ ରୋଲ୍‌ ଆଣିଥିଲେ ଭଲ ହୋଇଥାନ୍ତା !

 

ଦିନ୧୧:୪୦ ବେଳେ ଆକାଶବାଣୀର ପ୍ରତିନିଧି ମିଃ ସାମନ୍ତ୍ରା ପାପୁଲିରେ ଟବାକୋ ଦଳୁ ଦଳୁ କହିଲେ–

 

ଲୋକଙ୍କର ଆର୍ତ୍ତନାଦ ରେକର୍ଡ଼ କରୁକରୁ ମୋର ସବୁ ଟେପ୍‌ ଖତମ୍ । ଷଡ଼ଙ୍ଗୀ ବାବୁଙ୍କର ଇଣ୍ଟରଭ୍ୟୁ ନେବି କିପରି ? ଆର୍ତ୍ତନାଦ ସବୁ erase କରିଦେବି କି ?

 

ସଦା ନୀରବ ଡକୁମେଣ୍ଟାରୀ ଚିତ୍ର-ନିର୍ମାତା ମିଃ ୟାଦବ ୧୧:୪୫ ବେଳେ କହି ପକାଇଲେ–

 

ମୋର ସବୁ ଫିଲ୍ମ ଫଟା ମାଟିର ଆଁ ଚିତ୍ର ଉଠାରେ ଶେଷ । ଏ କରୁଣ ମୁହଁଗୁଡ଼ାକ ଦେଖାଇବି କିପରି ? ଜନତା ଜନାର୍ଦ୍ଦନ-ସେବାରତ ଷଡ଼ଙ୍ଗୀ ବାବୁଙ୍କ ଫଟୋ ଉଠିବ କେମିତି ?

 

ଜିପ୍ ପାଖରେ ଅନେକ ଲୋକ ରୁଣ୍ଡହୋଇ ସାରିଥିଲେ । ବୁଢ଼ା-ବୁଢ଼ୀ ଅଧଲଙ୍ଗଳା ଯୁବତୀ । ମୁକୁଳା ଛାତି, ନୁଖୁରା କେଶ, ଲଙ୍ଗଳା ଛୁଆ : ସମସ୍ତେ । ମୋର ଇଚ୍ଛା ହେଉଥିଲା ସେମାନଙ୍କୁ ଏକ ଭାଷଣ ଶୁଣାନ୍ତି, ଜିପ୍‌ର ଇଞ୍ଜିନ୍ ଉପରେ ଠିଆହୋଇ । ମୋର ଭାଷଣର ମର୍ମ ଏପରି ହୁଅନ୍ତା ।

 

ଭାଇମାନେ । ଆପଣମାନେ ଧୈର୍ଯ୍ୟଧରନ୍ତୁ । ଆତ୍ମବଳ ହରାନ୍ତୁ ନାହିଁ । ମୁଁ ଆମ କାଗଜରେ ଆପଣମାନଙ୍କ ବିଷୟରେ ସାତଦିନ ଯାଏ ତିନି କଲମ ଲେଖାଏଁ ଲେଖିବି । ବ୍ୟସ୍ତ ହୁଅନ୍ତୁ ନାହିଁ, ମିଃ ୟାଦବ ନିଶ୍ଚୟ ଏଥର ନିଜ ଚିତ୍ର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇବେ । ପୁନଶ୍ଚ, ମିଃ ସାମନ୍ତ୍ରା ଆପଣମାନଙ୍କ ଅବସ୍ଥା ଉପରେ ଏକ ରେଡ଼ିଓ ରୂପକ ଲେଖିବେ । ତାହା ଦେଶର ସବୁ ଆକାଶବାଣୀ କେନ୍ଦ୍ରରୁ ରିଲେ କରାଯିବ ଏବଂ ମିଃ ଶର୍ମା ଆପଣମାନଙ୍କର ଫଟୋ ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେବାର ବ୍ୟବସ୍ଥା କରିବେ । ଆମେମାନେ ଆପଣମାନଙ୍କ ପାଇଁ ଯଥାସାଧ୍ୟ ଚେଷ୍ଟା କରିବୁ । ଆସନ୍ତା ନିର୍ବାଚନରେ ଯଦି ଶୀଯୁକ୍ତ ଷଡ଼ଙ୍ଗୀ ବିଧାନସଭାକୁ ନିର୍ବାଚିତ ହୋଇ ଯାଆନ୍ତି, ତା’ହେଲେ ଆପଣମାନଙ୍କୁ ଆଉ ତିନ୍ତୁଳିଗଛ ଉପରେ ଚଢ଼ିବାକୁ ପଡ଼ିବ ନାହିଁ । ଭାଇମାନେ ! ଆତ୍ମବଳ ହରାନ୍ତୁ ନାହିଁ ।

 

ଜୟହିନ୍ଦ୍ ।

 

ମାତ୍ର ମୁଁ ଭାଷଣ ଦେଲି ନାହିଁ । ମୁଁ ଭାଷଣ ଦେବାପାଇଁ ଆସିନଥିଲି, ରିଲିଫ୍‌ ବାଣ୍ଟିବାପାଇଁ ଆସିନଥିଲି, କହିବା ପାଇଁ ଆସିନଥିଲି, ବିବରଣୀ ସବୁ ଟାଇପ୍‌ କରିବାପାଇଁ ହିଁ ଆସିଥିଲି ।

 

ଏ ତିନିହେଁ ନିଜ ନିଜ ଅସୁବିଧା ବିଷୟ ଚର୍ଚ୍ଚା କରୁଥାନ୍ତି । କେହି ଜଣେ ପଚାରି ଦେଲେ–

 

ଆପଣଙ୍କ ମତ କ’ଣ ?

 

ଫେରିବା ।

 

ମୁଁ ଥରେ ପୁରୀ ଯାଇଥିଲି ।

 

ମୁଁ ଥରେ ବେନାରସ ।

 

ମୁଁ ବମ୍ବେ ।

 

ମୁଁ ସହରକୁ ଘୃଣା କରେ ।

 

ଫେରିବ ।

 

ଆଜି କି ବାର କି ?

 

କାଲି ବର୍ଷା ହେବ ।

 

ଆଧ୍ୟାତ୍ମିକ ଉନ୍ମେଷ ଜରୁରୀ ।

 

ଆପଣଙ୍କ ମଧୁରାତି କଥା କହନ୍ତୁନା ।

 

ଆରେ, ସେ Un-married ।

 

ଆଜି ସନ୍ଧ୍ୟା ସୁଦ୍ଧା ଏଠି ତିନିଶହ କ୍ୱିଣ୍ଟାଲ ସର୍କାରୀ ଚାଉଳ ପହଞ୍ଚିଯିବ ।

 

ମୁଁ ଜାଣେ । ଆପଣଙ୍କ ମୁଣ୍ଡବ୍ୟଥା । ଏସ୍ପିରିନ୍ ?

 

ନା, ଧନ୍ୟବାଦ ।

 

ଖାଇବା କେତେବେଳେ ?

 

ହଁ ହଁ ସତ କଥା ତ !

 

ସେମାନେ ଗପୁଥା’ନ୍ତି । ମୁଁ ସେଠୁ ଖସି ଆସି ବାଡ଼ି ଦୁଆର ମୁହଁରେ ଠିଆ ହେଲି ।

 

ଚେଆରମେନ୍‍ ସା’ବଙ୍କ ଏକମାତ୍ର ଝିଅ ସୁଲତା, ଡାକ ନାଁ ସୁଲୁ, ସୁଲି, ଲତା; ଯାହାକୁ ଚିଡ଼େଇବା ପାଇଁ ‘କଷିକାକୁଡ଼ି’ ବୋଲି ଡକାଯାଏ । ପାଚେରୀ ଉପରେ ବସି ପିଜୁଳି ଚୋବାଇବାରେ ଲାଗିଥାଏ ଓ କହୁଥାଏ,

 

ଆରେ ସୂତା ଛାଡ଼ୁନୁ କାହିଁକି ? ଗୁଡ଼ିଟା କ’ଣ ଆପଣା ଛାଏଁ ଉପରକୁ ଉଠିଯିବ ?

 

ଦେବି ଯେ...

 

ମୁଁ ଉପରକୁ ନିଘା କିଲି । ଆକାଶରେ ଏକ ତ୍ରିଶଙ୍କୁଗୁଡ଼ି । ଉପରକୁ ଉଠୁନି ତଳକୁ ଖସୁନି । ଟଳମଳ ହେଉଛି । ଯିଏ ଏ ଗୁଡି ଉଡ଼ାଉଛି ତାକୁ ମୁଁ ଦେଖିବାକୁ ଚାହୁଁଛି । ମାତ୍ର ପାରିବି ନାହିଁ ଏଇ ପାଚେରୀ ଯୋଗୁଁ ।

 

ମୁଁ ଡାକିଲି,

 

ସୁ-ଲ-ତା ! ବାପା ଆସିଲେଣି ?

 

ସେ ମୋ ଆଡ଼କୁ କ୍ଷଣେ ଚାହିଁଲା । ଛାତି ଉପରେ ଲମ୍ବିଥିବା ବେଣୀଟିକୁ ପିଠି ଆଡ଼କୁ ଛାଟିଦେଇ କହିଲା,

 

ନା

 

ଓ ପୁଣି ମୁହଁ ବୁଲାଇ ଦେଇ କହିଲା,

 

ଆରେ ମାଇଚିଆ, ସୂତା ଛାଡ଼ି ଦେ’

 

କ’ଣ କହିଲୁ ? ମୁଁ ମାଇଚିଆ ?

 

ଅର୍ଦ୍ଧଭୁକ୍ତ ପିଜୁଳି ଖଣ୍ଡକ ଫୋପାଡ଼ି ଦେଇ ସୁଲତା ପାଚେରୀ ସେପାଖକୁ ଡେଇଁ ପଡ଼ିଲା-

 

କିଛି ସମୟ ପରେ ସୁଲତାର ‘ଓ’ ଧ୍ୱନି

 

ଅନ୍ୟସ୍ୱର–କିଛି ହେବ ନାଇଁ ଲୋ !

 

ଗୁଡ଼ିଟା ଖସି ପଡ଼ୁଛି ।

 

ସୂତା ସବୁ ଗୁପା ହୋଇଯାଇଥିବ ।

 

ମୁଁ ଯାହା ଦେଖୁଛି, ଏକା ପାଚେରୀ । ମାକଡ଼ା ପଥର ସବୁ ଖୁନ୍ଦାଖୁନ୍ଦି । ଗୋଟେ ରେଖା-। ଗୋଟେ ବାଧା ।

 

(ଝଙ୍କାର–ନଭେମ୍ବର, ୧୯୭୦)

Image